Breaking News

ଭୂପୃଷ୍ଟ ନିଆଁରୁ ବାୟୁ ପ୍ରଦୂଷଣ, ୨୦ ବର୍ଷରେ ଭାରତରେ ୨୫ଲକ୍ଷ ମୃତ୍ୟୁ

ନୂଆଦିଲ୍ଲୀ,୨୯/୧୧: ଦେଶରେ ସାଙ୍ଘାତିକ ସ୍ଥିତିରେ ରହିଛି ବାୟୁ ପ୍ରଦୂଷଣ । ଭାରତରେ ନଡ଼ା ଜାଳିବା ଭଳି ଘଟଣାରୁ ସୃଷ୍ଟି ଭୂପୃଷ୍ଠ ନିଆଁ ଯୋଗୁ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଏହାଯୋଗୁ ୨୦ ବର୍ଷ ମଧ୍ୟରେ (୨୦୦୦ରୁ ୨୦୧୯) ବିଭିନ୍ନ ଦୁରାରୋଗରେ ପୀଡ଼ିତ ହୋଇ ଦେଶରେ ପ୍ରାୟ ୨୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଲାନ୍‌ସେଟ ପକ୍ଷରୁ ପ୍ରକାଶିତ ଏକ ସଦ୍ୟ ରିପୋର୍ଟରୁ ଏହି ସାଘାଂତିକ ତଥ୍ୟ ଜଣାପଡ଼ିଛି ।

ଲାନ୍‌ସେଟ ରିପୋର୍ଟ ମୁତାବକ, ଭୂପୃଷ୍ଠ ନିଆଁ ଯୋଗୁ ହେଉଥିବା ବାୟୁ ପ୍ରଦୂଷଣରେ ଲୋକମାନେ ବିଭିନ୍ନ ଦୁରାରୋଗର ସମ୍ମୁଖୀନ ହେଉଛନ୍ତି । କେବଳ ଭାରତ କାହିଁକି ସମଗ୍ର ବିଶ୍ୱ ପାଇଁ ଏହି ସମସ୍ୟା ଉପୁଜିଛି । ସମାନ କାରଣରୁ ୨୦୦୦ରୁ ୨୦୧୯ ମଧ୍ୟରେ ସମଗ୍ର ବିଶ୍ୱରେ ଅତିକମ୍‌ରେ ୩ କୋଟି ଲୋକ ପ୍ରାଣ ହରାଇଛନ୍ତି । ମୋଟ ମୃତ୍ୟୁର ୯୦% କେବଳ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରରେ ଘଟିଛି । ଏହା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ବିଶେଷକରି ଚୀନ୍‌, ଭାରତ, କଙ୍ଗୋ, ଇଣ୍ଡୋନେସିଆ ଓ ନାଇଜେରିଆ ଭଳି ଦେଶ ଉପରେ ଏହା ଅତ୍ୟଧିକ ଚାପ ପକାଉଛି । ଚୀନ୍‌ରେ ଏହି ସମୟରେ ୨୮ ଲକ୍ଷରୁ ଅଧିକ ଲୋକ ବାୟୁ ପ୍ରଦୂଷଣଜନିତ ମୃତ୍ୟୁର ଶିକାର ହୋଇଛନ୍ତି ।

ଭୂପୃଷ୍ଠ ନିଆଁ କହିଲେ ବିଶେଷତଃ ଜଙ୍ଗଲ ଓ ମାନବକୃତ ଅଗ୍ନିକାଣ୍ଡକୁ ଦର୍ଶାଯାଇଛି । ପ୍ରତିବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ଏହି କାରଣରୁ ସାଙ୍ଘାତିକ ସମସ୍ୟାର ସମ୍ମୁଖୀନ ହେଉଛି । ବାୟୁ ପ୍ରଦୂଷଣ ଉତ୍କଟ ହେବାରୁ ଲୋକଙ୍କ ପକ୍ଷେ ବଞ୍ଚିବା କଷ୍ଟକର ହୋଇପଡ଼ିଛି । ଉଭୟ ପ୍ରାକୃତିକ ଓ କୃତ୍ରିମ ପୃଷ୍ଠଭୂମିରେ ଏହି ନିଆଁ ଘାତକ ସାଜିଛି । ପଞ୍ଜାବ ଭଳି ରାଜ୍ୟରେ ପରାଳି ଜାଳିବା, ଯାନବାହନ ଚଳାଚଳରୁ ସୃଷ୍ଟ ଅଙ୍ଗାରକାମ୍ଳ ଏବଂ ଏସି ଆଦିରୁ ସୃଷ୍ଟି ହେଉଥିବା ଅନିଷ୍ଟକାରୀ କାରକ ବାୟୁ ମଣ୍ଡଳକୁ ବିଷରେ ଭରି ଦେଉଛି ।

ଲାନ୍‌ସେଟ୍‌ ରିପୋର୍ଟ କହିଛି ଯେ, ଏହି ନିଆଁ ଯୋଗୁ କେତେକ କ୍ଷେତ୍ରରେ ଲୋକମାନେ ପ୍ରତ୍ୟକ୍ଷ ଭାବେ ପ୍ରାଣ ହରାଉଛନ୍ତି । କିନ୍ତୁ ଅଧିକାଂଶ ମୃତ୍ୟୁ ପାଇଁ ଭୂପୃଷ୍ଠ ନିଆଁରୁ ସୃଷ୍ଟ ବାୟୁ ପ୍ରଦୂଷଣ ହିଁ ଦାୟୀ । ଲୋକେ ଦୀର୍ଘ ସମୟ ଧରି ପ୍ରଦୂଷଣ ଜନିତ ଶ୍ୱାସକ୍ରିୟା ଓ ଅନ୍ୟାନ୍ୟ ଦୁରାରୋଗରେ ପଡ଼ି ମୃତ୍ୟୁମୁଖରେ ପଡୁଛନ୍ତି । ବାୟୁ ପ୍ରଦୂଷଣ ଯୋଗୁ ସମଗ୍ର ବିଶ୍ୱରେ ହୃଦ୍‌ରୋଗ ଓ ଶ୍ୱାସକ୍ରିୟା ଜନିତ ଜଟିଳତା ବଢ଼ିବାକୁ ଲାଗିଛି । ପ୍ରତିବର୍ଷ ବାୟୁ ପ୍ରଦୂଷଣ ଯୋଗୁ ହେଉଥିବା ମୋଟ ମୃତ୍ୟୁରେ ୪.୫ ଲକ୍ଷ ହୃଦ୍‌ରୋଗ ଜନିତ ହୋଇଥିବା ବେଳେ ଶ୍ୱାସକ୍ରିୟା ମୃତ୍ୟୁ ୨.୨୦ ଲକ୍ଷ ରହିଛି ।

ଭାରତରେ ଭୂପୃଷ୍ଠ ନିଆଁରୁ ସୃଷ୍ଟ ବାୟୁ ପ୍ରଦୂଷଣ ଯୋଗୁ ୨୦୦୦ରୁ ୨୦୧୯ ମଧ୍ୟରେ ବର୍ଷକୁ ହାରାହାରି ୧ ଲକ୍ଷ ୧୭ ହଜାର ୭୮୧ ଜଣ ପ୍ରାଣ ହରାଇଥିବା ବେଳେ ୨୦୧୦ରୁ ୨୦୧୯ ମଧ୍ୟରେ ଏହା ବାର୍ଷିକ ହାରାହାରି ୧ ଲକ୍ଷ ୩୭ ହଜାର ୭୧୧କୁ ବୃଦ୍ଧି ପାଇଛି । ‘ଗ୍ଲୋବାଲ ବର୍ଡନ ଅଫ୍‌ ଡିଜିଜେସ୍‌ ଷ୍ଟଡି ୨୦୧୯’ରୁ ନିଆଯାଇଥିବା ବାର୍ଷିକ ମୃତ୍ୟୁ ହାର, ଜନସଂଖ୍ୟା ଏବଂ ସାମାଜିକଜନସାଂଖ୍ୟିକ ତଥ୍ୟକୁ ବ୍ୟବହାର କରି ଲାନ୍‌ସେଟ୍‌ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁ ତଥ୍ୟ ପ୍ରସ୍ତୁତ କରିଛି । ରିପୋର୍ଟକୁ ପ୍ରସ୍ତୁତ କରିଥିବା ଗବେଷକମାନେ ତୁରନ୍ତ ଜଳବାୟୁ ପ୍ରତିକାର ପଦକ୍ଷେପ ନେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ।

ସୌଜନ୍ୟ-ପ୍ରମେୟ

Comments are closed.