Breaking News

ଭୁବନେଶ୍ବର ବିକାଶରେ ବାଧକ କିଏ: ଅଧିକାରୀ-କର୍ପୋରେଟର ସମ୍ପର୍କ ସୁଧୁରିବ

ବିଗତ ବର୍ଷମାନଙ୍କରେ ଅଧିକାରୀ- ଲୋକପ୍ରତିନିଧି ବିବାଦ ଓ ବିଭାଗୀୟ ସମନ୍ବୟ ଅଭାବ, ଭୁବନେଶ୍ବର ବିକାଶ ତଥା ସହରୀ ଜୀବନକୁ ପ୍ରଭାବିତ କରିଥିଲା। ଗତବର୍ଷ ସରକାର ବଦଳିଯିବା ପରେ ଆହୁରି ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି।

ବିଗତ ବର୍ଷମାନଙ୍କରେ ଅଧିକାରୀ- ଲୋକପ୍ରତିନିଧି ବିବାଦ ଓ ବିଭାଗୀୟ ସମନ୍ବୟ ଅଭାବ, ଭୁବନେଶ୍ବର ବିକାଶ ତଥା ସହରୀ ଜୀବନକୁ ପ୍ରଭାବିତ କରିଥିଲା। ଗତବର୍ଷ ସରକାର ବଦଳିଯିବା ପରେ ଆହୁରି ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ବିଜେପି ସରକାର ଥିବା ବେଳେ ବିଏମ୍‌ସିରେ ବିଜେଡି ଶାସନ କରୁଛି। ଯାହାକୁ ନେଇ ଏବେ ପରିସ୍ଥିତି ଆହୁରି ଉତ୍କଟ ହେବା ଆଶଙ୍କା ଦେଖାଦେଇଛି। କାରଣ ଏହାର ସୂଚନା ଅନେକ ଆଗରୁ ମିଳିସାରିଛି। ବିଜେଡି-ବି‌ଜେଡି ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା ବେଳେ ଏବେ ବିଜେପି ଶାସନ ନୂଆ ଅଡ଼ୁଆ କରିବା ଆଶଙ୍କା ରହିଛି। ଏଣୁ ସମନ୍ବୟ ଓ ସହଭାଗିତା ଉଭୟ ଜରୁରି ହୋଇପଡ଼ିଛି।

ବିବୁଧ ମହାନ୍ତି

ଭୁବନେଶ୍ବର: ବର୍ଷ ସାରା ବିଏମ୍‌ସିର ପ୍ରତିଟି ଘଟଣା ଚର୍ଚ୍ଚାରେ ରହିଥିଲା। ନଳାରେ ନାବାଳକ ଭାସିଯିବା ଠାରୁ ଆରମ୍ଭ କରି କର୍ପୋରେଟର କଳି ପର୍ଯ୍ୟନ୍ତ ଘଟଣାରେ ଜନସ୍ବାର୍ଥ ବଳିପଡ଼ିଥିଲା। ୟୁନିଟ୍‌-୩ ଅଞ୍ଚଳରେ ନଳାରେ ଜୀବନ ଚାଲିଯିବା ପରେ ତତ୍ପରତା ପ୍ରକାଶ ପାଇଥିଲା। ଗଳିକନ୍ଦି ବୁଲି କର୍ମଚାରୀ ମୁକୁଳା ନଳା ଖୋଜି ତାଲିକା କଲେ। ବିଏମ୍‌ସି ବଜେଟ୍‌ ବି ପ୍ରସ୍ତୁତ କଲା। ହେଲେ ଏଥିରେ ଇଞ୍ଜିନିୟରମାନେ ଏତେ ଗୁରୁଚଣ୍ଡାଳ ଦୋଷ ରଖିଦେଲେ ଯେ, ନଳାରେ ସ୍ଲାବ୍‌ ପଡ଼ି ପାରିଲାନି। କେବଳ ଏତିକି ନୁହେଁ ବରଂ ଏତେ ବଦଖର୍ଚ୍ଚ କଲେ ଯେ, ବିଏମ୍‌ସି କପର୍ଦ୍ଦକ ଶୂନ୍ୟ ହୋଇଗଲା। କୌଣସି ପ୍ରକଳ୍ପ ହୋଇପାରିଲାନି। ଲୋକଙ୍କ ଅଭିଯୋଗ ଶୁଣିବାକୁ ଜନପ୍ରତିନିଧି ଲୁଚିଲେ। ପ୍ରତି ବର୍ଷାରେ ବସ୍ତି ଭାସୁଥିବାରୁ ଅଭିଯୋଗ ନେଇ ଆସିଥିବା ବସ୍ତିବାସିନ୍ଦା‌ ସିଟି ଇଞ୍ଜିନିୟରଙ୍କୁ ଦୋଷୀ କରି ତାଙ୍କ କାର୍ଯ୍ୟାଳୟରେ ପରିସ୍ରା କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏଭଳି ଏକାଧିକ ଘଟଣାରେ ଦାୟୀ କରି କର୍ପୋରେସନ ସିଟି ଇଞ୍ଜିନିୟରଙ୍କୁ ବିଦା କରିବାକୁ ରିଜଲ୍ୟୁସନ କଲା। ବିକାଶରେ କିଏ ବାଧକ ହେଲା ସେ ନେଇ ନୂଆବର୍ଷରେ ଚିନ୍ତା କରିବାର ଜରୁରି ହୋଇଛି।

ସହରୀବନ୍ୟା ସମସ୍ୟାର ସମାଧାନ
ବର୍ଷବର୍ଷ ଧରି ସହରୀ ବନ୍ୟାରେ ଯୁଝି ହେଉଥିବା ସହରବାସୀଙ୍କ ପାଇଁ ଏକାଧିକ ଯୋଜନା ହୋଇଛି। ତେବେ ଗତ ବର୍ଷ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେବା ବାଟ ଖୋଲିଛି। ରୁର୍‌କୀ ଆଇଆଇଟି ସହାୟତାରେ ବିଏମ୍‌ସି ପ୍ରସ୍ତୁତ କରିଥିବା ‘ଟେକ୍ନୋ ପ୍ରୋଜେକ୍ଟ’କୁ ରାଜ୍ୟସରକାର ଅନୁମୋଦନ କରିଛନ୍ତି। ଏଥିରେ ୧୦ କୋଟି ଟଙ୍କା ଏନ୍‌ଡିଏମ୍‌ଏଫ୍‌ ଅଧୀନ ସହରାଞ୍ଚଳ ବନ୍ୟା‌ ବିପଦ ପରିଚାଳନା ପାଣ୍ଠିରୁ ଖର୍ଚ୍ଚ କରାଯିବ। ଏଥିପାଇଁ ଏକ ଡ୍ରାଫ୍ଟ ଏମ୍‌ଓୟୁ ପ୍ରସ୍ତୁତ କରାଯାଇଛି। ପର୍ଯ୍ୟାୟକ୍ରମେ ଏହି ଅର୍ଥ ପ୍ରଦାନ କରାଯିବ। ଆସନ୍ତା ୧୫ ତାରିଖରେ ବସିବାକୁ ଥିବା କର୍ପୋରେସନ ବୈଠକରେ ଏହା ସ୍ବୀକୃତି ଲାଭ କରିବା ପରେ ପ୍ରକ୍ରିୟା ଆଗକୁ ବଢ଼ିବ। କିନ୍ତୁ ପୁର୍ବରୁ ବିଏମ୍‌ସି-ଏନ୍‌ଏଚ୍‌ଏଆଇ-ପୂର୍ତ୍ତ ବିଭାଗର ସମନ୍ବୟ ଅଭାବରୁ ଅନେକ ଯୋଜନା ଫସର ଫାଟିଥିବାରୁ ଏହି ଯୋଜନା କାର୍ଯ୍ୟକ୍ଷମ ପୂର୍ବରୁ ଉଚିତ ସମନ୍ବୟର ଆବଶ୍ୟକତା ରହିଛି।

ରାଜନୀତିରୁ ଅରାଜକତା ନହେଉ
ରାଜନୀତିକୁ ନେଇ ବିଏମ୍‌ସି ୩ ଫାଳ ହୋଇଯାଇଥିଲା। ପୂର୍ବରୁ ବିଜେଡି-ବିଜେପି ଦୁଇ ଦଳ ଥିବା ବେଳେ ଏବେ ବିଜେଡି ଦୁଇ ଭାଗ ହୋଇଯାଇଛି। ବିଜେପି କର୍ପୋରେଟରଙ୍କୁ କିଛି ବିରୋଧ କରିବାକୁ ପଡ଼ୁନାହିଁ। ବରଂ ‌କୌଣସି ପ୍ରସ୍ତାବକୁ ନେଇ ବିଜେଡି ଦୁଇ ଗୋଷ୍ଠୀର ଆରୋପ ପ୍ରତ୍ୟାରୋପ ବିଚିତ୍ର ପରିସ୍ଥିତି ସୃଷ୍ଟି କରୁଛି। କର୍ପୋରେସନ ବୈଠକରେ ଯେତିକି ହୋ ହଲ୍ଲା ହେଉଛି ତାହା ବିଜେଡି-ବିଜେଡି ମଧ୍ୟରେ ହେଉଛି। ଖୋଦ୍‌ ମେୟର ବି ହାତ ଟେକି ଦେଇଛନ୍ତି। ମୁଣ୍ଡ ପୂରାଇ ସମାଧାନ କରିବାକୁ ଚାହୁନାହାନ୍ତି। ଫଳରେ ଏହାର ଫାଇଦା ଅଫିସର ନେଉଛନ୍ତି। ମନଇଚ୍ଛା ଯୋଜନା କରିବା ସହ ବିଏମ୍‌ସିର ବିନା ସ୍ବୀକୃତିରେ ମୋଟା ଅଙ୍କର ଖର୍ଚ୍ଚର ସ୍ବୀକୃତି ପାଇଁ  କର୍ପୋରେସନକୁ ଆସୁଛି। କର୍ପୋରେସନ ବୈଠକରେ ନିଷ୍ପତ୍ତି ହେବା ପରେ ମଧ୍ୟ ଅଧିକାରୀ ଶୁଣୁନାହାନ୍ତି। ନୂଆ ବର୍ଷରେ ଏଭଳି ବିଚିତ୍ର ପରିସ୍ଥିତିରେ ସୁଧାର ନଆସିଲେ କର୍ପୋରେସନ ଭାଙ୍ଗି ପୂର୍ବଭଳି ଅଧିକାରୀ ରାଜ୍‌ ଚାଲିବା କିଛି ନୂଆ କଥା ନୁହେଁ ବୋଲି କୁହାଯାଉଛି।

ଲିଜ୍‌ ହୋଲ୍ଡରୁ ଫ୍ରି ହୋଲ୍ଡ
ନୂଆ ସମ୍ଭାବନା 

ସରକାରୀ ସଂସ୍ଥାରୁ ଜମି କିଣି ‘ଲିଜ୍‌ ହୋଲ୍ଡ’ ଯନ୍ତ୍ରଣାରେ ଛଟପଟ ହେଉଥିବା ଜମିମାଲିକ ଆଶ୍ବସ୍ତି ହୋଇଛନ୍ତି। ପ୍ରଥମ କରି ବିଡିଏ ଲିଜ୍‌ ହୋଲ୍ଡ୍‌ରୁ ଫ୍ରି ହୋଲ୍ଡ୍‌ ବ୍ୟବସ୍ଥା ଆରମ୍ଭ କରିଛି। ଏଯାବତ୍‌ ୪୫୯ ଡିଡ୍‌ ପ୍ରସ୍ତୁତ ହୋଇଛି। ୪୫୯ ଡିଡ୍‌ରୁ ଅଫ୍‌ଲାଇନ୍‌ରେ ଆସିଥିବା ୪୦୬ରୁ ୩୩୫ ଓ ଅନ୍‌ଲାଇନ୍‌ରେ ଆସିଥିବା‌ ୩୨୪ ଆବେଦନରୁ ୧୨୪ଟି ଡିଡ୍‌ ହୋଇଛି। ଆଗକୁ ନିୟମିତ ପ୍ରକ୍ରିୟାରେ ସମସ୍ତଙ୍କୁ ନିଜ ଜମିର ମାଲିକ କରିବାକୁ ଯୋଜନା ହୋଇଛି। ଏଥିରେ ପ୍ରାଥମିକ ପର୍ଯ୍ୟାୟରେ ୨୩ଟି ଗୃହ ନିର୍ମାଣ ପ୍ରକଳ୍ପକୁ ସାମିଲ କରାଯାଇଛି। ଏଥିରେ ପୋଖରୀପୁଟ୍‌ ଫେଜ୍‌-୧, ୨, ଓ ୩, ପ୍ରାଚୀ ଏନ୍‌କ୍ଲେଭ୍‌, ଲୁମ୍ବିନୀ ବିହାର, ଉଦୟଗିରି ବିହାର, ଲିଙ୍ଗରାଜ ବିହାର ରହିଛି। କ୍ରମାନ୍ବୟରେ ଅନ୍ୟ ସବୁ ପ୍ରକଳ୍ପକୁ ସାମିଲ୍‌ କରାଯିବାକୁ ଯୋଜନା ରହିଛି। ଏଥିପାଇଁ ବେଞ୍ଚ ମାର୍କ ଭାଲ୍ୟୁଏସନ୍‌ର ୩ ପ୍ରତିଶତ ଦେୟ ରହିଛି। ଜମି ବନ୍ଧକ ଥିଲେ ଏନ୍‌ଓସି ଆଣି ଏହି ପରିବର୍ତ୍ତନ କରାଯାଇ ପାରିବ। ଆଇନଗତ ବିବାଦ ନଥିବା ନେଇ ହିତାଧିକାରୀ ସତ୍ୟପାଠ ଦାଖଲ କରିବେ। ୫ ବର୍ଷ ଧରି ଯେଉଁମାନେ ରହୁଥିବେ ସେମାନେ ଏହି ଫ୍ରି ହୋଲ୍ଡ ପାଇଁ ଆବେଦନ କରିପାରିବେ ବୋଲି କୁହାଯାଇଛି। ଥରେ ଏହି ଫ୍ରି ହୋଲ୍ଡ ହେଲେ ବିଡିଏର ହସ୍ତକ୍ଷେପ ରହିବନାହିଁ। କିମ୍ବା ହିତାଧିକାରୀ ବାରମ୍ବାର ବିଡିଏ କାର୍ଯ୍ୟାଳୟ ଦଉଡ଼ିବବ ନାହିଁ।

ଦୂର ହେବ ଟିଟିଏସ୍‌ ଅଳିଆ ଦୁର୍ଗନ୍ଧ

ଚନ୍ଦ୍ରଶେଖରପୁର: ୨୦୨୪ରେ ଗାଡ଼କଣ ଟିଟିଏସ୍‌ ବନ୍ଦ ହେବ। ଆଉ ସେଠାରେ ସହରର ଅଳିଆ ପଡ଼ିବ ନାହିଁ ବୋଲି ୨୦୨୩ରେ ପ୍ରତିଶ୍ରୁତି ଦେଇଥିଲା ବିଏମ୍‌ସି। ଇତିମଧ୍ୟରେ ବର୍ଷେ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଟିଟିଏସ୍‌ରୁ ଅଳିଆ ସରୁନି। ବରଂ ଯେତେକି ପ୍ରକ୍ରିୟାକରଣ ହେଉଛି ପୁଣି ସେତିକି ଭର୍ତ୍ତି ହେଉଛି। ଅଳିଆ ଦୁର୍ଗନ୍ଧକୁ ନେଇ ଲୋକଙ୍କ ବିରୋଧ, ଆନ୍ଦୋଳନ ପରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଟିଟିଏସ୍‌ ବୁଲିବା ସହ ସ୍ଥିତିର ଅନୁଧ୍ୟାନ କରିଥିଲେ। ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ସହ ମାଳ ମାଳ ଅଫିସର ସାମିଲ ହୋଇ ୨୦୨୫ ପାଇଁ ଅନେକ ସ୍ବପ୍ନ ବୁଣି ଦେଇଛନ୍ତି। ଗଦା ହୋଇ ରହିଥିବା ଅଳିଆକୁ ପ୍ରକ୍ରିୟାକରଣ ମାଧ୍ୟମରେ କମାଇବାକୁ ଯୋଜନା ପ୍ରସ୍ତୁତ କରିଛି ବିଏମ୍‌ସି। ଘରୋଇ ବିପଜ୍ଜନକ ବର୍ଜ୍ୟବସ୍ତୁକୁ ବୈଜ୍ଞାନିକ ପଦ୍ଧତିରେ ନିଷ୍କାସନ ପାଇଁ ଟିଟିଏସ୍‌ରେ ଦୈନିକ ୧୦ ଟନ୍‌ ପ୍ଲାଜମା(ଟିପିଡି) ପ୍ରକ୍ରିୟାକରଣ ସୁବିଧା ପ୍ରତିଷ୍ଠା ହେଉଛି। ୧୫ ଟିପିଡି ସେମି-ଅଟୋମେଟିକ୍‌ ଏମ୍‌ଆରଏଫ୍‌ ସୁବିଧା ଜାନୁଆରି ମାସରେ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଶୁଖିଲା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ପଳାଶୁଣିଠାରେ ୧୫୦ ଟିପିଡି ବିଶିଷ୍ଟ ସେମି-ସ୍ବୟଂଚାଳିତ ଏମ୍‌ଆରଏଫ୍‌ ସୁବିଧା ଜାନୁଆରିରେ କାର୍ଯ୍ୟକ୍ଷମ ହେବ। ଓଦା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ଅଏଲ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ କଂପ୍ରେସଡ୍‌ ବାୟୋ ଗ୍ୟାସ୍‌ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି। ଦୈନିକ ୫୦୦ କେଜି ଫୁଲ ବର୍ଜ୍ୟ ପ୍ରକ୍ରିୟାକରଣ କ୍ଷମତା ବିଶିଷ୍ଟ ମେସିନ୍‌ ଜାନୁଆରିରେ କାର୍ଯ୍ୟକ୍ଷମ ହେବ। ଦୈନିକ ୨୦ରୁ ୨୫ ମେଟ୍ରିକ୍‌ ଟନ୍‌ ସବୁଜ ବର୍ଜ୍ୟ ପ୍ରକ୍ରିୟାକରଣ କରିବାକୁ ପଳାଶୁଣିଠାରେ ପ୍ରତିଷ୍ଠା କରାଯାଇଥିବା ବାୟୋମାସ୍‌ ବ୍ରିକେଟ୍‌ ପ୍ଲାଣ୍ଟ ଫେବ୍ରୁଆରିରୁ କାର୍ଯ୍ୟକ୍ଷମ ହେବ। ପଳାଶୁଣିଠାରେ ଦୈନିକ ୩ରୁ ୫ ହଜାର ନଡ଼ିଆ ବର୍ଜ୍ୟକୁ ପ୍ରକ୍ରିୟାକରଣ କରିବାକୁ ଏକ ୟୁନିଟ୍‌ ପ୍ରତିଷ୍ଠା ହେଉଛି, ଯାହାକି ଆସନ୍ତା ମାସରୁ କାର୍ଯ୍ୟକ୍ଷମ ହେବ। ପଳାଶୁଣିରେ ୫ ମେଟ୍ରିକ୍‌ ଟନ୍‌ ଗୃହ ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟବସ୍ତୁ ଏବଂ ୨.୫ ଟନ୍‌ କମ୍‌ ମୂଲ୍ୟଯୁକ୍ତ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁରୁ ପେଭର ବ୍ଲକ ଉତ୍ପାଦନ ପାଇଁ ଏକ ୟୁନିଟ୍‌ ପ୍ରତିଷ୍ଠା କରାଯିବ। ୫୦ ଟିପିଡି କ୍ଷମତା ବିଶିଷ୍ଟ ୬ଟି ବର୍ଜ୍ୟବସ୍ତୁ ସ୍ଥାନାନ୍ତର କେନ୍ଦ୍ର ବିଏମ୍‌ସି ଦ୍ବାରା ପ୍ରତିଷ୍ଠା କରାଯିବ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.