Breaking News

ମଣିମହେଶ ସରୋବର

ହିମାଚଳ ପ୍ରଦେଶର ଚମ୍ବା ଜିଲାରେ ସମୁଦ୍ରପତ୍ତନଠାରୁ ପ୍ରାୟ ୪୦୮୦ ମିଟର ଉଚ୍ଚ ମଣି ମହେଶ ପର୍ବତର ପାଦଦେଶରେ ମଣି ମହେଶ ସରୋବର ଅବସ୍ଥିତ। ଏହାକୁ ଦ୍ବିତୀୟ ମାନସରୋବର କୁହାଯାଇଥାଏ। କାରଣ, ଦେବଦେବ ମହାଦେବଙ୍କର ନିତ୍ୟ...

ହିମାଚଳ ପ୍ରଦେଶର ଚମ୍ବା ଜିଲାରେ ସମୁଦ୍ରପତ୍ତନଠାରୁ ପ୍ରାୟ ୪୦୮୦ ମିଟର ଉଚ୍ଚ ମଣି ମହେଶ ପର୍ବତର ପାଦଦେଶରେ ମଣି ମହେଶ ସରୋବର ଅବସ୍ଥିତ। ଏହାକୁ ଦ୍ବିତୀୟ ମାନସରୋବର କୁହାଯାଇଥାଏ। କାରଣ, ଦେବଦେବ ମହାଦେବଙ୍କର ନିତ୍ୟ ବାସସ୍ଥାନ କୈଳାସର ପ୍ରତିବିମ୍ବ ମାନ ସରୋବର ଧାରଣ କରି ଥିବାରୁ ଏହାକୁ ପବିତ୍ରତମ ସରୋବରର ମାନ୍ୟତା ପ୍ରଦାନ କରାଯାଇଥାଏ। ସେହିପରି ପଞ୍ଚକୈଳାସ ମଧ୍ୟରୁ ଦ୍ବିତୀୟକୈଳାସ ମଣିମହେଶ କୈଳାସ ଯେ ସଂପୂର୍ଣ୍ଣ ମୁକୁଟ ମଣ୍ଡିତ ଲିଙ୍ଗରାଜସ୍ବରୂପ ପ୍ରତୀୟମାନ ତାର ପ୍ରତିବିମ୍ବ ମଣି ମହେଶ ସରୋବର ଧାରଣ କରିଥିବାରୁ ଏହାକୁ ଦ୍ବିତୀୟ ମାନ ସରୋବର କୁହାଯାଏ। ଏହି ସରୋବରରେ ଶୁଚିସ୍ନିଗ୍ଧ ଜଳରାଶି ସଂପର୍କରେ କେତେକ କିଂବଦନ୍ତି ପ୍ରଚଳିତ। କୁହାଯାଏ ଏହି ସରୋବରର ଜଳରାଶି ମହାଦେବଙ୍କ ଜଟାରୁ ନିଃସୃତ ହୋଇ ସୃଷ୍ଟି ହୋଇଛି। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ପାର୍ବତ୍ୟ ଅଞ୍ଚଳରେ ବାସ କରୁଥିବା ଗଡ଼ିଶ ବା ମେଷପାଳକମାନଙ୍କ ମଧ୍ୟରେ ଏକ ପ୍ରଚାରିତ କିଂବଦନ୍ତି ରହିଛି ଯେ ମହାଦେବ ଯେତେବେଳେ ମାତା ପାର୍ବତୀଙ୍କୁ ବିବାହ କଲେ ସେ ମଣିମହେଶରେ ରହିବା ପାଇଁ ମଣି ମହେଶ ପର୍ବତ ସୃଷ୍ଟି କଲେ ଏବଂ ସେଠାରେ ସେ ବ୍ରହ୍ମା ଓ ବିଷ୍ଣୁଙ୍କ ସହିତ ରହିଲେ।

ଝାଞ୍ଚୁ ନାମକ ଏକ ଝରଣା ବିଷ୍ଣୁଙ୍କର ବୈକୁଣ୍ଠରୁ ଝରିଆସି ମ‌ଣି ମହେଶ ପାଦତଳେ ଏକ ସରୋବର ସୃଷ୍ଟିକଲା। ସେଥିରେ ଶିବ ଓ ପାର୍ବତୀ ଉଭୟ ସ୍ନାନ କଲେ। ଏହି ସରୋବରର ବୈଶିଷ୍ଟ୍ୟ ହିଁ ଏହାର ପ୍ରମାଣ। ଏହି ସରୋବରର ବଡ଼ଅଂଶର ଜଳ ବରଫ ପରି ଥଣ୍ଡା, ଯାହାକୁ ଶିବ କାରୋଟ୍ରି କୁହାଯାଏ। ସେଠାରେ ଶିବ ସ୍ନାନ କରନ୍ତି। ସ‌େରାବର ଅନ୍ୟ ଏକ ଅଂଶ ଲତାପତ୍ରଦ୍ବାରା ଆଚ୍ଛାଦିତ। ତା’ର ଜଳ ପ୍ରାୟ ଉଷୁମ ତାକୁ ଗୌରୀ କୁଣ୍ଡ କୁହାଯାଏ। ସେଠାରେ ପାର୍ବତୀ ସ୍ନାନ କରନ୍ତି। ଆଜି ମଧ୍ୟ ଯେଉଁ ତୀର୍ଥଯାତ୍ରୀମାନେ ମଣିମହେଶ ସରୋବରକୁ ବୁଡ଼ ପକାଇବାକୁ ଯାଆନ୍ତି, ପୁରୁଷମାନେ ଶିବ କାରୋଟ୍ରିରେ ଓ ସ୍ତ୍ରୀଲୋକମାନେ ଗୌରୀକୁଣ୍ଡରେ ସ୍ନାନ କରିଥାନ୍ତି।

କଥିତ ଅଛି ମଣିମହେଶ ଶିବଙ୍କର ତପସ୍ୟାଭୂମି ହୋଇଥିବାରୁ ସେ ଏଠାରେ ମାତ୍ର ଛଅମାସ ରହନ୍ତି। ବାକି ଛଅମାସ ସେଠାରେ ବିଷ୍ଣୁ ବାସ କରନ୍ତି। ଭାଦ୍ରବ କୃଷ୍ଣ ଅଷ୍ଟମୀଠାରୁ ଭାଦ୍ରବ ଶୁକ୍ଳ ଅଷ୍ଟମୀ ଅର୍ଥାତ୍‌ କୃଷ୍ଣ ଜନ୍ମାଷ୍ଟମୀଠାରୁ ରାଧାଜନ୍ମାଷ୍ଟମୀ ପର୍ଯ୍ୟନ୍ତ ସେଠାରେ ବିରାଟ ମେଳାର ଆୟୋଜନ ହୁଏ। ଏହାକୁ ମଣି ମହେଶଯାତ୍ରା କହନ୍ତି। ଏହି ସମୟରେ ପ୍ରବାଦ ଅନୁସାରେ ବିଷ୍ଣୁ ସେଠାରେ ରହନ୍ତି ଏବଂ ସେହି ସମୟରେ ଶିବ ବ୍ରହ୍ମାଙ୍କ ବାସଭୂମି ଭରମୁରରେ ରହନ୍ତି। ପୁନଶ୍ଚ ଶିବରାତ୍ରି ଦିନ ଶିବ ସେଠାକୁ ଫେରି ଏଠାରେ ରହନ୍ତି ଓ ବିଷ୍ଣୁ ବୈକୁଣ୍ଠକୁ ଫେରିଯାଆନ୍ତି। ଗଡ଼ିଶମାନେ ମହା ସମାରୋହରେ ଶିବରାତ୍ରି ପାଳନ କରନ୍ତି। ସେମାନେ ଅତ୍ୟନ୍ତ ଶିବଭକ୍ତ। ମଣି ମହେଶ ସରୋବର ଆଖପାଖର ବନାନୀ ପରିବେ‌ଷ୍ଟିତ ଅଞ୍ଚଳକୁ ସେମାନେ ଶିବଭୂମି କହନ୍ତି। ଆଜି ପର୍ଯ୍ୟନ୍ତ କେହି ମଣିମହେଶ ଉପରକୁ ଯିବାକୁ ସମର୍ଥ ହୋଇ ନ ଥିବାରୁ ମଣିମ‌ହେଶ ସରୋବର ହିଁ ସମସ୍ତଙ୍କ ପାଇଁ କୈଳାସ। ସେଠାରେ ଶିବଙ୍କର ଏକ ବିଶାଳ ମାର୍ବଲ ମୂର୍ତ୍ତି ରହିଛି ଯାହାକୁ ଚଉମୁଖ କୁହନ୍ତି। ସେହିପରି ସରୋବରର ତୀରଦେଶରେ ଶିଖର ଶୈଳୀରେ ନିର୍ମିତ ଏକ ମନ୍ଦିର ରହିଛି, ଯେଉଁଥିରେ ମହାଲକ୍ଷ୍ମୀ ମହିଷାସୁରମର୍ଦ୍ଦିନୀ ଭାବରେ ପୂଜିତ।

ସୌଜନ୍ୟ-ସମ୍ୱାଦ

Comments are closed.