Breaking News

ଭେହିକିଲ୍‌ ଟେଣ୍ଡର୍‌ ବାତିଲ ନ କରିବାକୁ ମସୁଧା: ସଂସ୍ଥା ସହ କଥାବାର୍ତ୍ତା ପାଇଁ ସୁପାରିସ

ବିଏମ୍‌ସିରେ ଲାଗିବାକୁ ଗାଡ଼ି ପାଇଁ ଘରୋଇ ସଂସ୍ଥା ସହ ଚୁକ୍ତି ବାତିଲ ନିଷ୍ପତ୍ତି ହେବା ପରେ ଏହା ପଛରେ ଥିବା ଅଧିକାରୀ ଅଡ଼ୁଆରେ ପଡ଼ିଛନ୍ତି। ଭିଜିଲାନ୍ସ ତଦନ୍ତ ହେଲେ ଏହା ପଛରେ ଥିବା କେଳେଙ୍କାରୀ ପଦାରେ ପଡ଼ିଯିବା ଭୟରେ ଅଧିକାରୀ ଛାନିଆ ହୋଇଛନ୍ତି।

0

ଭୁବନେଶ୍ୱର: ବିଏମ୍‌ସିରେ ଲାଗିବାକୁ ଗାଡ଼ି ପାଇଁ ଘରୋଇ ସଂସ୍ଥା ସହ ଚୁକ୍ତି ବାତିଲ ନିଷ୍ପତ୍ତି ହେବା ପରେ ଏହା ପଛରେ ଥିବା ଅଧିକାରୀ ଅଡ଼ୁଆରେ ପଡ଼ିଛନ୍ତି। ଭିଜିଲାନ୍ସ ତଦନ୍ତ ହେଲେ ଏହା ପଛରେ ଥିବା କେଳେଙ୍କାରୀ ପଦାରେ ପଡ଼ିଯିବା ଭୟରେ ଅଧିକାରୀ ଛାନିଆ ହୋଇଛନ୍ତି। ଏହାକୁ ବାତିଲ ନ କରି ସମ୍ପୃକ୍ତ ସଂସ୍ଥା ସହ ନେଗୋସିଏସନ ବା ଆଲୋଚନା କରି ଦର କମାଇ ଦେବାକୁ ମସୁଧା ହୋଇଛି। ଟେଣ୍ଡର ପ୍ରକ୍ରିୟାରେ ତ୍ରୁଟି ଥିବାରୁ ଏହା ବାତିଲ୍‌ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ଏହା ପରେ ପୁଣି ଆଲୋଚନା କଣ? ଯଦି ଆଲୋଚନା କରି ଦର କମାଇହେବ ତେବେ ପୂର୍ବରୁ କାହିଁକି ହୋଇନଥିଲା? ଏଭଳି ଅନେକ ପ୍ରଶ୍ନ ଅଧିକାରୀଙ୍କୁ ବିବାଦକୁ ଟାଣି ଥିବା ବେଳେ କୌଣସି ପରିସ୍ଥିତିରେ ଏହି ଟେଣ୍ଡର କାଏମ ରଖିବାକୁ ଦିଆଯିବନି ବୋଲି ଏକାଧିକ କର୍ପୋରେଟର ସ୍ପଷ୍ଟ କରିଛନ୍ତି।

    ସଂସ୍ଥା ସହ କଥାବାର୍ତ୍ତା ପାଇଁ ସୁପାରିସ
    ଅଡ଼ୁଆରେ କ୍ଷମତାର ଅପବ୍ୟବହାର କରିଥିବା ଅଧିକାରୀ

ବିଏମ୍‌ସିକୁ ଆବଶ୍ୟକ ହେଉଥିବା ବିଭିନ୍ନ ବର୍ଗର ଗାଡ଼ି ପାଇଁ ‘ଭେଇକିଲ୍‌ ସେକ୍ସନ’ ଦାୟିତ୍ବରେ ଥିବା ଡେପୁଟି କମିସନର ଟେଣ୍ଡର ଆହ୍ବାନ କରିଥିଲେ। ଟେଣ୍ଡରରେ ‌ଗୋଟିଏ ସଂସ୍ଥା ଚୟନ ହେବା ପରେ ସମ୍ପୃକ୍ତ ଡେପୁଟି କମିସନର ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ପୌର ଆଇନ ଅନୁସାରେ ଡେପୁଟି କମିସନର ଚୁକ୍ତିନାମା କରିବାକୁ କ୍ଷମତାପ୍ରାପ୍ତ ନୁହନ୍ତି। କମିସନର ମଧ୍ୟ ଏ ପ୍ରକାର କାର୍ଯ୍ୟ କରିବାକୁ ପୌର ଆଇନ୍-୨୦୦୩ ଧାରା ୨୯ (୨) ଓ ୩୦ ଆଧାରରେ ସମ୍ପୃକ୍ତ ଡେପୁଟି କମିସନରଙ୍କୁ ଅଧିକାର ଦେଇ ନାହାନ୍ତି। ଦ୍ବିତୀୟତଃ, ଏହି ଚୁକ୍ତିନାମାରେ ଯାହା ସର୍ତ୍ତ ରହିଲା ତାହା ପାଇଁ କର୍ପୋରେସନର ମଞ୍ଜୁରି ନେବା କଥା। ହେଲେ ତାହା ହୋଇ ନାହିଁ। ଡେପୁଟି କମିସନର ଏହି ନିଷ୍ପତ୍ତି କିଭଳି ନେଇଗଲେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ବଡ଼କଥା ହେଉଛି ପିଛିଲା ତାରିଖରେ ଫର୍ମ ଅଫ୍ କଣ୍ଟ୍ରାକ୍ଟ ଦସ୍ତଖତ ହେବା ସହ ଗୋଟିଏ ଜାଗାରେ ଗୋଟିଏ ଦର ରହିଥିବା ବେଳେ ଅନ୍ୟତ୍ର ଅନ୍ୟ ଏକ ଦର ରହିଛି। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ୨୦୨୩ରେ ଭଡ଼ା ଗାଡ଼ିର ଦର ନିର୍ଦ୍ଧାରଣ କରିଛନ୍ତି। ଗାଡ଼ି ମାଲିକ ସହ କି ପ୍ରକାରର ସର୍ତ୍ତ ରହିବ ତାହା ମଧ୍ୟ ଧାର୍ଯ୍ୟ କରିଛନ୍ତି।

ଏ ସବୁକୁ ଅଣଦେଖା କରି ଟେଣ୍ଡର ଦେଇ ଦିଆଯାଇଥିବାରୁ କେବଳ ଦୁର୍ନୀତି କରିବାକୁ ବାଟ ଖୋଲା ଯାଇଥିବା ଅଭିଯୋଗ କରିଛନ୍ତି କର୍ପୋରେଟର। ଟେଣ୍ଡରରେ ମଧ୍ୟ ବିଚିତ୍ର ସର୍ତ୍ତ ରଖାଯାଇଛି। ତିନି ବର୍ଷରେ ଟର୍ନ ଓଭର ୮ କୋଟି ଥି‌ଲେ ହିଁ ସଂସ୍ଥା ଟେଣ୍ଡରରେ ଭାଗ ନେଇ ପାରିବା ଚୁକ୍ତି ରହିଛି। ଯେଉଁଥିପାଇଁ କର୍ପୋରେସନ୍‌ର ମଞ୍ଜୁର ନିଆଯାଇ ନାହିଁ। ଆଉ ଗୋଟିଏ ପ୍ରସଙ୍ଗ ହେଉଛି ପେଟ୍ରୋ-କାର୍ଡ। ଏହି କାର୍ଡରେ ବାର୍ଷିକ ୧୩ କୋଟି ଟଙ୍କା ବିଭିନ୍ନ ତୈଳ କମ୍ପାନିକୁ ଦିଆଯାଉଛି। ଏ ବାବଦରେ ସମ୍ପୃକ୍ତ କମ୍ପାନିମାନଙ୍କ ଠାରୁ ମିଳୁଥିବା ୦.୪% ଡିସ୍‌କାଉଣ୍ଟ (ବାର୍ଷିକ ପ୍ରାୟ ୫ଲକ୍ଷ ୨୦ହଜାର ଟଙ୍କା) ନିଗମ ପାଣ୍ଠିରେ ଜମା ହେଉନାହିଁ। ବରଂ ଏହି କାରବାର ଦେଖିବା ପାଇଁ ଜଣେ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିରୁ ତାଙ୍କ ମୋଟା ଅଙ୍କର ଦରମା ଭରଣା କରାଯାଉଛି। ସମ୍ପୃକ୍ତ ମହିଳାଙ୍କ ନିଯୁକ୍ତି ପାଇଁ କର୍ପୋରେସନର ସ୍ବୀକୃତି ନିଆଯାଇ ନାହିଁ। ଯାହାକୁ ନେଇ କର୍ପୋରେଟରମାନେ ପ୍ରଶ୍ନ ଉଠାଇଛନ୍ତି। ଭିଜିଲାନ୍ସ ତଦନ୍ତ ହେଲେ ଏ ସବୁର ରହସ୍ୟ ଫିଟିବ ବୋଲି ସେମାନେ କହିଛନ୍ତି। ଅନ୍ୟପଟେ ପୂର୍ବରୁ ଗାଡ଼ି ଯୋଗାଉଥିବା ମାଲିକମାନଙ୍କର ୧୦ କୋଟି ବାକି ପଡ଼ିଥିବାରୁ ସେମାନେ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି ଓ ସେମାନେ କୋର୍ଟ ଯିବେ ବୋଲି ଚେତାବନୀ ଦେଇଛନ୍ତି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.