Breaking News

ଭାରତୀୟ ଫେସନ୍‌ର ରୌପ୍ୟ ଜୟନ୍ତୀ

ମୁମ୍ବାଇରେ ମାର୍ଚ୍ଚ ୨୬‌େର ଆୟୋଜିତ ହେବାକୁ ଯାଉଥିବା ଫେସନ୍ ସପ୍ତାହ ‘ରୌପ୍ୟ ଜୟନ୍ତୀ’ରେ ପଦାର୍ପଣ କରିବ। ଭାରତର ଫେସନ୍ ଶିଳ୍ପ ଓ ବଜାର ଏହି ୨୫ ବର୍ଷ ମଧ୍ୟରେ ଏକ ବଡ଼ ସଫଳତାର କାହାଣୀ ସୃଷ୍ଟି କରିଛି। ଏହି ସଫଳ କାହାଣୀର ସର୍ବାଧିକ ଶ୍ରେୟର ଅଧିକାରୀ ହେଉଛନ୍ତି ମହିଳା।

ମୁମ୍ବାଇରେ ମାର୍ଚ୍ଚ ୨୬‌େର ଆୟୋଜିତ ହେବାକୁ ଯାଉଥିବା ଫେସନ୍ ସପ୍ତାହ ‘ରୌପ୍ୟ ଜୟନ୍ତୀ’ରେ ପଦାର୍ପଣ କରିବ। ଭାରତର ଫେସନ୍ ଶିଳ୍ପ ଓ ବଜାର ଏହି ୨୫ ବର୍ଷ ମଧ୍ୟରେ ଏକ ବଡ଼ ସଫଳତାର କାହାଣୀ ସୃଷ୍ଟି କରିଛି। ଏହି ସଫଳ କାହାଣୀର ସର୍ବାଧିକ ଶ୍ରେୟର ଅଧିକାରୀ ହେଉଛନ୍ତି ମହିଳା। ‘ଷ୍ଟାଟିଷ୍ଟା ଫେସନ୍’ ‌ରିପୋର୍ଟ ଅନୁଯାୟୀ, ୨୦୨୫ରେ ଭାରତର ପୋଷାକ ବଜାର ୧୦୯.୪୫ ବିଲିଅନ୍ ଡଲାର୍‌ରୁ ଅଧିକ ବ୍ୟବସାୟ କରିଛି। ଏହି ବ୍ୟବସାୟର ସବୁଠାରୁ ବଡ଼ ଅଂଶର ଭାଗିଦାରୀ ହେଉଛନ୍ତି ମହିଳା ପୋଷାକ ବଜାର। ୧୯୯୦ ଦଶକର ପ୍ରାରମ୍ଭରେ ଆଜିର ଅନେକ ପ୍ରତିଷ୍ଠିତ ପୋଷାକ ଓ ପ୍ରସାଧନ ସାମଗ୍ରୀ କଂପାନି ଜନ୍ମଲାଭ କରିଥିଲା। ସେହିପରି ଅନେକ ମଡେଲ୍‌, ଫେସନ୍‌ ଡିଜାଇନର୍‌ମାନେ ସେମାନଙ୍କ ବୃତ୍ତିଗତ ଯାତ୍ରା ମଧ୍ୟ ଆରମ୍ଭ କରିଥିଲେ। ଏନ୍‌.ଏଫ୍‌.ଆଇ.ଟି. (ନିଫ୍ଟ) ଭଳି ଜାତୀୟସ୍ତରର ଫେସନ୍‌ ଶିକ୍ଷାନୁଷ୍ଠାନ ଯଦିଓ ଆରମ୍ଭ ହୋଇଥିଲା କିନ୍ତୁ ସେଠାରୁ ଉତ୍ତୀର୍ଣ୍ଣ ହେଉଥିବା ଡିଜାଇନର୍ ଓ ‌ମଡେଲ୍‌ମାନଙ୍କ ପାଇଁ ଗୋଟିଏ ମଞ୍ଚ ନ ଥିଲା। ତେଣୁ ଏହି ଆବଶ୍ୟକତାକୁ ପୂରଣ କରିବାକୁ ୧୯୯୮ରେ ଫେସନ୍‌ ଡିଜାଇନ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ଏଫ୍‌ଡିସିଅାଇ) ପ୍ରତିଷ୍ଠା କରାଯାଇଥିଲା।

ଭାରତର ପ୍ରସିଦ୍ଧ ଫେସନ୍‌ ଡିଜାଇନର୍‌ ଆଶା ଚ୍ଚୋକର୍‌ କହନ୍ତି, ‘‘ଏହି ୨୫ ବର୍ଷର ଭାରତୀୟ ଫେସନ୍‌ ବଜାରର ଯାତ୍ରା ବହୁତ ରୋମାଞ୍ଚକର ଅନୁଭୂତିରେ ପରିପୂର୍ଣ୍ଣ। ପ୍ରାରମ୍ଭିକ ବର୍ଷଗୁଡ଼ିକ ବହୁତ ଚମତ୍କାର ଥିଲା। ମଞ୍ଚ ସ୍ଥାପନରୁ ନେଇ ଡିଜାଇନ୍, ବାଦ୍ୟ ସଂଗୀତ ପରିଚାଳନା ଓ ପ୍ରସ୍ତୁତି, ଆଲୋକ ସାଜ୍ଜସଜ୍ଜା, ମହିଳା ମଡେଲ୍‌ଙ୍କ ପାଇଁ ପୋ‌ଷାକ ଓ ଗ୍ରିନ୍‌ ରୁମ୍ ପର୍ଯ୍ୟନ୍ତ ସବୁକିଛି ଆମକୁ ନିଜେ ଆୟୋଜନ ଓ ତଦାରଖ କରିବାକୁ ପଡୁଥିଲା। ଆଜି କିନ୍ତୁ ସବୁକିଛିର ପରିବର୍ତ୍ତନ ହୋଇ ଏକ ଅତ୍ୟାଧୁନିକ ବୈଷୟିକସ୍ତରରେ ଆମେ ଆମର ଫେସନ୍ ଶିଳ୍ପକୁ ପହଞ୍ଚାଇ ପାରିଛୁ। ମାତ୍ର ୨୫ ବର୍ଷରେ ଏପରି ସଫଳତା ବହୁତ କମ୍ ରାଷ୍ଟ୍ରରେ ଦେଖିବାକୁ ମିଳେ।’’ ‘‘ଦିନ ଥିଲା ଅଭ୍ରଗୁଣ୍ଡ ଓ ବାଲିର ମିଶ୍ରଣରେ ଏକ ଚମତ୍କାର ସେଟ୍ ମଞ୍ଚରେ ପ୍ରସ୍ତୁତ ହେଉଥିଲା। କିନ୍ତୁ ଯେତେବେଳେ ମଡେଲ୍‌ମାନେ ରୢାମ୍ପ୍‌ ସୋ’ ପ୍ରଦର୍ଶନ କରିଲେ, ସେତେ‌େ‌ବଳେ ସେମାନେ ପିନ୍ଧିଥିବା ଲେହେଙ୍ଗାର ତଳକୁ ଝୁଲିଥିବା କୁଞ୍ଚରେ ବାଜି ସେଟ୍‌ଣ ବାଲି ଓ ଅଭ୍ରଗୁଣ୍ଡ ଉଡ଼ିଥିଲା। ପ୍ରଥମ ଧାଡ଼ିରେ ବସିଥିବା ଦର୍ଶକମାନଙ୍କ ଆଖିରେ ଏହା ପଡ଼ିଥିଲା। ଆମ ପାଇଁ ଏହା ଏକ ଆହ୍ବାନ ଥିଲା। କିନ୍ତୁ ଏହାକୁ ସମସ୍ତେ ମଜା ନେଇ ଉପଭୋଗ କରିଥିଲେ। ସେଦିନର ଏହି ଅଭିଯାନ ଭାରତୀୟ ଫେସନ୍‌କୁ ବିଶ୍ବ ଫେସନ୍ ମାନଚିତ୍ରରେ ସ୍ଥାନ ଦେବାର ପ୍ରକ୍ରିୟା ଆରମ୍ଭ କରିଥିଲା’’ ବୋଲି କହନ୍ତି ପ୍ରସିଦ୍ଧ ମଡେଲ୍ ନେହା ସଚ୍‌ଦେବା।

ପ୍ରସିଦ୍ଧ ଡିଜାଇନର୍ ମଧୁ ଜୈନ କହନ୍ତି, ‘‘ବର୍ତ୍ତମାନ ଆନ୍ତର୍ଜାତିକ ଫେସନ୍ ଡିଜାଇନର୍ ଓ କଂପାନି ଭାରତକୁ ଆସିବାର ଲମ୍ବା ଧାଡ଼ି ବାନ୍ଧିଛନ୍ତି। ବିଶ୍ବ ଓ ବ୍ରହ୍ମାଣ୍ଡ ସୁନ୍ଦରୀ ଭଳି ପ୍ରତିଯୋଗିତାରେ ଭାରତୀୟ ଯୁବତୀ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଅନ୍ୟାନ୍ୟ ପ୍ରତିଯୋଗିତାରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିବା ପରେ ଭାରତୀୟ ଫେସନ୍ ବଜାରରେ ଅନ୍ତର୍ଜାତୀୟ ଡିଜାଇନର୍ ଓ କଂପାନି ଧାଡ଼ି ବାନ୍ଧିଥିଲେ। ଅବଶ୍ୟ ଲଣ୍ଡନ୍ ଓ ପ୍ୟାରିସ୍ ପରି ବିଶାଳ ଓ ପ୍ରସିଦ୍ଧ ‘ଫେସନ୍ ସପ୍ତାହ’ ଯଦିଓ ଆଜି ବି ଭାରତୀୟ ବଜାରରେ ହୋଇନାହିଁ, କିନ୍ତୁ ନିଃସନ୍ଦେହ ଭାରତ ତୃତୀୟ ସ୍ଥାନରେ ପହଞ୍ଚି ସାରିଲାଣି। ଫେସନ୍ ବଜାରରେ ଭାରତରେ ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ ପ୍ରମୁଖ ଫେସନ୍ ଓ ପ୍ରସାଧନ କଂପାନି, ମଡେଲ୍ ଓ ଡିଜାଇନର୍‌ମାନେ ଭାରତକୁ ବୃହତ୍ ରାଷ୍ଟ୍ରର ମାନ୍ୟତା ଦେଇଛନ୍ତି।’’ ‘‘ଆଜି ବିଶ୍ବର ଫେସନ୍ ଶିଳ୍ପ ଭାରତରେ ବିପୁଳ ପରିମାଣର ପୋଷାକ ଓ ପ୍ରସାଧାନ ସାମଗ୍ରୀର ବ୍ୟବସାୟ କରିବା ସହିତ ଏଠାରେ ମହିଳାମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସମର୍ଥ ହୋଇଛନ୍ତି। ଫେସନ୍ ଶିଳ୍ପରେ ମହିଳାମାନେ ନିଜର ମୂଳଦୁଆକୁ ମଜଭୁତ କରିବା ସହିତ ବିଶ୍ବ ଦରବାରରେ ନିଜକୁ ଶ୍ରେଷ୍ଠ ଭାବେ ଗଢ଼ି ତୋଳିଛନ୍ତି’’ ବୋଲି କହନ୍ତି ମଡେଲ୍‌ ମିନୁ ପଲ୍ଲବ।

ରମେୟା ପାଦୁକନ୍ କହନ୍ତି, ‘‘ବର୍ତ୍ତମାନ ଭାରତୀୟ ଫେସନ୍ ଶିଳ୍ପରେ ବିଭିନ୍ନ ସ୍ଥାନରେ ପାରମ୍ପରିକ ଓ ସାଂସ୍କୃତିକ ଫେସନ୍ ଡିଜାଇନ୍ ଅଧିକରୁ ଅଧିକ ସ୍ଥାନ ପାଉଛି। ହସ୍ତତନ୍ତ ଓ ସମୃଦ୍ଧ କଳା ସଂସ୍କୃତିର ପରମ୍ପରା ଆଧାରରେ ପୋଷାକ ପ୍ରସ୍ତୁତ ହେଉଛି। ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇଚାଲିଛି। ଦେଶର ଅନେକ ହସ୍ତତନ୍ତ ବୁଣାକାରମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଛି। ଭାରତ‌େର ପ୍ରସାଧନ ସାମଗ୍ରୀର କଂପାନି ପ୍ରତିଷ୍ଠା ଓ ଫେସନ୍ ଶିଳ୍ପ ପ୍ରତିଷ୍ଠାନର ସଂଖ୍ୟା ବୃଦ୍ଧି ପାଇଚାଲିଛି। ନିଫ୍ଟ ଭାରତର ବିଭିନ୍ନ ସ୍ଥାନରେ ଅଧିକରୁ ଅଧିକ ନିଜର ପ୍ରତିଷ୍ଠାନ ସ୍ଥାପନ କରୁଛି।’’ ୨୦୦୦ ମସିହାରେ ଦିଲ୍ଲୀର ତାଜ୍‌ ହୋଟେଲ୍‌ରେ ଆୟୋଜିତ ଶେଷ ଫେସନ୍‌ ସୋ’ରେ ବହୁତ କଷ୍ଟରେ ୩୨ ଜଣ ଡିଜାଇନର୍‌ ଓ କେତେକ ହାତଗଣତି ମହିଳା ମଡେଲ୍ ଉପସ୍ଥିତ ଥିଲେ। ପାଞ୍ଚ ଦିନ ଧରି ସେହିମାନେ ନିଜର ପ୍ରଦର୍ଶନ ଜାରି ରଖିଥିଲେ। ଏହାର ପରବର୍ଷ ୨୦୦୧ରେ ମୁମ୍ବାଇରେ ଆୟୋଜିତ ଫେସନ୍ ସୋ’ରେ ୪୪ ଜଣ ଡିଜାଇନର୍ ଯୋଗଦେଇଥିଲେ ଏବଂ ମହିଳା ମଡେଲ୍‌ମାନଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ୧୮ ହୋଇଯାଇଥିଲା। ୨୦୦୦ରୁ ୨୦୦୫ ମଧ୍ୟରେ ବର୍ଷକୁ କେବଳ ଗୋଟିଏ ଫେସନ୍‌ ସପ୍ତାହ ଦିଲ୍ଲୀ ଓ ମୁମ୍ବାଇରେ ଅନୁଷ୍ଠିତ ହେଉଥିଲା। ବର୍ତ୍ତମାନ ବିଭିନ୍ନ ଅନୁଷ୍ଠାନ ଓ ପୋ‌ଷାକ ପ୍ରସାଧନ ସାମଗ୍ରୀ ଉତ୍ପାଦନ କଂପାନି ବର୍ଷର ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ରାଜ୍ୟରେ ଫେସନ୍ ସୋ’ ପ୍ରଦର୍ଶନ କରି ଯୁବତୀ ଓ ମହିଳାମାନଙ୍କୁ ନୂତନ ତାରକା ଭାବେ ଉଭା କରିବାକୁ ସମର୍ଥ ହେଉଛନ୍ତି। ରୌପ୍ୟ ଜୟନ୍ତୀର ଏହି ସଫଳତା ସୁବର୍ଣ୍ଣ ଜୟନ୍ତୀ ପାଳନ ବେଳକୁ ହୁଏତ ପ୍ୟାରିସ୍ ଓ ଲଣ୍ଡନ୍‌ ଫେସନ୍ ସୋ’ ସପ୍ତାହର ସମକକ୍ଷ ହୋଇ ସେମାନଙ୍କ ପାଇଁ ଏକ ପ୍ରମୁଖ ପ୍ରତିଯୋଗୀ ଭାବେ ଉଭା ହେବ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.