ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାର ଏକ କୂଟନୈତିକ ଚିଠି ପଠାଇ ଭାରତକୁ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଢାକା ପଠାଇବାକୁ ଅନୁରୋଧ କରିଛନ୍ତି। ପ୍ରବଳ ଆନ୍ଦୋଳନ ଯୋଗୁ ବାଂଲାଦେଶ ଛାଡ଼ି ପଳାଇ ଆସିଥିବା ୭୭ ବର୍ଷୀୟ ଆୱାମୀ ଲିଗ୍ ନେତ୍ରୀ ଅଗଷ୍ଟ ୫ ତାରିଖରୁ ଭାରତରେ ଅଛନ୍ତି। ଢାକାସ୍ଥିତ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି) ଶେଖ୍ ହସିନା, ତାଙ୍କ ମନ୍ତ୍ରୀ, ପରାମର୍ଶଦାତା ତଥା ପୂର୍ବତନ ସାମରିକ ଓ ବେସାମରିକ ଅଧିକାରୀଙ୍କ ନାମରେ ମାନବିକତା ବିରୋଧୀ ଅପରାଧ ଓ ଗଣହତ୍ୟା ଅଭିଯୋଗ ଆଣି ଗିରଫ ପରୱାନା ଜାରି କରିଛନ୍ତି।

ଅନ୍ତରୀଣ ସରକାରଙ୍କ ବୈଦେଶିକ ବ୍ୟାପାର ପରାମର୍ଶଦାତା ତୌହିଦ ହୁସେନ୍ ଗଣମାଧ୍ୟମକୁ କହିଛନ୍ତି, ଆମେ ଭାରତ ସରକାରଙ୍କୁ ଏକ କୂଟନୈତିକ ବାର୍ତ୍ତା ପଠାଇଛୁ ଯେ ବାଂଲାଦେଶ ଶେଖ୍‌ ହସିନାଙ୍କୁ ନ୍ୟାୟିକ ପ୍ରକ୍ରିୟା ପାଇଁ ଏଠାକୁ ଫେରାଇ ଆଣିବାକୁ ଚାହୁଛି। ଏହା ପୂର୍ବରୁ ଗୃହ ପରାମର୍ଶଦାତା ଜାହାଙ୍ଗୀର ଆଲମ କହିଥିଲେ ଯେ ହସିନାଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ତାଙ୍କ କାର୍ଯ୍ୟାଳୟ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ପଠାଇଛି। ବର୍ତ୍ତମାନ ପ୍ରକ୍ରିୟା ଜାରି ରହିଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଆଲମ କହିଛନ୍ତି ଯେ ଢାକା ଓ ନୂଆଦିଲ୍ଲୀ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ରହିଛି, ସେହି ବ୍ୟବସ୍ଥା ଅନୁଯାୟୀ ହସିନାଙ୍କୁ ବାଂଲାଦେଶ ଫେରାଇ ନିଆଯାଇପାରେ।

ବୈଦେଶିକ ସଚିବ ବିକ୍ରମ ମିସ୍ରି ବାଂଲାଦେଶ ଗସ୍ତ କରି ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ସହ କଥା ହେବାର କିଛି ସପ୍ତାହ ପରେ ଶେଖ୍ ହସିନାଙ୍କୁ ଫେରାଇ ଆଣିବାକୁ କୂଟନୈତିକ ଚିଠି ଆସିଛି। ଢାକାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଶ୍ରୀ ମିସ୍ରି କହିଥିଲେ ଯେ ତାଙ୍କର ୟୁନୁସ୍‌ଙ୍କ ସହ ଖୋଲାଖୋଲି, ନିରପେକ୍ଷ ଓ ଗଠନମୂଳକ ମତ ବିନିମୟ ହୋଇଥିଲା। ଭାରତ ମଧ୍ୟ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇଥିଲା। ୟୁନୁସ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଥିଲା ଯେ ଶେଖ୍ ହସିନାଙ୍କ ଭାରତରେ ରହିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ୟୁନୁସ୍ କହିଥିଲେ, ହସିନା ଭାରତରେ ଥାଇ ଅନେକ ବୟାନ ଦେଉଥିବାରୁ ଆମ ଲୋକମାନେ ଚିନ୍ତିତ ଅଛନ୍ତି। ଏହା ଉତ୍ତେଜନା ସୃଷ୍ଟି କରୁଛି।

ବୈଦେଶିକ ସଚିବଙ୍କ ଗସ୍ତ ପୂର୍ବରୁ ହସିନା ଅନ୍ତରୀଣ ସରକାରକୁ ଟାର୍ଗେଟ କରିବା ସହ ମହମ୍ମଦ ୟୁନୁସ୍ ଫାସିବାଦୀ ଶାସନ ଚଳାଇଥିବା ଅଭିଯୋଗ କରିଥିଲେ। ଲଣ୍ଡନରେ ଆୱାମୀ ଲିଗ୍ ସମର୍ଥକମାନଙ୍କୁ ଏକ ଭର୍ଚୁଆଲ ଅଭିଭାଷଣରେ ସେ ଅଭିଯୋଗ କରିଥିଲେ ଯେ ମହମ୍ମଦ ୟୁନୁସ୍ ତାଙ୍କ ଶାସନକୁ ଶେଷ କରିଥିବା ରାଜନୈତିକ ଅସ୍ଥିରତା ପଛରେ ‘ମାଷ୍ଟରମାଇଣ୍ଡ୍‌’ ଥିଲେ। ବାଂଲାଦେଶର ଚିଠି ଭାରତ ପାଇଥିଲେ ମଧ୍ୟ ଏହା ଉପରେ କୌଣସି ମତାମତ ଦେବାକୁ ବର୍ତ୍ତମାନ ନାହିଁ ବୋଲି  ବିଦେଶ ମନ୍ତ୍ରାଳୟ କହିଛି।