Breaking News

ଭାରତରେ ବର୍ଷ ସାରା ରେକର୍ଡ ତାପମାତ୍ରା

ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଆମ ଦେଶରେ ଏଗାର ମାସ ଯାକ ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। କେବଳ ମାର୍ଚ୍ଚ ମାସକୁ ଛାଡ଼ିଦେଲେ ବାକି ଦଶଟିଯାକ ମାସର ସର୍ବନିମ୍ନ ତାପମାତ୍ରା ବିଗତ ୧୨୩ ବର୍ଷ ଭିତରେ ପ୍ରଥମ ଶୀର୍ଷ ଦଶ ସ୍ଥାନରେ ରହିଛି।

ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଆମ ଦେଶରେ ଏଗାର ମାସ ଯାକ ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। କେବଳ ମାର୍ଚ୍ଚ ମାସକୁ ଛାଡ଼ିଦେଲେ ବାକି ଦଶଟିଯାକ ମାସର ସର୍ବନିମ୍ନ ତାପମାତ୍ରା ବିଗତ ୧୨୩ ବର୍ଷ ଭିତରେ ପ୍ରଥମ ଶୀର୍ଷ ଦଶ ସ୍ଥାନରେ ରହିଛି। ତାହାର ଅର୍ଥ ନୁହେଁ ଯେ ମାର୍ଚ୍ଚ ମାସରେ ତାପମାତ୍ରା ସ୍ବାଭାବିକ ରହିଛି। ସେହି ମାସର ସର୍ବାଧିକ ହାରାହାରି ତାପମାତ୍ରା ତାଲିକାର ପଞ୍ଚଦଶ ସ୍ଥାନରେ ରହିଛି। ଏପରିକି ଗତ ଜୁଲାଇଠାରୁ ଅକ୍‌ଟୋବର ଯାଏ ଲଗାତାର ଚାରି ମାସଯାକ ୧୯୦୧ ମସିହାରୁ ତାପମାତ୍ରା ଲିପିବଦ୍ଧ ଆରମ୍ଭ ହେବା ପରଠାରୁ ହାରାହାରି ସର୍ବନିମ୍ନ ତାପମାତ୍ରା ଶୀର୍ଷରେ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ମୁତାବକ, ଗତ ଜୁଲାଇରୁ ସେପ୍‌ଟେମ୍ବର ଯାଏ ପ୍ରତି ମାସର ହାରାହାରି ସର୍ବନିମ୍ନ ତାପମାତ୍ରା ରେକର୍ଡ ସ୍ତରରେ ରହିଛି। ଏଥିସହିତ ଅକ୍‌ଟୋବର ମାସର ହାରାହାରି ତାପମାତ୍ରା ୧୨୩ ବର୍ଷ ଭିତରେ ସ୍ବାଭାବିକ ତାପମାତ୍ରା ଠାରୁ ୧.୭୮ ଡିଗ୍ରି ସେଲ୍‌ସିଅସ୍‌ ଉପରେ ରହି ରେକର୍ଡ କରିଛି।

ସେହିପରି ୧୯୫୧ ମସିହାରେ ଅକ୍‌ଟୋବର ମାସର ସର୍ବନିମ୍ନ ତାପମାତ୍ରା ୨୧.୨୮ ଡିଗ୍ରି ସେଲ୍‌ସିଅସ୍‌ରେ ରହି ରେକର୍ଡ କରିଥିବା ବେଳେ ଚଳିତବର୍ଷ ଅକ୍‌ଟୋବରର ସର୍ବନିମ୍ନ ତାପମାତ୍ରା ୨୧.୭୯ ଡିଗ୍ରି ରହିଥିଲା। ୧୯୫୧ ମସିହା ଅକ୍‌ଟୋବରରେ ହାରାହାରି ସର୍ବନିମ୍ନ ତାପମାତ୍ରା ୨୬.୭୧ ଡିଗ୍ରି ସେଲ୍‌ସିଅସ୍‌ ରହିଥିବା ବେଳେ ଚଳିତବର୍ଷ ତାହା ୨୬.୯୨ ଡିଗ୍ରି ସେଲ୍‌ସିଅସ୍‌ ରହିଛି। ଭାରତର ମୋଟ ଚାରିଟି ଅଞ୍ଚଳ ମଧ୍ୟରୁ ଉତ୍ତର-ପଶ୍ଚିମାଞ୍ଚଳ, କେନ୍ଦ୍ରାଞ୍ଚଳ ଓ ଦକ୍ଷିଣ ଉପଦ୍ବୀପାଞ୍ଚଳରେ ବିଗତ ୧୨୩ ବର୍ଷ ଭିତରେ ହାରାହାରି ସର୍ବନିମ୍ନ ତାପମାତ୍ରା ଅଧିକ ରହିଛି। ଉତ୍ତର-ପଶ୍ଚିମାଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ୨.୨୫ ଡିଗ୍ରି ସେଲ୍‌ସିଅସ୍‌ ଉପରେ ରହିଥିବାବେଳେ କେନ୍ଦ୍ରାଞ୍ଚଳରେ ୨.୦୭ ଡିଗ୍ରି ସେଲ୍‌ସିଅସ୍‌ ଉପରେ ରହିଥିଲା। ଆଇଏମ୍‌ଡିର ଅନୁଧ୍ୟାନ ଅନୁଯାୟୀ, ଚଳିତ ବର୍ଷ ନଭେମ୍ବର ମାସରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ୧.୦୫ ଡିଗ୍ରି ସେଲ୍‌ସିଅସ୍‌ ଉପରେ ରହିଥିଲା। ବର୍ଷଯାକର ଏହି ଧାରା ଅନୁସାରେ ଚଳିତ ଡିସେମ୍ବର ମାସରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ଉପରେ ରହିବ ବୋଲି ଆଇଏମ୍‌ଡି ଅନୁମାନ କରୁଛି।

ସୌଜନ୍ୟ-ସମ୍ୱାଦ

Comments are closed.