ମହାନଗର

Napkin vending machine: କାମ କରୁନି ନାପ୍‌କିନ୍‌ ଭେଣ୍ଡିଂ ମେସିନ୍‌: ମାଳମାଳ ଯୋଜନା, ହେଲେ ଫଳ ଶୂନ

ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଆଜି ବି ମହିଳାମାନେ ଏହି ବିଷୟକୁ ନେଇ ଖୋଲାଖୋଲି ଆଲୋଚନା କରିବାକୁ କୁଣ୍ଠାବୋଧ କରନ୍ତି। ଏପରିକି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ର ରିପୋର୍ଟ ଅନୁସାରେ ଓଡ଼ିଶାରେ ୪୨ ପ୍ରତିଶତ ମହିଳା ଏବେ ମଧ୍ୟ କପଡ଼ା ବ୍ୟବହାର କରୁଛନ୍ତି।

ପ୍ରିୟଙ୍କା ରାୟ

ଭୁବନେଶ୍ୱର: ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଆଜି ବି ମହିଳାମାନେ ଏହି ବିଷୟକୁ ନେଇ ଖୋଲାଖୋଲି ଆଲୋଚନା କରିବାକୁ କୁଣ୍ଠାବୋଧ କରନ୍ତି। ଏପରିକି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ର ରିପୋର୍ଟ ଅନୁସାରେ ଓଡ଼ିଶାରେ ୪୨ ପ୍ରତିଶତ ମହିଳା ଏବେ ମଧ୍ୟ କପଡ଼ା ବ୍ୟବହାର କରୁଛନ୍ତି। ଏପରିକି ସେମାନେ ଦୋକାନରେ ନାପକିନ୍‌ ମାଗିଲା ବେଳେ ମଧ୍ୟ ଅଧିକାଂଶ ଅସହଜ ମନେ କରିବା ସହିତ ଫୋପାଡ଼ିବାକୁ ସଙ୍କୋଚବୋଧ କରୁଛନ୍ତି। ଏତେ ସଂଖ୍ୟାରେ ସରକାରୀ, ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନସ୍ଥଳୀ ଥିଲେ ସୁଦ୍ଧା ଏଯାବତ୍‌ ରାଜଧାନୀ ଋତୁସ୍ରାବ ଅନୁକୂଳ ସହର ହୋଇପାରିନାହିଁ। ସହରର ଅଧିକାଂଶ ଛକ, ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନ ଆଦିରେ ଥିବା ଶୌଚାଳୟଗୁଡ଼ିକରେ ସାନିଟାରି ନାପକିନ୍‌ ଭେଣ୍ଡିଂ ମେସିନ ନାହିଁ। ଯେଉଁଠ ଅଛି ସେଠି ମଧ୍ୟ ଅଚଳ ହୋଇପଡ଼ିରହିଛି। ୨୦୧୭ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ବିଏମ୍‌ସି ପକ୍ଷରୁ ସହରର ୧୧ଟି ଶୌଚାଳୟରେ ନାପକିନ୍‌ ଭେଣ୍ଡିଂ ମେସିନ ଓ ନଷ୍ଟ କରିବା ଯନ୍ତ୍ର (ଇନ୍‌ସିନେଟର) ଲାଗିବ ବୋଲି କୁହାଯାଇଥିଲା। ଏଥିପାଇଁ ପ୍ରତ୍ୟେକ ଶୌଚାଳୟ ପିଛା ୬୬,୪୦୫ ଟଙ୍କା ଖର୍ଚ୍ଚ ହେବ ବୋଲି ଘୋଷଣା ହୋଇଥିଲା। ଏହି କ୍ରମରେ ବାଣୀବିହାର ଛକରେ ଥିବା ଵାଟର ଟ୍ୟାକ୍ସ କଲେକ୍ଟର ଅଫିସ ନିକଟରେ ବିଏମ୍‌ସି ପକ୍ଷରୁ ପ୍ରୋଜେକ୍ଟ ‘ସମ୍ମାନ’ ଅଧୀନରେ ୨୦୧୮ ଜୁନ୍‌ ୩୦ରେ ୧୭.୪୬ ଲକ୍ଷ ଖର୍ଚ୍ଚ ହୋଇ ଅତ୍ୟାଧୁନିକ ହାଇବ୍ରିଡ୍‌ ଶୌଚାଳୟ ନିର୍ମାଣ ହୋଇଥିଲା।  ଏଥିରେ ଭିନ୍ନକ୍ଷମଙ୍କ ପାଇଁ ର‍୍ୟାମ୍ପ୍‌, ଶିଶୁମାନଙ୍କ ପାଇଁ ଲୋ-ଲେବଲ୍‌ ପ୍ୟାନ୍‌, ବେସିନ୍‌ ଏବଂ ମହିଳାଙ୍କ ପାଇଁ ସାନିଟାରି ନ୍ୟାପକିନ ଭେଣ୍ଡିଂ ମେସିନର ବ୍ୟବସ୍ଥା କରାଯାଇଥିଲା। ହେଲେ ନିର୍ମାଣ ହେବାର କିଛି ଦିନ ପରେ ଏହା ଅଚଳ ହୋଇଗଲା। ଏପରିକି ଗତ ବର୍ଷ ମଧ୍ୟ ଏହାର ନବୀକରଣ ହୋଇଥିଲେ ସୁଦ୍ଧା ମେସିନ ଠିକ୍‌ କରାଗଲା ନାହିଁ। ସେହିପରି ଡିଡିସିଇ ନିକଟରେ ଥିବା ଶୌଚାଳୟର ମଧ୍ୟ ସମାନ ସ୍ଥିତି। ଗତ ୨୦୧୭ରେ ଏଠାରେ ୧୭.୨୦ ଲକ୍ଷ ଟଙ୍କା ବିନିମୟରେ ହାଇବ୍ରିଡ୍‌ ଶୌଚାଳୟ ସ୍ଥାପନ ହୋଇଥିଲା।

ମହିଳାମାନଙ୍କ ସୁବିଧା ପାଇଁ ଭେଣ୍ଡିଂ ମେସିନ ଓ ଇନ୍‌ସୁଲେଟର  ବ୍ୟବସ୍ଥା ହୋଇଥିଲା। ହେଲେ ଏଠାରେ ମେସିନ୍‌ ଅଛି, କିନ୍ତୁ ସେଥିରେ ନାପକିନ ବ୍ୟବସ୍ଥା ନାହିଁ। ଅଧିକାଂଶ ସମୟରେ ନାପକିନ୍‌ ସରିଯାଉଥିଲେ ମଧ୍ୟ ଭରା ଯାଉନି ବୋଲି ଅଭିଯୋଗ ହେଉଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ନିକଟସ୍ଥ ଶୌଚାଳୟର ମଧ୍ୟ ସମାନ ସ୍ଥିତି। ଭେଣ୍ଡିଂ ମେସିନ ରହିଛି, ହେଲେ ନାପକିନ୍‌ ନାହିଁ। ସେହିପରି ସହରର ଜନବହୁଳ ମାର୍କେଟ ବିଲଡିଂ ଓ ଏଜି ଛକରେ ଥିବା ଶୌଚାଳୟର ସମାନ ସ୍ଥିତି। ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଏହି ଶୌଚାଳୟରେ ଭେଣ୍ଡିଂ ମେସିନ ଅଚଳ ହୋଇପଡ଼ିରହିଛି। ସେହିପରି ଶ୍ରୀୟା ଛକ ଶୌଚାଳୟରେ ପୂର୍ବରୁ ଥିବା ମେସିନ୍‌ ଆଉ ନାହିଁ। କର୍ପୋରେଟରଙ୍କ ନିକଟରେ ମଧ୍ୟ ଉତ୍ତର ନାହିଁ। ତେବେ ଏନେଇ ବିଏମସିର ଡେପୁଟି କମିସନର (ସାନିଟେସନ) ଏନ୍‌ ଗଣେଶ ବାବୁଙ୍କ କହିଛନ୍ତି ଯେ  ନାପ୍‌କିନ୍‌ ଭେଣ୍ଡିଂ ମେସିନ ନେଇ ଥିବାର ସମସ୍ୟାର ସ୍ଥିତି ପରଖା ଯାଉଛି, ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିପରି ଭୁବନେଶ୍ୱର ରେଳ ଷ୍ଟେସନରେ ଥିବା ନାପକିନ୍‌ ଭେଣ୍ଡିଂ ମେସିନ ବହୁ ବ୍ରାଣ୍ଡର ନାପକିନ୍‌ ନାହିଁ। ଏପରିକି ଯେତିକି ରହିଛି ତାହା ମଧ୍ୟ ହାତ ଗଣତି। ସବୁଠାରୁ ବଡ଼ କଥା ହେଲା ଯେ ଏଥିରେ କେବଳ ଅନ୍‌ଲାଇନ୍ ପେମେଣ୍ଟର ବ୍ୟବସ୍ଥା ରହିଛି। ସେହିପରି ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟର ‘ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ’ର ମଧ୍ୟ ସମାନ ସ୍ଥିତି। ବିଶ୍ୱବିଦ୍ୟାଳୟକ ଛଅଟି ହଷ୍ଟେଲ ପାଇଁ ଗୋଟିଏ ମାତ୍ର ଡିସ୍‌ପୋଜାଲ ମେସିନ ରହିଛି। ତାହା ବି ଅଧିକାଂଶ ସମୟରେ ଅଚଳ ରହୁଛି। କେବଳ ସେତିକି ନୁହେଁ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଭେଣ୍ଡିଂ ମେସିନ୍‌ ମଧ୍ୟ କାର୍ଯ୍ୟକ୍ଷମ ନାହିଁ। କେଉଁଥିରେ ତାଲା ପଡ଼ିଛି ତ କେଉଁଠି କେବଳ ନାମକୁ ମାତ୍ର ଥୁଆ ହୋଇଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button