Breaking News

ଭାରତୀୟ ନୌସେନାକୁ ମିଳିଲା ନୂଆ ଶକ୍ତି: ସାମିଲ ହେଲା ଆଇଏନ୍‌ଏସ୍‌ ସୁରତ, ନୀଳଗିରି, ବାଘଶୀର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତିନିଟି ପ୍ରମୁଖ ଯୁଦ୍ଧପୋତକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ନୌସେନାର ଲଢୁଆ ଜାହାଜ ଆଇଏନ୍‌ଏସ୍‌ ସୁରତ, ଆଇଏନ୍‌ଏସ୍‌ ନୀଳଗିରି ଓ ଆଇଏନ୍‌ଏସ୍‌ ବାଘଶୀରକୁ ମୁମ୍ବାଇର ନୌସେନା ଡକ୍‌ୟାର୍ଡରେ ମୁତୟନ କରାଯାଇଛି।

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତିନିଟି ପ୍ରମୁଖ ଯୁଦ୍ଧପୋତକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ନୌସେନାର ଲଢୁଆ ଜାହାଜ ଆଇଏନ୍‌ଏସ୍‌ ସୁରତ, ଆଇଏନ୍‌ଏସ୍‌ ନୀଳଗିରି ଓ ଆଇଏନ୍‌ଏସ୍‌ ବାଘଶୀରକୁ ମୁମ୍ବାଇର ନୌସେନା ଡକ୍‌ୟାର୍ଡରେ ମୁତୟନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ତିନି ପ୍ରମୁଖ ଯୁଦ୍ଧପୋତକୁ ନୌସେନାରେ ସାମିଲ କରିବା ପ୍ରତିରକ୍ଷା ଉତ୍ପାଦନ ଓ ସାମୁଦ୍ରିକ ନିରାପତ୍ତା କ୍ଷେତ୍ରରେ ଭାରତର ଦକ୍ଷତାକୁ ସୂଚାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଆଟଲାଣ୍ଟିକ ମହାସାଗରର ଗୁରୁତ୍ୱ ଭାରତ ମହାସାଗର ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଛି, ଯାହା ଅନ୍ତର୍ଜାତୀୟ ଶକ୍ତି ପ୍ରତିଦ୍ୱନ୍ଦ୍ୱିତାର କେନ୍ଦ୍ର ପାଲଟିଛି।

ମୁମ୍ବାଇରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଯୁଦ୍ଧପୋତଗୁଡ଼ିକ ବିଷୟରେ ସମ୍ୟକ୍ ସୂଚନା
    ପି୧୫ବି ଗାଇଡେଡ୍ ମିସାଇଲ ଡେଷ୍ଟ୍ରୟର ପ୍ରୋଜେକ୍ଟର ଚତୁର୍ଥ ତଥା ଅନ୍ତିମ ଜାହାଜ ଆଇଏନ୍‌ଏସ୍‌ ସୁରତ ବିଶ୍ୱର ସର୍ବବୃହତ୍ ଓ ଅତ୍ୟାଧୁନିକ ବିଧ୍ବଂସକ ଜାହାଜ ମଧ୍ୟରେ ଅନ୍ୟତମ।
    ଏଥିରେ ୭୫% ସ୍ୱଦେଶୀ ଉପାଦାନ ରହିଛି ଏବଂ ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର-ସେନ୍ସର ପ୍ୟାକେଜ୍ ଓ ଉନ୍ନତ ନେଟୱାର୍କ-ସେଣ୍ଟ୍ରିକ୍ କ୍ଷମତା ରହିଛି ବୋଲି ପିଏମ୍‌ଓ ପକ୍ଷରୁ କୁହାଯାଇଛି।
    ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଡିଜାଇନ ବ୍ୟୁରୋ ଦ୍ୱାରା ପି୧୭ଏ ଷ୍ଟେଲ୍‌ଥ ଫ୍ରିଗେଟ୍ ପ୍ରକଳ୍ପର ପ୍ରଥମ ଜାହାଜ ଭାବେ ଆଇଏନ୍‌ଏସ୍‌ ନୀଳଗିରିର ଡିଜାଇନ କରାଯାଇଛି।
    ନୌସେନା ଅନୁଯାୟୀ, ଆଇଏନ୍ଏସ୍ ନୀଳଗିରି ଶିୱାଲିକ ଶ୍ରେଣୀ ଫ୍ରିଗେଟ୍‌ର ଅଧିକ ଉନ୍ନତ ସଂସ୍କରଣ, ଯେଉଁଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ‘ଷ୍ଟେଲ୍ଥ’ ବୈଶିଷ୍ଟ୍ୟ ରଖାଯାଇଛି। ଶତ୍ରୁ ରାଡାର ସହଜରେ ଏହାର ଟେର୍ ପାଇବ ନାହିଁ।
    ଉଭୟ ନୀଳଗିରି ଓ ସୁରତ ଚେତକ, ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ଓ ନୂତନ ଭାବେ ସାମିଲ ହୋଇଥିବା ଏମ୍‌ଏଚ୍‌-୬୦ଆର୍‌ ସମେତ ଅନେକ ହେଲିକପ୍ଟରକୁ ଅପରେଟ୍ କରିପାରିବେ।
    ଉଭୟ ଜାହାଜକୁ ନୌସେନାର ଯୁଦ୍ଧଜାହାଜ ଡିଜାଇନ୍ ବ୍ୟୁରୋ ଦ୍ୱାରା ଡିଜାଇନ୍ କରାଯାଇଛି। ଏଥିରେ ମୁଖ୍ୟତଃ ଭାରତରେ ବିକଶିତ ଅତ୍ୟାଧୁନିକ ସେନ୍ସର ଓ ଅସ୍ତ୍ରଶସ୍ତ୍ର ପ୍ୟାକେଜ୍ ରହିଛି। କିଛି ଉପାଦାନ ଅଗ୍ରଣୀ ବିଶ୍ୱ ଉତ୍ପାଦନକାରୀଙ୍କ ସହ ରଣନୈତିକ ସହଯୋଗ ମାଧ୍ୟମରେ ଏଥିରେ ସଜ୍ଜିତ ହୋଇଛି।
    ପି୭୫ ସ୍କର୍ପିନ୍ ପ୍ରକଳ୍ପର ଷଷ୍ଠ ତଥା ଅନ୍ତିମ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ବାଘଶୀର ନିର୍ମାଣରେ ଭାରତର ବଢୁଥିବା ଦକ୍ଷତାକୁ ପ୍ରତିନିଧିତ୍ୱ କରୁଛି। ଏହା ଫ୍ରାନ୍ସ ନାଭାଲ ଗ୍ରୁପ୍ ସହଯୋଗରେ ନିର୍ମିତ ହୋଇଥିଲା।
    ନୌସେନା ଅନୁଯାୟୀ, ବାଘଶୀର ବିଶ୍ୱର ସବୁଠାରୁ ନିଃଶବ୍ଦ ଓ ବହୁମୁଖୀ ଡିଜେଲ-ଇଲେକ୍ଟ୍ରିକ୍ ବୁଡ଼ାଜାହାଜ ମଧ୍ୟରୁ ଅନ୍ୟତମ।
    ଏହା ଭୂପୃଷ୍ଠ ଯୁଦ୍ଧ, ସାମୁଦ୍ରିକ ଯୁଦ୍ଧ, ଗୁଇନ୍ଦା ତଥ୍ୟ ସଂଗ୍ରହ, ଏରିଆ ସର୍ଭେଲାନ୍ସ ଓ ସ୍ୱତନ୍ତ୍ର ଅପରେସନ୍ ସମେତ ବିଭିନ୍ନ ମିସନ ହାତକୁ ନେବା ପାଇଁ ପ୍ରସ୍ତୁତ କରାଯାଇଛି। 
    ଏହି ବୁଡ଼ାଜାହାଜରେ  ଗାଇଡେଡ୍ ଟର୍ପିଡୋ (ସମୁଦ୍ର ଭିତରୁ ନିକ୍ଷେପଯୋଗ୍ୟ କ୍ଷେପଣାସ୍ତ୍ର), ଆଣ୍ଟି-ସିପ୍ ମିସାଇଲ୍ ଓ ଅତ୍ୟାଧୁନିକ ସୋନାର ସିଷ୍ଟମ୍ ରହିଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.