ଭୂମଧ୍ୟସାଗରରେ ବୁଡ଼ିଲା ରୁଷିଆ କାର୍ଗୋ ଜାହାଜ ଉର୍ସା ମେଜର: ୨ କ୍ରୁ ସଦସ୍ୟ ନିଖୋଜ
ଇଞ୍ଜିନ ରୁମ୍ରେ ବିସ୍ଫୋରଣ ପରେ ରୁଷିଆର ସର୍ବବୃହତ ସାମରିକ ଲଜିଷ୍ଟିକ୍ କାର୍ଗୋ ଜାହାଜ ଉର୍ସା ମେଜର ଭୂମଧ୍ୟସାଗରରେ ବୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୧୪ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ଦୁଇଜଣ ସଦସ୍ୟ ନିଖୋଜ ଅଛନ୍ତି...
ମାଦ୍ରିଦ୍: ସ୍ପେନ ଏବଂ ଆଲଜେରିଆ ମଧ୍ୟରେ ଥିବା ଭୂମଧ୍ୟସାଗରରେ ରୁଷିଆର ମାଲ ପରିବହନ ଜାହାଜ ‘ଉର୍ସା ମେଜର’ ବୁଡ଼ି ଯାଇଛି। ଦୁଇଜଣ କ୍ରୁ ସଦସ୍ୟ ଏହି ଦୁର୍ଘଟଣାରେ ନିଖୋଜ ହୋଇଛନ୍ତି। ମଙ୍ଗଳବାର ସ୍ପେନର ସାମୁଦ୍ରିକ ଉଦ୍ଧାରକାରୀ ସଂସ୍ଥା ଏବଂ ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି।
ଦୁର୍ଘଟଣା ସମୟରେ ୧୪ଜଣ କ୍ରୁ ସଦସ୍ୟଙ୍କୁ ଲାଇଫ ବୋଟ ମାଧ୍ୟମରେ ସ୍ପେନର କାର୍ଟାଜେନା ବନ୍ଦରକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ରୁଷିଆ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଦୁର୍ଘଟଣା ଇଞ୍ଜିନ ରୁମ୍ରେ ବିସ୍ଫୋରଣ ପରେ ଘଟିଥିଲା।
ଏହି ଜାହାଜଟି ରୁଷିଆର ପରିବହନ ଏବଂ ଲଜିଷ୍ଟିକ୍ କମ୍ପାନି ଓବୋରନ୍ ଲଜିଷ୍ଟିକ୍ସର ଏକ ସହାୟକ କମ୍ପାନି ଏସକେ-ୟୁଗର ମାଲିକାନାରେ ଥିଲା। ସ୍ପେନର ଅଧିକାରୀ କହିଛନ୍ତି ଯେ, ଜାହାଜରେ ଖାଲି କଣ୍ଟେନର ଏବଂ ଦୁଇଟି କ୍ରେନ୍ ଥିଲା। ଏକ ବିବୃତିରେ ଓବୋରନ୍ ଲଜିଷ୍ଟିକ୍ କହିଛି, ଏହି ମାଲବାହୀ ଜାହାଜଟି ରୁଷିଆର ପୂର୍ବ ସହର ଭ୍ଲାଡିଭୋଷ୍ଟୋକ ଅଭିମୁଖେ ଯାଇଥିଲା।
ଜାହାଜ ୩୮୦ ଟନ୍ ଓଜନ ବିଶିଷ୍ଟ ଦୁଇଟି କ୍ରେନ୍ ନେଇଥିଲା। ରୁଷିଆର ରାଜ୍ୟ ସମ୍ବାଦ ଏଜେନ୍ସି ଆରଆଇ ନୋଭୋଷ୍ଟି ରିପୋର୍ଟ କରିଛି, ଉର୍ସା ମେଜର ୧୨ ଦିନ ପୂର୍ବରୁ ସେଣ୍ଟ ପିଟର୍ସବର୍ଗ ଛାଡିଥିଲା।
ମଙ୍ଗଳବାର ଦିନ ୱେବସାଇଟରେ ପୋଷ୍ଟ କରି ରୁଷିଆର ବୈଦେଶିକ ମନ୍ତ୍ରଣାଳୟ କହିଛି, ବିସ୍ଫୋରଣ ପରେ ଉର୍ସା ମେଜର ବୁଡ଼ିଯାଇଛି। ଏହାର ଦୁଇ ଜଣ କ୍ରୁ ସଦସ୍ୟ ନିଖୋଜ ଅଛନ୍ତି ଏବଂ ଅନ୍ୟ ୧୪ ଜଣଙ୍କୁ ଉଦ୍ଧାର କରାଯାଇ ସ୍ପେନର କାର୍ଟାଜେନା ବନ୍ଦରକୁ ନିଆଯାଇଛି।
ଡିସେମ୍ବର ୩ରେ ଓବୋରୋନୋଗିଷ୍ଟିକା ୱେବସାଇଟରେ ପୋଷ୍ଟ କରାଯାଇଥିବା ସୂଚନା ଅନୁଯାୟୀ, ରୁଷିଆର ପୂର୍ବ ଦିଗରେ ଭାରି ମାଲ ପରିବହନ ସହିତ ସାଧାରଣ ଯାତ୍ରା ପୂର୍ବରୁ ନଭେମ୍ବରରେ ଜାହାଜର କ୍ରେନ୍ ଯନ୍ତ୍ରପାତି ମରାମତି କରାଯାଇଥିଲା। କମ୍ପାନି ଅନୁଯାୟୀ ଜାହାଜଟି ଏହା ପୂର୍ବରୁ ମଧ୍ୟ ପୂର୍ବ ଏବଂ ଏସିଆ ତଥା ଆର୍କଟିକ୍ ଦେଇ ଉତ୍ତର ସାଗର ମାର୍ଗକୁ ଯାତ୍ରା କରିଥିଲା।
ତେବେ ବିସ୍ଫୋରଣର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। କମ୍ପାନିର ୱେବସାଇଟ୍ ଅନୁଯାୟୀ ଉର୍ସା ମେଜରର ପରିବହନ କ୍ଷମତା ୧୨୦୦ ଟନ୍ ଥିଲା ଏବଂ ଏହାର ଡେକ୍ରେ ୧୨୦ ଯାନ ସହଜରେ ରଖାଯାଇପାରେ।
ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ କମ୍ପାନି ଓବ୍ରୋନୋଗିଷ୍ଟିକା ଦ୍ବାରା ପରିଚାଳିତ। ଏହା ସାମରିକ ଏବଂ ବେସାମରିକ ମାଲ ପରିବହନ କରୁଥିବା ସର୍ବ ବୃହତ ମାଲ ପରିବହନ ଜାହାଜ ଥିଲା।
ସୌଜନ୍ୟ-ସମ୍ୱାଦ
Comments are closed.