Breaking News

ଭିଜୁଛି ଧାନ, ନଷ୍ଟ ହେଉଛି ପରିବା: ୩୦ ସୁଦ୍ଧା ମିଳିବ କ୍ଷୟକ୍ଷତି ରି‌ପୋର୍ଟ

୮ଦିନ ଭିତରେ ଦୁଇଟି ଲଘୁଚାପ ବର୍ଷା ଯୋଗୁଁ ଚାଷୀକୁଳ ଚିନ୍ତାରେ ଅଛନ୍ତି। କାହାର ବିଲରେ ଧାନ ପଡ଼ିଛି ତ ଆଉ କାହାର ଖଳାରେ ଭିଜୁଛି। ଏମିତିକି ଗତ ସପ୍ତାହରେ ହୋଇଥିବା ବର୍ଷାରେ ଓଦା ହୋଇଥିବା ଧାନ...

ନୟାଗଡ଼: ୮ଦିନ ଭିତରେ ଦୁଇଟି ଲଘୁଚାପ ବର୍ଷା ଯୋଗୁଁ ଚାଷୀକୁଳ ଚିନ୍ତାରେ ଅଛନ୍ତି। କାହାର ବିଲରେ ଧାନ ପଡ଼ିଛି ତ ଆଉ କାହାର ଖଳାରେ ଭିଜୁଛି। ଏମିତିକି ଗତ ସପ୍ତାହରେ ହୋଇଥିବା ବର୍ଷାରେ ଓଦା ହୋଇଥିବା ଧାନ ଶୁଖିନଥିବା ବେଳେ ଗତକାଲିଠାରୁ ପୁଣି ବର୍ଷା ଆରମ୍ଭ ହୋଇଛି। ଏଥର ନୟାଗଡ଼ ଜିଲ୍ଲାରେ ଧାନ ଚାଷ ଭଲ ହୋଇଥିଲା। ଧାନର ମାନ ଭଲ ଥିବାରୁ ସରକାରଙ୍କ ନୂତନ ଦର ଅନୁଯାୟୀ ଅଧିକ ଟଙ୍କା ମିଳିବ ବୋଲି ଚାଷୀମାନେ ଆଶା କରିଥିଲେ। ମାତ୍ର ଲଗାଣ ବର୍ଷାରେ ଧାନର ମାନ ଖରାପ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। ଅନ୍ୟପଟେ ଗତ ସପ୍ତାହରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ପ୍ରାଥମିକ ଭାବେ କ୍ଷୟକ୍ଷତି ଆକଳନ କରାଯାଇଛି। ମାତ୍ର ଆସନ୍ତା ୩୦ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀ ସୁମନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି।

ଜିଲ୍ଲା କୃଷି ଅଧିକାରୀଙ୍କ ସୂଚନା ମୁତାବକ, ବର୍ତ୍ତମାନ କୃଷି ବିଭାଗ ଓ ତହସିଲଦାର ମିଳିତ ଭାବେ କ୍ଷୟକ୍ଷତି ଆକଳନ କରୁଛନ୍ତି। ଖାଲି ଆଖିରେ ପ୍ରାଥମିକ ଭାବେ ଯେଉଁ ଆକଳନ କରାଯାଇଛି, ଏହା ଶତ ପ୍ରତିଶତ ଠିକ୍ ନୁହେଁ। ଏଣୁ କ୍ଷେତ୍ର ପରିଦର୍ଶନ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଦିନେ ଦୁଇ ଦିନ ଭିତରେ ଏହା ଶେଷ ହେବ ଓ ନିର୍ଦ୍ଧାରିତ ସମୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ଏହା ପରେ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। କୃଷି ବିଭାଗର କ୍ଷୟକ୍ଷତି ଆକଳନ ରିପୋର୍ଟକୁ ଚାଷୀମାନେ ଚାତକ ପରି ଚାହିଁ ରହିଛନ୍ତି।

ନୟାଗଡ଼ ଜିଲ୍ଲାରେ ମୋଟ୍ ୧,୩୧,୧୩୪ ହେକ୍ଟର ଜମିରେ ଚାଷ କରାଯାଇଛି। ସେଥିମଧ୍ୟରୁ ୯୭,୫୩୩ ହେକ୍ଟର ଚାଷ ଜମିରେ ଧାନ, ବାକି ଜମି ସବୁରେ ଅଣଧାନ ଫସଲ। ୬ ହଜାର ହେକ୍ଟର ଚାଷ ଜମିରେ ପରିବା ଚାଷ ହେଉଥିବା ବେଳେ ସେଥିମଧ୍ୟରୁ ୫୦ ପ୍ରତିଶତ ଜମି‌ରେ କେବଳ ବାଇଗଣ ଚାଷ ହେଉଛି। ବର୍ତ୍ତମାନ ବିଲରେ ଚାଷ ହୋଇଥିବା ପରିବା ଯଥା ବିଲାତି, ଫୁଲକୋବି ଓ ବନ୍ଧାକୋବି ନଷ୍ଟ ହୋଇଯିବ। ଗୁରତ୍ବପୂର୍ଣ୍ଣ କଥା ହେଲା, ଯଦି ଲଗାଣ ବର୍ଷା ଯୋଗୁଁ ବିଲରେ ପାଣି ଜମି ରୁହେ, ତେବେ ଆଳୁ ବିହନ ମଧ୍ୟ ନଷ୍ଟ ହୋଇଯିବ। ବୁଧବାର ଜିଲ୍ଲାରେ ୮୦.୯ ମିମି ବର୍ଷା ହୋଇଛି। ଭାପୁର ବ୍ଲକ୍‌ରେ ୧୮.୩ ମିମି, ଦଶପଲ୍ଲାରେ ୧୪ ମିମି, ଗଣିଆରେ ୭.୪ମିମି, ଖଣ୍ଡପଡ଼ାରେ ୧୧.୨ ମିମି, ନୟାଗଡ଼ରେ ୪.୩ ମିମି, ନୂଆଗାଁରେ ୩.୭ ମିମି, ଓଡ଼ଗାଁରେ ୯.୨ ମିମି ଓ ରଣପୁରରେ ୧୨.୮ ମିମି ବର୍ଷା ରେକର୍ଡ କରାଯାଇଛି। ଦିନତମାମ ଲାଗି ରହିଥିବା ଏହି ବର୍ଷା ପାଇଁ ଜିଲ୍ଲାରେ ଜନଜୀବନ ମଧ୍ୟ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.