Breaking News

ଭାରତ ପାଇଁ ଖେଳିବା ଛୋଟ କଥା ନୁହେଁ: ରୋହିତ

ମାତ୍ର କିଛି ମାସ ଭିତରେ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଭାରତୀୟ ଦଳର ଦୁଇ ବରିଷ୍ଠ ଖେଳାଳି ହିଟ୍‌ମ୍ୟାନ୍ ରୋହିତ ଶର୍ମା ଏବଂ କିଂବଦନ୍ତି ବିରାଟ କୋହଲି ସବୁଠୁ ଅଧିକ ସମାଲୋଚିତ ହୋଇଥିଲେ।

ନୂଆଦିଲ୍ଲୀ: ମାତ୍ର କିଛି ମାସ ଭିତରେ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଭାରତୀୟ ଦଳର ଦୁଇ ବରିଷ୍ଠ ଖେଳାଳି ହିଟ୍‌ମ୍ୟାନ୍ ରୋହିତ ଶର୍ମା ଏବଂ କିଂବଦନ୍ତି ବିରାଟ କୋହଲି ସବୁଠୁ ଅଧିକ ସମାଲୋଚିତ ହୋଇଥିଲେ। ନୂଆ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ନେଇ ମଧ୍ୟ ଘୋର ଆଶଙ୍କା ସୃଷ୍ଟି ହୋଇଥିଲା। ଚାମ୍ପିଅନ୍ସ ଟ୍ରଫିରେ ଭାରତର ଐତିହାସିକ ବିଜୟ କିନ୍ତୁ ରୋହିତ ଓ କୋହଲିଙ୍କ ସହ ଗମ୍ଭୀରଙ୍କ ପାଇଁ ନୂଆ ଜୀବନରେଖା ସଦୃଶ ହୋଇଛି। ଏକଥାକୁ ଭାରତୀୟ କ୍ରିକେଟ୍‌ର ଏହି ତିନି ଚର୍ଚ୍ଚିତ ତାରକା ହୃଦୟଙ୍ଗମ କରିଛନ୍ତି। ତେବେ ଏହି ସଫଳତାର ଶ୍ରେୟ ଫଳାଫଳ ପରିବର୍ତ୍ତେ ପ୍ରକ୍ରିୟା ଉପରେ ‌ଦିଆଯାଇଥିବା ଧ୍ୟାନକୁ ଦିଆଯାଇପାରେ ବୋଲି ରବିବାର ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ହରାଇ ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଉଲ୍ଲସିତ ଅଧିନାୟକ ରୋହିତ କହିଛନ୍ତି।

‘‘ଗତ ତିନିଟି ଆଇସିସି ପ୍ରତିଯୋଗିତାରେ ଭାରତ ମାତ୍ର  ଗୋଟିଏ ମ୍ୟାଚ୍ ହାରିଛି ବୋଲି ମୋତେ କେହି ଜଣେ କହୁଥିଲେ। ଏଭଳି ଏକ ମାଇଲ୍‌ଖୁଣ୍ଟ ଛୁଇଁବା ସତରେ ବହୁତ ବଡ଼ କଥା। ଏହା ଆମ ଦଳର ଅତୁଳନୀୟ ଗୁଣବତ୍ତା, ଅପୂର୍ବ ଗଭୀରତା ଏବଂ ଖେଳାଳିଙ୍କ ମଧ୍ୟରେ ଥିବା ସର୍ବୋତ୍ତମ ବୁଝାମଣାକୁ ଦର୍ଶାଉଛି। ଦଳର ଦୃଢ଼ ମାନସିକ ଆଭିମୁଖ୍ୟ ହିଁ ଆମକୁ ବାହ୍ୟ ଚାପକୁ ପ୍ରତିରୋଧ କରିବାରେ ସହାୟକ ହୋଇଥିଲା। ଆପଣ ଜାଣିଥିବେ ଭାରତ ଯଦି ଗୋଟିଏ ହେଲେ ବି ମ୍ୟାଚ୍ ହାରେ, ତାହେଲେ ସବୁଦିଗରୁ ଚାପ ବଢ଼ି ଯାଇଥାଏ। ନାନା କଳ୍ପନାଜଳ୍ପନା ଜନ୍ମ ନେଇଥାଏ। ହେଲେ ଆମ ଖେଳାଳିମାନେ ଏକଥାକୁ ଖାତିର ନକରି ମ୍ୟାଚ୍ ଜିତିବା ଓ ଏହାକୁ ଉପଭୋଗ କରିବା ଉପରେ ଅଧିକ ଧ୍ୟ‌ାନ ଦେଇଥିଲେ’’ ବୋଲି ମତ ଦେଇଛନ୍ତି ସେ।

ନ୍ୟୁଜିଲାଣ୍ଡ ବିପକ୍ଷରେ ୭୬ ରନ୍‌ର ମ୍ୟାଚ୍ ବିଜୟୀ ପାଳିକୁ ନେଇ ସେ ମଧ୍ୟ ଏହି ଅବସରରେ ନିଜ ମନର ଭାବନା ବ୍ୟକ୍ତ କରିଥିଲେ। କହିଥିଲେ, ଭାରତୀୟ କ୍ରିକେଟ୍ ଦଳର ପ୍ରତିନିଧିତ୍ବ କରିବା କୌଣସି ଖେଳଘର କଥା ନୁହେଁ। ସମସ୍ତେ ଚାହାନ୍ତି ଭାରତ ପକ୍ଷରୁ ପୂରା ବିଶ୍ବସନୀୟତା ସହ ଖେଳିବାକୁ। ୨୦୧୯ ବିଶ୍ବକପ୍‌ରେ ମୋର ଯଥେଷ୍ଟ ଅବଦାନ ଥିଲା। ହେଲେ ଆମେ ଏହି ପ୍ରତିଯୋଗିତା ଜିତି ପାରି ନଥିଲୁ। ଏଣୁ ସେହିସବୁ ସଫଳ ପ୍ରଦର୍ଶନର ଅସଲ ମଜା ଅନୁଭବ କରିପାରି ନଥିଲୁ। ଯଦି ମୁଁ ୩୦ କିମ୍ବା ୪୦ ରନ୍ କରେ ଏବଂ ଆମେ ମ୍ୟାଚ୍ ଜିତୁ, ଏହା ମୋତେ ଅଧିକ ଆତ୍ମସନ୍ତୋଷ ଓ ଖୁସି ଦେଇଥାଏ। ଦୁବାଇରେ ଚାମ୍ପିଅନ୍ସ ଟ୍ରଫିର ସବୁ ମ୍ୟାଚ୍ ଖେଳିଥିବାରୁ ଭାରତୀୟ ଦଳକୁ ଅହେତୁକ ଫାଇଦା ମିଳିଲା ବୋଲି ହେଉଥିବା ଚର୍ଚ୍ଚାକୁ ସେତେଟା ଗୁରୁତ୍ବ ଦେଇ ନାହାନ୍ତି ରୋହିତ। ବରଂ ପରିବେଶ ସହ ନିଜକୁ ଖାପ ଖୁଆଇବାରେ ଭାରତୀୟ ଦଳ ଅନ୍ୟ ଦଳଗୁଡ଼ିକଠାରୁ ଆଗରେ ରହିବାରୁ ବିଜେତା ହେଲା ବୋଲି ମତ ଦେଇଛନ୍ତି ସେ। ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ମନ୍ତବ୍ୟକୁ ଦୋହରାଇ ଭାରତ ପ୍ରତ୍ୟେକ ମ୍ୟାଚ୍ ଭିନ୍ନଭିନ୍ନ ପିଚ୍‌ରେ ଖେଳିଛି। ଏଣୁ ଫାଇଦା କିମ୍ବା ସହାୟତା କେମିତି ଓ କିଭଳି ମିଳିଲା‌ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ସେ।

୨୦୨୭ ବିଶ୍ବକପ୍ କଥା ଭାବୁନି
ମାତ୍ର ଦୁଇ ମାସ ପରେ ୩୮ବର୍ଷରେ ଉପନୀତ ହେବାକୁ ଯାଉଥିବା ରୋହିତ ପୂର୍ବ ଆକଳନ ଅନୁଯାୟୀ ଚାମ୍ପିଅନ୍ସ ଟ୍ରଫି ପରେ ଅବସର ନେବା ସମ୍ଭାବନାକୁ ଏଡ଼ାଇ ଯାଇଛନ୍ତି। ଭାରତ ବିଜେତା ହେବା ପରେ ପରେ ଅବସର କଥା ଏବେ ଚିନ୍ତା କରୁନାହାନ୍ତି ବୋଲି କହି ଏସବୁ ଅଙ୍କକଷା ଉପରେ ବିରାମ ଲଗାଇ ଦେଇଥିଲେ ସେ। ସୋମବାର ଆଉ ଏକ ଚର୍ଚ୍ଚାକୁ ନେଇ ମଧ୍ୟ ସିଧା‌ ଓ ସ୍ପଷ୍ଟ ଉତ୍ତର ରଖିଛନ୍ତି ରୋହିତ। ଭାରତର ପରବର୍ତ୍ତୀ ବଡ଼ ଆଇସିସି ପ୍ରତିଯୋଗିତା ୨୦୨୭ ଏକଦିବସୀୟ ବିଶ୍ବକପ୍ ହୋଇଥିବାରୁ ଏଥିରେ ସେ ଖେଳିବେ କି ନାହିଁ? ବୋଲି ହୋଇଥିବା ପ୍ରଶ୍ନର ଉତ୍ତର ଦେଇ ରୋହିତ କହିଛନ୍ତି ଯେ ଏବେ ମୁଁ ଯେତେବେଳେ ଯାହା ଆସୁଛି ତାକୁ ସମ୍ମୁଖୀନ ହେବା କଥା ଭାବୁଛି। ୨୦୨୭ ବିଶ୍ବକପ୍ କଥା ଏବେଠୁ ଭାବିବା ଉଚିତ ହେବ ନାହିଁ। ସଂପ୍ରତି ମୁଁ ଭଲ ଖେଳିବା ଏବଂ ଠିକ୍ ମାନସିକତା ଉପରେ ଅଧିକ ଧ୍ୟାନ ଦେଉଛି। ଏଣୁ ମୁଁ ୨୦୨୭ ବିଶ୍ବକପ୍ ଖେଳିବି କି ନଖେଳିବି, ସେ ସୀମାରେଖା ଏବେ ନିର୍ଦ୍ଧାରଣ କରିବାକୁ ଚାହୁନି। ଏବେ ଏହି ବିଷୟ‌ରେ କୌଣସି ମନ୍ତବ୍ୟ ଦେବା ମଧ୍ୟ ଠିକ୍ ହେବ ବୋଲି ମୁଁ ଭାବୁନାହିଁ। କ୍ରିକେଟ୍‌କୁ ଉପଯୋଗ କରୁଛି ଏବଂ ଦଳ ସହ ଅଧିକରୁ ଅଧିକ ସମୟ କଟାଇବାକୁ ଇଚ୍ଛା ରହିଛି। ମୋ ଉପସ୍ଥିତିକୁ ସାଥୀ ଖେଳାଳିମାନେ ଉପଭୋଗ କରୁଥିବେ ବୋଲି ଭାବୁଛି। ମୋ ପାଇଁ ଏହା ହିଁ ସବୁଠୁ ବେଶି ଗୁରୁତ୍ବପୂର୍ଣ୍ଣ।

୨୦୨୭ ବିଶ୍ବକପ୍‌ ପୂର୍ବରୁ ଭାରତ ୨୭ ଦିନିକିଆ ଖେଳିବ

ଭାରତୀୟ କ୍ରିକେଟ୍‌ ଦଳ ୨୦୨୩ ଦିନିକିଆ ବିଶ୍ବକପ୍‌ରେ ଉପବିଜେତା ହେବା ପରେ ସଫଳତା ପାଇବାକୁ ଲାଗିଛି। ଦଳ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ୨୦୨୪ ଏବଂ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜେତା ହୋଇଛି। ଏଥିସହ ଆଇସିସି ପ୍ରତିଯୋଗିତାରେ ୨୪ ମ୍ୟାଚ୍‌ ଖେଲି ୨୩ ବିଜୟ ହାସଲ କରିଛି। କେବଳ ଏହି ଏକମାତ୍ର ପରାଜୟ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ପାଇଥିଲା। ଗତ ବର୍ଷ ଭାରତ କେବଳ ୩ଟି ଦିନିକିଆ ଖେଳିଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିୟାରେ ଆୟୋଜିତ ୨୦୨୭ ବିଶ୍ବକପ୍‌ ପୂର୍ବରୁ ଭାରତ ୨୭ ଦିନିକିଆ ମ୍ୟାଚ୍‌ ଖେଳିବ। ଏହି ସୂଚୀ ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରୁ ଆରମ୍ଭ ହେବ। ଆଇପିଏଲ୍‌ ଓ ଇଂଲଣ୍ଡ ଗସ୍ତ ପରେ ଏହି ଶୃଙ୍ଖଳା ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ ବାଂଲାଦେଶରେ ଖେଳାଯିବ। ସେହିଭଳି ଏସିଆ କପ୍‌ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ପରେ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରି ସେଠାରେ ଘରୋଇ ଦଳ ବିପକ୍ଷରେ ୩ ଦିନିକିଆ ଖେଳିବ। ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଜାନୁଆରି ୨୦୨୬ରେ ଭାରତ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ ପରେ ନ୍ୟୁଜିଲାଣ୍ଡକୁ ପ୍ରଥମ ଥର ଭେଟିବ ଏବଂ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଏହାପରେ ଶ୍ରୀଲଙ୍କା ସହ ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ କରିବ ଏବଂ ଆଇପିଏଲ୍‌ ଋତୁ ଶେ‌ଷ ପରେ ଘରୋଇ ମାଟିରେ ଆଫ୍‌ଗାନିସ୍ତାନ ବିପକ୍ଷରେ ପ୍ରଥମ ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଖେଳିବ। ୨୦୨୬ ଜୁଲାଇରେ ଇଂଲଣ୍ଡ ଗସ୍ତ‌ କରି ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ସେପ୍ଟେମ୍ବର-ଅକ୍ଟୋବରରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଘରୋଇ ଶୃଙ୍ଖଳା ଏବଂ ଅକ୍ଟୋବର-ଡିସେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଦେଶ ଶୃଙ୍ଖଳା ଖେଳିବ। ଶେଷରେ ୨୦୨୭ ଜାନୁଆରିରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଶୃଙ୍ଖଳା ଖେଳି ବିଶ୍ବକପ୍‌ ଲାଗି ପ୍ରସ୍ତୁତ ହେବ।

ସାରା ରାତି‌ ଝୁମିଲେ ଭାରତୀୟ ଖେଳାଳି

ଭାରତ ବିଜେତା ହେବା ପରେ ରକମ ରକମ ବୋତଲରୁ ସାମ୍ପେନର ପ୍ଳାବନ ହୋଇଥିଲା। କମ୍ ନିଶାଯୁକ୍ତ ଏହି ବିଦେଶୀ ପାନୀୟକୁ ଭାରତୀୟ ଖେଳାଳିମାନେ ପରସ୍ପର ଉପରେ ଢାଳି ଖୁସି ମନାଇଥିଲେ। ଦୁବାଇ ଷ୍ଟାଡିୟମ୍ ଭାରତୀୟ ଦଳର ଜୟଘୋଷରେ କମ୍ପି ଉଠିଥିଲା। ସେଠାରେ ରହୁଥିବା ପ୍ରଶଂସକମାନେ ଭାରତୀୟ ଖେଳାଳିଙ୍କ ହୋଟେଲ ଆଗରେ ହଜାର ହଜାର ସଂଖ୍ୟାରେ ଏକତ୍ରିତ ହୋଇ ନିଜ ପ୍ରିୟ ଖେଳାଳିଙ୍କ ଟିକିଏ ଝଲକ ପାଇବାକୁ ଚାହିଁ ରହିଥିଲେ। କଡ଼ା ସୁରକ୍ଷା ମଧ୍ୟରେ ଭାରତୀୟ ଖେଳାଳିଙ୍କ ଟିମ୍ ବସ୍ ସ୍ଥାନୀୟ ସମୟ ରାତି ୧୧ଟାରେ ଐତିହାସିକ ବୁର୍ଜ ଖଲିଫା ନିକଟରେ ଥିବା ବିଳାସପୂର୍ଣ୍ଣ ହୋଟେଲରେ ପହଞ୍ଚିଥିଲା। ଖେଳାଳିଙ୍କ ଉପରେ ପ୍ରଶଂସକମାନେ ପୁଷ୍ପ ବର୍ଷା କରିବା ସହ ଗର୍ବରେ ତ୍ରିରଙ୍ଗା ଉଡ଼ାଇଥିଲେ। ଅନେକ ଉତ୍ସାହିତ ପ୍ରଶଂସକ ଭାରତୀୟ ଖେଳାଳିଙ୍କୁ ବାଲକୋନିକୁ ଡାକିବାକୁ ହୋଟେଲ କର୍ମଚାରୀଙ୍କୁ କାକୁତି ମିନତି ହେଉଥିଲେ। ପାଖାପାଖି ତିନି ଘଣ୍ଟା ଧରି ଦୁବାଇ ଆକାଶ ଆତସବାଜିରେ ଝଲସି ଉଠିଥିଲା। ଏହା ଭିତରେ ହୋଟେଲ ଭିତରେ ଭାରତୀୟ ଖେଳାଳିଙ୍କ ଉତ୍ସବ ପାଳନ ଆରମ୍ଭ ହୋଇଯାଇଥିଲା। ଧଳା ବ୍ଲେଜର ଏବଂ ଆଇସିସି ମେଡାଲ୍‌ ପିନ୍ଧି ସେମାନେ ସାରା ରାତି ପାର୍ଟି କରିଥିଲେ। କେକ୍ କାଟି ଭାରତ ବିଜୟକୁ ସ୍ମରଣୀୟ କରିଥିଲେ। ଏହି ଅବସରରେ ସେମାନଙ୍କ ପରିବାରବର୍ଗ ମଧ୍ୟ ଉପସ୍ଥିତ ଥିଲେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.