Breaking News

ଭିତରକନିକା ଲୁଣା ଜଙ୍ଗଲକୁ ବିପଦ ଜଳବାୟୁ ପରିବର୍ତ୍ତନ: ଜଙ୍ଗଲ ଭିତରକୁ ମାଡ଼ିଗଲାଣି ସମୁଦ୍ର

କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟାରୁ ଏକକୂଳା ଯାଏଁ ୧୨ କିଲୋମିଟର ଅଞ୍ଚଳରେ ସମୁଦ୍ର କୂଳ ଲଂଘିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉପକୂଳର ସୁରକ୍ଷା କବଚ ଭିତରକନିକା ଲୁଣା ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି।

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟାରୁ ଏକକୂଳା ଯାଏଁ ୧୨ କିଲୋମିଟର ଅଞ୍ଚଳରେ ସମୁଦ୍ର କୂଳ ଲଂଘିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉପକୂଳର ସୁରକ୍ଷା କବଚ ଭିତରକନିକା ଲୁଣା ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି। ବାତ୍ୟା ‘ଦାନା’ ପରଠୁ ଦେଢ଼ମାସ ଭିତରେ ୨ହଜାରରୁ ଅଧିକ ଗଛକୁ ଜୁଆର ଭସାଇ ନେଲାଣି। ୧୯୭୧ ବାତ୍ୟାରେ ବ‌ଙ୍ଗୋପସାଗର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ସାତଭାୟା ଜନବସତିକୁ ମାଡ଼ି ଆସିଥିଲା। ଗୋବିନ୍ଦପୁର, ମାନପୁର, କୁଳିଆଓରା, ଖରିକୁଲା, ସରପଦା ପ୍ରଭୃତି ୫ଟି ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା। ୧୯୯୯ ମହାବାତ୍ୟାରେ ସାତଭାୟାକୁ ବଙ୍ଗୋପସାଗର ଗ୍ରାସ କରିଥିଲା। ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ଜନବସତିକୁ ମାଡ଼ିଯିବା କାରଣରୁ ସାତଭାୟାବାସୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିଥିଲା। ୨୦୦୦ ମସିହାରେ ସୁନାମୀ ପାଇଁ ପେଣ୍ଠ ନିକଟରେ ବଙ୍ଗୋପସାଗର କୂଳ ଖାଇ ଗାଁମୁହାଁ ହୋଇଛି। ୨୦୧୬ ଭିତରେ ୩ କିମି ବାଲିପଠାକୁ ଗର୍ଭସ୍ଥ କରିବା ସହ ରାଜନଗର–ଗୋପାଳପୁର ଲୁଣା ଘେରିବନ୍ଧର ୮ଶହ ମିଟର ବନ୍ଧକୁ ଧୋଇ ନେଇଛି। ଜୁଆରକୁ ଅଟକାଇବା ପାଇଁ ଓଡ଼ିଶାର ପ୍ରଥମ ଜିଓ ସିନ୍ଥେଟିକ ସି’ୱାଲ୍‌ ନିର୍ମାଣ କରାଯାଇଛି। ଏବେ ବଙ୍ଗୋପସାଗର ସାତଭାୟାର ପୁରୁଣା ଜନବସତି ଠାରୁ ଏକକୂଳା ଯାଏଁ ୧୨ କିମି ବେଳାଭୂମିରେ ତାଣ୍ଡବ ରଚୁଛି। ସାତଭାୟାରୁ ଏକକୂଳା ଯାଏଁ ଥିବା ବାଲିପାହାଡ଼କୁ ଅଧିକାଂଶ ସ୍ଥାନରେ ସମୁଦ୍ର ଜୁଆର ଗତ ୬ବର୍ଷ ଭିତରେ ଧୋଇ ନେଇଛି।

ଭାସିଗଲାଣି ୨ ହଜାରରୁ ଅଧିକ ଗଛ

ଗତ ୧୦ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷରୁ ଅଧିକ ଗଛ ସମୁଦ୍ର ଗର୍ଭକୁ ଚାଲିଯାଇଛି। ହବାଳିଖଟିରୁ ୧ କିମି ପୂର୍ବରୁ ସମୁଦ୍ର ଜଙ୍ଗଲ ମଧ୍ୟକୁ ପଶିଯାଇଛି। କାଦୁଆନାସୀ, ହବାଳିଖଟି ଓ ଏକକୂଳା ନିକଟରେ ଲୁଣା ଜଙ୍ଗଲ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ‘ଦାନା’ ହବାଳିଖଟି ନିକଟରେ ସ୍ଥଳଭାଗ ଛୁଇଁଥିଲା। ସମୁଦ୍ର କୂଳରେ ଏହି ସ୍ଥାନଟି ଥିବାରୁ ଏଠାରେ ସମୁଦ୍ର ଜୁଆର ଭୟାନକ ହୋଇ ସ୍ଥଳଭାଗରେ ମାଡ଼ ହୋଇଥିଲା। ବାତ୍ୟା ଦାନା ପରଠାରୁ ଏ ପର୍ଯ୍ୟନ୍ତ ସମୁଦ୍ର ପ୍ରାୟ ୨ଶହ ଫୁଟ ସ୍ଥଳଭାଗକୁ ମାଡ଼ି ଯାଇଛି। ହବାଳିଖଟିରେ ପର୍ଯ୍ୟଟକଙ୍କ ପାଇଁ ଥିବା ଡଲ୍‌ଫିନ୍‌ ହାଉସ ଏବେ ସମୁଦ୍ର ଭିତରେ ରହିଛି। ଜୁଆର ମାଡ଼ରେ ପ୍ରାୟ ୨ହଜାରରୁ ଅଧିକ ଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କେବଳ ଗଛର ମୂଳଗୁଡ଼ିକ ଥିବାବେଳେ ଗଛ ଭାଙ୍ଗି ସମୁଦ୍ରକୁ ଭାସି ଯାଇଛି। ବାତ୍ୟା ଦାନା ପରେ ଭୟଙ୍କର ଜୁଆର ଆସିବା ସହିତ ସିଧାସଳଖ ଭିତରିକନିକା ଜଙ୍ଗଲରେ ମାଡ଼ ହେଉଛି। ଉପକୂଳକୁ ସୁରକ୍ଷା ଯୋଗାଉଥିବା ଲୁଣା ଜଙ୍ଗଲ କ୍ଷତିଗ୍ରସ୍ତ ହେବା ଯୋଗୁଁ ବିପଦ ବଢ଼ିବାରେ ଲାଗିଛି।

ସୌଜନ୍ୟ-ସମ୍ୱାଦ

Comments are closed.