Breaking News

ମଣ୍ଡିରୁ କିଣାଗଲାନ, ୫୦୦ କ୍ୱିଣ୍ଟାଲ ଓଦା ଧାନ ଫେରାଇନେଲେ ଚାଷୀ

କୋଷାଗୁମୁଡ଼ା,୨୭/୧୨ : ଚଳିତବର୍ଷ ଆରମ୍ଭରୁ ଅବ୍ୟବସ୍ଥାରେ ରହିଛି ଖରିଫ୍‌ମଣ୍ଡି । ଦୀର୍ଘ ୧୫ ଦିନ ପରେ ବି ଚାଷୀଙ୍କ ଗୁହାରି ଶୁଣିବାକୁ କେହିନାହାନ୍ତି। ମଣ୍ଡିକୁ ନା ମିଲର୍ସ ନା ଲ୍ୟାମ୍ପ୍‌ସ କର୍ମଚାରୀ ନା ଯୋଗାଣ ଅଧିକାରୀ କେହି ଆସୁନାହାନ୍ତି। ଗତ ୧୦ ତାରିଖ ଉଦ୍‌ଘାଟନ ଦିନରୁ ଚାଷୀ ମଣ୍ଡିକୁ ଆଣିଥିଲେ ଧାନ । ବହୁଦିନ ଧରି ଶୀତକାଳର ଖାଇଲା । ଏବେ ବର୍ଷାରେ ଭିଜିଲା । ଗଜା ହୋଇଯିବା ଏବଂ ବିକ୍ରି ନହେବା ଆଶଙ୍କା କରି ଆଜି ୧୦ଜଣ ଚାଷୀ ପ୍ରାୟ ୫ଶହ କୁଇଣ୍ଟାଲ ଧାନ ଘରକୁ ଫେରାଇ ନେଇଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ଲ୍ୟାମ୍ପ୍‌ସ ଅଧୀନ କୋଟାଗାଁ ମଣ୍ଡିରେ।

ଚାଷୀଙ୍କ କହିବାନୁଯାୟୀ, ପୂର୍ବରୁ ଯେପରି କଟନିଛଟ୍‌ନି ହେଉଥିଲା ଏବେ ମଧ୍ୟ ତାହା ହେଉଛି । କୋଟାଗାଁ ମଣ୍ଡିରେ ପ୍ରତି ମଙ୍ଗଳବାର ଓ ବୁଧବାର ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ ହୋଇଛି । ଏଠାରେ ମୋତିଗାଁ, ଏମ୍‌.କେରାଗାଁ, ବାଲେଙ୍ଗା, ତାରାଗାଁ ପଞ୍ଚାୟତର ଚାଷୀମାନେ ଧାନବିକ୍ରି ପାଇଁ ସ୍ଥିର ହୋଇଛି । କୋଡିଙ୍ଗା ଲ୍ୟାମ୍ପ୍‌ସ ପରିଚାଳନାରେ ଚାଲିଥିବା ଏହି ମଣ୍ଡିରେ ନାନା ଅବ୍ୟବସ୍ଥା ଲାଗିରହିଛି । ଏବେ ଲଘୁଚାପ ବର୍ଷାରେ ମଣ୍ଡିରେ ଥିବା ପ୍ରାୟ ୬ ହଜାର କୁଇଣ୍ଟାଲ ଧାନ ଭିଜିଯାଇଛି । ଏହା ଗଜା ହୋଇ ନଷ୍ଟ ହେବା ଆଶଙ୍କା ଥିବାରୁ ଆଜି ବାଲେଙ୍ଗା ଚାଷୀ ଦୁର୍ଜନ ମିର୍ଗାନ (୭୫ କୁଇଣ୍ଟାଲ), ବଦାଗୁଡ଼ାର ହରିବନ୍ଧୁ ଭତରା(୨୬ କୁଇଣ୍ଟାଲ), ଜଟିଆଗୁଡାର ଲକ୍ଷ୍ମୀଧର ନାୟକ (୩୦କୁଇଣ୍ଟାଲ), ବରଗାଁର ମୋତିରାମ ଭତରା (୧୦୦କୁଇଣ୍ଟାଲ), ଜଟିଆଗୁଡାର ପଦ୍ମନ ନାୟକ (୩୦କୁଇଣ୍ଟାଲ), ଶୁଣ୍ଢିଗୁଡାର ପଦଲାମ ଭତରା(୫୦କୁଇଣ୍ଟାଲ), ଡକ୍ରିଭଟ୍ଟାର ହରି ମାଳୀ(୧୦୦କୁଇଣ୍ଟାଲ)ଓ ଅନ୍ୟ ଚାଷୀମାନେ ବିକ୍ରି ନକରି ଧାନବସ୍ତା ଘରକୁ ଫେରାଇ ନେଇଛନ୍ତି।

ସେମାନେ କହିଛନ୍ତି, ମଣ୍ଡିରେ ଚାଷୀଙ୍କ ସୁବିଧା ଅସୁବିଧା ପାଇଁ ବିଭାଗୀୟ ଅଧିକାରୀ ନାହାନ୍ତି । ଧାନର ମାନ ଯାଞ୍ଚ ଆଳରେ କଟ୍‌ନିଛଟ୍‌ନି ଚାଲିଛି । ଶୀଘ୍ର ଏହାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ । ଏ ସଂପର୍କରେ ଲ୍ୟାମ୍ପ୍‌ସ ଶାଖା ପରିଚାଳକ ସୁଶାନ୍ତ ଖାରାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ୍‌ ଉଠାଇ ନଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ । ଯୋଗାଣ ନିରୀକ୍ଷକ ମାନସରଞ୍ଜନ ଜେନା କହିଛନ୍ତି, ମଣ୍ଡିକୁ ଯାଇ ସ୍ଥିତି ତଦାରଖ କରିବେ । ଚାଷୀଙ୍କ ସହ ଆଲୋଚନାଚରି ଧାନ ଉଠାଇବା ଦିଗରେ ପଦେକ୍ଷପ ନେବେ ।

 

 

 

 

ସୌଜନ୍ୟ-ପ୍ରମେୟ

Comments are closed.