Breaking News

ଭେଣ୍ଡିଂଜୋନ୍‌ ଆବଣ୍ଟନ ବଦଳିଲା: ଘଡ଼ିକେ ଘୋଡ଼ା ଛୁଟୁଛି

କୋଟିକୋଟି ଟଙ୍କା ବ୍ୟୟରେ ଭେଣ୍ଡିଂଜୋନ୍‌ ନିମାଣ କରିଦେଲେ। ରାଜନୀତି କରି ନିଜ ଲୋକ ତଥା ଅଯୋଗ୍ୟଙ୍କୁ ବାଣ୍ଟିଲେ। ମାମଲା କୋର୍ଟରେ ଗଡ଼ିଲା। ଏଣେ ଯିଏ ଯେଉଁଠି ବେପାର କରୁଛି ତାକୁ ସେଠାରେ ନଦେବାରୁ ଭେଣ୍ଡିଂ ଜୋନ୍‌ ଖାଲି ପଡ଼ିଲା, ଏଣେ ଫୁଟ୍‌ପାଥରେ ବି ବେପାର ଚାଲିଲା।

0

ଭୁବନେଶ୍ବର: କୋଟିକୋଟି ଟଙ୍କା ବ୍ୟୟରେ ଭେଣ୍ଡିଂଜୋନ୍‌ ନିମାଣ କରିଦେଲେ। ରାଜନୀତି କରି ନିଜ ଲୋକ ତଥା ଅଯୋଗ୍ୟଙ୍କୁ ବାଣ୍ଟିଲେ। ମାମଲା କୋର୍ଟରେ ଗଡ଼ିଲା। ଏଣେ ଯିଏ ଯେଉଁଠି ବେପାର କରୁଛି ତାକୁ ସେଠାରେ ନଦେବାରୁ ଭେଣ୍ଡିଂ ଜୋନ୍‌ ଖାଲି ପଡ଼ିଲା, ଏଣେ ଫୁଟ୍‌ପାଥରେ ବି ବେପାର ଚାଲିଲା। ଫଳରେ ବିଏମ୍‌ସିର କେବଳ କୋଟି କୋଟି ଟଙ୍କା ବରବାଦ ହେଲା। କିନ୍ତୁ କିଛି ଲାଭ ହେଲା ନାହିଁ। ଆବଣ୍ଟନରେ ପ୍ରୀୟାପ୍ରିତି ତୋଷଣ ଯୋଗୁ ଏହି ଫଳ ମିଳିଛି। ଏବେ ପୁଣି ଥରେ ଏକାଧିକ ଭେଣ୍ଡିଂଜୋନ୍‌ ପାଇଁ ପୂର୍ବରୁ ହୋଇଥିବା ଆବଣ୍ଟନ ବଦଳିବାକୁ ଯାଉଛି। ଟାଉନ୍‌ ଭେଣ୍ଡିଂ କମିଟିର ଜଣେ ସଦସ୍ୟ ସୁପାରିସ କରିଥିବା ତାଲିକାକୁ କର୍ପୋରେସନ ମୋହର ମାରିଛି। ପୂର୍ବରୁ ଏହି ଆବଣ୍ଟନରେ ଅନିୟମିତତା ଯୋଗୁ ସୁଫଳ ମିଳି ନଥିବା ବେ‌ଳେ ପୁଣି ଥରେ ଏଭଳି ସମସ୍ୟା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପଟେ ଏଭଳି ସମସ୍ୟା ଯୋଗୁ ଆଉ ଭେଣ୍ଡି ଜୋନ୍‌ ନୁହେଁ, ବରଂ କେବଳ ନେବରହୁଡ୍‌ ମାର୍କେଟ୍‌ ତିଆରି କରିବା ପାଇଁ ବିଏମ୍‌ସି ନିଷ୍ପତ୍ତି ନେଇଛି। ୨୦୧୪ ମସିହାରେ ବିଏମ୍‌ସି ଜନପଥରେ ସର୍ଭେ ପରେ ସ୍ମାର୍ଟ କିଓସ୍କ ୨୧୪ଟି ବଣ୍ଟା ଯାଇଥିଲା। ଏବେ ପାଖାପାଖି ୧୦୦ ଖାଲି ପଡ଼ିଛି, ପାଇବା ପାଇଁ ୨ଶହ ଅଛନ୍ତି। ୫୦ ମାମଲା କୋର୍ଟରେ ଗଡ଼ୁଛି। ଯିଏ ଯେଉଁଠି ବେପାର କରୁଥିବା ସେମାନଙ୍କୁ ଦିଆନଯିବାରୁ ଏଭଳି ସମସ୍ୟା ହୋଇଛି। ନିକଟ ଅତୀତରେ ଷ୍ଟୁଆର୍ଟ ସ୍କୁଲ୍‌ରୁ ସିଆରପି ଛକ ପର୍ଯ୍ୟନ୍ତ ବସିଥିବା ବ୍ୟବସାୟୀଙ୍କୁ ଏଠାରେ ଆଣି ଥଇଥାନ କରିବାକୁ ଯୋଜନା ହେଲା। ହେଲେ ଏତେ ଦୂରରୁ ବେପାରୀ ଆସିବା ପାଇଁ ଚାହି‌ଲେନି। ଫଳରେ ଏହା ପୁଣି ଖାଲି ପଡ଼ିଛି।

ସେହିଭଳି ପାୱାର ହାଉସ୍‌ ଛକରୁ ସିଆରପି ଦେଇ ଏକାମ୍ର ପାର୍କ ପର୍ଯ୍ୟନ୍ତ ରାସ୍ତାରେ ସର୍ଭେ କରାଯାଇ ବ୍ୟବସାୟୀଙ୍କ ତାଲିକା ପ୍ରସ୍ତୁତ ହୋଇଥିଲା। ଏମାନଙ୍କ ମଧ୍ୟରୁ କେତେକଙ୍କୁ ନେଇ ଘାଟିକିଆ ଭେଣ୍ଡିଂ ଜୋନ୍‌ରେ ଥଇଥାନ କରିବାକୁ ବିଏମ୍‌ସି ଯୋଜନା କରିଥିଲା। ଏତେ ଦୂରକୁ ଯିବା ପାଇଁ ବ୍ୟବସାୟୀ ଅମଙ୍ଗ ହେବାରୁ ତାହାକୁ ବାତିଲ କରାଯାଇଥିଲା। ଏବେ ଏମାନଙ୍କୁ ସିଆରପିଏଫ୍‌ ଗେଟ୍‌ ପାଖରେ ମୁକ୍ତା ଅଧୀନରେ ନିର୍ମିତ ୮୯ କ୍ୟା‌ନୋପି ସେଡ୍‌ରେ ଆବଣ୍ଟନ କରିବାକୁ ଯୋଜନା ହୋଇଛି। ଏଠାରେ ଏମାନଙ୍କୁ ନଦେଇ କାହିଁକି ଘାଟିକିଆ ନିଆଯାଉଥିଲା ସେ ନେଇ ପ୍ରଶ୍ନ ଉଠିଛି। ସେହିଭଳି ସିଆର୍‌ପି ଗେଟ୍‌ ପାଖରେ ଥିବା ୫ଟି କିଓସ୍କ ମଧ୍ୟ ଏହି ବ୍ୟବସାୟୀମାନଙ୍କୁ ଦେବାକୁ ‌ଯୋଜନା ହୋଇଛି।

ସେପଟେ ଘାଟିକିଆର ଦୀର୍ଘ ଦିନ ହେବ ଖାଲି ପଡ଼ିଥିବା ୨୦ କିଓସ୍କ ଓ ୪୦ କ୍ୟାନୋପି ଆବଣ୍ଟନ ପାଇଁ ସର୍ଭେ ହୋଇଥିଲା। ସର୍ଭେ କରିଥିବା ଟାଉନ୍‌ ଭେଣ୍ଡିଂ କମିଟି ସଦସ୍ୟ ମନୋଜ ସ୍ବାଇଁଙ୍କ ତାଲିକାକୁ କର୍ପୋରେସନ ମୋହର ବାଜିଛି। ଟାଉନ୍‌ ଭେଣ୍ଡିଂ କମିଟି ସଦସ୍ୟ ହଠାତ୍‌ କେଉଁଠୁ ଆସିଲେ? ପୂର୍ବରୁ କାହିଁକି ତାଙ୍କର ସହାୟତା ନିଆଯାଇ ନଥିଲା? ଏଭଳି ଅନେକ ପ୍ରଶ୍ନ ଏହି ଆବଣ୍ଟନକୁ ବିବାଦୀୟ କରିପକାଇଛି। ଠିକ୍‌ ସେହିଭଳି କସ୍‌ମୋପଲିସ ସାମ୍ନାରେ ଥିବା ମହିଳା ଭେଣ୍ଡିଂ ‌ଜୋନ୍‌ରେ ଖାଲି ଥିବା ୮ଟି ଦୋକାନ ବାଣ୍ଟି ଦେବାପାଇଁ ଯୋଜନା ହୋଇଛି। ଏଠାରେ ବି ମନୋଜ ସ୍ବାଇଁ ସର୍ଭେ କରି ତାଲିକା ପ୍ରସ୍ତୁତ କରିଛନ୍ତି। ପୂର୍ବରୁ ଏଠାରେ ଜେଡ୍‌ଡିସି ତାଲିକା ପ୍ରସ୍ତୁତ କରିଥିଲେ। କିନ୍ତୁ ଦୋକାନ ଖାଲି ପଡ଼ିଥିଲା। ଦୋକାନ ଖୋଲୁ ନଥିବା ବ୍ୟବସାୟୀଙ୍କ ଆବଣ୍ଟନ ବାତିଲ କରାଯାଇ ନୂଆ ବ୍ୟବସାୟୀଙ୍କୁ ଚୟନ କରାଯାଇଥିଲା। ଏଠାରେ ସୂଚାଇଦିଆଯାଇପାରେ ନିକଟ ଅତୀତରେ ବିଏମ୍‌ସି ୪୪ଟି ଅଣସ୍ବୀକୃତି ପ୍ରାପ୍ତ ଭେଣ୍ଡିଂ ଜୋନ୍‌ରୁ ଭଡ଼ା ଆଦାୟ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.