Breaking News

ଭେଟେରାନ୍‌ ସୈନିକଙ୍କ ପାଇଁ ଅନଲାଇନ୍ ସେବାର ଶୁଭାରମ୍ଭ କଲେ ରାଜ୍ୟପାଳ

ଭେଟେରାନ ସୈନିକମାନଙ୍କର ଅସାଧାରଣ ସେବା, ତ୍ୟାଗ, ସମର୍ପଣ ପାଇଁ ଦେଶବାସୀଙ୍କ ହୃଦୟରେ ସେମାନଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି। ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ ଓ ସମ୍ମାନ ରକ୍ଷା କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ପାଇଁ ଭେଟେରାନ ସୈନିକମାନଙ୍କଠାରେ ଦେଶବାସୀ ଚରିକୃତଜ୍ଞ ରହିବେ।

ଭୁବନେଶ୍ୱର: ଭେଟେରାନ ସୈନିକମାନଙ୍କର ଅସାଧାରଣ ସେବା, ତ୍ୟାଗ, ସମର୍ପଣ ପାଇଁ ଦେଶବାସୀଙ୍କ ହୃଦୟରେ ସେମାନଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି। ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ ଓ ସମ୍ମାନ ରକ୍ଷା କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ପାଇଁ ଭେଟେରାନ ସୈନିକମାନଙ୍କଠାରେ ଦେଶବାସୀ ଚରିକୃତଜ୍ଞ ରହିବେ। ୧୨୦ ଇନଫାଣ୍ଟ୍ରି ବାଟାଲିଅନ ପରିସରରେ ଅନୁଷ୍ଠିତ ନବମ ସଶସ୍ତ୍ର ସେନା ଭେଟେରାନ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି। ଭାରତର ପ୍ରଥମ କମାଣ୍ଡର ଇନ୍‌ ଚିଫ୍ ଫିଲ୍ଡମାର୍ଶଲ କେଏମ୍‌ କାରିଆପାଙ୍କ ଉଲ୍ଲେଖନୀୟ ସେବାକୁ ସମ୍ମାନ ଜଣାଇ ସଶସ୍ତ୍ର ସେନା ଭେଟେରାନ ଦିବସ ପାଳନ କରାଯାଇଛି ବୋଲି ଅବତାରଣା କରିବା ସହ ତାଙ୍କର ନେତୃତ୍ୱ ଓ ଦୃଷ୍ଟିଭଙ୍ଗୀ ସବୁବେଳେ ସେନା ତଥା ପ୍ରତିଟି ନାଗରିକଙ୍କୁ ଉଦ୍‌ବୁଦ୍ଧ କରୁଥିବ ବୋଲି ରାଜ୍ୟପାଳ କହିଥିଲେ। ଏଥିସହିତ ଅବସରପ୍ରାପ୍ତ ସୈନିକମାନଙ୍କର ପେନ୍‌ସନ, ସ୍ୱାସ୍ଥ୍ୟସେବା, ପୁନଃଥଇଥାନ ଇତ୍ୟାଦି କ୍ଷେତ୍ରରେ ସରକାର ପଦକ୍ଷେପ ନେଇଛନ୍ତି ବୋଲି ରାଜ୍ୟପାଳ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଜେକେ ମହାନ୍ତି, ଅବସରପ୍ରାପ୍ତ ଭାଇସ୍‌ ଆଡ୍‌ମିରାଲ ରମାକାନ୍ତ ପଟ୍ଟନାୟକ, ଅବସରପ୍ରାପ୍ତ ଏୟାର ମାର୍ସାଲ ଜେଏନ୍‌ ବର୍ମା, ଓଡ଼ିଶା ସରକାରଙ୍କ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଆର୍‌କେ ଶର୍ମା, ରାଜ୍ୟ ସୈନିକ ବୋର୍ଡର ସଚିବ କମୋଡର ଘନଶ୍ୟାମ ଓଝା ପ୍ରମୁଖ ଯୋଗଦେଇ ଦିବସ ପାଳନର ଆଭିମୁଖ୍ୟ ଓ ଭେଟେରାନ ସୈନିକମାନଙ୍କର ଦେଶପ୍ରତି ଅବଦାନ ସଂପର୍କରେ ଆଲୋକପାତ କରିଥିଲେ।

ପ୍ରାରମ୍ଭରେ ଓଏସ୍‌ଇଏଲ୍‌ର ସଭାପତି ଅବସରପ୍ରାପ୍ତ ବ୍ରିଗେଡିୟର ଅନ୍ତର୍ଯ୍ୟାମୀ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଭେଟେରାନ ସେନାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏତଦ୍‌ବ୍ୟତୀତ ଭେଟେରାନ୍‌ମାନଙ୍କ ପାଇଁ ଉଦ୍ଧିଷ୍ଟ ଅନଲାଇନ୍ ସେବାକୁ ରାଜ୍ୟପାଳ କମ୍ଭମ୍‌ପତି ଶୁଭାରମ୍ଭ କରିଥିଲେ। ଶେଷରେ ସର୍ଜନ ଲେଫ୍ଟନାଣ୍ଟ କମାଣ୍ଡର ଅନନ୍ୟା ଦଳବେହେରା ଧନ୍ୟବାଦ ଦେଇଥିଲେ।

ଭାରତୀୟ ପୂର୍ବ ସେନାନୀ ସଂଘର ବିକ୍ଷୋଭ
ଭୁବନେଶ୍ବର: ‌ଆଜି ଲୋୟର ପିଏମ୍‌ଜିରେ ଭାରତୀୟ ପୂର୍ବ ସେନାନୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭେଟେରାନ୍‌ ଦିବସ ପାଳନରେ ଅନିୟମିତତା ହୋଇଥିବା ନେଇ ସଂଘ ଅଭିଯୋଗ କରିଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ପୂର୍ବ ସେନାନୀ ସଂଘ ସହିତ ଭେଟେରାନ୍ସ କ୍ଲବ ଓଡ଼ିଶା, ଅଲ ଓଡ଼ିଶା ଭେଟେରାନ ସୋଲର୍ଜସ ଆସୋସିଏସନ୍, ଉତ୍କଳ ସେନାନିବୃତ୍ତ ସେନାନୀ ଆସୋସିଏସନ୍ ଏବଂ ଇଣ୍ଡିଆନ ଭେଟେରାନ ଅର୍ଗାନାଇଜେସନ୍ ଭଳି ସମସ୍ତ ସକ୍ରିୟ ଏବଂ ପଞ୍ଜୀକୃତ ସଂଗଠନ ମାନଙ୍କୁ ସାମିଲ କରାଯାଇ ନଥିବା ଅଭିଯୋଗ ହୋଇଛି। ତେଣୁ ଆୟୋଜକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଦାବି ହୋଇଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.