Breaking News

ଭାରତୀୟ ସାହିତ୍ୟକୁ ଓଡ଼ିଆ ଭାଷା ସମୃଦ୍ଧ କରିଛି: ରାଜ୍ୟପାଳ

ଜାତୀୟ ପରିଚୟ ପ୍ରତିଷ୍ଠାରେ ଶାସ୍ତ୍ରୀୟ ଭାଷାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗୌରବମୟ ସାହିତ୍ୟ ପରମ୍ପରାର ସ୍ୱାକ୍ଷର ବହନ କରୁଥିବା ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଏହାର ସମୃଦ୍ଧ ସାରସ୍ୱତ ସମ୍ଭାର ପ୍ରତି ଉପଯୁକ୍ତ ସମ୍ମାନ ବୋଲି ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି କହିଛନ୍ତି।

ଭୁବନେଶ୍ୱର: ଜାତୀୟ ପରିଚୟ ପ୍ରତିଷ୍ଠାରେ ଶାସ୍ତ୍ରୀୟ ଭାଷାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗୌରବମୟ ସାହିତ୍ୟ ପରମ୍ପରାର ସ୍ୱାକ୍ଷର ବହନ କରୁଥିବା ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଏହାର ସମୃଦ୍ଧ ସାରସ୍ୱତ ସମ୍ଭାର ପ୍ରତି ଉପଯୁକ୍ତ ସମ୍ମାନ ବୋଲି ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି କହିଛନ୍ତି। ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଓ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଅନ୍ତର୍ଗତ ଭାରତୀୟ ଭାଷା ସଂସ୍ଥାନ ସହଯୋଗରେ ଜୟଦେବ ଭବନରେ ଆୟୋଜିତ ‘ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ’ ପାଳନ ଅବସରରେ ‘ଭାରତର ଶାସ୍ତ୍ରୀୟ ଭାଷା-ଏକ ନୂତନ ଦୃଷ୍ଟିକୋଣ’ ଶୀର୍ଷକ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି।

ସେ କହିଛନ୍ତି, ଓଡ଼ିଆ ଭାଷାର ଗୌରବମୟ ପରମ୍ପରା ଭାରତର ସାହିତ୍ୟ ଓ ଦର୍ଶନକୁ ସମୃଦ୍ଧ କରିଛି। ଓଡ଼ିଆ ଭାଷା ଓ ସାହିତ୍ୟ ସହ ଜଡ଼ିତ ଜଗନ୍ନାଥ ସଂସ୍କୃତି ଭାରତର ଆଧ୍ୟାତ୍ମିକ ଚେତନାକୁ ଋଦ୍ଧିମନ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପବିତ୍ର ଗନ୍ଥଗୁଡ଼ିକର ଓଡ଼ିଆରେ ଅନୁବାଦ ସହିତ ତାହାକୁ ସମସ୍ତଙ୍କ ପାଇଁ ବୋଧଗମ୍ୟ କରିବା ତଥା ଜ୍ଞାନ ବିତରଣ କରିବା କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତା ସୂଚାଉଛି। ସେହିପରି ଭାଷାଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇବା ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ ଜରିଆରେ ପଦକ୍ଷେପ ନିଆଯାଇଛି। ଏହି ନୂତନ ଶିକ୍ଷାନୀତିରେ ପ୍ରାଥମିକ ପର୍ଯ୍ୟାୟରେ ମାତୃଭାଷା କିମ୍ବା ସ୍ଥାନୀୟ ଭାଷାରେ ଶିକ୍ଷାଦାନ ବ୍ୟବସ୍ଥା ସାଂସ୍କୃତିକ ପରିଚୟକୁ ସୁଦୃଢ଼ କରିବା ସହିତ ନିଜ ଐତିହ୍ୟ ସହ ସଂଯୋଗ ହେବାକୁ ପ୍ରୋତ୍ସାହିତ କରିବ ବୋଲି ରାଜ୍ୟପାଳ କହିଛନ୍ତି।

ସମାରୋହରେ ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସ୍ବନାମଧନ୍ୟା ଲେଖିକା ପ୍ରତିଭା ରାୟ ଏବଂ ଭାରତୀୟ ଭାଷା ସଂସ୍ଥାନର ନିର୍ଦ୍ଦେଶକ ପ୍ରଫେସର ଶୈଳେନ୍ଦ୍ର ମୋହନ ଓଡ଼ିଆ ଶାସ୍ତ୍ରୀୟ ଭାଷାର ଗରିମା, ଶାସ୍ତ୍ରୀୟ ଭାଷାର ସଂରକ୍ଷଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.