Breaking News

ଭୋକିଲାଙ୍କ ସଂଖ୍ୟା ବଢ଼ୁଛି, ସହାୟତା କମୁଛି: ଧନୀ ଦେଶ ଦେଉନାହାନ୍ତି ସହାୟତା

ଗୋଟିଏ ପଟେ ବିଶ୍ବରେ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅର୍ଥାତ୍‌ ଖାଦ୍ୟ ପାଇବା ପାଇଁ ଗରିବ ଲୋକଙ୍କ ସଂଘର୍ଷ ବଢ଼ୁଛି। ଅନ୍ୟପକ୍ଷରେ ବିଶ୍ବର ଧନୀ ଦେଶଗୁଡ଼ିକ କ୍ଷୁଧାର୍ତ୍ତଙ୍କ ପେଟରେ ଦାନା ଦେବା ପାଇଁ ଯେତିକି ଦାନ କରିବା କଥା ତାହା କରୁନାହାନ୍ତି।

ଜେନେଭା: ଗୋଟିଏ ପଟେ ବିଶ୍ବରେ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅର୍ଥାତ୍‌ ଖାଦ୍ୟ ପାଇବା ପାଇଁ ଗରିବ ଲୋକଙ୍କ ସଂଘର୍ଷ ବଢ଼ୁଛି। ଅନ୍ୟପକ୍ଷରେ ବିଶ୍ବର ଧନୀ ଦେଶଗୁଡ଼ିକ କ୍ଷୁଧାର୍ତ୍ତଙ୍କ ପେଟରେ ଦାନା ଦେବା ପାଇଁ ଯେତିକି ଦାନ କରିବା କଥା ତାହା କରୁନାହାନ୍ତି। ଜାତିସଂଘର କହିବାନୁଯାୟୀ, ୨୦୨୫ ମସିହାରେ କ୍ଷୁଧାରେ ପୀଡ଼ିତ ୩୦୭ ନିୟୁତ ଲୋକଙ୍କୁ ମାନବିକ ସହାୟତା ଆବଶ୍ୟକ। କିନ୍ତୁ ଜାତିସଂଘ ଏମାନଙ୍କ ପାଇଁ ଆବଶ୍ୟକ ମୋଟ ଅର୍ଥରୁ ପ୍ରାୟ ୬୦ ପ୍ରତିଶତ ସଂଗ୍ରହ କରିବାକୁ ସମର୍ଥ ହେବ ବୋଲି ଆକଳନ କରିଛି। ତେଣୁ ଅତିକମ୍‌ରେ ୧୧୭ ନିୟୁତ ଲୋକ ଖାଦ୍ୟ କିମ୍ବା ସହାୟତା ୨୦୨୫ ମସିହାରେ ପାଇବେ ନାହିଁ। ୨୦୨୪ ମସିହାରେ ମାନବିକ ସହାୟତା ବାବଦରେ ଜାତିସଂଘ ୪୯.୬ ବିଲିଅନ ଡଲାର ଆବଶ୍ୟକ କରୁଥିଲା। କିନ୍ତୁ ଏଥିରୁ ମାତ୍ର ୪୬ ପ୍ରତିଶତ ସଂଗ୍ରହ କରିବାକୁ ସମର୍ଥ ହୋଇଛି । କ୍ରମାଗତଭାବେ ଦ୍ବିତୀୟ ବର୍ଷ ପାଇଁ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ପାଣ୍ଠି ତୁଳନାରେ ୫୦ ପ୍ରତିଶତରୁ କମ୍‌ ଅର୍ଥ ଯୋଗାଡ଼ ହୋଇପାରିଛି ବୋଲି ଜାତିସଂଘ ତଥ୍ୟରୁ ଜଣାଯାଇଛି। ପାଣ୍ଠି ‌ମିଳିବା କମିବା ନେଇ ଆକଳନ କରାଯାଉଥିବାରୁ ସିରିଆରେ ଖାଦ୍ୟ ଯୋଗାଣକୁ ଚଳିତବର୍ଷ ପ୍ରାୟ ୧୦ ଲକ୍ଷ ଲୋକରେ ସୀମିତ ରଖାଯିବ ବୋଲି ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫ୍‌ପି)ର ସହାୟକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ସହଭାଗିତା ଓ ସମ୍ବଳ ସଂଗ୍ରହ) ରାନିଆ ଡାଗାଶ କାମାରା କହିଛନ୍ତି।

ଜାତିସଂଘର ଏକ ପ୍ରମୁଖ ଦାତା ଦେଶ ଜର୍ମାନୀ ୨୦୨୩ରୁ ୨୦୨୪ ମଧ୍ୟରେ ପ୍ରାୟ ୫୦୦ ନିୟୁତ ଡଲାର ସହାୟତା ହ୍ରାସ କରିସାରିଛି। ଦେଶର କ୍ୟାବିନେଟ୍ ୨୦୨୫ରେ ଆଉ ୧ ବିଲିଅନ ଡଲାର ସହାୟତା କମାଇବା ପାଇଁ ନିଷ୍ପତ୍ତି ନେଇଛି। ବିଶ୍ବରେ କ୍ଷୁଧାକୁ ରୋକିବାରେ ଆମେରିକାର ପ୍ରମୁଖ ଭୂମିକା ରହିଥାଏ। ଗତ ୫ ବର୍ଷ ମଧ୍ୟରେ ଆମେରିକା ଏଥିପାଇଁ ୬୪.୫ ବିଲିଅନ ଡଲାରର ସହାୟତା ପ୍ରଦାନ କରିଛି। ଜାତିସଂଘ ଏ ବାବଦରେ ପାଉଥିବା ମୋଟ ସହାୟତାର ଏହା ପ୍ରାୟ ୩୮ ପ୍ରତିଶତ। ଅଧିକାଂଶ ସହାୟତା ମୁଖ୍ୟତଃ ତିନିଟି ସ୍ଥାନରୁ ଆସିଥାଏ। ସେଗୁଡ଼ିକ ହେଲା ଆମେରିକା, ଜର୍ମାନୀ ଏବଂ ୟୁରୋପୀୟ କମିସନ। ୨୦୨୦ରୁ ୨୦୨୪ ମଧ୍ୟରେ ଜାତିସଂଘର ୧୭୦ ବିଲିଅନ ଡଲାର ମଧ୍ୟରୁ ଏମାନେ ପ୍ରାୟ ୫୮ ପ୍ରତିଶତ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଜାତିସଂଘର ଏ ବାବଦ‌ ମୋଟ ରାଶିରେ ଚୀନ, ରୁଷ୍ ଏବଂ ଭାରତ ଭଳି ବଡ଼ ଅର୍ଥନୀତିର ଯୋଗଦାନ ୧ ପ୍ରତିଶତରୁ କମ୍‌। ର‌ଏଟର୍ସ ପକ୍ଷରୁ କୁହାଯାଇଛି ଯେ ୨୦୨୩ରେ ବିଶ୍ବର ଦ୍ବତୀୟ ବୃହତ୍ ଅର୍ଥନୀତି ଚୀନ ୨୦୨୩ରେ ୧୧.୫ ନିୟୁତ ଡଲାରର ସହାୟତା ଯୋଗାଇ ୩୨ତମ ସ୍ଥାନରେ ଥିଲା। ସେହିଭଳି ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି ଭାରତ ୨୦୨୩ରେ ୬.୪ ନିୟୁତ ଡଲାର ସହାୟତା ପ୍ରଦାନ କରି ୩୫ତମ ସ୍ଥାନରେ ରହିଥିଲା।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.