ଜାତୀୟ

ଭାରତରେ C-130J ବିମାନ ନିର୍ମାଣ ଲାଗି ଲକହିଡ୍ ମାର୍ଟିନ ଆଗ୍ରହୀ, ଆମେରିକା ବାହାରେ ସ୍ଥାପିତ ହେବ ପ୍ରଥମ ମେଗା ହବ୍

ନୂଆଦିଲ୍ଲୀ ୨୮।୧୨: ଭାରତ ସାମରିକ ପରିବହନ ପାଇଁ ବିମାନ କ୍ରୟ ନିମନ୍ତେ ବିଚାର କରୁଛି। ଏଥିରେ ୮୦ ଟି ପରିବହନ ବିମାନ କ୍ରୟ କରାଯିବ। ଆମେରିକା ଏରୋସ୍ପେସ୍ ପ୍ରମୁଖ ଲକହିଡ ମାର୍ଟିନନିଜର ସି-୧୩୦ ଜେ ହରକ୍ୟୁଲିସକୁ ଏଥି ପାଇଁ ଭଲ ବିକଳ୍ପ ବୋଲି କହିଛି। ଏହା ସହିତ ଯଦି ଲକହିଡ ମାର୍ଟିନକୁ ଏହି ଅଫର ମିଳେ ତେବେ ସେ ଭାରତରେ ଏହି ବିମାନ ଉତ୍ପାଦନ କରିବାକୁ ପ୍ରସ୍ତୁତ। ଏଥି ପାଇଁ ସେ ଭାରତରେ ମେଗା ହବ ସ୍ଥାପନା କରିବ, ଯାହା ଆମେରିକା ବାହାରେ ପ୍ରଥମ ବୈଶ୍ୱିକ କେନ୍ଦ୍ର ହେବ।

ଭାରତୀୟ ବାୟୁ ସେନା (ଆଇଏଏଫ) ଏବେ ୧୨ଟି ସି-୧୩୦ ଜେ ବିମାନ ସଞ୍ଚାଳନ କରୁଛି। ଭାରତ ବ୍ୟତୀତ କ୍ୱାଡର ଅନ୍ୟ ୩ଟି ଦେଶ ଆମେରିକା, ଅଷ୍ଟ୍ରେଲିୟା ଓ ଜାପାନ ମଧ୍ୟ ସି-୧୩୦ ଜେ ବିମାନ ସଞ୍ଚାଳନ କରୁଛନ୍ତି। ଲକହିଡ ମାର୍ଟିନର ଏୟାର ମୋବିଲିଟି ଓ ମେରିଟାଇମ ମିସନ ଉପାଧ୍ୟକ୍ଷ ପେଟ୍ରିସିୟା ଟ୍ରିସ୍ ପେଗନ କହିଛନ୍ତି ଯେ ଏହି ବିମାନ ଭାରତ ପାଇଁ ସବୁଠୁ ଭଲ ବିକଳ୍ପ ହେବ। ୨୦୨୨ରେ ଆଇଏଏଫ ସୋଭିଏତ ଯୁଗର ପୁରୁଣା ଏଏନ-୩୨ ଓ ଆଇଏଲ-୭୬ ସ୍କ୍ୱାଡ୍ରନ ବଦଳାଇବା ପାଇଁ ମଧ୍ୟମ ପରିବହନ ବିମାନ କ୍ରୟ ନିମନ୍ତେ ରିକ୍ୱେଷ୍ଟ ଫର ଇନଫର୍ମେସନ ଜାରି କରିଛି। ଏଥିରେ ଆଇଏଏଫ ପାଖାପାଖି ୮୦ଟି ସାମରିକ ବିମାନ କିଣିବାକୁ ଯୋଜନା କରିଛି।

ବିପୁଳ ବ୍ୟରେ କ୍ରୟ ହେବାକୁ ଥିବା ଏହି ବିମାନ ନିମନ୍ତେ ରକ୍ଷା ଅଧିଗ୍ରହଣ ପରିଷଦ ଦ୍ୱାରା ଆଗାମୀ କିଛି ସପ୍ତାହରେ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଆଇଏଫକୁ ବିମାନ ବିକିବା ପାଇଁ ବ୍ରାଜିଲର ଏମ୍ବ୍ରେୟର କେସି-୩୯୦ ମିଲେନିୟମ ବିମାନ ଓ ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ ର ଏ-୪୦୦ଏମ ବିମାନ ମଧ୍ୟ ଦୌଡରେ ସାମିଲ ଅଛନ୍ତି। ତେବେ ଆମେରିକା ପ୍ରତିରକ୍ଷା କ୍ଷେତ୍ରର ମୁଖ୍ୟ କମ୍ପାନୀ ଲକହିଡ ମାର୍ଟିନ ସି-୧୩୦ ଜେ ସୁପର ହରକ୍ୟୁଲିସ ଲାଗି ବୋଲି ଲଗାଇବା ନିମନ୍ତେ ଟାଟା ଆଡଭାନ୍ସ ସିଷ୍ଟମସ ସହିତ ଭାଗିଦାରୀ କରିଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button