Breaking News

ଭିତ୍ତିବିହୀନ ଏମ୍‌ଏସ୍‌ପି

କୃଷିକୁ ଲାଭଜନକ କରିବା, ଅଧିକରୁ ଅଧିକ ଯୁବ ବର୍ଗଙ୍କୁ କୃଷି କାର୍ଯ୍ୟରେ ନିୟୋଜିତ କରିବା ଏବଂ ଚାଷୀ ଆତ୍ମହତ୍ୟାକୁ ପ୍ରତିହତ କରିବା ପାଇଁ ଜାତୀୟ କୃଷକ କମିଶନର ଗଠନ କରାଯାଇଥିଲା। ଭାରତରତ୍ନ ଡ. ଏମ୍‌ଏସ୍‌ ସ୍ୱାମୀନାଥନ ଜାତୀୟ କୃଷକ କମିଶନର ଅଧ୍ୟକ୍ଷ ନିଯୁକ୍ତି ହୋଇଥିଲେ।

କୃଷିକୁ ଲାଭଜନକ କରିବା, ଅଧିକରୁ ଅଧିକ ଯୁବ ବର୍ଗଙ୍କୁ କୃଷି କାର୍ଯ୍ୟରେ ନିୟୋଜିତ କରିବା ଏବଂ ଚାଷୀ ଆତ୍ମହତ୍ୟାକୁ ପ୍ରତିହତ କରିବା ପାଇଁ ଜାତୀୟ କୃଷକ କମିଶନର ଗଠନ କରାଯାଇଥିଲା। ଭାରତରତ୍ନ ଡ. ଏମ୍‌ଏସ୍‌ ସ୍ୱାମୀନାଥନ ଜାତୀୟ କୃଷକ କମିଶନର ଅଧ୍ୟକ୍ଷ ନିଯୁକ୍ତି ହୋଇଥିଲେ। ଆଶା କରାଯାଉଥିଲା ଦେଶରେ ସବୁଜ ବିପ୍ଲବ ଆରମ୍ଭ କରି କୃଷି ଅଭିବୃଦ୍ଧି ଆଣି ଦେଇଥିବା ସ୍ୱାମୀନାଥନ କୃଷକର ଅଭିବୃଦ୍ଧି ଆଣିବାରେ ସହାୟକ ହେବେ। ହେଲେ ତାଙ୍କର ଶତ ଚେଷ୍ଟା ଏବଂ ପ୍ରୟାସ ସତ୍ତ୍ୱେ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ। ଅଧିକ ଉତ୍ପାଦନ କରି ଚାଷୀ ଦିନକୁ ଦିନ ଗରିବ ହେବାରେ ଲାଗିଛି। ଦେଶରେ କୃଷକର ଆତ୍ମହତ୍ୟା ବଢ଼ି ଚାଲିଛି। ଆଜି ଦେଶରେ ପ୍ରତି ଘଣ୍ଟାରେ ପ୍ରାୟ ଦୁଇଜଣ ଚାଷୀ ଆତ୍ମହତ୍ୟା କରୁଛନ୍ତି। ତଥାପି ସରକାର ସ୍ୱାମୀନାଥନ ସୁପାରିସକୁ କାର୍ଯ୍ୟକାରୀ କରିବାକୁ କୁଣ୍ଠାବୋଧ। ସ୍ୱାମୀନାଥନ ସୁପାରିସକୁ କାଣ୍ଟଛାଣ୍ଟ କରି ଏମ୍‌ଏସ୍‌ପି ନିର୍ଦ୍ଧାରଣ କରାଯାଉଛି। କୁହାଯାଉଛି ସ୍ୱାମୀନାଥନଙ୍କ ସୁପାରିସ ଅନୁସାରେ ଏମ୍‌ଏସ୍‌ପି ନିର୍ଦ୍ଧାରଣ କରାଯାଉଛି। ଅନ୍ୟ ପକ୍ଷରେ ରାଜନୈତିକ ଉଦ୍ଦେଶ୍ୟ ହାସଲ ପାଇଁ ସ୍ୱାମୀନାଥନ୍‌ କମିଟିର ସୁପାରିସକୁ ବିକଳାଙ୍ଗ କରି ପ୍ରଣୟନ କରାଯାଉଛି। କେବଳ ଭୋଟ ବ୍ୟାଙ୍କ ପାଇଁ କେଉଁଠାରେ ଇନ୍‌ପୁଟ୍‌ ସହାୟତା ତ ଆଉ କେଉଁଠି ଇନ୍‌ପୁଟ୍‌ ରିହାତି ନାମରେ ଚାଷୀଙ୍କୁ ପ୍ରଲୋଭିତ କରି ଧାନ କିଣାରେ ଭୋଟ ପାଇଁ ଲାଞ୍ଚ ଦିଆଯାଉଛି। ଚାଷୀ କାହାର ଦୟାର ପାତ୍ର ନୁହନ୍ତି। ଆମେ ବୁଝିବା ଦରକାର ପ୍ରକୃତ ଏମ୍‌ଏସ୍‌ପି  ନଦେଇ ଆମେ ଯେପରି ଚାଷୀଙ୍କୁ ଠକୁଛେ। ଏହା ଦ୍ୱାରା କେବଳ ଚାଷୀ କୁଳର କ୍ଷତି ହେଉନାହିଁ ଏହା ଦ୍ୱାରା ଦେଶର କ୍ଷତି ହେଉଛି।

କଥା କଥାରେ କୁହାଯାଉଛି ୫୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ! ଏହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା। ଆମେ ସମସ୍ତେ ବଞ୍ଚିବା ପାଇଁ ଯେଉଁ ଖାଦ୍ୟ ଖାଇଥାଉ ତାହା ଚାଷରୁ ହିଁ ଆସିଥାଏ। ତେବେ ଏବେ କୁହନ୍ତୁ ୫୦ ପ୍ରତିଶତ ଲୋକ କିପରି ଚାଷ ଉପରେ ନିର୍ଭରଶୀଳ? ମଣିଷ ବଞ୍ଚିବା ପାଇଁ ଯେଉଁ ଚାରିଟି ମୌଳିକ ଆବଶ୍ୟକତା ରହିଛି ସେଥିମଧ୍ୟରୁ ଖାଦ୍ୟ ଅନ୍ୟତମ। ନିଜସ୍ୱ ଖାଦ୍ୟ ଉତ୍ପାଦନ ପାଇଁ ମଣିଷ  ପୃଥିବୀ ପୃଷ୍ଠରେ ଅନ୍ୟ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ। ଖାଦ୍ୟ ଉତ୍ପାଦନ କରି ମଣିଷ ସମାଜକୁ ପୃଥିବୀ ପୃଷ୍ଠରେ ଜୀବିତ ରଖିଥିବା କୃଷକ ଅଭାବି ବିକ୍ରି ଏବଂ ଦାରିଦ୍ର୍ୟ ଯୋଗୁ ଆତ୍ମହତ୍ୟାକୁ ଆପଣାଇବା ପାଇଁ ବାଧ୍ୟ ହେଉଛନ୍ତି। ଯାହା ସୁସ୍ଥ ସମାଜ ପାଇଁ ଗ୍ରହଣୀୟ ନୁହେଁ?

ପ୍ରତି ବର୍ଷ କୃଷି ମୂଲ୍ୟ ନିର୍ଦ୍ଧାରଣ ଆୟୋଗ( ସିଏସିପି)  ବସୁଛି। ହେଲେ ସ୍ୱାମୀନାଥନଙ୍କ ସୁପାରିସକୁ ଠିକ୍‌ ଭାବରେ ପ୍ରଣୟନ ନକରି  ସୁପାରିସକୁ କାଣ୍ଟଛାଣ୍ଟ କରି ପ୍ରଣୟନ କରାଯାଉଛି।
କୃଷିକୁ ସଠିକ ମୂଲ୍ୟ ପ୍ରଦାନ ପାଇଁ  ସ୍ୱାମୀନାଥନ ସରକାରଙ୍କୁ ସୁପାରିସ କରିଥିଲେ, ‘‘ଚାଷୀ ଖାଦ୍ୟ ଶସ୍ୟ ଉତ୍ପାଦନ ପାଇଁ ଯାହା ଖର୍ଚ୍ଚ କରୁଛି (ଏ୨) + ନିଜର ଶ୍ରମ (ଏଫ୍‌ଏଲ୍‌) + ଚାଷ ଜମିର ଭଡ଼ା ଅଥବା ନିବେଶ’’ ସହିତ ଖର୍ଚ୍ଚର ୫୦ ପ୍ରତିଶତ  ଅର୍ଥକୁ ମିଶାଇ ଏମ୍‌ଏସ୍‌ପି ନିର୍ଦ୍ଧାରଣ କରିବାକୁ। ଯାହାଙ୍କୁ (ସି୨+ ସି୨ର ୫୦%) କୁହାଯାଉଛି। ଯେଉଁଥିରେ ଚାଷ ପାଇଁ ଖର୍ଚ୍ଚ, ଚାଷୀର ଶ୍ରମମୂଲ୍ୟ, ଜମିର ଭଡ଼ା ବା ନିବେଶ ସହିତ ସମୁଦାୟ ଖର୍ଚ୍ଚର ୫୦ ପ୍ରତିଶତ ମିଶି ରହିଛି। ହେଲେ ସରକାର ଚାଷୀ, ଚାଷ ପାଇଁ ନିଜ ପକେଟ୍‌ରୁ କରୁଥିବା ଖର୍ଚ୍ଚ ସହିତ ଖର୍ଚ୍ଚର ୫୦ ପ୍ରତିଶତ ଅଧିକ ଖର୍ଚ୍ଚ ଯୋଡ଼ି ଏମ୍‌ଏସ୍‌ପି ନିର୍ଦ୍ଧାରଣ କରୁଛନ୍ତି।

ବର୍ଷବର୍ଷ ଧରି ଏମ୍‌ଏସ୍‌ପିରେ ଚାଷୀର ନିଜସ୍ୱ ଶ୍ରମମୂଲ୍ୟ ଏବଂ ଜମିର ଭଡ଼ା ବା ନିବେଶକୁ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣରେ ନିଆଯାଉ ନାହିଁ। କେବଳ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ଏମ୍‌ଏସ୍‌ପି କରାଯାଉଛି। ଆପଣମାନେ କୁହନ୍ତୁ ବିନା ଜମିରେ ଚାଷ ଏବଂ କୃଷି ଉତ୍ପାଦନ ସମ୍ଭବ କି? ଜମିର ଯଦି କିଛି ମୂଲ୍ୟ ନାହିଁ ତେବେ ଭାଗଚାଷୀ କ’ଣ ପାଇଁ ଜମି ମାଲିକକୁ ଉତ୍ପାଦନର ଏକ ତୃତୀୟାଂଶ ପ୍ରଦାନ କରୁଛି? ଏହା ସମସ୍ତଙ୍କୁ ଜଣାଥିଲେ ମଧ୍ୟ ଏମ୍‌ଏସ୍‌ପି ନିର୍ଦ୍ଧାରଣରେ ଜମିର ଭାଗୀଦାରିକୁ ଯୋଡା ଯାଉନାହିଁ ଫଳରେ ଚାଷୀ ତାର ଉତ୍ପାଦନର ପ୍ରକୃତ ମୂଲ୍ୟ ପାଇପାରୁନାହିଁ।ଭାଗଚାଷୀ ଋଣ କରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି।ନିକଟରେ ଆମ ରାଜ୍ୟରେ ହେଉଥିବା ଅଦିନିଆ ବର୍ଷାରେ ଧାନ ଫସଲ କ୍ଷତି ଯୋଗୁଁ ବହୁ ଚାଷୀ ଆତ୍ମହତ୍ୟା କରିଛନ୍ତି । କେବଳ ଋଣ ପାଇଁ ନୁହେଁ, ଜମି ମାଲିକର ପାଉଣା ମଧ୍ୟ।
ସରକାରୀ କର୍ମଚାରୀମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଚାକିରି ପାଇଥାନ୍ତି ଏବଂ ସେହି ଅନୁସାରେ ସେମାନଙ୍କର ଦରମା ନିର୍ଦ୍ଧାରଣ ହୋଇଥାଏ । ସରକାର କର୍ମଚାରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ପ୍ରାଧାନ୍ୟ ଦେଇଥାନ୍ତି ଏବଂ ଦରମା ନିର୍ଦ୍ଧାରଣ କରିଥାନ୍ତି। ତେବେ ଯଦି ଜଣେ ଚାଷୀ ତାର ଜମି ପାଇଁ ଚାଷ କରୁଛି ଏବଂ ଭାଗଚାଷୀ ଜମି ମାଲିକକୁ ଜମି ପାଇଁ ମୂଲ୍ୟ ଦେଉଛି । ତେବେ କାହିଁକି ଏମ୍‌ଏସ୍‌ପି ଆକଳନରେ ଜମି ଭଡା ବା ନିବେଶକୁ ସାମିଲ କରାଯିବ ନାହିଁ ।

ଯଦି ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରା ନ ଯାଏ କେବଳ ଚାଷୀ କ୍ଷତିଗ୍ରସ୍ତ ହେବ ନାହିଁ, ଦେଶ ସହିତ ସାଧାରଣ ଜନତା ମଧ୍ୟ କ୍ଷତିଗ୍ରସ୍ତ ହେବେ। ଚାଷୀ ଖାଦ୍ୟଶସ୍ୟ ସ୍ଥାନରେ ଅଖାଦ୍ୟ ଉତ୍ପାଦନ କରିବାକୁ ବାଧ୍ୟ ହେବ। ଯାହାକୁ ଆମେ ଅପମିଶ୍ରଣ ଖାଦ୍ୟ ବୋଲି କହୁଛେ। ସୁସ୍ଥ ମାନବ ସମାଜ ପାଇଁ କୃଷକର ଆର୍ଥିକ ଅବସ୍ଥା ସୁଦୃଢ଼ ହେବା ଦରକାର। ସେଥିପାଇଁ ସ୍ୱାମୀନାଥନଙ୍କ ସୁପାରିସକୁ ସଠିକ୍ ରୂପେ ପାଳନ କରାଯାଉ। ଅର୍ଥାତ କୃଷିଯାତ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ସି୨+୫୦%) ଆଧାରରେ କରାଯାଉ। ଏଥି ସହିତ ଏମ୍‌ଏସ୍‌ପିକୁ ଆଇନରେ ପରିଣତ କରାଯାଉ। ଅନାହାର ମୃତ୍ୟୁ ରୋକିବା ପାଇଁ ଯଦି ଦେଶରେ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରାଯାଉଛି, ତେବେ ଚାଷୀର ଆତ୍ମହତ୍ୟା ରୋକିବା ପାଇଁ, ଚାଷୀର ସୁରକ୍ଷା ପାଇଁ କାହିଁକି ଏମ୍‌ଏସ୍‌ପି ଆଇନ ପ୍ରଣୟନ କରାଯିବ ନାହିଁ? ଚାଷୀ ରହିଲେ ଖାଦ୍ୟଶସ୍ୟ ଉତ୍ପାଦନ ହେବ ଓ ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ମିଳିବ। ଏଥିପାଇଁ ପ୍ରଥମେ ଭିତ୍ତିଯୁକ୍ତ ଏମ୍‌ଏସ୍‌ପି ନିର୍ଦ୍ଧାରଣ ହେଉ ଏବଂ ଏହାକୁ ଆଇନର ମାନ୍ୟତା ମିଳୁ ।

ରଣେନ୍ଦ୍ର ପ୍ରତାପ ସ୍ୱାଇଁ
   ବିଧାୟକ, ଆଠଗଡ଼

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.