Breaking News

ଭାଲେଣ୍ଟାଇନ୍‌ ସପ୍ତାହ: ମନ କଥା କହିବାକୁ ନିର୍ଦ୍ଦିଷ୍ଟ ଦିନ ନଥାଏ

ଜୀବନରେ ଥରେ ନା ଥରେ ସମସ୍ତେ ପ୍ରେମରେ ପଡ଼ନ୍ତି। ଏକତରଫା ହେବା ଭୟରେ ମନ କଥା କହିପାରନ୍ତିନି। ହେଲେ ପ୍ରପୋଜ ଡେ ମନରେ ସାହସ ଭରିଥାଏ। କିନ୍ତୁ ହୃଦୟର କଥା ପରିପ୍ରକାଶ କରିବାକୁ ହେଲେ କୌଣସି...

ଭୁବନେଶ୍ୱର: ଜୀବନରେ ଥରେ ନା ଥରେ ସମସ୍ତେ ପ୍ରେମରେ ପଡ଼ନ୍ତି। ଏକତରଫା ହେବା ଭୟରେ ମନ କଥା କହିପାରନ୍ତିନି। ହେଲେ ପ୍ରପୋଜ ଡେ ମନରେ ସାହସ ଭରିଥାଏ। କିନ୍ତୁ ହୃଦୟର କଥା ପରିପ୍ରକାଶ କରିବାକୁ ହେଲେ କୌଣସି ନିର୍ଦ୍ଦିଷ୍ଟ ଦିନର ଆବଶ୍ୟକତା ନଥାଏ ବୋଲି ଅନେକ ଯୁବପିଢ଼ି ଯୁକ୍ତି ବାଢ଼ନ୍ତି। ଯେତେବେଳେ ହୃଦୟ ଚାହେ ସେତେବେଳରୁ ହିଁ ଏହି ଶାଶ୍ୱତ ସମ୍ପର୍କ ଆରମ୍ଭ ହୁଏ ବୋଲି ସେମାନେ କୁହନ୍ତି। ପ୍ରପୋଜ ଡେ’ରେ କିଛି ସଫଳ ଯୋଡ଼ିଙ୍କୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା।

କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ଯୁବ ପୁରସ୍କାର, ମାହାରୀ ସମ୍ମାନ ଭଳି ବହୁ ସମ୍ମାନ ପ୍ରାପ୍ତ ନୃତ୍ୟଗୁରୁ ମଧୁସ୍ମିତା ମହାନ୍ତି ନିଜର ଏକକ ନୃତ୍ୟରେ ଦେଶ ବିଦେଶରେ ଦର୍ଶକଙ୍କ ମନ ଜିଣିଛନ୍ତି। କିନ୍ତୁ ସେ ତାଙ୍କ ସ୍ୱାମୀ ନୃତ୍ୟ ଗୁରୁ ରମେଶ ଚନ୍ଦ୍ର ଜେନାଙ୍କ ସହ ଯୁଗଳ ନୃତ୍ୟ ପାଇଁ ବିଶେଷ ପରିଚିତି ଲାଭ କରିଛନ୍ତି। ମଞ୍ଚରେ ଉଭୟଙ୍କ ଯୁଗଳ ନୃତ୍ୟ ଦେଖିଲେ ଦର୍ଶକ ତାଙ୍କ କେମିଷ୍ଟ୍ରିର ପ୍ରଶଂସା ନକରି ରହିପାରନ୍ତି ନାହିଁ। ମଧୁସ୍ମିତାଙ୍କ କହିବା କଥା, ସେତେବେଳେ ପ୍ରେମ ନିବେଦନ ଓ ଏହାକୁ ଗ୍ରହଣ କରିବା କଷ୍ଟକର ବ୍ୟାପାର ଥିଲା। ଉଭୟଙ୍କ ମନର ଭାବନା ବନ୍ଧୁତ୍ୱରୁ ଅଧିକ ଥିଲେ ମଧ୍ୟ କେହି ପ୍ରକାଶ କରିପାରୁ ନଥିଲେ। ହେଲେ ଯେତେବେଳେ ତାଙ୍କ ବାପାଙ୍କ ଦେହାନ୍ତ ଘଟିଲା ସେତେବେଳେ ତାଙ୍କ ନୃତ୍ୟ ଏକାଡେମୀ ଓ ସେ ଏକ ଦୃଢ଼ କାନ୍ଥ ଭଳି ତାଙ୍କୁ ସାହାରା ଦେଇଥିଲେ। ଏହା ତାଙ୍କ ପରିବାର ଲୋକ ଦେଖି ଶେଷରେ ତାଙ୍କର ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ବୋଲି ସେ କହିଛନ୍ତି।

ସେହିପରି ଅନ୍ୟ ଏକ ସଫଳ ଯୋଡ଼ି ହେଉଛି ୧୯ ବର୍ଷରୁ କମ ଫୁଟବଲ ଖେଳାଳି ତଥା ପୂର୍ବତନ ଭାରତୀୟ କୋଚ୍ ଶୁଭେନ୍ଦୁ ପଣ୍ଡା ଓ ପୂର୍ବତନ ଆନ୍ତର୍ଜାତୀୟ ଫୁଟବଲ ଖେଳାଳୀ ସୁଦୀପ୍ତା ଦାସ। କ୍ୟାରିଅର ସହିତ ଭଲ ପାଇବାକୁ କିଭଳି ବଜାୟ ରଖିହୁଏ ତାହା ତାଙ୍କ କାହାଣୀରୁ ପ୍ରତିପାଦିତ ହୁଏ। ସୁଦିପ୍ତାଙ୍କ କହିବା କଥା ହେଉଛି, ୨୦୧୨ରେ ଉଭୟଙ୍କ ଦେଖା ହୋଇଥିଲା। ଦେଖା ପର ଠାରୁ ହିଁ ତାଙ୍କ ଆଚରଣ, ବ୍ୟବହାର ଓ କ୍ୟାରିୟର ପ୍ରତି ସମର୍ପଣ ଭାବ ଆସିଯାଇଥିଲା। ଫଳସ୍ୱରୂପ  ଡିସେମ୍ବର ମାସରେ ଉଭୟ କେବଳ ଜୀବନସାଥୀ ନୁହେଁ ବରଂ ଭଲ ବନ୍ଧୁ ଓ ପଥ ପ୍ରଦର୍ଶକ ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ପରେ ୩ ବର୍ଷ ପରେ ୨୦୧୫  ମସିହାରେ ସେ ଦୁହିଁଙ୍କ ବାହାଘର ହୋଇଥିଲା।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.