Breaking News

ଭୀରୁ ‘ସତ୍ୟବାଦୀ’

ହିଣ୍ଡେନ୍‌ବର୍ଗ ପରି କଂପାନିର ଅନୁସନ୍ଧାନ କାର୍ଯ୍ୟ ଅତ୍ୟନ୍ତ ବ୍ୟୟବହୁଳ ହୋଇଥାଏ। ହିଣ୍ଡେନ୍‌ବର୍ଗ ତେଣୁ ସତ୍ୟର ଉନ୍ମୋଚନ କରିବା ପାଇଁ ସମର୍ଥ ହେବା ଲାଗି ସେଥିରୁ ଆୟ ଅର୍ଜନକୁ ଯଥାର୍ଥ ବୋଲି ବିଚାର କରିଥାଏ।

ହିଣ୍ଡେନ୍‌ବର୍ଗ ପରି କଂପାନିର ଅନୁସନ୍ଧାନ କାର୍ଯ୍ୟ ଅତ୍ୟନ୍ତ ବ୍ୟୟବହୁଳ ହୋଇଥାଏ। ହିଣ୍ଡେନ୍‌ବର୍ଗ ତେଣୁ ସତ୍ୟର ଉନ୍ମୋଚନ କରିବା ପାଇଁ ସମର୍ଥ ହେବା ଲାଗି ସେଥିରୁ ଆୟ ଅର୍ଜନକୁ ଯଥାର୍ଥ ବୋଲି ବିଚାର କରିଥାଏ। କିନ୍ତୁ ତା’ର ଏଭଳି ଯୁକ୍ତି ଯେ ଦୁର୍ବଳ, ତାହା ହିଣ୍ଡେନ୍‌ବର୍ଗକୁ ବନ୍ଦ କରିଦେବା ପାଇଁ ନାଥାନ୍ ଆଣ୍ଡର୍ସନ୍ ନେଇଥିବା ନିଷ୍ପତ୍ତିରୁ ପ୍ରମାଣିତ ହୋଇଥାଏ। ନିଶ୍ଚିତ ରୂପେ ଆଣ୍ଡର୍ସନ୍ ‘‘ସତ କହିବାକୁ କିଅଁା ଡରିବି?’’ ନୀତି ଅନୁସରଣ କରିବାକୁ ଡରି ଯାଇଛନ୍ତି।

ପ୍ରାୟ ଚାରି ଦଶନ୍ଧି ଧରି ବ୍ୟବସାୟ କରିବା ପରେ ପ୍ରାୟ ବର୍ଷକ ତଳେ ନଭେମ୍ବର, ୨୦୨୩ରେ ଜିମ୍ ଚାନସ୍ ନାମକ ‘ଚାନସ୍ ଆଣ୍ଡ୍ କୋ’ ସର୍ଟସେଲିଙ୍ଗ କଂପାନିର ପ୍ରତିଷ୍ଠାତା ମାଲିକ ତାଙ୍କର କଂପାନିକୁ ବନ୍ଦ କରିଦେଲେ ବୋଲି ଘୋଷଣା କଲେ। ଆମେ ନିଶ୍ଚିତ ଯେ ଏହି ସମ୍ବାଦପତ୍ରର ଅଧିକାଂଶ ପାଠକପାଠିକାମାନଙ୍କ ପାଇଁ ଏହା ସଂପୂର୍ଣ୍ଣ ରୂପେ ଏକ ଅଜଣା ଘଟଣା ହୋଇଥିବ। ସପ୍ତାହକ ତଳେ ଆଉ ଏକ ଆମେରିକୀୟ ସର୍ଟସେଲିଙ୍ଗ କଂପାନି – ‘ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ’ – ର ମାଲିକ ନାଥାନ୍ ଆଣ୍ଡର୍ସନ୍ ତାଙ୍କର କଂପାନି ସବୁଦିନ ପାଇଁ ବନ୍ଦ କରିଦେବା କଥା ଘୋଷଣା କଲେ। ଆମେ ନିଶ୍ଚିତ ଯେ ଏହି ସମ୍ବାଦପତ୍ରର ଏମିତି କୌଣସି ପାଠକ/ପାଠିକା ନ ଥିବେ ଯିଏ ଏହି ଖବର ସମ୍ବନ୍ଧରେ ଅବଗତ ନ ଥିବେ। କାରଣ, କେବଳ ଏହି ସମ୍ବାଦପତ୍ର ନୁହେଁ, ଦେଶର ପ୍ରତ୍ୟେକ ସମ୍ବାଦପତ୍ର, ଟେଲିଭିଜନ୍ ଚାନେଲ୍ ଓ ସୋସିଆଲ୍ ମିଡିଅାରେ ଖବରଟି ଯେଉଁଭଳି ପ୍ରାଧାନ୍ୟ ଲାଭ କରିଥିଲା, ତାହା କାହାରି ବି ନଜର ଏଡ଼ାଇ ନ ଥିବ।
ଏହାର କାରଣ ହେଲା ନିକଟ ଅତୀତରେ ହିଣ୍ଡେନ୍‌ବର୍ଗ ଭାରତୀୟ ରାଜନୀତି ସହିତ ଏପରି ଛନ୍ଦି ହୋଇଯାଇଥିଲା ଯେ ତା’ର ବନ୍ଦ ହେବା ଖବର ଗୋଟିଏ ପଟରେ ହର୍ଷଉଲ୍ଲାସ ସୃଷ୍ଟି କରିଥିବାବେଳେ ଅନ୍ୟ ପଟରେ ଘୋର ବିଷାଦର କାରଣ ରୂପେ ଆବିର୍ଭୂତ ହୋଇଛି। କହିବା ବାହୁଲ୍ୟ, ଉଲ୍ଲସିତ ପାର୍ଶ୍ବ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭାରତୀୟ ଜନତା ପାର୍ଟି ଓ ହତବାକ୍ ପାର୍ଶ୍ବ ହେଉଛି ଲୋକସଭାରେ ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କର କଂଗ୍ରେସ ପାର୍ଟି।
ଅତୀତରେ ତାଙ୍କର ‘ରାଫାଏଲ୍’ ଅସ୍ତ୍ର ପ୍ରୟୋଗ ସଂପୂର୍ଣ୍ଣ ବିଫଳ ହେବା ପରେ ରାହୁଳ ଗାନ୍ଧୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଯେଉଁ ସଦ୍ୟତମ ଅସ୍ତ୍ର ପ୍ରୟୋଗ କରିବାରେ ଲାଗିଛନ୍ତି, ତାହା ହେଲା ‘ଅଦାନୀ’, ଯାହାକୁ ଏକ ମିଶ୍ରଣ ଶବ୍ଦରେ ପରିଣତ କରି ସେ ଓ ତାଙ୍କ ଦଳ ମୋଦୀଙ୍କୁ କଟାକ୍ଷ କରୁଛନ୍ତି- ‘ମୋଦାନୀ’। ଶିଳ୍ପପତି ଗୌତମ ଅଦାନୀଙ୍କର କେତେକ କଂପାନିଙ୍କୁ ନିଶାଣ କରି ହିଣ୍ଡେନ୍‌ବର୍ଗ ସେମାନଙ୍କ ସମ୍ବନ୍ଧରେ ପ୍ରକାଶ କରିଥିବା ଅନୁସନ୍ଧାନମୂଳକ ରିପୋର୍ଟରେ ଯେଉଁସବୁ ଅନିୟମିତ ଆଚରଣ ଅଭିଯୋଗ କରିଥିଲା, ତାହାକୁ ଭିତ୍ତିକରି ରାହୁଳ ଗାନ୍ଧୀ ମୋଦୀଙ୍କ ଉପରେ ତାଙ୍କର ଆକ୍ରମଣକୁ ଶାଣିତ କରିଥିଲେ। ଏଥିପୂର୍ବରୁ ମୋଦୀ ଅଦାନୀଙ୍କୁ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ବୋଲି ରାହୁଳ ଯେଉଁ ଅଭିଯୋଗ କରିଆସୁଥିଲେ, ହିଣ୍ଡେନ୍‌ବର୍ଗ ରିପୋର୍ଟ ତାକୁ ବିସ୍ଫୋରକ ବାରୁଦ ଯୋଗାଇଥିଲା। ବର୍ତ୍ତମାନ ହିଣ୍ଡେନ୍‌ବର୍ଗ କଂପାନି ବନ୍ଦ ହୋଇଯିବା ଫଳରେ ସେ ବାରୁଦ ସଂପୂର୍ଣ୍ଣ ଗିଲା ହୋଇଯାଇଛି।
ନାଥାନ୍ ଆଣ୍ଡର୍ସନ୍‌ଙ୍କ ଦ୍ବାରା ୨୦୧୭ରେ ପ୍ରତିଷ୍ଠିତ ହେବା ପରଠାରୁ ‘ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ’ ଏ ଯାବତ୍ ମୋଟ ୬୩ଟି କଂପାନିଙ୍କୁ ତା’ର ନିଶାଣ ବନାଇଥିଲା। ସେମାନଙ୍କ ମଧ୍ୟରୁ ନ’ଟି କଂପାନି ଏହାର ପ୍ରଭାବରେ ସଂପୂର୍ଣ୍ଣ ରୂ‌େପ ସେମାନଙ୍କର ବଜାର ମୂଲ୍ୟ ହରାଇ ବସିଛନ୍ତି। ସେମାନଙ୍କ ସମ୍ବନ୍ଧରେ ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ୩୫ଟି କଂପାନିଙ୍କର ବଜାର ମୂଲ୍ୟରେ ୫୦ ଶତାଂଶ ହ୍ରାସ ଘଟିଛି। ଯେଉଁ ଦୁଇଟି ଭାରତୀୟ ବ୍ୟବସାୟ ଗୋଷ୍ଠୀ ହିଣ୍ଡେନ୍‌ବର୍ଗର ନିଶାଣ ବନିଥିଲେ, ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ‘ଅଦାନୀ ଗ୍ରୁପ୍’ ଓ ଅନ୍ୟଟି ହେଉଛି ବଲିଉଡ୍ ଫିଲ୍‌ମ ନିର୍ମାଣ ଓ ବିତରଣ କଂପାନି ‘ଏରସ୍ ଇଣ୍ଟର୍‌ନେସ୍‌ନାଲ୍’। ଏଥିମଧ୍ୟରୁ ଦ୍ବିତୀୟଟି ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ବନ୍ଦ ହୋଇଯାଇଥିବାବେଳେ ‘ଅଦାନୀ ଗ୍ରୁପ୍’ର ସେଆର୍ ମୂଲ୍ୟ ପ୍ରଥମେ ହ୍ରାସ ପାଇବା ପରେ ସେଥିରେ ପୁଣି ଉଲ୍ଲେଖନୀୟ ବୃଦ୍ଧି ଘଟିବା ଦେଖାଯାଇଥିଲା।
ଏବେ ତାଙ୍କର କଂପାନିକୁ ସବୁଦିନ ପାଇଁ ବନ୍ଦ କରିବା ନିଷ୍ପତ୍ତି ଘୋଷଣା କଲାବେଳେ ନାଥାନ୍ ଆଣ୍ଡର୍ସନ୍ ଯାହା କାରଣ ରୂପେ ଦର୍ଶାଇଛନ୍ତି, ତାହା ହେଲା ସେ ଏଣିକି ନିଜ ଜୀବନ ଓ ପରିବାର ପ୍ରତି ଅଧିକ ଧ୍ୟାନ ଦେବାକୁ ସମୟ ପାଇବେ। କିନ୍ତୁ ଆମେରିକାରେ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି ଯେ ଆଣ୍ଡର୍ସନ୍‌ଙ୍କ ନିଷ୍ପତ୍ତି ପଛରେ ନିହିତ ଥିବା ଅସଲ କାରଣ ହେଉଛି ଟ୍ରମ୍ପ-ଆତଙ୍କ। ନୂତନ ଟ୍ରମ୍ପ ପ୍ରଶାସନ ହିଣ୍ଡେନ୍‌ବର୍ଗର କାର୍ଯ୍ୟକଳାପର ଅନୁସନ୍ଧାନ କରିବାକୁ ଯାଉଛି ବୋଲି ଦୃଢ଼ ଅନୁମାନ ପ୍ରକାଶ ପାଇଛି, ବିଶେଷ କରି ହିଣ୍ଡେନ୍‌ବର୍ଗ ଯେଉଁଭଳି ହେଜ୍‌ ଫଣ୍ଡ୍‌ମାନଙ୍କ ସହିତ ଗୋପନ ସଂପର୍କ ରଖି ବାଛି ବାଛି କେତେକ କଂପାନିଙ୍କୁ ନିଜର ନିଶାଣ ବନାଉଥି‌ଲା, ତାହାର ଅନୁସନ୍ଧାନ ପାଇଁ ଟ୍ରମ୍ପ ପ୍ରଶାସନ ଆଦେଶ ଦେଇପାରେ।
ଦ୍ବିତୀୟରେ ଚୀନ୍ ଓ ଆଉ ଜଣେ ବିଲିଅନେଆର୍ ସର୍ଟସେଲର୍ ଜର୍ଜ ସୋରୋସ୍‌ଙ୍କ ସହିତ ନାଥାନ୍ ଆଣ୍ଡର୍ସନ୍‌ଙ୍କ ସଂପର୍କ ମଧ୍ୟ ଟ୍ରମ୍ପଙ୍କର ସମ୍ଭାବ୍ୟ ଅନୁସନ୍ଧାନର ପରିସରଭୁକ୍ତ ହୋଇପାରେ। ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବାର ଠିକ୍ ପୂର୍ବରୁ ଯେଉଁମାନଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ପ୍ରେସିଡେନ୍‌ସିଆଲ୍ ମେଡାଲ୍ ଅଫ୍ ଫ୍ରିଡମ୍’ ଦ୍ବାରା ଭୂଷିତ କରିଥିଲେ, ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲେ ବୟୋବୃଦ୍ଧ ନିବେଶକ ଜର୍ଜ ସୋରୋସ୍, ଯାହାକୁ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏଲନ୍ ମସ୍କ ତୀବ୍ର ସମାଲୋଚନା କରିଛନ୍ତି। ସୋରୋସ୍ ବିଭିନ୍ନ ଦେଶରେ ବାମପନ୍ଥୀ ସଂଗଠନମାନଙ୍କୁ ଅର୍ଥଦାନ କରି ସଂପୃକ୍ତ ଦେଶର ରାଜନୀତିକୁ ପ୍ରଭାବିତ କରିବାକୁ ସକ୍ରିୟ ଉଦ୍ୟମ କରିଥାନ୍ତି, ଯେଉଁଥିପାଇଁ ସେ ଅନେକ ସମୟରେ ଶାସକ ଭାରତୀୟ ଜନତା ପାର୍ଟି ତରଫରୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ସୋରୋସ୍ ହେଉଛନ୍ତି ଟ୍ରମ୍ପଙ୍କ ପ୍ରତିପକ୍ଷ ଡେମୋକ୍ରାଟିକ୍ ପାର୍ଟିର ଜଣେ ଦୃଢ଼ ସମର୍ଥକ। ଅତଏବ ସୋରୋସ୍‌ଙ୍କ ସହଯୋଗୀ ନାଥାନ୍ ଆଣ୍ଡର୍ସନ୍ ଓ ତାଙ୍କ କଂପାନି ହିଣ୍ଡେନ୍‌ବର୍ଗ ଟ୍ରମ୍ପଙ୍କର ରୋଷ ଆକର୍ଷଣ କରିବାର ଦୃଢ଼ ସମ୍ଭାବନା ରହିଛି। ଏଭଳି ଏକ ପ୍ରତିକୂଳ ପରିସ୍ଥିତିରେ ତିଷ୍ଠିବା କାଠିକର ପାଠ ହୋଇପାରେ ବୋଲି ଆଶଙ୍କା କରି ଆଣ୍ଡର୍ସନ୍ ତାଙ୍କ କଂପାନିକୁ ବନ୍ଦ କରିଦେଇ ପାରିଥାନ୍ତି।
ଯଦିବା ତା’ର ଅନୁସନ୍ଧାନ ହେଉଛି ନିରପେକ୍ଷ ଓ ସତ୍ୟ ଉପରେ ଆଧାରିତ ବୋଲି ହିଣ୍ଡେନ୍‌ବର୍ଗ ଦାବି କରିଥାଏ, କିନ୍ତୁ ତା’ର ନିଶାଣ-କଂପାନିମାନଙ୍କର ସେଆର୍ ମୂଲ୍ୟରେ ହ୍ରାସ ଘଟାଇବା ପରେ ତାହାର କ୍ରୟ ବିକ୍ରୟରୁ ହିଣ୍ଡେନ୍‌ବର୍ଗ ଓ ତା’ର ସହଯୋଗୀମାନେ ଯେଉଁ ପ୍ରଭୂତ ଲାଭ ଅର୍ଜନ କରିଥାନ୍ତି (ସର୍ଟସେଲିଙ୍ଗ), ତାହା ହିଣ୍ଡେନ୍‌ବର୍ଗର ଅନୁସନ୍ଧାନମୂଳକ କାର୍ଯ୍ୟକୁ ଉଦ୍ଦେଶ୍ୟ ପ୍ରଣୋଦିତ ସାବ୍ୟସ୍ତ କରିଥାଏ। ସେତିକି ନୁହେଁ, ହିଣ୍ଡେନ୍‌ବର୍ଗର ଏହି ସ୍ବାର୍ଥ ପ୍ରଣୋଦିତ କାର୍ଯ୍ୟର ଫଳସ୍ବରୂପ ଯେଉଁ କଂପାନିମାନେ କ୍ଷତିଗ୍ରସ୍ତ ହୁଅନ୍ତି ବା ବନ୍ଦ ହୋଇଯାଆନ୍ତି, ସେଠାରେ ନିଯୁକ୍ତ କର୍ମଚାରୀମାନେ ସେମାନଙ୍କର ଜୀବିକା ହରାଇଥାନ୍ତି। ସେ କଂପାନିମାନଙ୍କର ସେଆର୍‌ରେ ଅର୍ଥ ଖଟାଇଥିବା ପୁଞ୍ଜି ନିବେଶକମାନେ କ୍ଷତିଗ୍ରସ୍ତ ହେବା ଦ୍ବାରା କେବଳ ନିବେଶକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥାଏ, ତାହା ନୁହେଁ, ଅନେକ କ୍ଷୁଦ୍ର ନିବେଶକମାନଙ୍କର କଷ୍ଟସାଧ୍ୟ ସଞ୍ଚୟ ମୂଳପୋଛ ହୋଇଯାଇଥାଏ।
ହିଣ୍ଡେନ୍‌ବର୍ଗ ପରି କଂପାନିର ଅନୁସନ୍ଧାନ କାର୍ଯ୍ୟ ଅତ୍ୟନ୍ତ ବ୍ୟୟବହୁଳ ହୋଇଥାଏ। ହିଣ୍ଡେନ୍‌ବର୍ଗ ତେଣୁ ସତ୍ୟର ଉନ୍ମୋଚନ କରିବା ପାଇଁ ସମର୍ଥ ହେବା ଲାଗି ସେଥିରୁ ଆୟ ଅର୍ଜନକୁ ଯଥାର୍ଥ ବୋଲି ବିଚାର କରିଥାଏ। କିନ୍ତୁ ତା’ର ଏଭଳି ଯୁକ୍ତି ଯେ ଦୁର୍ବଳ, ତାହା ହିଣ୍ଡେନ୍‌ବର୍ଗକୁ ବନ୍ଦ କରିଦେବା ପାଇଁ ନାଥାନ୍ ଆଣ୍ଡର୍ସନ୍ ନେଇଥିବା ନିଷ୍ପତ୍ତିରୁ ପ୍ରମାଣିତ ହୋଇଥାଏ। ନିଶ୍ଚିତ ରୂପେ ଆଣ୍ଡର୍ସନ୍ ‘‘ସତ କହିବାକୁ କିଅଁା ଡରିବି?’’ ନୀତି ଅନୁସରଣ କରିବାକୁ ଡରି ଯାଇଛନ୍ତି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.