Breaking News

ଭରତପୁର ମାମଲାର ପୁନରାବୃତ୍ତି; ଏଥର ଲୁମ୍ବିନୀବିହାର, ବନ୍ଧୁଙ୍କୁ ହାଣି ବାନ୍ଧବୀଙ୍କୁ ଛଡ଼ାଇନେଲେ

ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ଖଣ୍ଡାରେ ହାଣି‌ଲେ। ସାଙ୍ଗରେ ଥିବା ତାଙ୍କ ବାନ୍ଧବୀଙ୍କୁ ୪ ଜଣ ଯୁବକ ଅପହରଣ କଲେ। କାର୍‌ରେ ନେଇ ପଳାଉଥିବା ବେଳେ ଆଗରେ ପୁଲିସ ଚେକିଂ ଦେଖି ଯୁବତୀଙ୍କୁ ଛାଡ଼ିଦେଲେ।

ଭୁବନେଶ୍ବର: ବିଚ୍‌ ରାସ୍ତାରେ  ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ଖଣ୍ଡାରେ ହାଣି‌ଲେ। ସାଙ୍ଗରେ ଥିବା ତାଙ୍କ ବାନ୍ଧବୀଙ୍କୁ ୪ ଜଣ ଯୁବକ ଅପହରଣ କଲେ। କାର୍‌ରେ ନେଇ ପଳାଉଥିବା ବେଳେ ଆଗରେ ପୁଲିସ ଚେକିଂ ଦେଖି ଯୁବତୀଙ୍କୁ ଛାଡ଼ିଦେଲେ। କୌଣସି ଚଳଚ୍ଚିତ୍ର ସୁଟିଂ ଚାଲି ନଥିଲା। ବରଂ ଗତ ରାତିରେ ରାଜଧାନୀ ମୈତ୍ରୀବିହାର ଥାନା ଅଞ୍ଚଳର ଲୁମ୍ବିନୀ ବିହାରରେ ଏଭଳି ଛାତିଥରା ଘଟଣା ଘଟିଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ହୋଇଥିବା ଯୁବକଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଛି। ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ‌ହୋଇଥିବା ଯୁବକଙ୍କର ପରିଚୟ ମିଳିଛି। ସେ ହେଉଛନ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳ‌ରେ ରହୁଥିବା ଆଶିଷ ସିଂହ। ଯୁବତୀଙ୍କୁ ଅପହର୍ତ୍ତାମାନେ ରାସ୍ତାରେ ଛାଡ଼ି ଦେବା ପରେ ସେ ତାଙ୍କ କଟକ ସ୍ଥିତ ଘରେ ପହଞ୍ଚିଛନ୍ତି। ପୁଲିସ ତାଙ୍କୁ ପଚରାଉଚରା କରୁଛି। ତେବେ ପ୍ରାଥମିକ ତଦନ୍ତରୁ ପୁଲିସ ଏହା ତ୍ରିକୋଣୀୟ ପ୍ରେମ ଜନିତ କାଣ୍ଡ ବୋଲି ଅନୁମାନ କରୁଛି।

ଚାରି ଦୁର୍ବୃତ୍ତଙ୍କୁ ଖୋଜୁଛି ପୁଲିସ, ଚେକିଂ ଦେଖି ଅଧା ରାସ୍ତାରେ ଛାଡ଼ିଲେ

ଉଦ୍‌ବେଗର ବିଷୟ ଏହି ଘଟଣା ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଘଟିଛି। ଯାହା କମିସନରେଟ୍‌ ପୁଲିସ ପାଇଁ ଏକ ଆହ୍ବାନ ହୋଇଛି। ଆଗକୁ ପ୍ରବାସୀ ଭାରତୀୟ ଦିବସ ସମାରୋହ ଥିବାରୁ ପୁଲିସ ଚାରିଆଡ଼େ ବ୍ଲକିଂ ଚେକିଂ ଜୋରଦାର କରିଛି। ଭୁବନେଶ୍ବର ଗଳିକନ୍ଦିରେ କୋଟିକୋଟି ଟଙ୍କା ବ୍ୟୟରେ ସିସିଟିଭି କ୍ୟାମେରା ଲାଗିଛି। ହେଲେ ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତ ଏଭଳି ଆତଙ୍କ ରଚିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ ପହଞ୍ଚିପାରିନି ପୁଲିସ। ପୁଲିସ ସୂଚନା ମୁତାବକ, ରବିବାର ରାତି ପାଖାପାଖି ସାଢ଼େ ୧ଟା‌ରେ ଏହି ଘଟଣା ଘଟିଛି। ଆଶିଷ ଓ ତାଙ୍କ ବାନ୍ଧବୀ ଦୁଇଟି ସ୍କୁଟିରେ ଚନ୍ଦ୍ରଶେଖରପୁର ଫେରୁଥିଲେ। ଲୁମ୍ବିନିବିହାର ରୋଡ୍‌ରେ ଯାଉଥିବା ବେଳେ ଆଶିଷଙ୍କ ସ୍କୁଟିରୁ ପେଟ୍ରୋଲ୍‌ ସରିଯାଇଥିଲା। ଏଣୁ ‌ସ୍କୁଟିକୁ ରାସ୍ତା କଡ଼ରେ ରଖି ବାନ୍ଧବୀଙ୍କ ସ୍କୁଟିରେ ପେଟ୍ରୋଲ ଯାଇ ପେଟ୍ରୋଲ୍‌ ଆଣିଥି‌ଲେ। ସ୍କୁଟିରେ ପେଟ୍ରୋଲ୍‌ ପକାଉଥିବା ବେଳେ ଅଚାନକ ଏକ ଧଳା କାର୍‌ ତାଙ୍କ ପାଖରେ ରହିଥିଲା।

ଉଭୟ କିଛି ବୁଝିବା ପୂର୍ବରୁ କାର୍‌ରୁ ୪ଜଣ ଯୁବକ ବାହାରି ଆଶିଷଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଯୁବତୀ ଜଣଙ୍କ ଚିତ୍କାର କରିଥିଲେ ମଧ୍ୟ କେହି ଅଟକି ନଥିଲେ। ଏଣେ ଜୀବନ ବଞ୍ଚାଇବା ପାଇଁ ଆଶିଷ ଦୌଡ଼ୁଥିଲେ ଓ ଯୁବକମାନେ ଗୋଡ଼ାଇ ଗୋଡ଼ାଇ ହାଣୁଥିଲେ। ଆଶିଷଙ୍କ ହାତରେ ୨-୩ ଚୋଟ ବାଜିଥିଲା। ରକ୍ତାକ୍ତ ଅବସ୍ଥାରେ ସେ ଦୌଡ଼ି ଥାନା ଠାରୁ କିଛି ଦୂରରେ ଏକ ଅନ୍ଧାରିଆ ସ୍ଥାନରେ ଲୁଚିଯାଇ ଭାଇକୁ ଫୋନ୍‌ ଯୋଗେ ଘଟଣା ବିଷୟରେ ଜଣାଇଥିଲେ। ଏପଟେ ଦୁର୍ବୃତ୍ତମାନେ ଯୁବତୀଙ୍କୁ ଉଠାଇ ଗାଡ଼ିରେ ନେଇ ଯାଇଥିଲେ। ଖବରପାଇ ପିସିଆର୍‌ ଭ୍ୟାନ୍‌ ପହଞ୍ଚି ଆଶିଷଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌‌ ନେଇଥିଲା। ତାଙ୍କ ଠାରୁ ଘଟଣା ସମ୍ପର୍କରେ ବୁଝିବା ପରେ ଆଉ ଏକ ଟିମ୍‌ ଯୁବତୀଙ୍କୁ ବିଭିନ୍ନ ସ୍ଥାନରେ ଖୋଜିଥିଲା। ହେଲେ ରାତିରେ ଯୁବତୀଙ୍କ ବିଷୟରେ କୌଣସି ସୂଚନା ମିଳିନଥିଲା। ତେବେ ଯୁବତୀ ଜଣକ ଏକ ଅଟୋ ଜରିଆରେ ତାଙ୍କ କଟକ ସ୍ଥିତ ଘରେ ପହଞ୍ଚି ଯାଇଥିବା ସୋମବାର ସକାଳୁ ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ସମ୍ପୃକ୍ତ ଯୁବତୀଙ୍କ ବୟାନ ରେକର୍ଡ କରିଛି। ଦୁର୍ବୃତ୍ତଙ୍କ ସମ୍ପର୍କରେ ଯୁବତୀ କୌଣସି ଠୋସ୍‌ ଉତ୍ତର ଦେଇପାରି ନାହାନ୍ତି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ୩ଟି ଟିମ୍‌ ଗଠନ କରି ପୁଲିସ ସମସ୍ତ ରାସ୍ତାର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। ସିସିଟିଭି ଫୁଟେଜ୍‌ରୁ ମିଳିଥିବା ଗାଡ଼ି ନମ୍ବର ଜରିଆରେ ମାଲିକଙ୍କ ପାଖରେ ପହଞ୍ଚି ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ କରୁଛି। ସେମାନେ ଧରାପଡ଼ିଲେ ହିଁ ଘଟଣା ପଛର କାହାଣୀ ପଦାକୁ ଆସିବ ବୋଲି କୁହାଯାଉଛି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.