Breaking News

ଭିଟୋ କ୍ଷମତା ନେଇ ବିଶ୍ବକୁ ଜୟଶଙ୍କରଙ୍କ ବାର୍ତ୍ତା: ଭାରତକୁ କେହି ଦବାଇ ପାରିବେ ନାହିଁ

ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟଙ୍କ ଦ୍ବାରା ବିଭିନ୍ନ ମାମଲାରେ ଭିଟୋ ପ୍ରୟୋଗ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବିଶ୍ବକୁ ବଡ଼ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ କେବେ ବି ଅନ୍ୟମାନଙ୍କୁ ନିଜ ପସନ୍ଦ ଉପରେ ଭିଟୋ ପ୍ରୟୋଗ କରିବାକୁ ଅନୁମତି ଦେଇପାରିବ ନାହିଁ।

ନୂଆଦିଲ୍ଲୀ: ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟଙ୍କ ଦ୍ବାରା ବିଭିନ୍ନ ମାମଲାରେ ଭିଟୋ ପ୍ରୟୋଗ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବିଶ୍ବକୁ ବଡ଼ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ କେବେ ବି ଅନ୍ୟମାନଙ୍କୁ ନିଜ ପସନ୍ଦ ଉପରେ ଭିଟୋ ପ୍ରୟୋଗ କରିବାକୁ ଅନୁମତି ଦେଇପାରିବ ନାହିଁ। ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି, ବିଶ୍ୱ ମଙ୍ଗଳ ପାଇଁ ଯାହା ଠିକ୍ ତାହା ଭାରତ କରିବ। ସ୍ୱାଧୀନତାକୁ ନିରପେକ୍ଷତା ସହ ଯୋଡ଼ି କେବେ ବି ଦ୍ୱନ୍ଦ୍ୱରେ ପକାଇବା ଉଚିତ ନୁହେଁ। ଆମର ଜାତୀୟ ସ୍ୱାର୍ଥ ପାଇଁ ଯାହା ଠିକ୍ ତାହା ଆମେ ନିର୍ଭୟରେ କାର୍ଯ୍ୟକାରୀ କରିବୁ ବୋଲି ଜୟଶଙ୍କର କହିଛନ୍ତି।

ଜାତୀୟ ସ୍ୱାର୍ଥରେ ଯାହା ଠିକ୍ ତାହା ଭାରତ କରିବ

ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍‌ଏସ୍‌ସି)ର ପାଞ୍ଚ ସ୍ଥାୟୀ ସଦସ୍ୟ ଚୀନ୍, ଫ୍ରାନ୍ସ, ରୁଷ୍‌, ବ୍ରିଟେନ ଏବଂ ଆମେରିକା ବର୍ତ୍ତମାନ ପ୍ରକ୍ରିୟାଗତ ନିଷ୍ପତ୍ତି ବ୍ୟତୀତ ଅନ୍ୟ ପ୍ରସଙ୍ଗ ଉପରେ ଭିଟୋ କରିବାର କ୍ଷମତା ରଖିଛନ୍ତି। ୧୯୪୫ ମସିହାରେ ସ୍ଥାପିତ ୟୁଏନ୍ଏସ୍‌ସିରେ ସମୁଦାୟ ୧୫ ଜଣ ସଦସ୍ୟ ଥିବା ବେଳେ ଅବଶିଷ୍ଟ ୧୦ ଜଣ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଅସ୍ଥାୟୀ ସଦସ୍ୟଙ୍କ ପାଖରେ ଭିଟୋ କ୍ଷମତା ନାହିଁ। ଉଭୟ ସ୍ଥାୟୀ ଓ ଅସ୍ଥାୟୀ ବର୍ଗରେ ସମ୍ପ୍ରସାରଣ ସହ ସୁରକ୍ଷା ପରିଷଦର ସଂସ୍କାର ପାଇଁ ଭାରତ ଆହ୍ୱାନ ଦେଇ ଆସୁଥିବା ବେଳେ ଜୟଶଙ୍କରଙ୍କ ଏଭଳି ବୟାନ ବେଶ୍‌ ଗୁରୁତ୍ବପୂର୍ଣ୍ଣ।
ଫ୍ରାନ୍ସ, ରୁଷ୍‌, ବ୍ରିଟେନ ଏବଂ ଆମେରିକା ୟୁଏନ୍‌ଏସ୍‌ସି ସ୍ଥାୟୀ ଆସନ ପାଇଁ ଭାରତର ଦାବିକୁ ଦୃଢ଼ ସମର୍ଥନ ଜଣାଇଛନ୍ତି। ଜୟଶଙ୍କର କହିଛନ୍ତି ଯେ ଭାରତ ଏକ ଅସାଧାରଣ ରାଷ୍ଟ୍ର କାରଣ ଏହାର ସଭ୍ୟତା ଅତି ପ୍ରାଚୀନ ଓ ମହାନ । ଏଭଳି ଦେଶ ବିଶ୍ୱ ସ୍ତରରେ ନିଜର ସାଂସ୍କୃତିକ ଶକ୍ତିର ସମ୍ପୂର୍ଣ୍ଣ ଉପଯୋଗ କଲେ ହିଁ ପ୍ରଭାବ ପ୍ରୟୋଗ କରିବ ବୋଲି ସେ କହିଛନ୍ତି। ଏକ ବହୁଧ୍ରୁବୀ ବିଶ୍ୱରେ ଭାରତ ଏକ ଅଗ୍ରଣୀ ଶକ୍ତି ଭାବେ ଉଭା ହୋଇପାରିଛି ବୋଲି ସେ କହିଛନ୍ତି। ଅସ୍ୱାସ୍ଥ୍ୟକର ଅଭ୍ୟାସ, ଚାପଗ୍ରସ୍ତ ଜୀବନଶୈଳୀ କିମ୍ବା ବାରମ୍ବାର ଜଳବାୟୁ ଘଟଣା ସହ ସଂଘର୍ଷ କରୁଥିବା ବିଶ୍ୱରେ ଭାରତର ଐତିହ୍ୟରୁ ଅନେକ କିଛି ଶିଖିବାର ଅଛି ବୋଲି ଜୟଶଙ୍କର କହିଛନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.