Breaking News

ଭିନ୍ନ ଜାତିରେ ବାହା ହୋଇଥିବାରୁ ଛୁଇଁଲେନି: ସ୍ବାମୀଙ୍କ ଶବକୁ ଖଟିଆରେ ବୋହିଲେ ପତ୍ନୀ

ଦେଶ ସ୍ବାଧୀନ ହେବାକୁ ୭୫ ବର୍ଷ ବିତିଗଲାଣି। ‌ହେଲେ ବର୍ତ୍ତମାନ ବି ସମାଜରୁ ଜାତିପ୍ରଥା ପରି କୁସଂସ୍କାର ଦୂର ହୋଇ ପାରିନି। ଭିନ୍ନଜାତିରେ ବିବାହ କରିଥିବାରୁ ଶବକୁ କେହି ଛୁଇଁଲେନି। ଶେଷରେ ମୃତକଙ୍କ ଶବକୁ ତାଙ୍କ ପତ୍ନୀ ଓ ଝିଅ ଖଟିଆରେ ବୋହି ଶ୍ମଶାନରେ ଦାହସଂସ୍କାର କରିଛନ୍ତି।

ବଇଣ୍ଡା: ଦେଶ ସ୍ବାଧୀନ ହେବାକୁ ୭୫ ବର୍ଷ ବିତିଗଲାଣି। ‌ହେଲେ ବର୍ତ୍ତମାନ ବି ସମାଜରୁ ଜାତିପ୍ରଥା ପରି କୁସଂସ୍କାର ଦୂର ହୋଇ ପାରିନି। ଭିନ୍ନଜାତିରେ ବିବାହ କରିଥିବାରୁ ଶବକୁ କେହି ଛୁଇଁଲେନି। ଶେଷରେ ମୃତକଙ୍କ ଶବକୁ ତାଙ୍କ ପତ୍ନୀ ଓ ଝିଅ ଖଟିଆରେ ବୋହି ଶ୍ମଶାନରେ ଦାହସଂସ୍କାର କରିଛନ୍ତି। ଯାହା ସଭ୍ୟ ସମାଜକୁ ଲଜ୍ଜିତ କରିଛି। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ ଶରଧାମୁଣ୍ଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା।

ଆଠମଲ୍ଲିକ ଅଞ୍ଚଳର ପ୍ରକାଶ ବିଶ୍ବାଳ (୪୫) ଶରଧାମୁଣ୍ଡାରେ ଘର କରି ପତ୍ନୀ ରୀତା ବିଶ୍ବାଳ, ୨ ଝିଅ, ଗୋଟିଏ ପୁଅ ସହିତ ରହୁଥିଲେ। କିଡ୍‌ନି ରୋଗରେ ପୀଡ଼ିତ ପ୍ରକାଶ ଗତକାଲି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଫେରିଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ପ୍ରକାଶ ଭିନ୍ନ ଜାତିରେ ବିବାହ କରିଥିବାରୁ ତାଙ୍କ ପରିବାର ଲୋକ ଏଠାକୁ ଆସୁ ନଥିଲେ କି କୌଣସି ସଂପର୍କ ରଖି ନଥିଲେ। ଅନ୍ୟପକ୍ଷରେ ଗ୍ରାମବାସୀ ମଧ୍ୟ ପ୍ରକାଶଙ୍କ ଶବକୁ ଛୁଇଁ ନଥିଲେ କି ଅନ୍ତିମ ସତ୍କାରରେ ସହଯୋଗ କରି ନଥିଲେ। ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ଅପରାହ୍‌ଣ ପର୍ଯ୍ୟନ୍ତ ଶବ ପଡ଼ି ରହିଥିଲା। ଶେଷରେ ପତ୍ନୀ ରୀତା ବିଶ୍ବାଳ ଓ ଝିଅ ଶବକୁ ଖଟିଆରେ ବୋହି ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ। ଅବଶ୍ୟ କିଛି ଗ୍ରାମବାସୀ ଦାହ ପାଇଁ କାଠ ଯୋଗାଇ ଦେଇଥିଲେ। ଖବର ପାଇ ‘କେହି ନାହିଁ ଯାହାର ଆମେ ଅଛୁ ତାହାର’ ସଂସ୍ଥାର ସର୍ବେଶ୍ୱର ସାହୁ ଓ ରାମ ଶଙ୍ଖାରି ଶେଷକୃତ୍ୟ କାର୍ଯ୍ୟରେ ସହଯୋଗ କରିଥିଲେ। ପ୍ରକାଶ ପୂର୍ବରୁ ୨ ଜଣଙ୍କୁ ବିବାହ କରିଥିଲେ। ପ୍ରଥମ ଏବଂ ଦ୍ବିତୀୟ ପତ୍ନୀ ବାହାରେ କେଉଁଠି ରହୁଥିବା ବେଳେ ରୀତା ପ୍ରକାଶଙ୍କ ପାଖରେ ରହୁଥିଲେ। ନିମ୍ନଜାତିରେ ବିବାହ କରିଥିବାରୁ ପରିବାର ଲୋକ ତାଙ୍କ ସହିତ ସବୁ ସଂପର୍କ ଛିନ୍ନ କରିଥି‌ଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.