Breaking News

ଭାରତର ପ୍ରଥମ ଭର୍ଟିକାଲ୍-ଲିଫ୍‌ଟ ସମୁଦ୍ର ସେତୁର ଶୁଭାରମ୍ଭ

ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାମିଲନାଡ଼ୁରେ ଦେଶର ପ୍ରଥମ ଭର୍ଟିକାଲ୍-ଲିଫ୍‌ଟ ସମୁଦ୍ର ସେତୁ (ପାମ୍ବନ ବ୍ରିଜ୍‌)ର ଉଦ୍‌ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଜ୍ ତଳେ ଯାଇଥିବା ତଟରକ୍ଷୀ ବାହିନୀର ଏକ ଜାହାଜ ଏବଂ ନୂତନ...

ନୂଆଦିଲ୍ଲୀ: ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାମିଲନାଡ଼ୁରେ ଦେଶର ପ୍ରଥମ ଭର୍ଟିକାଲ୍-ଲିଫ୍‌ଟ ସମୁଦ୍ର ସେତୁ (ପାମ୍ବନ ବ୍ରିଜ୍‌)ର ଉଦ୍‌ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଜ୍ ତଳେ ଯାଇଥିବା ତଟରକ୍ଷୀ ବାହିନୀର ଏକ ଜାହାଜ ଏବଂ ନୂତନ ରାମେଶ୍ୱରମ୍-ତାମ୍ବରମ୍ (ଚେନ୍ନାଇ) ଟ୍ରେନ୍‌କୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ତିନିଦିନିଆ ଶ୍ରୀଲଙ୍କା ଗସ୍ତ ସାରି ଆଜି ତାମିଲନାଡୁରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ରାମେଶ୍ୱରମର ରାମନାଥସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ରାଜ୍ୟରେ ୮,୩୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ତାମିଲନାଡ଼ୁର ୨.୦୭ କିଲୋମିଟର ଲମ୍ବା ଏହି ପାମ୍ବନ୍‌ ବ୍ରିଜ୍‌ ଭାରତର ଇଞ୍ଜିନିୟରିଂ ଦକ୍ଷତା ଏବଂ ଦୂରଦର୍ଶୀ ଭିତ୍ତିଭୂମି ବିକାଶର ପ୍ରମାଣ। ରାମନାଥପୁରମ୍ ଜିଲ୍ଲାରେ ଅବସ୍ଥିତ ଏହି ପୋଲ ରାମେଶ୍ୱରମ୍ ଦ୍ୱୀପକୁ ମୁଖ୍ୟ ଭୂମିରେ ଥିବା ମଣ୍ଡପମ୍ ସହ ସଂଯୋଗ କରୁଛି। ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରେଳ ବିକାଶ ନିଗମ ଲିମିଟେଡ୍ (ଆର୍‌ଭିଏନ୍ଏଲ୍) ଦ୍ୱାରା ୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପୋଲରେ ୭୨.୫ ମିଟର ନେଭିଗେସନ୍ ସ୍ପାନ୍ ରହିଛି, ଯାହାକୁ ୧୭ ମିଟର ପର୍ଯ୍ୟନ୍ତ ଉଠାଯାଇପାରିବ ଏବଂ ଏହା ଦ୍ୱାରା ଜାହାଜଗୁଡ଼ିକ ସୁରକ୍ଷିତ ଭାବେ ତଳକୁ ଯାଇପାରିବେ।

ଏହି ପୋଲ ଦୁଇଟି ରେଳ ଧାରଣାକୁ ମଧ୍ୟ ସମର୍ଥନ କରିପାରିବ। ତେବେ ବର୍ତ୍ତମାନ ଏହା ଗୋଟିଏ ଲାଇନ୍‌ରେ କାର୍ଯ୍ୟ କରୁଛି। ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ଟ୍ରେନ୍ ଗତି ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ବର୍ଦ୍ଧିତ ରେଳ ଟ୍ରାଫିକ୍ ତଥା ଅଧିକ ଓଜନ ସମ୍ଭାଳିବା ପାଇଁ ଏହି ବ୍ରିଜ୍‌ ନିର୍ମାଣ ହୋଇଛି। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନୂଆ ସେତୁର ଜୀବନକାଳ ୧୦୦ ବର୍ଷ ହେବ ବୋଲି ଆକଳନ କରାଯାଇଛି। ଏହା ସ୍ୱତନ୍ତ୍ର ଇଞ୍ଜିନିୟରିଂ କୌଶଳରେ ନିର୍ମିତ ହୋଇଛି ଯାହା ବାରମ୍ବାର ରକ୍ଷଣାବେକ୍ଷଣର ଆବଶ୍ୟକତାକୁ ହ୍ରାସ କରିଥାଏ ଏବଂ କଠୋର ସାମୁଦ୍ରିକ ପରିବେଶରେ ବି ଯଥାସ୍ଥିତି ବଜାୟ ରଖିବାକୁ ସମର୍ଥ। ଆଧୁନିକ ଡିଜାଇନ୍ ଓ ଜ୍ଞାନକୌଶଳ ଯୋଗୁ ପମ୍ବାନ୍ ବ୍ରିଜ୍‌ ଆମେରିକାର ଗୋଲଡେନ୍ ଗେଟ୍ ବ୍ରିଜ୍ ଏବଂ ବ୍ରିଟେନ୍‌ର ଟାୱାର ବ୍ରିଜ୍ ଭଳି ପ୍ରସିଦ୍ଧ ବ୍ରିଜ୍ ସହ ତୁଳନା କରାଯାଉଛି। ପୁରୁଣା ପମ୍ବାନ୍‌ ସେତୁକୁ ୧୯୧୪ ମସିହାରେ ବ୍ରିଟିସ ଇଞ୍ଜିନିୟରମାନେ ନିର୍ମାଣ କରିଥିଲେ।

 

 

 

 

 

 

 

 

 

ସୌଜନ୍ୟ -ସମ୍ୱାଦ

Comments are closed.