Breaking News

ଭାଲେଣ୍ଟାଇନ୍‌ସ ଡେ’: ମହକିଲା ପ୍ରେମ ଫୁଲ

ଗୋଲାପ ଦିଆନିଆରୁ ଆରମ୍ଭ ହୋଇଥିବା ‌ପ୍ରେମ ସପ୍ତାହର ଆଜି ଭାଲେଣ୍ଟାଇନ୍‌ସ୍‌ ଡେ’ରେ ଯବନିକା ପଡ଼ିଛି। ବିଭିନ୍ନ ସଂଗଠନର ବିରୋଧ ସତ୍ବେ ପ୍ରେମୀଯୁଗଳ ପାର୍କରୁ ଆରମ୍ଭ କରି ରେସ୍ତୋରାଁ ପର୍ଯ୍ୟନ୍ତ ପ୍ରେମରେ ଉବୁଟୁବୁ ହୋଇଛନ୍ତି।

ଗୋଲାପ ଦିଆନିଆରୁ ଆରମ୍ଭ ହୋଇଥିବା ‌ପ୍ରେମ ସପ୍ତାହର ଆଜି ଭାଲେଣ୍ଟାଇନ୍‌ସ୍‌ ଡେ’ରେ ଯବନିକା ପଡ଼ିଛି। ବିଭିନ୍ନ ସଂଗଠନର ବିରୋଧ ସତ୍ବେ ପ୍ରେମୀଯୁଗଳ ପାର୍କରୁ ଆରମ୍ଭ କରି ରେସ୍ତୋରାଁ ପର୍ଯ୍ୟନ୍ତ ପ୍ରେମରେ ଉବୁଟୁବୁ ହୋଇଛନ୍ତି। ମନର ମଣିଷ ସହ ଏକାନ୍ତରେ ସମୟ ବିତାଇବାର ଖୁସି ସାଉଁଟିଛନ୍ତି।

ମନ୍ଦିର ଭିଡ଼: କେବଳ ପାର୍କ କିମ୍ବା ରେସ୍ତୋରାଁ ନୁହେଁ, ବରଂ ପ୍ରେମୀଯୁଗଳ ମନ୍ଦିରରେ ମଧ୍ୟ ଭିଡ଼ ଜମାଇଥିଲେ। ମନ୍ଦିର ବେଢ଼ାରେ ଭକ୍ତଙ୍କ ନଜର ଆଢ଼ୁଆଳରେ ମନକଥା କହିଥିଲେ। ସକାଳେ ଶ୍ରୀଲିଙ୍ଗରାଜ, ଇସ୍କନ, ରାମ ମନ୍ଦିର ଆଦିରେ ପ୍ରେମୀ ଯୁଗଳଙ୍କୁ ଦେଖିବାକୁ ମିଳିଥିଲା। ଖରା ସତ୍ତ୍ବେ ଇନ୍ଦିରା ଗାନ୍ଧୀ ପାର୍କ, ବିଜୁ ପଟ୍ଟନାୟକ ପାର୍କ, ସାଇନ୍ସ ପାର୍କ, ବଟାନିକାଲ ଗାର୍ଡେନ ଓ ଜୟଦେବ ବାଟିକାରେ ପ୍ରେମୀ ଯୁଗଳଙ୍କ ଖଚାଖଚ୍‌ ଭିଡ଼ଥିଲା। ପ୍ରେମର ପ୍ରତୀକ କୁହାଯାଉଥିବା ଫୁଲ ଗୋଲାପର ଦର ମଧ୍ୟ ଆଜି ଅପେକ୍ଷାକୃତ ଅଧିକ ଥିଲା। ୨୦ରୁ ୫୦ ପର୍ଯ୍ୟନ୍ତ ବିଭିନ୍ନ ଭେରାଇଟିର ଗୋଲାପ ଉପଲବ୍ଧ ହେଉଥିଲା। କୋଲକାତା ଓ ବେଙ୍ଗାଲୁରୁ ‌ଗୋଲାପର ଚାହିଦା ବେଶି ଥିଲା। ଖାଦ୍ୟ ବ୍ୟବସାୟୀ ମଧ୍ୟ ଏହି ପ୍ରେମ ଦିବସର ଫାଇଦା ନେବାକୁ ପଛାଇ ନଥିଲେ। ପ୍ରତ୍ୟେକ ରେସ୍ତୋରାଁକୁ ପ୍ରେମରଙ୍ଗରେ ସଜାଇଥିଲେ। ନାଲିରଙ୍ଗର ହାର୍ଟ ଆକୃତିର ବେଲୁନ୍‌, ଲାଇଟ୍‌ ଓ ଫୁଲରେ ଝଲସୁଥିଲା ରେସ୍ତୋରାଁ। ଭିତରେ ଦୁଇ ଜଣ ବସିବା ଭଳି ସ୍ବତନ୍ତ୍ର ଏନ୍‌କ୍ଲୋଜରରେ ଝାପ୍‌ସା ଆଲୁଅ ଲଗାଯାଇଥିଲା।ନୂଆ  ପୁରୁଣା ରୋମାଣ୍ଟିକ୍‌ ଗୀତ ମାହୋଲ୍‌କୁ ସରଗରମ କରୁଥିଲା।

କଳା ଦିବସ ପାଳିଲେ ବିରୋଧୀ: ପାଶ୍ଚାତ୍ୟ ସଂସ୍କୃତିକୁ ବିରୋଧ କରୁଥିବା ବିଭିନ୍ନ ଦଳ ଆଜିର ଦିନକୁ ଭିନ୍ନ ଢଙ୍ଗରେ ପାଳନ କରିଥିଲେ। ବଜରଙ୍ଗ ଦଳ କଳା ଦିବସ ପାଳିଥିବା ବେଳେ କେତେକ ସହିଦ ଓ ବୀର ଯବାନଙ୍କ ସ୍ମୃତିରେ ସଭା ଓ ଶୋଭାଯାତ୍ରା କରିଥିଲେ। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଗୁଡ଼ିକରେ ଆଜି ପିତୃମାତୃ ଦିବସ ପାଳିତ ହୋଇଥିଲା। ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରେମଦିବସର ଚର୍ଚ୍ଚା ଦିନ ସାରା ଚାଲିଥିଲା। ‘ଭଗବାନ ମୋ ହାତରୁ ପ୍ରେମରେଖା କାଟି ଦେଇଛନ୍ତି ବୋଧେ’, ‘ଘରେ ନାହିଁ କିରାସିନି, ପୁଅ ପାଳୁଛି ଭାଲେଣ୍ଟିନି’ ଭଳି ମିମ୍‌ସ ପୋଷ୍ଟ ହୋଇଥିଲା। ଆଗକୁ ଆସୁଥିବା ଆଣ୍ଟି ଭାଲେଣ୍ଟାଇନ ସପ୍ତାହର ବିଭିନ୍ନ ଦିନ ଯେପରିକି ସ୍ଲାପ୍‌ ଡେ, ବ୍ରେକ୍‌ଅପ୍‌ ଡେ’, କିକ୍‌ ଡେ ପାଇଁ ପ୍ରେମୀଯୁଗଳଙ୍କୁ ପ୍ରସ୍ତୁତ ରହିବାକୁ ‘ସିଙ୍ଗଲ’ମାନେ ଉପଦେଶ ଦେଉଥିବା ଭିଡିଓ ମଧ୍ୟ ଭାଇରାଲ ହେଉଥିଲା।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.