Breaking News

ଭିଜିଲାନ୍‌ସ ଜାଲରେ ଜଟଣୀ ପୌରପାଳିକା ଅଧିକାରୀ: ୧୩ କୋଟିର ସମ୍ପତ୍ତି ଠାବ

ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଭିଜିଲାନ୍‌ସ ସ୍କ୍ବାଡ୍‌ ପୁଣି ଜଣେ ବାବୁଙ୍କୁ ଜାଲରେ ଛନ୍ଦିଛି। ଏଥର ଜଟଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଭିଜିଲାନ୍‌ସ ପଞ୍ଝାରେ ପଡ଼ିଛନ୍ତି।

ଭୁବନେଶ୍ବର/ଜଟଣୀ: ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଭିଜିଲାନ୍‌ସ ସ୍କ୍ବାଡ୍‌ ପୁଣି ଜଣେ ବାବୁଙ୍କୁ ଜାଲରେ ଛନ୍ଦିଛି। ଏଥର ଜଟଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଭିଜିଲାନ୍‌ସ ପଞ୍ଝାରେ ପଡ଼ିଛନ୍ତି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନି‌ର୍ଦେଶକ୍ରମେ ଭିଜିଲାନ୍ସର ୧୦ଟି ଟିମ୍‌ ଆଜି ଶ୍ରୀ ପାଟ୍ଟଯୋଶୀଙ୍କ ଭୁବନେଶ୍ବର ଜାଗମରାସ୍ଥିତ ଫ୍ଲାଟ୍‌, ଖାରବେଳନଗରସ୍ଥିତ ଫ୍ଲାଟ୍‌,  ଜଟଣୀ ପୌରପାଳିକା କାର୍ଯ୍ୟାଳୟ, ଗଞ୍ଜାମସ୍ଥିତ ପୈତୃକ ଘର ଆଦି ୧୦ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ବେଳେ ନଗଦ ୧୭ ଲକ୍ଷ ଟଙ୍କା ସହିତ ୧୧ଟି ଦାମୀ ପ୍ଲଟ୍‌ର ରେକର୍ଡପତ୍ର ଜବତ କରାଯାଇଛି। ପ୍ରାଥମିକ ଆକଳନ ଅନୁସାରେ ତାଙ୍କ ନିକଟରୁ ୧୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି ବୋଲି ଜଣାପଡ଼ିଛି।

ଶ୍ରୀ ପାଟ୍ଟଯୋଶୀଙ୍କ ଜାଗମରା ଫ୍ଲାଟ୍‌ର ମୂଲ୍ୟ କୋଟିଏ ଟଙ୍କାରୁ ଊର୍ଧ୍ବ ହେବ ବୋଲି କୁହାଯାଇଛି। ସେହିଭଳି ଖାରବେଳନଗରରେ ଦେଢ଼ କୋଟି ଟଙ୍କା ମୂଲ୍ୟର ୨-ବିଏଚ୍‌କେ ଫ୍ଲାଟ୍‌, ବିଜେବିନଗରରେ ଦେଢ଼ କୋଟି ମୂଲ୍ୟର ଆଉ ଏକ ୨-ବିଏଚ୍‌କେ ଫ୍ଲାଟ୍‌, ବ୍ରହ୍ମପୁରରେ ୩କୋଟି ମୂଲ୍ୟର ୫୫୦୦ ବର୍ଗଫୁଟ୍‌ ଜମିରେ ଅର୍ଦ୍ଧ ନିର୍ମିତ ୪ମହଲା ଅଟ୍ଟାଳିକା ଓ କୋଟିଏ ଟଙ୍କାର ୩୩୬୦ ବର୍ଗଫୁଟ୍‌ ଜମିରେ ନିର୍ମିତ ଦୁଇ ମହଲା କୋଠା ଆଦି ଠାବ କରାଯାଇଛି। ସେହିପରି ଜଟଣୀ, ବ୍ରହ୍ମପୁର, ଗଞ୍ଜାମ ଓ ଭୁବନେଶ୍ବରର ପ୍ରମୁଖ ଅଞ୍ଚଳରେ ୧୧ଟି ଦାମୀ ପ୍ଲଟ୍‌ ଠାବ ହୋଇଛି। ଏସବୁର ବଜାର ମୂଲ୍ୟ ୪ କୋଟିରୁ ଅଧିକ ଟଙ୍କା ହେବ। ସେହିପରି ୧୫୦ଗ୍ରାମର ସୁନା ଅଳଙ୍କାର, ନଗଦ ୧୭ଲକ୍ଷ  ଟଙ୍କା, ଗୋଟିଏ କାର ଓ ୩ଟି ବାଇକ୍‌ ଜବତ କରାଯାଇଛି। ଏହାଛଡ଼ା ୨୦ଟି ବ୍ୟାଙ୍କ ଆକାଉଣ୍ଟ, ପୋଷ୍ଟାଲ ଡିପୋଜିଟ୍ ଆଦି ଠାବ କରାଯାଇଛି। ବ୍ୟାଙ୍କରେ ୭୬.୧୫ଲକ୍ଷ ଟଙ୍କା ଜମା ଥିବା ଜଣାପଡ଼ିଛି।

ଅଫିସ ସମେତ ୧୦ସ୍ଥାନରେ ଚଢ଼ଉ 
୧୧ପ୍ଲଟ୍‌, ନଗଦ ୧୭ଲକ୍ଷ ଟଙ୍କା ଜବତ

ଏଥିସହ ଶ୍ରୀ ପାଟ୍ଟଯୋଶୀଙ୍କ ଏସ୍‌ବିଆଇ ବ୍ୟାଙ୍କ୍‌ରେ ନିଜ ପତ୍ନୀଙ୍କ ନାମରେ ଏକ ଲକର୍ ରଖାଯାଇଛି। ଏଥିସହିତ ପତ୍ନୀଙ୍କ ନାଁରେ ଭୁବନେଶ୍ୱର ଡେଲ୍‌ଟାରେ ୪-ବିଏଚ୍‌କେ ଫ୍ଲାଟ୍ କିଣିବାକୁ ଏକ କମ୍ପାନିକୁ ଅଗ୍ରୀମ ୫୬.୪୦ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି। ଏଯାଏଁ ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୩କୋଟିରୁ ଊର୍ଧ୍ବ ହେବ ବୋଲି ଆକଳନ କରାଯାଉଛି। ଚଢ଼ଉ ଜାରି ରହିଥିବାରୁ ଆଗକୁ ସମ୍ପତ୍ତି ମୂଲ୍ୟ ଆହୁରି ବଢ଼ିବ ବୋଲି ଅନୁମାନ କରାଯଉଛି। ୯ଜଣ ଡିଏସ୍‌ପି, ୪ ଇନ୍‌ସ୍ପେକ୍ଟର, ୧୩ ଏଏସ୍‌ଆଇଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଛି।

୧୯୯୪ ମସିହାରେ ନବରଙ୍ଗପୁର ପୌରପାଳିକା‌ରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଶ୍ରୀ ପାଟ୍ଟଯୋଶୀ ୧୯୯୬ରୁ ୨୦୦୬ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଏନ୍‌ଏସିରେ କାର୍ଯ୍ୟ କରିଥିଲେ। ୨୦୦୭ରେ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇ ୨୦୨୧ ପର୍ଯ୍ୟନ୍ତ ବିଭିନ୍ନ ପୌରପାଳିକାରେ କାର୍ଯ୍ୟରତ ଥିଲେ। ୨୦୨୩ରେ ଡେପୁଟି ନିର୍ବାହୀ ଯନ୍ତ୍ରୀକୁ ପଦୋନ୍ନତି ପାଇବା ପରେ ଯାଜପୁର ପୌରପାଳିକାରେ କାର୍ଯ୍ୟରତ ଥିଲେ। ୨୦୨୪ ଫେବ୍ରୁଆରିରୁ ଜଟଣୀ ପୌରପାଳିକାରେ କାମ କରୁଥିଲେ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.