Breaking News

ମଣ୍ଡଳ ସଭାପତିରୁ କେନ୍ଦ୍ର ମନ୍ତ୍ରୀ: ରାଜ୍ୟ ବିଜେପିର ମୂଳଦୁଆ ଦୃଢ଼ କରିବାରେ ଥିଲା ବଡ଼ ଭୂମିକା

ଓଡ଼ିଶାରେ ବିଜେପିର ମୂଳଦୁଆ ପକାଇବାରେ ଯେଉଁ କେତେ ଜଣ ହାତଗଣତି ଜନନେତା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ, ତାଙ୍କ ମଧ୍ୟରେ ଥିଲେ ଦେବେନ୍ଦ୍ର ପ୍ରଧାନ। ମଣ୍ଡଳ ସଭାପତି ପରି ତୃଣମୂଳ ସ୍ତରରୁ କାର୍ଯ୍ୟ କରି ସେ କେନ୍ଦ୍ର ମନ୍ତ୍ରୀ ହେବା ସହ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇପାରିଥିଲେ।

ଭୁବନେଶ୍ବର: ଓଡ଼ିଶାରେ ବିଜେପିର ମୂଳଦୁଆ ପକାଇବାରେ ଯେଉଁ କେତେ ଜଣ ହାତଗଣତି ଜନନେତା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ, ତାଙ୍କ ମଧ୍ୟରେ ଥିଲେ ଦେବେନ୍ଦ୍ର ପ୍ରଧାନ। ମଣ୍ଡଳ ସଭାପତି ପରି ତୃଣମୂଳ ସ୍ତରରୁ କାର୍ଯ୍ୟ କରି ସେ କେନ୍ଦ୍ର ମନ୍ତ୍ରୀ ହେବା ସହ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇପାରିଥିଲେ। ଜୀବନର ‌ଶେଷ ପର୍ଯ୍ୟାୟରେ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ ମଧ୍ୟ ଓଡ଼ିଶା ବିଜେପି ପ୍ରତି ତାଙ୍କ ଅବଦାନକୁ ଦଳୀୟ ନେତାମାନେ ମୁକ୍ତ କଣ୍ଠରେ ସ୍ବୀକାର କରିଛନ୍ତି।

ଡାକ୍ତରୀ ପେସାରେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିବା ସ୍ବର୍ଗତ ପ୍ରଧାନ ଅଧିକ ଦିନ ସରକାରୀ ଚାକିରିରେ ରହିପାରି ନଥିଲେ। ବିଜେପି ଗଠନ ହେଲା ପରେ ସେ ସେହି ଦଳରୁ ହିଁ ୧୯୮୦ ମସିହାରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମେ ମଣ୍ଡଳ ସଭାପତି ଭାବେ କାର୍ଯ୍ୟ କରି ପରେ ଢେଙ୍କାନାଳ ଜିଲ୍ଲା ସଭାପତି ହୋଇଥିଲେ। ନିଜର ସାଂଗଠନିକ ଦକ୍ଷତା ବଳରେ ବିଜେପି ସଂଗଠନରେ ନିଜର ପ୍ରଭାବ ଜାହିର କରିବାକୁ ସକ୍ଷମ ହୋଇଥିଲେ। ସେ ତିନି ତିନି ଥର ବିଜେପିର ରାଜ୍ୟ ସଭାପତି ହୋଇଥିଲେ। ସେହି ସମୟରେ ବିଜେପିର ସାଂଗଠନିକ ଶକ୍ତି ସେତେଟା ନଥିଲା ବେଳେ ଶ୍ରୀ ପ୍ରଧାନ କଠୋର ପରିଶ୍ରମ କରି ସଂଗଠନକୁ ଚଳଚଞ୍ଚଳ କରି ରଖିଥିଲେ। ଘରେ ଘରେ ବିଜେପିର ନୀତି, ଆଦର୍ଶକ ପହଞ୍ଚାଇବା ପାଇଁ ସେ ସାରା ଓଡ଼ିଶା ବୁଲିଥିଲେ। ତାଙ୍କର ବ୍ୟକ୍ତିତ୍ବ ଓ ଦଳ ପ୍ରତି ନିଷ୍ଠା ଅନ୍ୟ ନେତା ଓ କର୍ମୀଙ୍କ ପାଇଁ ପ୍ରେରଣା ସାଜିଥିଲା। ପରବର୍ତ୍ତୀ ସମୟରେ ସେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଥିଲେ।

୧୯୯୮ ମସିହାରେ ସ୍ବର୍ଗତ ପ୍ରଧାନ ପ୍ରଥମ ଥର ପାଇଁ ଦେବଗଡ଼ରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହେଲା ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଭୂପୃଷ୍ଠ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ବ ପାଇଥିଲେ। ୧୯୯୯ ମସିହାରେ ସେ ପୁନର୍ବାର ନିର୍ବାଚିତ ହେବା ସହ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ପୁଣି ସାମିଲ ହୋଇଥିଲେ। ବାଜପେୟୀଙ୍କ ସମୟରେ ସାରା ଦେଶରେ ଜାତୀୟ ରାଜପଥ ଭିତ୍ତିଭୂମିର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ଶ୍ରୀ ପ୍ରଧାନ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଓଡ଼ିଶାରେ ମଧ୍ୟ ସେହି ସମୟରେ ଚାରି ଥାକିଆ ଜାତୀୟ ରାଜପଥ କାମ ଆରମ୍ଭ ହୋଇଥିଲା।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.