ପ୍ରୟାଗରାଜ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ମଙ୍ଗଳବାର ପ୍ରୟାଗରାଜର ମହାକୁମ୍ଭରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମରେ ଥଣ୍ଡା ଜଳରେ ପ୍ରଥମ ‘ଅମୃତ ସ୍ନାନ’ କରିଛନ୍ତି। ଆଜି ୧୨ ଘଣ୍ଟା ଧରି ଚାଲିଥିବା ଅମୃତ ସ୍ନାନରେ ୩.୫ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏହି ଅବସରରେ ଶ୍ରଦ୍ଧାଳୁଙ୍କ ଉପରେ ହେଲିକପ୍‌ଟରରୁ ଲଗାତାର ଫୁଲ ବର୍ଷା କରାଯାଇଥିଲା। ଯାହା ପୂର୍ବରୁ ଶାହୀ ସ୍ନାନ ନାମରେ ପରିଚିତ ଏହି ଅମୃତ ସ୍ନାନ ବିଶ୍ୱାସୀମାନଙ୍କୁ ପାପରୁ ମୁକ୍ତ କରିଥାଏ ତଥା ଜୀବନ-ମୃତ୍ୟୁ ଚକ୍ରରୁ ମୁକ୍ତି ପ୍ରଦାନ କରିଥାଏ। ପୌଷ ପୂର୍ଣ୍ଣିମା ଅବସରରେ ସୋମବାର ମହାକୁମ୍ଭର ପ୍ରଥମ ବଡ଼ ସ୍ନାନର ଗୋଟିଏ ଦିନ ପରେ ଆଖଡ଼ା ବା ହିନ୍ଦୁ ମଠର ସଦସ୍ୟମାନେ ‘ଅମୃତ ସ୍ନାନ’ କରିଥିଲେ। ମହାକୁମ୍ଭରେ ଆଜି ଜୁନା ଆଖଡ଼ା ସମେତ ସମସ୍ତ ୧୩ଟି ଆଖଡ଼ାର ସଦସ୍ୟ ଅମୃତ ସ୍ନାନ ସଂପନ୍ନ କରିଛନ୍ତି।

ଶ୍ରୀ ପଂଚାୟତି ଆଖଡ଼ା ମହାନିର୍ବାଣୀ ଓ ଶ୍ରୀ ଶମ୍ଭୁ ପଂଚାୟତ ଅଟଳ ଆଖଡ଼ା ‘ହର ହର ମହାଦେବ’, ‘ଜୟ ଶ୍ରୀରାମ’ ଓ ‘ଜୟ ଗଙ୍ଗା ମୈୟା’ ସ୍ଲୋଗାନ ଦେଇ ‘ଅମୃତ ସ୍ନାନ’ କରିଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ‘ଅମୃତ ସ୍ନାନ’ କରିଥିବା ଶ୍ରଦ୍ଧାଳୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍ନାନକୁ ସେ ଭାରତର ଅନନ୍ତ ସଂସ୍କୃତି ଓ ବିଶ୍ୱାସର ଜୀବନ୍ତ ରୂପ ବୋଲି କହିଥିଲେ। ସାଧୁସନ୍ଥଙ୍କ ତତ୍ତ୍ୱାବଧାନରେ ମଙ୍ଗଳବାର ଭୋର ୩ଟାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବ୍ରାହ୍ମମୁହୂର୍ତ୍ତରେ ସ୍ନାନ ଆରମ୍ଭ କରିଥିଲେ।

ଶ୍ରଦ୍ଧାଳୁଙ୍କ ଉପରେ ଫୁଲବର୍ଷା

ଉତ୍ତରପ୍ରଦେଶ ସରକାର କହିଛନ୍ତି ଯେ ୧୨ ବର୍ଷ ପରେ ପଡ଼ିଥିବା କୁମ୍ଭରେ ୬ ସପ୍ତାହ ମଧ୍ୟରେ ପ୍ରାୟ ୪୦ କୋଟି ଲୋକ ଯୋଗଦେବେ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ଗତକାଲି ମହାକୁମ୍ଭର ପ୍ରଥମ ଦିବସରେ ୧୬.୫ ନିୟୁତ ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିଥିଲେ। ଶ୍ରଦ୍ଧାଳୁଙ୍କ ଯାତାୟାତକୁ ନିୟନ୍ତ୍ରଣ କରିବା ପାଇଁ ୫୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ଓ ଡ୍ରୋନ୍ ମୁତୟନ କରାଯାଇଛି। ପ୍ରୟାଗରାଜଠାରେ ଗଙ୍ଗା କୂଳରେ ୨.୫ ନିୟୁତରୁ ଅଧିକ ‘କଳ୍ପବାସୀ’ ସେମାନଙ୍କର ଧ୍ୟାନ ଓ ଆଧ୍ୟାତ୍ମିକ ଅଭ୍ୟାସ ଆରମ୍ଭ କରିଛନ୍ତି। ସେମାନଙ୍କ ପାଇଁ ପାଖାପାଖି ୧,୬୦,୦୦୦ ତମ୍ବୁ ସ୍ଥାପନ କରାଯାଇଛି। ଶ୍ରଦ୍ଧାଳୁମାନେ ‘କଳ୍ପବାସ’ ସମୟରେ ଏକ ମାସ ପର୍ଯ୍ୟନ୍ତ ସଙ୍ଗମରେ ରହନ୍ତି ଏବଂ ଗଙ୍ଗାରେ ତ୍ରିସନ୍ଧ୍ୟା ପବିତ୍ର ସ୍ନାନ କରିବା ସହିତ ଜପ, ଧ୍ୟାନ, ପୂଜା ଓ ଆଧ୍ୟାତ୍ମିକ ପ୍ରବଚନରେ ଯୋଗ ଦିଅନ୍ତି। ନଦୀ କୂଳରେ ଚଳିତ ବର୍ଷ ମହାକୁମ୍ଭ ପାଇଁ ୪ ହଜାର ହେକ୍ଟର ଜମିରେ ଏକ ଅସ୍ଥାୟୀ ସହର ନିର୍ମାଣ କରାଯାଇଛି। ପାଖାପାଖି ୧,୫୦,୦୦୦ ତମ୍ବୁରେ ପର୍ଯ୍ୟଟକଙ୍କ ରହିବା ସୁବିଧା ହୋଇଛି। ଏହି ଅସ୍ଥାୟୀ ସହରରେ ୩,୦୦୦ ରୋଷେଇ ଘର, ୧,୪୫,୦୦୦ ବିଶ୍ରାମଗୃହ ଏବଂ ୯୯ ପାର୍କିଂ ସ୍ଥାନ ରହିଛି। ଶ୍ରଦ୍ଧାଳୁଙ୍କୁ ପ୍ରୟାଗରାଜ ନେବା ପାଇଁ ଭାରତୀୟ ରେଳବାଇ ୩୩୦୦ ଟ୍ରିପ୍ ପାଇଁ ୯୮ଟି ଅତିରିକ୍ତ ଟ୍ରେନ୍ ଚଳାଚଳ କରୁଛି।