Breaking News

ଭିନ୍ନକ୍ଷମ ଅଧିକାର ଯୋଦ୍ଧା ସୁବର୍ଣ୍ଣା

ଭାରତରେ ଭିନ୍ନକ୍ଷମଙ୍କ ଅଧିକାର ପାଇଁ ଅବିଶ୍ରାନ୍ତ ଭାବେ ଲଢ଼ିଆସୁଥିବା ଭାରତୀୟ ପାରା-କ୍ରୀଡ଼ାବିତ୍‌ ସୁବର୍ଣ୍ଣା ରାଜ ନିକଟରେ ଏକ ବିଶ୍ବସ୍ତରୀୟ ସମ୍ମାନ ପାଇବାର ଗୌରବ ହାସଲ କରିଛନ୍ତି।

0

ଭାରତରେ ଭିନ୍ନକ୍ଷମଙ୍କ ଅଧିକାର ପାଇଁ ଅବିଶ୍ରାନ୍ତ ଭାବେ ଲଢ଼ିଆସୁଥିବା ଭାରତୀୟ ପାରା-କ୍ରୀଡ଼ାବିତ୍‌ ସୁବର୍ଣ୍ଣା ରାଜ ନିକଟରେ ଏକ ବିଶ୍ବସ୍ତରୀୟ ସମ୍ମାନ ପାଇବାର ଗୌରବ ହାସଲ କରିଛନ୍ତି। ଭିନ୍ନକ୍ଷମଙ୍କ ଅଧିକାର ସମେତ ଅନ୍ତର୍ଭୁକ୍ତୀ ନୀତି ପ୍ରଣୟନ, ନିର୍ବାଚନରେ ଭିନ୍ନକ୍ଷମଙ୍କ ସୁବିଧା ସପକ୍ଷରେ ଏକ ମୁଖର ସ୍ବର ପାଲଟିଥିବାର ସ୍ବୀକୃତି ସ୍ବରୂପ ତାଙ୍କୁ ଗତ ମାସ ୨୯ ତାରିଖରେ ରୋମ୍‌ଠାରେ ମିଳିତ ଜାତିସଂଘର ‘ଏସ୍‌ଡିଜି ଆକ୍‌ସନ୍‌ ଆଵାର୍ଡ’ ଦ୍ବାରା ସମ୍ମାନିତ କରାଯାଇଛି। ତାଙ୍କୁ ‘ଚେଞ୍ଜ୍‌ମେକର୍‌’ ବିଭାଗରେ ଏହି ସମ୍ମାନଜନକ ପୁରସ୍କାର ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ଭିନ୍ନକ୍ଷମଙ୍କୁ ଆଇନଗତ ସୁରକ୍ଷା ଓ ସମର୍ଥନ ଯୋଗାଉଥିବା ‘ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଆଇନ ୨୦୧୬’ ଓ ‘ମାନସିକ ସ୍ବାସ୍ଥ୍ୟ ବିଲ୍‌’ ପ୍ରଣୟନରେ ସୁବର୍ଣ୍ଣା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେହିପରି ନିର୍ବାଚନ ଆୟୋଗଙ୍କ ଆମ୍ବାସଡର୍‌ ଭାବେ ସେ ଭୋଟଦାନର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମସ୍ତଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବାର ଗୁରୁତ୍ବକୁ ଉତ୍‌ଥାପନ କରିଛନ୍ତି। ସୁବର୍ଣ୍ଣା ନିଜେ ଜଣେ ହ୍ବିଲ୍‌ଚେଆର୍‌ ନିର୍ଭର ଭିନ୍ନକ୍ଷମ ଭାବେ ଜୀବନରେ ଅନେକ ବାଧାର ସମ୍ମୁଖୀନ ହୋଇଛନ୍ତି, ଯାହା ତାଙ୍କୁ ସମାଜକୁ ଅଧିକ ଅନ୍ତର୍ଭୁକ୍ତୀ କରିବାର ଉଦ୍ୟମ କରିବା ପାଇଁ ପ୍ରୋତ୍ସାହିତ କରିଥିଲା। ସେ ୨୦୨୨ ଏସିଆନ୍‌ ପାରା ଗେମ୍‌ସରେ ଡିସ୍‌କସ୍‌ ଥ୍ରୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ‘ଆକ୍‌ସେସିବିଲିଡ୍‌ ଇଣ୍ଡିଆ’ କ୍ୟାମ୍ପେନ୍‌ ଅଧୀନରେ ସେ ୫୦୦ରୁ ଅଧିକ ସରକାରୀ ଓ ଘରୋଇ ସଂସ୍ଥାରେ ସୁଗମ ଯାତାୟାତ ସୁବିଧାର ସମୀକ୍ଷା ବା ଅଡିଟ୍‌ କରିଛନ୍ତି, ଯାହା ଫଳରେ ଭିନ୍ନକ୍ଷମଙ୍କ ସୁବିଧା ପାଇଁ ଗମନାଗମନ, ସ୍ବାସ୍ଥ୍ୟସେବା ଓ ଭିତ୍ତିଭୂମି କ୍ଷେତ୍ରରେ ଉନ୍ନତି ସାଧିତ ହୋଇଛି। ଜାତିସଂଘର ‘ସଷ୍ଟେନେବଲ୍‌ ଡେଭେଲୋପ୍‌ମେଣ୍ଟ ଗୋଲ୍‌’ମାନ ହାସଲ କରିବା ଦିଗରେ ତାଙ୍କ କାର୍ଯ୍ୟ ସହାୟକ ହେବା ଓ ସେଥିପାଇଁ ତାଙ୍କ ସଂଘର୍ଷକୁ ସ୍ବୀକୃତି ମିଳିବା ଭାରତର ସଫଳତାକୁ ମଧ୍ୟ ବିଶ୍ବ ସ୍ତରରେ ଉତ୍‌ଥାପନ କରିଛି। ସେ ଏହି ସମ୍ମାନ ପାଇବା ଦ୍ବାରା ଅଧିକରୁ ଅଧିକ ଲୋକ ଭିନ୍ନକ୍ଷମ ଅଧିକାର କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ପ୍ରୋତ୍ସାହିତ ହେବେ ବୋଲି ସୁବର୍ଣ୍ଣା ଆଶା ରଖିଛନ୍ତି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.