Breaking News

ଭୋଟ ପାଇଁ ସାଲେପୁରର ବଣ୍ଟା ଯାଉଥିଲା ନକଲି ଭତ୍ତା

ନିର୍ବାଚନ ସମୟରେ ସାଲେପୁର ନିର୍ବାଚନ ମଣ୍ଡଳୀରେ ଦିଆଯାଉଥିଲା ନକଲି ଭତ୍ତା। ନିର୍ବାଚନ ପୂର୍ବରୁ ୨/୩ ମାସ ଲୋକଙ୍କୁ ଭତ୍ତା ଦେଇ ପରେ ତାହାକୁ ବନ୍ଦ କରି ଦିଆଯାଇଥିବା ଭଳି ସଙ୍ଗିନ ଅଭିଯୋଗ ସାମନାକୁ ଆସିଛି।

ସାଲେପୁର: ନିର୍ବାଚନ ସମୟରେ ସାଲେପୁର ନିର୍ବାଚନ ମଣ୍ଡଳୀରେ ଦିଆଯାଉଥିଲା ନକଲି ଭତ୍ତା। ନିର୍ବାଚନ ପୂର୍ବରୁ ୨/୩ ମାସ ଲୋକଙ୍କୁ ଭତ୍ତା ଦେଇ ପରେ ତାହାକୁ ବନ୍ଦ କରି ଦିଆଯାଇଥିବା ଭଳି ସଙ୍ଗିନ ଅଭିଯୋଗ ସାମନାକୁ ଆସିଛି। ସାଲେପୁର ବ୍ଲକ୍‌ କଟରପା ପଞ୍ଚାୟତର ଜାଗୁଳାଇପଡ଼ା ଗ୍ରାମରେ ଭୋଟ ହାତେଇବାକୁ କିଛି ବୃଦ୍ଧବୃଦ୍ଧାଙ୍କୁ ଏଭଳି ନକଲି ଭତ୍ତା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଜାଗୁଳାଇପଡ଼ା ଗ୍ରାମର ସରୋଜିନୀ ବେହେରା, ମନୋରମା ଜେନା, ଅନାମ ଭୋଇ, ବୃନ୍ଦାବନ ବେହେରା ପ୍ରମୁଖଙ୍କୁ ନିର୍ବାଚନ ସମୟରେ ଭତ୍ତା ଦେଇ ପରେ ବନ୍ଦ କରି ଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ନିର୍ବାଚନ ପରଠାରୁ ଏଯାଏ ସେମାନଙ୍କୁ ଆଉ ଭତ୍ତା ଦିଆ ଯାଉନାହିଁ। ଏହି ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରି ବ୍ଳକ୍‌ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କିନ୍ତୁ ସେମାନଙ୍କ ଅଭିଯୋଗ ପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି। ଭୋଟ ପାଇଁ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ଲୋଭ ଦେଖାଇ ଏକପ୍ରକାର ଠକେଇ ହୋଇଥିବା କୁହାଯାଉଛି। କିନ୍ତୁ ଏମାନଙ୍କୁ କିଏ ଭତ୍ତା ଦେଇଥିଲା, ତାହା ଏଯାଏ ସ୍ପଷ୍ଟ ହୋଇ ପାରୁନାହିଁ। ନକଲି ବହି ଦିଆଯାଇ ସେମାନଙ୍କୁ କେବଳ ୩ ମାସର ଭତ୍ତା ଦିଆଯାଇଛି।

ନିର୍ବାଚନ ପରଠୁ ଭତ୍ତା ବନ୍ଦ; ହିତାଧିକାରୀ ଦୌଡ଼ି ଦୌଡ଼ି ନୟାନ୍ତ

ପଞ୍ଚାୟତ ପକ୍ଷରୁ ଏଭଳି ଭତ୍ତା ଦିଆଯାଇ ନାହିଁ ବୋଲି କହିଛନ୍ତି କଟରପା ସରପଞ୍ଚ ରଞ୍ଜନ ମଲ୍ଲିକ। ଯେଉଁ ପ୍ରକୃତ ହିତାଧିକାରୀମାନେ ଭତ୍ତାରୁ ବଞ୍ଚିତ ଅଛନ୍ତି, ଖୁବଶୀଘ୍ର ସେମାନଙ୍କୁ ପ୍ରଶାସନ ପକ୍ଷରୁ ଭତ୍ତା ଦେବାକୁ ଉଦ୍ୟମ ଚାଲିଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ଅନ୍ୟପଟେ ସାଲେପୁର ବିଡିଓ ଖଗେଶ୍ବର ପାତ୍ର କହିଛନ୍ତି ଯେ ଏଭଳି ଅଭିଯୋଗର ତଦନ୍ତ ଚାଲିଛି। ବଞ୍ଚିତ ଯୋଗ୍ୟ ହିତାଧିକାରୀମାନଙ୍କୁ ଖୁବ୍ ଶୀଘ୍ର ଭତ୍ତା ପ୍ରଦାନ କରାଯିବ। ‌କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ସାଲେପୁର ଅଞ୍ଚଳରେ ଏଭଳି ଢଙ୍ଗରେ ନିର୍ବାଚନ ସମୟରେ କେତେ ଲୋକଙ୍କୁ ନକଲି ଭତ୍ତା ଦିଆଯାଇଛି, ତାହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.