Breaking News

ଭିଜାଲାନ୍ସର ୨୦୨୪ ରିପୋର୍ଟ: କୁବେରଙ୍କ ଘରୁ ମିଳିଛି ୧୪୦ କୋଟିର ସମ୍ପତ୍ତି

୨୦୨୪ ବର୍ଷରେ କୁବେର ସରକାରୀ ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ୍‌ ହୋଇଯାଇଥିଲା ରାଜ୍ୟ ଭିଜିଲାନ୍ସ। ଏ ବର୍ଷ ମୋଟ ୧୪୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଭିଜିଲାନ୍ସ ଜବତ କରିଥିଲା। ଏଥିରେ କେବଳ ସୁନା ୨୦ କେଜି, ରୁପା ୧୦ କେଜି, ହୀରା, ୫୦୦ ପ୍ଲଟ୍‌, ୧୯୪ଟି କୋଠା ରହିଛି।

କଟକ: ୨୦୨୪ ବର୍ଷରେ କୁବେର ସରକାରୀ ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ୍‌ ହୋଇଯାଇଥିଲା ରାଜ୍ୟ ଭିଜିଲାନ୍ସ। ଏ ବର୍ଷ ମୋଟ ୧୪୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଭିଜିଲାନ୍ସ ଜବତ କରିଥିଲା। ଏଥିରେ କେବଳ ସୁନା ୨୦ କେଜି, ରୁପା ୧୦ କେଜି, ହୀରା, ୫୦୦ ପ୍ଲଟ୍‌, ୧୯୪ଟି କୋଠା ରହିଛି। ଭିଜିଲାନ୍ସ ମୋଟ ୨୦୦ ଆପରାଧିକ ମାମଲା ରୁଜୁ କରିଥିବା ବେଳେ ୧୮୧ ସରକାରୀ ବାବୁଙ୍କୁ ଗିରଫ କରିଛି।

୨୦୨୪ ବର୍ଷରେ ରାଜ୍ୟ ଭିଜିଲାନ୍ସ ସଫଳତା ଓ ବିଫଳତାକୁ ନେଇ ଏକ ବାର୍ଷିକ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟରେ ମୋଟ ୨୦୦ ଆପରାଧିକ ମାମଲା ୩୦୮ ଜଣଙ୍କ ବିରୋଧରେ ରୁଜୁ ହୋଇଛି। ୧୮୧ ଜଣ ସରକାରୀ ଅଧିକାରୀ ଗିରଫ ହୋଇଛନ୍ତି। ମାମଲା ରୁଜୁ ହୋଇଥିବା ସରକାରୀ ଅଧିକାରୀଙ୍କ ମଧ୍ୟରେ ୫୦ ଜଣ କ୍ଲାସ୍-୧, କ୍ଲାସ-୨ ଅଧିକାରୀ ୩୬ ଜଣ, କ୍ଲାସ୍-୩ ୧୩୧ ଜଣ ଅଧିକାରୀ ଓ କ୍ଲାସ୍ ୫ କର୍ମଚାରୀ ଜଣେ ଅଛନ୍ତି। ଏମାନଙ୍କ ମଧ୍ୟରେ ୬ ଜଣ ମୁଖ୍ୟଯନ୍ତ୍ରୀ, ଯୁଗ୍ମ ଅବକାରୀ କମିସନର, ମତ୍ସ୍ୟ ସମ୍ପଦ ବିଭାଗର ଉପ ନିର୍ଦ୍ଦେଶକ, ସିଟି ଏବଂ ଜିଏସ୍‌ଟିର ୨ ଆସିଷ୍ଟାଣ୍ଟ କମିସନର, ଜଣେ ଜେଲ୍ ଅଧୀକ୍ଷକ, ଜଣେ ଉପଜିଲ୍ଲାପାଳ, ଦୁଇ ତହସିଲଦାର୍, ୨ ବିଡିଓ, ୨ ସିଏସ୍‌ଓ, ୧ ଏଫ୍‌ଏ ଓ ସିଏଓ ରହିଛନ୍ତି। ୧୯ ଯନ୍ତ୍ରୀ, ୨୨ ରାଜସ୍ବ ଅଧିକାରୀ, ୨୦ ପିଆର ଏବଂ ଡବ୍ଲୁ ଅଧିକାରୀ, ୯ ପୁଲିସ ଅଧିକାରୀ, ୫ ଡାକ୍ତର, ୩ ଜଂଗଲ ବିଭାଗ ଅଧିକାରୀ, ୩ ଆଇସିଡିଏସ୍ ଅଧିକାରୀ ରହିଛନ୍ତି। ରୁଜୁ ହୋଇଥିବା ଏହି ମାମଲା ମଧ୍ୟରୁ ଦୁର୍ନୀତି ମାମଲା ୪୪ଟି (୨୨ ପ୍ରତିଶତ), ଆୟ ବହିର୍ଭୂତ ମାମଲା ୬୦ଟି(୩୦ ପ୍ରତିଶତ) ଏବଂ ଟ୍ରାପ୍ ମାମଲା ୯୬ଟି(୪୮ ପ୍ରତିଶତ) ରହିଛି। ୬୦ଟି ଆୟ ବହିର୍ଭୂତ ମାମଲାରେ ମୋଟ ୧୩୧ କୋଟି ଟଙ୍କା ଠାବ ହୋଇଛି। ୯୬ ଟ୍ରାପ୍ କେସ୍ ପଞ୍ଜିକୃତ ହୋଇଛି। ୧୧୫ ଜଣ ଲାଞ୍ଚ ମାଗିବା ସମୟରେ ଧରାପଡ଼ିଛନ୍ତି। ମୋଟ ୧୯ ଲକ୍ଷ ୨୫ ହଜାର ଟଙ୍କା ଲାଞ୍ଚ ମାଗିବା ସମୟରେ ଜବତ ହୋଇଛି।

୨୦ କେଜି ସୁନା, ୧୦ କେଜି ରୁପା, ହୀରା ଠାବ 
ବନ୍ଧା ହୋଇଛନ୍ତି ୧୮୧ ସରକାରୀ ବାବୁ

ଏହି ବର୍ଷକ ମଧ୍ୟରେ ଭିଜିଲାନ୍ସ ପକ୍ଷରୁ ୪୮୩ ସ୍ଥାନରେ ଚଢ଼ଉ କରାଯାଇଥିଲା। ସରକାରୀ ଅଧିକାରୀଙ୍କ ୭୯୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରାଯାଇଛି। ୭୨ ମୂଲ୍ୟାୟନ ମାମଲାରେ ୧୯୪ଟି କୋଠା ଏବଂ ପ୍ରୋଜେକ୍ଟ ଚିହ୍ନଟ ହୋଇଥିଲା। ଏହାର ମୂଲ୍ୟ ୨୭ କୋଟି ୩ ଲକ୍ଷ ଟଙ୍କା ବୋଲି ତଦନ୍ତ ସମୟରେ ଜଣାପଡ଼ିଥିଲା। ୩୮ ଜଣ ଦମ୍ପତ୍ତି ୬୦ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ତଦନ୍ତ ପ୍ରକ୍ରିୟା ପରିସରକୁ ଆସିଥିଲେ। ୩୦୭ ମାମଲାର ତଦନ୍ତ ପ୍ରକ୍ରିୟା ଶେଷ ହୋଇଛି। ମୋଟ ପଞ୍ଜୀକୃତ ମାମଲାର ୧୫୪ ପ୍ରତିଶତ ମାମଲା ସମାଧାନ ହୋଇଛି। ୨୦୨୪ରେ ୧୦୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୫୦ ପ୍ରତିଶତ ଦୋଷୀ ସାବ୍ୟସ୍ତ ହାର ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ୮୦ ପ୍ରତିଶତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୫  ଜଣ ସରକାରୀ ଅଧିକାରୀ ଦୋଷୀ ସାବ୍ୟସ୍ତ ହେବା ପରେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏଥିରେ କ୍ଲାସ-୧ ଅଧିକାରୀ ୩ ଜଣ, କ୍ଲାସ-୨ ଅଧିକାରୀ ୩ ଜଣ, କ୍ଲାସ-୩ ଅଧିକାରୀ ୧୯ ଜଣ ଅଛନ୍ତି। ଏହି ବର୍ଷରେ ୬୫ ଜଣ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କ ପେନସନ୍ ବନ୍ଦ କରିଦିଆଯାଇଛି। ଲୋକାୟୁକ୍ତଙ୍କ ନିକଟରୁ ଭିଜିଲାନ୍ସ ୬ଟି ମାମଲା ପାଇଛି। ତେବେ ମାମଲାର ତଦନ୍ତ କରି ୫ଟିର ରିପୋର୍ଟ ଦାଖଲ କରାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ୫ ହଜାର ୩୪୬ଟି ଚିଠି ମିଳିଥିଲା। ଏହି ଚିଠି ବଳରେ ୪୦ ହଜାର ୧୬୮ ଜଣ ସରକାରୀ ଅଧିକାରୀଙ୍କୁ ଭିଜିଲାନ୍ସ କ୍ଲିୟରାନ୍ସ ପ୍ରଦାନ କରାଯାଇଛି। ରାଜ୍ୟ ଭିଜିଲାନ୍ସର ଜଂଗଲ ଶାଖା ପକ୍ଷରୁ ୧୦୧ଟି ଚଢ଼ଉ କରିଥିଲା। ଏହି ଚଢ଼ଉ ସମୟରେ କାଠ ଓ ମେସିନ୍ ଜବତ କରାଯାଇଛି। ଏହାର ମୂଲ୍ୟ ୪ କୋଟି ୮୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ୩୯ ଜଣଙ୍କ ବିରୋଧରେ ଏ ନେଇ ମାମଲା ମଧ୍ୟ ରୁଜୁ କରାଯାଇଛି। ଏହି ଚଢ଼ଉ ବାଦ୍ ଜଂଗଲ ବିଭାଗ ରାୟଗଡ଼ା ଅଞ୍ଚଳରେ ଚଢ଼ଉ କରି ଦୁଇଟି ଚିତାବାଘ ଚମଡ଼ା ଜବତ କରିଥିଲା। ରାଜ୍ୟ ଭିଜିଲାନ୍ସ ଏକାଡେମିରେ ୮୬୨ ଜଣ ସର୍ବଭାରତୀୟ ସେବା ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିବା ଭିଜିଲାନ୍ସ ଏହି ରିପୋର୍ଟରେ ଦର୍ଶାଇଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.