ଅନୁଗୁଳ/ଢେଙ୍କାନାଳ: ଦୁଇ ଦିନ ହେଲା ବର୍ଷା ଛାଡ଼ୁନି। ବର୍ଷା ଯୋଗୁଁ ବିଲରେ ଥିବା ପାଚିଲା ଧାନ ଭିଜୁଛି। ଓଦା ଧାନକୁ ଦେଖି ଚାଷୀର ଆଖି ଓଦା ହୋଇଯାଉଛି। ବର୍ଷକର ପରିଶ୍ରମର ଫଳ ପାଣିରେ ପଡ଼ିଥିବା ଦେଖି କୋହ ସମ୍ଭାଳି ପାରୁନି। ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଶହ ଶହ ଏକର ଜମିର ଧାନ ପାଣି ଭର୍ତ୍ତି ବିଲରେ ରହି ନଷ୍ଟ ହେବାରେ ଲାଗିଛି। ଏଭଳି ସ୍ଥିତିରେ କେବଳ ଏଫ୍‌ଏକ୍ୟୁ ମାନର ଧାନ କିଣାଯିବ ବୋଲି ଯୋଗାଣ ମନ୍ତ୍ରୀ ସ୍ପଷ୍ଟ କରିବା ପରେ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି।
ଚଳିତ ବର୍ଷ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଭଲ ଧାନ ଫସଲ ହୋଇଥିଲା। କିନ୍ତୁ ଅଦିନିଆ ବର୍ଷା ଚାଷୀଙ୍କ ଆଶାରେ ପାଣି ଭରି ଦେଇଛି। ଧାନ କିଆରିରେ ପାଣି ଜମା ହୋଇଛି। ଧାନ ଗଛ ସବୁ ଶୋଇ ପଡ଼ିଛି। ପାଣିରେ ବତୁରି ଗଜା ହେବାକୁ ବସିଲାଣି। ଆଜି ସକାଳ ସୁଦ୍ଧା ଛେଣ୍ଡିପଦା ବ୍ଲକ୍‌ରେ ସର୍ବାଧିକ ୧୯.୪ ମିମି ବର୍ଷା ହୋଇଥିଲା ‌ବେଳେ କଣିହାଁରେ ୫.୩ ମିମି ବର୍ଷା ହୋଇଛି। ଅନୁଗୁଳ ବ୍ଲକ୍‌ରେ ୧୩.୪ ମିମି, ବଅଁରପାଳରେ ୮.୪ ମିମି, ତାଳଚେର ୯ମିମି, ଆଠମଲ୍ଲିକରେ ୯ ମିମି, କିଶୋରନଗରରେ ୧୨.୮ ମିମି ଓ ପାଳଲହଡ଼ାରେ ୫.୮ ମିମି ବର୍ଷା ହୋଇଛି। ପୁଣି ଦିନ ତମାମ ବର୍ଷା ଲାଗି ରହିଥିବାରୁ ସମସ୍ୟା ବଢ଼ିଛି।

ଉପଯୁକ୍ତ କ୍ଷତିପୂରଣ ଦିଆଯିବ

ଅନୁଗୁଳ ଜିଲ୍ଲାରେ ପ୍ରାୟ ୮୦ ହଜାର ହେକ୍ଟର ଜମିରେ ଧାନ ଚାଷ ‌ହୋଇଥିଲା ବେଳେ ଏଥିରୁ ଅଧାଅଧି ଫସଲ ଅମଳ ହୋଇଛି। କିଛି ସ୍ଥାନରେ ଧାନ କଟା ହୋଇ କିଆରିରେ ପଡ଼ିଛି। ଏହି ଧାନ ସବୁ ନଷ୍ଟ ହେବା ନିଶ୍ଚିତ। ଏପଟେ ଜିଲ୍ଲ‌ାରେ ମଣ୍ଡି ଆରମ୍ଭ ହୋଇ ନଥିବାରୁ ଅମଳ ଧାନ ବି ଚାଷୀ ବିକି ପାରିନି। ଧାନ ରଖିବାକୁ ନେଇ ବି ସମସ୍ୟା। ବିଭିନ୍ନ ସ୍ଥାନରେ ଅମଳ ଧାନ‌ ଓଦା ହେଲାଣି। ଏପଟେ ବର୍ଷା ପାଇଁ ପନିପରିବା ଚାଷ ବି ନଷ୍ଟ ହେଲାଣି। ଏଥିନେଇ ଅନୁଗୁଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲୀପ ମିଶ୍ର କହିଛନ୍ତି, ବର୍ଷା ପାଇଁ ଧାନ ଓ ପନିପରିବା ନଷ୍ଟ ହେବାର ଆଶଙ୍କା ରହିଛି। କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ କ୍ଷେତ୍ର ସ୍ତରରେ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ପ୍ରକୃତ କ୍ଷୟକ୍ଷତି ଜଣାପଡ଼ିବ ବୋଲି ସେ କହିଛନ୍ତି। ତେବେ ଅନୁଗୁଳ, ବଅଁରପାଳ ଓ ଛେଣ୍ଡିପଦା ବ୍ଲକ୍‌ରେ ଅଧିକ ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏହି ୩ ବ୍ଲକ୍‌ରେ ଶହ ଶହ ଏକର ଜମିରେ ପାଣି ମାଡ଼ି ଯାଇଛି। ସ୍ଥିତି ଏମିତି ଯେ, ମୁଠାଏ ଧାନ ଅମଳ ହେବା ବି ସନ୍ଦେହ। ହାତୀ, ବାର୍‌ହା ଦାଉରୁ ଧାନକୁ ସୁରକ୍ଷା ଦେଇ ଆସୁଥିବା ଚାଷୀ ବର୍ଷା ଆଗରେ ହାତ ଟେକି ଦେଇଛି। କେବଳ ଅମଳ କରିଥିବା ଧାନକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଦିନରାତି ଏକ କରି ଦେଇଛି।

ଅନ୍ୟପଟେ ଏ ସଂପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଅସମୟରେ ବର୍ଷା ସମସ୍ତଙ୍କ ପାଇଁ ଦୁଃଖ ଆଣିଛି। ଯେଉଁମାନଙ୍କର ପ୍ରକୃତ କ୍ଷତି ହୋଇଛି, ସେମାନଙ୍କୁ କ୍ଷତିପୂରଣ ଦେବା ଲାଗି ସରକାର ଘୋଷଣା କରିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଧାନ କିଣାଯିବ।  ଭଲ ଧାନ ଥିବା ସବୁ ଚାଷୀଙ୍କଠାରୁ ଧାନ କିଣାଯିବ। ଧାନ କ୍ବିଣ୍ଟାଲ୍‌ ପିଛା ୩୧ଶହ ଟଙ୍କା ଦିଆଯିବ। ତେବେ ନଷ୍ଟ ହୋଇଥିବା ଧାନକୁ ସରକାର କିଣିବେ ନାହିଁ। କାରଣ ଏଫ୍‌ସିଆଇ ତାହାକୁ ଗ୍ରହଣ କରିବ ନାହିଁ। ତେଣୁ ଏଫ୍‌ଏକ୍ୟୁ ମାନକୁ ନେଇ କୌଣସି ସାଲିସ୍‌ କରାଯିବ ନାହିଁ। କ୍ଷତିଗ୍ରସ୍ତ ଧାନ ବାବଦକୁ ସରକାର ଉପଯୁକ୍ତ କ୍ଷତିପୂରଣ ଦେବେ ବୋଲି ମନ୍ତ୍ରୀ କହିଛନ୍ତି।