Breaking News

ମଣିପୁରରେ ପୁଣି ତେଜୁଛି ଜାତିଗତ ହିଂସା, ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀ ପହଞ୍ଚିଲା

ମଣିପୁରରେ ଦୀର୍ଘ ଦିନ ଧରି ଚାଲିଥିବା ଜାତିଗତ ହିଂସା ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆର୍‌ପିଏଫ୍‌) ବିରୋଧରେ ବିପଦ ବଢ଼ୁଥିବାରୁ କେନ୍ଦ୍ର ସରକାର ୨୦ଟି ଅତିରିକ୍ତ ଅର୍ଦ୍ଧସାମରିକ କମ୍ପାନି ବା ପାଖାପାଖି ୨୫୦୦ ଯବାନଙ୍କୁ ମଣିପୁର ପଠାଇଛନ୍ତି।

0

ଇମ୍ଫାଲ: ମଣିପୁରରେ ଦୀର୍ଘ ଦିନ ଧରି ଚାଲିଥିବା ଜାତିଗତ ହିଂସା ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆର୍‌ପିଏଫ୍‌) ବିରୋଧରେ ବିପଦ ବଢ଼ୁଥିବାରୁ କେନ୍ଦ୍ର ସରକାର ୨୦ଟି ଅତିରିକ୍ତ ଅର୍ଦ୍ଧସାମରିକ କମ୍ପାନି ବା ପାଖାପାଖି ୨୫୦୦ ଯବାନଙ୍କୁ ମଣିପୁର ପଠାଇଛନ୍ତି। ସେଥି ମଧ୍ୟରୁ ୧୫ଟି ସିଆର୍‌ପିଏଫ୍‌ ଏବଂ ୫ଟି ବିଏସ୍‌ଏଫ୍‌ (ସୀମା ସୁରକ୍ଷା ବଳ)ର। ସେମାନଙ୍କୁ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯିବ। ତେଣେ ମଣିପୁରରେ ହିଂସାକାଣ୍ଡ ବୃଦ୍ଧି ନେଇ ମଙ୍ଗଳବାର ସନ୍ଧ୍ୟା ୬ଟାରେ ୧୩ଟି ନାଗରିକ ସଂଗଠନ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯିବା ପରେ ବୁଧବାର ସକାଳେ ଜିଲ୍ଲାଗୁଡିକୁ ଜନଶୂନ୍ୟ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଗତ ଶୁକ୍ରବାରଠାରୁ ରାଜ୍ୟରେ ବଢ଼ୁଥିବା ହିଂସାକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ନିଷ୍କ୍ରିୟତା ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଇଥିଲା।

ମଣିପୁରର ଜିରିବାମ ଜିଲ୍ଲାରେ ମଙ୍ଗଳବାର ସୁରକ୍ଷା ବାହିନୀ ସହ ଏନ୍‌କାଉଣ୍ଟରରେ ୧୦ ଜଣ ସନ୍ଦିଗ୍ଧ ସଶସ୍ତ୍ର ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକଙ୍କ ମୃତଦେହ ମିଳିଥିଲା। ଏଥି ସହ ୩ ଜଣ ଶିଶୁଙ୍କ ସମେତ ଅନ୍ୟ ୬ ଜଣ ନିଖୋଜ ଥିବା ଦେଖିବାକୁ ମିଳିଛି। ସୋମବାର ଆତଙ୍କବାଦୀମାନେ ବିସ୍ଥାପିତ ମୈତେୟୀ ମହିଳା, ତାଙ୍କ ଦୁଇ ଝିଅ ଓ ତିନି ନାତିନାତୁଣୀଙ୍କୁ ଅପହରଣ କରି ନେଇଥିଲେ। ଗତବର୍ଷ ମୈତେୟୀ ଓ କୁକି ଗୋଷ୍ଠୀ ମଧ୍ୟରେ ଜାତିଗତ ସଂଘର୍ଷ ଆରମ୍ଭ ହେବା ପରଠାରୁ ବିସ୍ଥାପିତ ହୋଇଥିବା ୫୦,୦୦୦ ଲୋକଙ୍କ ମଧ୍ୟରେ ଏହି ୬ ଜଣ ଅଛନ୍ତି। ମଣିପୁରର ରାଜ୍ୟସଭା ସଦସ୍ୟ ସାନାଜାଓବା ଲିସେମ୍ବା ବୁଧବାର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହସ୍ତକ୍ଷେପ କରି ଉକ୍ତ ୬ଜଣଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି।

ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀ ପହଞ୍ଚିଲା
ନାଗରିକ ସଂଗଠନ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ପାଳନ

ଆସାମ ସୀମାବର୍ତ୍ତୀ ଜିରିବାମ ଜିଲ୍ଲାରେ ମୈତେୟୀ ଉଗ୍ରବାଦୀ ସଙ୍ଗଠନ ଆରାମବାଇ ତେଙ୍ଗଗୋଲର ଜଣେ ସଦସ୍ୟ ଗତ ଗୁରୁବାର ଜଣେ ହମାର ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ବିସ୍ଥାପିତ ମୈତେୟୀମାନେ ଆଶ୍ରୟ ନେଇଥିବା ସିଆର୍‌ପିଏଫ୍‌ ପୋଷ୍ଟ ଓ ଏକ ପୋଲିସ ଷ୍ଟେସନ ଉପରେ ସଶସ୍ତ୍ର ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ସୁରକ୍ଷାବଳଙ୍କ ଆକ୍ରମଣରେ ୧୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ମୃତ୍ୟୁବରଣ କରିଥିବା ଲୋକମାନେ ସଶସ୍ତ୍ର ଗ୍ରାମ ସ୍ୱେଚ୍ଛାସେବୀ ବୋଲି ହମାର ଓ କୁକି ଗୋଷ୍ଠୀ ଦାବି କରିଥିବା ବେଳେ ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଗୁରୁବାରଠାରୁ ମୈତେୟୀ ଓ କୁକି ସଶସ୍ତ୍ର ଆତଙ୍କବାଦୀଙ୍କ ମଧ୍ୟରେ ୪ ଥର ଗୁଳି ବିନିମୟ ହୋଇଛି। ସୋମବାର ଆତଙ୍କବାଦୀମାନେ ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲେ। ଆକ୍ରମଣ ସ୍ଥଳରୁ ସେନା ଅନେକ ରକେଟ୍ ଜବତ କରିଛି। କୁକି ଛାତ୍ର ସଂଗଠନ ମଙ୍ଗଳବାର ଏକ ବିବୃତି ଜାରି କରି ଆଦିବାସୀମାନଙ୍କୁ ସିଆର୍‌ପିଏଫ୍‌କୁ ସହଯୋଗ ନ କରିବାକୁ କହିଛି। ରାଜ୍ୟରୁ ସିଆର୍‌ପିଏଫ୍‌କୁ ହଟାଇବା ଦାବିରେ ମଙ୍ଗଳବାର କାଙ୍ଗପୋକପି ଭଳି ପାହାଡ଼ିଆ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେହିଦିନ ବରିଷ୍ଠ ସୁରକ୍ଷା ଅଧିକାରୀମାନେ ବୈଠକ କରି ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.