Breaking News

ଭାରତ ପାଇଁ ବିପଦ ବିଦେଶୀ ସାଇବର୍ ଠକ: ତଥ୍ୟ ଦେଉ ନାହାନ୍ତି ଚୀନ୍, ୟୁକ୍ରେନ, ନାଇଜେରିଆ, ସିଙ୍ଗାପୁରର ୱେବ୍‌ସାଇଟ୍ ହୋଷ୍ଟିଂ ସଂସ୍ଥା

ପୁଞ୍ଜି ନିବେଶରେ ଲାଭର ଲୋଭ ଦେଖାଇ ଲୋକଙ୍କୁ ତଳିତଳାନ୍ତ କରି ଦେଉଥିବା ୪ଟି ଦେଶର ସାଇବର ଠକ ଏବେ ଭାରତୀୟ ନାଗରିକଙ୍କ ପାଇଁ ବିପଦ ସାଜିଛନ୍ତି। ଠକେଇ ପାଇଁ ବ୍ୟବହୃତ ହେଉଥିବା ଏହି ଜାଲ୍‌ ୱେବ୍‌ସାଇଟ୍‌ଗୁଡ଼ିକ....

କଟକ: ପୁଞ୍ଜି ନିବେଶରେ ଲାଭର ଲୋଭ ଦେଖାଇ ଲୋକଙ୍କୁ ତଳିତଳାନ୍ତ କରି ଦେଉଥିବା ୪ଟି ଦେଶର ସାଇବର ଠକ ଏବେ ଭାରତୀୟ ନାଗରିକଙ୍କ ପାଇଁ ବିପଦ ସାଜିଛନ୍ତି। ଠକେଇ ପାଇଁ ବ୍ୟବହୃତ ହେଉଥିବା ଏହି ଜାଲ୍‌ ୱେବ୍‌ସାଇଟ୍‌ଗୁଡ଼ିକ ମୁଖ୍ୟତଃ ଚୀନ୍, ୟୁକ୍ରେନ୍‌, ନାଇଜେରିଆ ଓ ସିଙ୍ଗାପୁରରେ ହୋଷ୍ଟିଂ କରାଯାଉଛି। କିନ୍ତୁ ଯେତେବେଳେ କ୍ରାଇମ୍‌ବ୍ରାଞ୍ଚ ଠକେଇ କରୁଥିବା ୱେବ୍‌ସାଇଟ୍‌ର ପ୍ରକୃତ ମାଲିକାନା ସମ୍ପର୍କରେ ସମ୍ପୃକ୍ତ ଦେଶକୁ ନୋଟିସ୍ କରୁଛି, ସେ ଦେଶ ଏ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରୁନାହାନ୍ତି। କ୍ରାଇମ୍‌ବ୍ରାଞ୍ଚ ସମେତ ଓଡ଼ିଶା ପୁଲିସର ଅନ୍ୟ ସାଇବର୍ ଥାନାଗୁଡ଼ିକ ମଧ୍ୟ ସମାନ ସମସ୍ୟାର ସାମନା କରୁଛନ୍ତି। ଯାହାଫଳରେ କୋଟି କୋଟି ଟଙ୍କା ଠକି ନେଉଥିବା ଏହି ଜାଲ୍‌ ୱେବ୍‌ସାଇଟ୍ ପଛର କାର୍ପଟଦାରମାନେ ଖସିଯାଉଛନ୍ତି।

ଗଲା ମାର୍ଚ୍ଚ ୬ ତାରିଖରେ କ୍ରାଇମବ୍ରାଞ୍ଚ ୮୭ ଲକ୍ଷ ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ଜଣେ ସାଇବର୍ ଠକ ବନ୍ଦନା ବେଵାକୁ ଗିରଫ କରିଥିଲା। ଏହି ସାଇବର୍ ଠକ ଗ୍ୟାଙ୍ଗ୍‌ ଦୁଇଟି ନକଲି ୱେବ୍‌ସାଇଟ୍ ମାଧ୍ୟମରେ ଅନ୍‌ଲାଇନ୍ ନିବେଶ କରାଉଥିଲେ। ଏଥିରେ କୋଟି କୋଟି ଟଙ୍କା ଠକେଇ ହୋଇଥିବା ତଦନ୍ତ ସମୟରେ କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଥିଲା। ବନ୍ଦନାକୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା ସମୟରେ ଅନଲାଇନ୍ ନିବେଶ ପଛରେ ବିଦେଶୀ ୱେବ୍‌ସାଇଟ୍ ହୋଷ୍ଟିଂ ଗୋଷ୍ଠୀ କାମ କରୁଥିବା ଜଣାପଡ଼ିଥିଲା।

କ୍ରାଇମ୍‌ବ୍ରାଞ୍ଚର ତଥ୍ୟ ମୁତାବକ, ଯେତେବେଳେ ଜଣେ କେହି ୱେବ୍‌ସାଇଟ୍ ଡିଜାଇନ୍ କରୁଛନ୍ତି ଏହା ପୂର୍ବରୁ ଡୋମେନ୍ ନାଁ ବୁକ୍ କରିବା ସହିତ ପରବର୍ତ୍ତୀ ସମୟରେ ସର୍ଭର ନେବାକୁ ପଡ଼ିଥାଏ। ୱେବ୍‌ସାଇଟରେ ତଥ୍ୟ ରଖିବା ପାଇଁ ଏକ ସର୍ଭରରେ ସ୍ଥାନର ଆବଶ୍ୟକତା ଥାଏ। ଭାରତ କିମ୍ବା ଭାରତ ବାହାରେ ଥିବା ସର୍ଭର ସେବା ପ୍ରଦାନକାରୀ ସଂସ୍ଥାରେ ତଥ୍ୟ ରଖାଯାଇଥାଏ। ବିଦେଶରେ ସର୍ଭରରେ ହୋଷ୍ଟିଂ କରିବା ଅପେକ୍ଷାକୃତ ଶସ୍ତା। ଭାରତରେ ବ୍ୟାଣ୍ଡୱିଡ୍‌ଥ ବା ସର୍ଭର ମୂଲ୍ୟ ଅଧିକ ରହିଥାଏ। ବିଦେଶରେ ଶସ୍ତା ସହିତ ସାଇବର୍ ଅପରାଧୀଙ୍କ ପରିଚୟ ଲୁଚାଇବା ପାଇଁ ଅଧିକ ସୁରକ୍ଷିତ କୁହାଯାଉଛି। ୟୁକ୍ରେନ, ନାଇଜେରିଆ, ରୋମାନିଆ, ବ୍ରାଜିଲ, ଇଣ୍ଡୋନେସିଆ, ଚୀନ, ରୁଷ, ହଂକଂ, ମକାଓ, ସିଂଙ୍ଗାପୁର, ମାଲେସିଆ, ଥାଇଲାଣ୍ଡ, ଫିଲିପାଇନ୍ସରେ ଭାରତର ସାଇବର୍ ଅପରାଧୀମାନେ ନିଜର ୱେବ୍‌ସାଇଟ୍ ହୋଷ୍ଟିଂ କରୁଛନ୍ତି। ନିବେଶ ଠକେଇରେ କ୍ରାଇମ୍‌ବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ହରିୟାନାର ମେଵାଟ, ମହାରାଷ୍ଟ୍ରର ମୁମ୍ବାଇ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡର ଜାମତାରା, ରାଜସ୍ଥାନା, ଦିଲ୍ଲୀ, ଗୁଜୁରାଟରୁ ଗିରଫ କରିଥିବା ସାଇବର୍ ଅପରାଧୀଙ୍କ ଲିଙ୍କ୍‌ ଏହି ଦେଶରେ ଥିବା ଜଣାପଡ଼ିଛି। ଅର୍ଥାତ୍‌ ଏହି ଦେଶଗୁଡ଼ିକରେ ସାଇବର୍ ଅପରାଧୀ ନିଜର ନିବେଶ ୱେବ୍‌ସାଇଟ୍ ହୋଷ୍ଟିଂ କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ନକଲି ନିବେଶ ୱେବ୍‌ସାଇଟ୍‌ଗୁଡ଼ିକ ଜବତ ସମୟରେ ଆଇପି ଆଡ୍ରେସ୍ ଆଧାରରେ ଯେତେବେଳେ କ୍ରାଇମ୍‌ବ୍ରାଞ୍ଚ ୱେବସାଇଟ୍ ହୋଷ୍ଟିଂ କରୁଥିବା ଉପରୋକ୍ତ ବିଦେଶୀ ସଂସ୍ଥାକୁ ଚିଠି ଲେଖୁଛି, ସେଠାରୁ କୌଣସି ଉତ୍ତର ମିଳୁନାହିଁ। ଯାହାଫଳରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ଅଧିକ ଅଗ୍ରଗତି ହୋଇପାରୁ ନାହିଁ।

ସାଇବର୍ ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁଯାୟୀ, ବିଦେଶରେ ୱେବ୍‌ସାଇଟ୍ ହୋଷ୍ଟିଂ କରୁଥିବା ସଂସ୍ଥାଗୁଡ଼ିକ ଉପରେ କ୍ରାଇମ୍‌ବ୍ରାଞ୍ଚର କୌଣସି କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ନାହିଁ। କେବଳ ଚିଠି ଲେଖି ଏ ନେଇ ତଥ୍ୟ ମାଗିପାରିବ। ସମ୍ପୃକ୍ତ ସଂସ୍ଥା ନିଜର ଉପଭୋକ୍ତା ସମ୍ପର୍କିତ ତଥ୍ୟ ଦେଇ ବ୍ୟବସାୟରେ କ୍ଷତି କରିବାକୁ ଚାହୁଁ ନାହାନ୍ତି। ସେଥିପାଇଁ ବିଦେଶୀ ସଂସ୍ଥା ଦ୍ବାରା କରାଯାଉଥିବା ୱେବସାଇଟ୍ ହୋଷ୍ଟିଂରେ କିଛି ତଥ୍ୟ ମିଳିପାରେ ନାହିଁ। ଯାହାଫଳରେ ନିବେଶ ଲୋଭ ଦେଖାଇ ହେଉଥିବା ଠକେଇ ବଢ଼ି ଚାଲିଥିବା ଶ୍ରୀ ସାହୁ କହିଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.