Breaking News

ଭାରତର ନୂଆ ଡିଜିଟାଲ୍‌ ଭବିଷ୍ୟତ: ଡାଟା ସୁରକ୍ଷା ପାଇଁ ଏକ ନାଗରିକ କୈନ୍ଦ୍ରିକ ଦୃଷ୍ଟିକୋଣ

‘‘ଯେତେବେଳେ ଆମେ ବିଶ୍ୱର ଭବିଷ୍ୟତ ବିଷୟରେ ଆଲୋଚନା କରୁ, ସେତେବେଳେ ଏକ ମାନବ-କୈନ୍ଦ୍ରିକ ଆଭିମୁଖ୍ୟ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ହେବା ଉଚିତ।’’ ନିକଟରେ ମିଳିତ ଜାତିସଂଘର ଶିଖର ସମ୍ମିଳନୀରେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

‘‘ଯେତେବେଳେ ଆମେ ବିଶ୍ୱର ଭବିଷ୍ୟତ ବିଷୟରେ ଆଲୋଚନା କରୁ, ସେତେବେଳେ ଏକ ମାନବ-କୈନ୍ଦ୍ରିକ ଆଭିମୁଖ୍ୟ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ହେବା ଉଚିତ।’’ ନିକଟରେ ମିଳିତ ଜାତିସଂଘର ଶିଖର ସମ୍ମିଳନୀରେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ବକ୍ତବ୍ୟ ଲୋକମାନଙ୍କୁ ପ୍ରାଥମିକତା ଦେବା ପାଇଁ ଭାରତର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ। ଏହି ଦର୍ଶନ ଡିଜିଟାଲ୍‌ ବ୍ୟକ୍ତିଗତ ଡାଟା ବା ତଥ୍ୟ ସୁରକ୍ଷା (ଡିପିଡିପି) ଅଧିନିୟମ, ୨୦୨୫ର ଚିଠା ପ୍ରସ୍ତୁତ କରିବାରେ ଆମର ପ୍ରୟାସକୁ ମାର୍ଗଦର୍ଶନ କରିଛି। ଏହା ଥରେ ଚୂଡ଼ାନ୍ତ ହେବା ପରେ, ଡିଜିଟାଲ୍‌ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଅଧିନିୟମ, ୨୦୨୩ କାର୍ଯ୍ୟକାରୀ ହେବ, ଯାହା ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷାର ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଆମର ପ୍ରତିବଦ୍ଧତାକୁ ରେଖାଙ୍କିତ କରେ।

ସଶକ୍ତୀକରଣର ନୂଆ ଯୁଗ
ଡିପିଡିପି ନିୟମ, ୨୦୨୫ର କେନ୍ଦ୍ରରେ ଭାରତୀୟ ନାଗରିକ ରହିଛନ୍ତି। ଆଜି ବିଶ୍ୱରେ ଡାଟା ଅଧିକରୁ ଅଧିକ ପ୍ରାଧାନ୍ୟ ବିସ୍ତାର କରୁଥିବା ସମୟରେ, ଆମେ ବିଶ୍ୱାସ କରୁ ଯେ ବ୍ୟକ୍ତିବିଶେଷଙ୍କୁ ଶାସନ ଢାଞ୍ଚାର କେନ୍ଦ୍ରରେ ରଖିବା ନିହାତି ଆବଶ୍ୟକ। ଏହି ନିୟମଗୁଡ଼ିକ ନାଗରିକମାନଙ୍କୁ ସମ୍ମତି, ଡାଟା ବିଲୋପ କରିବା ଏବଂ ଡିଜିଟାଲ୍‌ ନୋମିନିମାନଙ୍କୁ ନିଯୁକ୍ତ କରିବାର କ୍ଷମତା ପରି ଅଧିକାର ସହିତ ସଶକ୍ତ କରେ। ଉଲ୍ଲଂଘନ କିମ୍ବା ଅନଧିକୃତ ଡାଟା ବ୍ୟବହାର କ୍ଷେତ୍ରରେ ନାଗରିକମାନେ ଆଉ ଅସହାୟ ଅନୁଭବ କରିବେ ନାହିଁ। ସେମାନଙ୍କ ପାଖରେ ଡିଜିଟାଲ୍‌ ପରିଚୟକୁ ପ୍ରଭାବୀ ଢଙ୍ଗରେ ସୁରକ୍ଷିତ ରଖିବା ଏବଂ ପରିଚାଳନା କରିବା ପାଇଁ ଉପକରଣ ରହିବ। ଏହି ନିୟମଗୁଡ଼ିକ ସରଳତା ଏବଂ ସ୍ପଷ୍ଟତା ସହିତ ପ୍ରସ୍ତୁତ କରାଯାଇଛି, ଯାହା ସୁନିଶ୍ଚିତ କରେ ଯେ ପ୍ରତ୍ୟେକ ଭାରତୀୟ, ବୈଷୟିକ ଜ୍ଞାନ ନିର୍ବିଶେଷରେ, ସେମାନଙ୍କର ଅଧିକାରକୁ ବୁଝିପାରିବେ ଏବଂ ପ୍ରୟୋଗ କରିପାରିବେ। ସହମତି ସୁନିଶ୍ଚିତ କରିବାଠାରୁ ଆରମ୍ଭ କରି ଇଂରାଜୀ କିମ୍ବା ସମ୍ବିଧାନରେ ତାଲିକାଭୁକ୍ତ ୨୨ଟି ଭାରତୀୟ ଭାଷା ମଧ୍ୟରୁ ଯେକୌଣସି ଭାଷାରେ ନାଗରିକମାନଙ୍କୁ ସୂଚନା ପ୍ରଦାନ କରିବା ବାଧ୍ୟତାମୂଳକ କରିବା ପର୍ଯ୍ୟନ୍ତ, ଏହି ଢାଞ୍ଚାଗତ ସମନ୍ବୟ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ।

ପିଲାମାନଙ୍କର ସୁରକ୍ଷା
ଡିଜିଟାଲ୍‌ ଯୁଗରେ ପିଲାମାନଙ୍କର ସୁରକ୍ଷା ପାଇଁ ବିଶେଷ ଯତ୍ନର ଆବଶ୍ୟକତା ରହିଛି। ଏହାକୁ ସ୍ୱୀକାର କରି, ଏହି ନିୟମ ନାବାଳକଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରକ୍ରିୟାକରଣ ପାଇଁ ପିତାମାତା କିମ୍ବା ଅଭିଭାବକଙ୍କ ଯାଞ୍ଚଯୋଗ୍ୟ ସମ୍ମତି ବାଧ୍ୟତାମୂଳକ କରିଥାଏ। ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ପିଲାମାନଙ୍କର ଶୋଷଣ, ଅନଧିକୃତ ପ୍ରୋଫାଇଲ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍‌ ହାନିରୁ ରକ୍ଷା କରିବା ସୁନିଶ୍ଚିତ କରେ। ଏହି ବ୍ୟବସ୍ଥା ଭବିଷ୍ୟତ ପିଢ଼ି ପାଇଁ ଏକ ସୁରକ୍ଷିତ ଡିଜିଟାଲ୍‌ ସ୍ଥାନ ସୃଷ୍ଟି କରିବା ଲାଗି ଆମର ଉତ୍ସର୍ଗୀକୃତ ମନୋଭାବକୁ ପ୍ରତିଫଳିତ କରେ। ଛୋଟ ବ୍ୟବସାୟ ଏବଂ ଷ୍ଟାର୍ଟଅପ୍‌ଗୁଡ଼ିକ କମ୍ ଅନୁପାଳନ ବୋଝର ସମ୍ମୁଖୀନ ହେବେ। ଅଂଶୀଦାରମାନଙ୍କ ବିଭିନ୍ନ ସାମର୍ଥ୍ୟକୁ ଧ୍ୟାନରେ ରଖି ଶ୍ରେଣୀବଦ୍ଧ ଦାୟିତ୍ୱ ସହିତ ଏହି ନିୟମ ପ୍ରସ୍ତୁତ କରାଯାଇଛି। ଡାଟା ଫ୍ୟୁଡିସିଆରିଜ୍‌ ବା ତଥ୍ୟ-ବିଶ୍ୱାସୀଙ୍କ ମୂଲ୍ୟାଙ୍କନ ଉପରେ ଆଧାରିତ ବୃହତ୍‌ କମ୍ପାନିଗୁଡ଼ିକର ଉଚ୍ଚ ଦାୟିତ୍ୱ ରହିବ, ଯାହା ଅଭିବୃଦ୍ଧିରେ ବାଧା ନଦେଇ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବ।

ଏକ ଡିଜିଟାଲ୍‌-ପ୍ରଥମ ଦର୍ଶନ
ଏହି ନିୟମର ମୂଳରେ ଏକ ‘ଡିଜାଇନ୍ ଦ୍ୱାରା ଡିଜିଟାଲ୍‌’ (ଡିଜିଟାଲ୍‌ ବାଏ ଡିଜାଇନ୍‌) ଦର୍ଶନ ରହିଛି। ଅଭିଯୋଗ ସମାଧାନ ଏବଂ ଅନୁପାଳନ ଲାଗୁ କରିବା ଦାୟିତ୍ୱରେ ଥିବା ତଥ୍ୟ ସୁରକ୍ଷା ବୋର୍ଡ ମୁଖ୍ୟତଃ ଏକ ଡିଜିଟାଲ୍‌ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରିବ। ଟେକ୍ନୋଲୋଜିର ଲାଭ ଉଠାଇ ଆମେ ଦକ୍ଷତା, ସ୍ୱଚ୍ଛତା ଏବଂ ଗତି ସୁନିଶ୍ଚିତ କରୁଛୁ। ଏହାଦ୍ୱାରା ନାଗରିକମାନେ ଅଭିଯୋଗ ଦାଖଲ କରିପାରିବେ, ଅଗ୍ରଗତି ଟ୍ରାକ୍ କରିପାରିବେ ଏବଂ ଅନାବଶ୍ୟକ ବିନା ମତବିନିମୟରେ ସମାଧାନ ପାଇପାରିବେ। ଏହି ଡିଜିଟାଲ୍‌-ପ୍ରଥମ ଆଭିମୁଖ୍ୟ ସମ୍ମତି ପ୍ରଣାଳୀ ଏବଂ ତଥ୍ୟ ପରିଚାଳନା କାର୍ଯ୍ୟପ୍ରବାହକୁ ବିସ୍ତାର କରେ। ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦ୍ୱାରା, ଆମେ ତଥ୍ୟ-ବିଶ୍ୱାସୀମାନଙ୍କ ପାଇଁ ଅନୁପାଳନ କରିବା ସହଜ କରିଦେବୁ ଏବଂ ନାଗରିକମାନଙ୍କ ପାଇଁ ବ୍ୟବସ୍ଥା ଉପରେ ବିଶ୍ୱାସ ବଢ଼େଇବୁ।

ସମାବେଶୀ ଆଭିମୁଖ୍ୟ
ଏହି ନିୟମଗୁଡ଼ିକର ଯାତ୍ରା ସେମାନଙ୍କର ଉଦ୍ଦେଶ୍ୟ ଭଳି ସମାବେଶୀ ମଧ୍ୟ। ଡିଜିଟାଲ୍‌ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଅଧିନିୟମ, ୨୦୨୩ର ନୀତି ଆଧାରରେ, ଚିଠା ନିୟମାବଳୀ ବିଭିନ୍ନ ଅଂଶୀଦାରଙ୍କଠାରୁ ସଂଗୃହୀତ ବ୍ୟାପକ ଇନ୍‌ପୁଟ୍‌ ଏବଂ ବିଶ୍ୱର ସର୍ବୋତ୍ତମ ଅଭ୍ୟାସ ଅଧ୍ୟୟନର ଏକ ଉତ୍ପାଦ। ନାଗରିକ, ବ୍ୟବସାୟ ଏବଂ ନାଗରିକ ସମାଜରୁ ମତାମତ ଏବଂ ପରାମର୍ଶ ଆମନ୍ତ୍ରିତ କରି ଆମେ ଏକ ୪୫ ଦିନିଆ ସାର୍ବଜନୀନ ପରାମର୍ଶ ଅବଧି ଆରମ୍ଭ କରିଛୁ। ଏହି ସହଭାଗିତା ସାମୂହିକ ଜ୍ଞାନ ଏବଂ ଅଂଶଗ୍ରହଣକାରୀ ନୀତି ନିର୍ଦ୍ଧାରଣର ଗୁରୁତ୍ୱ ଉପରେ ଆମ ବିଶ୍ୱାସର ଏକ ପ୍ରମାଣ, ଯାହା ସୁନିଶ୍ଚିତ କରିବା ସହିତ ଏହି ଢାଞ୍ଚା ଯେ କେବଳ ମଜଭୁତ ନୁହେଁ ବରଂ ଆମର ସାମାଜିକ-ଆର୍ଥିକ ପରିଦୃଶ୍ୟର ଅନନ୍ୟ ଆହ୍ୱାନଗୁଡ଼ିକ ସହିତ ଖାପଖୁଆଇ ପାରିବ। ନାଗରିକମାନେ ସେମାନଙ୍କ ଅଧିକାର ଏବଂ ଦାୟିତ୍ୱ ବିଷୟରେ ସଚେତନତାକୁ ସୁନିଶ୍ଚିତ କରିବା ପାଇଁ, ନାଗରିକମାନଙ୍କୁ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ ସେମାନଙ୍କ ଅଧିକାର ବିଷୟରେ ଶିକ୍ଷିତ କରିବା ପାଇଁ ବ୍ୟାପକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯିବ।

ଭବିଷ୍ୟତ ପାଇଁ ଦୃଷ୍ଟିକୋଣ
ଯେତେବେଳେ ଆମେ ଏହି ନିୟମଗୁଡ଼ିକୁ ଉନ୍ମୋଚନ କରୁଛୁ, ଆମେ କେବଳ ବର୍ତ୍ତମାନର ଆହ୍ୱାନର ମୁକାବିଲା କରୁନାହୁଁ ବରଂ ଏକ ସୁରକ୍ଷିତ ଏବଂ ଅଭିନବ ଡିଜିଟାଲ୍‌ ଭବିଷ୍ୟତ ପାଇଁ ମୂଳଦୁଆ ପକାଉଛୁ। ଡିଜିଟାଲ୍‌ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଅଧିନିୟମ, ୨୦୨୫ର ଚିଠା ବୈଶ୍ୱିକ ଡାଟା ପରିଚାଳନା ମାନଦଣ୍ଡକୁ ରୂପ ଦେବାରେ ଭାରତର ନେତୃତ୍ୱକୁ ପ୍ରତିଫଳିତ କରୁଛି। ନାଗରିକମାନଙ୍କୁ କେନ୍ଦ୍ରରେ ରଖି ଏବଂ ନବସୃଜନ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରି, ଆମେ ବିଶ୍ୱକୁ ଅନୁସରଣ କରିବା ପାଇଁ ଏକ ଦୃଷ୍ଟାନ୍ତ ସ୍ଥାପନ କରୁଛୁ। ଆମର ପ୍ରତିବଦ୍ଧତା ସ୍ପଷ୍ଟ ଏବଂ ତାହା ହେଉଛି ଏହି ଡିଜିଟାଲ୍‌ ଯୁଗରେ ପ୍ରତ୍ୟେକ ଭାରତୀୟଙ୍କୁ ସୁରକ୍ଷିତ, ସଶକ୍ତ ଏବଂ ସକ୍ଷମ କରିବା। ବିଚାରବିମର୍ଶ ଅବଧି ସମୟରେ ମତାମତ ଏବଂ ପରାମର୍ଶ ପରିପ୍ରକାଶ କରି ଏହି ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ମୁଁ ପ୍ରତ୍ୟେକ ନାଗରିକ, ବ୍ୟବସାୟୀ ଏବଂ ନାଗରିକ ସମାଜ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରୁଛି। ଏକ ସୁରକ୍ଷିତ, ସମାବେଶୀ ଏବଂ ସମୃଦ୍ଧ ଡିଜିଟାଲ୍‌ ଭାରତର ଆକାଂକ୍ଷାକୁ ପ୍ରକୃତରେ ପ୍ରତିନିଧିତ୍ୱ କରୁଥିବା ଗୋଟିଏ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଆସନ୍ତୁ ଏହି ନିୟମଗୁଡ଼ିକୁ ଏକତ୍ର ସଂଶୋଧନ କରିବା।
ରେଳ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି,
ସୂଚନା ଓ ପ୍ରସାରଣ ମନ୍ତ୍ରୀ, ଭାରତ ସରକାର

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.