Breaking News

ଭାରତ-ଇଂଲଣ୍ଡ ତୃତୀୟ ଟ୍ବେଣ୍ଟି-୨୦ ଆଜି

ଭାରତ ଓ ଇଂଲଣ୍ଡ ମଧ୍ୟରେ ‌ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ ମଙ୍ଗଳବାର ରାଜକୋଟରେ ଖେଳାଯିବ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ବିରୋଧରେ ଭାରତ ଲଗାତାର ପଞ୍ଚମ ଶୃଙ୍ଖଳା ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବ।

ରାଜକୋଟ: ଭାରତ ଓ ଇଂଲଣ୍ଡ ମଧ୍ୟରେ ‌ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ ମଙ୍ଗଳବାର ରାଜକୋଟରେ ଖେଳାଯିବ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ବିରୋଧରେ ଭାରତ ଲଗାତାର ପଞ୍ଚମ ଶୃଙ୍ଖଳା ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବ। ପ୍ରଥମ ଦୁଇ ମ୍ୟାଚ୍ ଜିତି ୨-୦ରେ ଆଗୁଆ ଥିବାରୁ ଭାରତ ଆସନ୍ତାକାଲି ହିଁ ଶୃଙ୍ଖଳା ବିଜୟର ମିଠାମିଠା ସ୍ବାଦ ଚାଖିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। କାରଣ ଭାରତ ୨୦୧୪ ମସିହାଠାରୁ ଇଂଲଣ୍ଡ ବିପକ୍ଷରେ କୌଣସି ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିନାହିଁ। ଟିମ୍ ଇଣ୍ଡିଆର ଏହି ଆଧିପତ୍ୟ ୨୦୧୬-୧୭ରୁ ଆରମ୍ଭ ହୋଇଥିଲା। ସେହିବର୍ଷ ଘରୋଇ ପରିବେଶରେ ଇଂଲଣ୍ଡକୁ ୨-୧ରେ ହରାଇବା ପରେ ଇଂଲଣ୍ଡରେ ୨-୧, ପୁଣି ଭାରତରେ ୩-୧ ଏବଂ ତା ପରେ ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ୨-୧ରେ ପରାସ୍ତ କରିଥିଲା। ଭାରତୀୟ ଦଳ ମଧ୍ୟ ୨୦୨୩ ମସିହା ଅଗଷ୍ଟ ମାସରେ ୱେଷ୍ଟଇଣ୍ଡିଜ୍‌ଠାରୁ ହାରିବା ପରଠାରୁ ଲଗାତାର ୭ଟି ଶୃଙ୍ଖଳ‌ାରେ ଅପରାଜେୟ ରହିଛି। ବିଶ୍ବବିଜେତା ଭାରତ ଗତ ଜୁନ୍‌ରେ ବିଶ୍ବକପ୍ ଜିତିବା ପରଠାରୁ ଖେଳିଥିବା ୧୭ ମ୍ୟାଚ୍‌ରୁ ୧୫ଟିରେ ବିଜୟୀ ହୋଇଛି। ସେପଟେ ଇଂଲଣ୍ଡ ପୂର୍ବ ଦୁଇ ମ୍ୟାଚ୍‌ରେ କରିଥିବା ଭୁଲ୍‌କୁ ସୁଧାରି ରାଜକୋଟରେ ବିଜୟ ଖାତା ‌ଖୋଲିବା ସହ ଶୃଙ୍ଖଳା ଜୀବନ୍ତ ରଖିବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।

ଇଂଲଣ୍ଡ ବିପକ୍ଷରେ ଲଗାତାର ପଞ୍ଚମ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

ସୂର୍ଯ୍ୟକୁମାର ୟାଦବଙ୍କ ନେତୃତ୍ବରେ ନବଗଠିତ ଭାରତୀୟ ଦଳ ଆକ୍ରମଣାତ୍ମକ ବ୍ୟାଟିଂ ଏବଂ ପରିବେଶକୁ ଖାପ ଖୁଆଉଥିବା ‌କ୍ରିକେଟ୍ ‌ଖେଳି ପ୍ରଶଂସିତ ହୋଇଛି। ତଥାପି ଅଧିନାୟକ ସୂର୍ଯ୍ୟକୁମାର ନିଜେ ଲଗାତାର ବିଫଳ ହେବା ଦଳର ସବୁଠାରୁ ବଡ଼ ଚିନ୍ତା ଭାବେ ଉଭା ହୋଇଛି। ଓପନର ସଞ୍ଜୁ ସାମସନ୍ ମଧ୍ୟ ଗତ କିଛି ମ୍ୟାଚ୍‌ରେ ନୂଆ ବଲ୍‌କୁ ଖେଳିବାରେ ସଂଘର୍ଷ କରୁଛନ୍ତି। ପ୍ରଥମ ଦୁଇ ମ୍ୟାଚ୍‌ରେ ଦୁଇ ଯୁବ ତାରକା ଅଭିଷେକ ଶର୍ମା ଓ ତିଳକ ବର୍ମା ଦଳକୁ ବିଜୟୀ କରାଇଛନ୍ତି। ଏଣୁ ମଙ୍ଗଳବାର ବରିଷ୍ଠ ଖେଳାଳିମାନେ ଦଳର ବିଜୟରେ ଅଂଶୀଦାର ହେବେ  ବୋଲି ଆଶା କରାଯାଉଛି। ତେବେ ପ୍ରଥମ ଦୁଇ ମ୍ୟାଚ୍‌ରେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇ ନଥିବା ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ତୃତୀୟ ମ୍ୟାଚ୍‌ରେ ସୁଯୋଗ ପାଉଛନ୍ତି କି ନାହିଁ, ସେକଥା ଉପରେ ସମସ୍ତଙ୍କ ନଜର ରହିଛି। ଚେନ୍ନାଇରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଦୁଇ ଅଲରାଉଣ୍ଡର୍ ୱାସିଂଟନ୍ ସୁନ୍ଦର ଓ ଅଭିଷେକ ଶର୍ମାଙ୍କୁ ମିଶାଇ ଭାରତ ପାଞ୍ଚ ଜଣ ସ୍ପିନରଙ୍କୁ ବ୍ୟବହାର କରିଥିଲା। ଏଣୁ ରାଜକୋଟରେ ସାମିଙ୍କୁ ସୁଯୋଗ ମିଳିବା ସମ୍ଭାବନା କିନ୍ତୁ କମ୍ ରହିଛି। ଇଂଲଣ୍ଡ କଥା ବିଚାରକୁ ନେଲେ, ଏହି ଦଳର ତିନି ପ୍ରମୁଖ ବୋଲର ଜୋଫ୍ରା ଆର୍ଚର, ମାର୍କ ଉଡ୍ ଓ ଆଦିଲ ରସିଦ ସଂଘର୍ଷ କରୁଛନ୍ତି। ଅଧିନାୟକ ଜୋସ୍ ବଟଲର୍‌ ଅପେକ୍ଷାକୃତ ଭଲ କରିଛନ୍ତି। ହେଲେ ଫିଲ୍ ସଲ୍ଟ, ହ୍ୟାରି ବ୍ରୁକ୍ ଓ ଲିଆମ ଲିଭିଂଷ୍ଟୋନ୍‌ଙ୍କ ଭଳି ଖେଳାଳି ନିରାଶ କରିଛନ୍ତି। ତୃତୀୟ ମ୍ୟାଚ୍ ବଞ୍ଚାଇବାକୁ ହେଲେ ଏମାନଙ୍କୁ ନିଜ ପୁରୁଣା ଫର୍ମ ଦେଖାଇବାକୁ ହେବ। ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ କଲେ ହିଁ ଇଂଲଣ୍ଡ ଚଳିତ ଗସ୍ତରେ ପ୍ରଥମ ବିଜୟ ହାସଲ କରିପାରିବ। ଅପରିବର୍ତ୍ତିତ ଦଳ ନେଇ ଖେଳିବ  ବୋଲି ଇଂଲଣ୍ଡ ସ୍ପଷ୍ଟ କରି ଦେଇଥିଲା ବେଳେ ଭାରତ ମଧ୍ୟ ତାର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରି ନପାରେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.