Breaking News

ମଧ୍ୟାହ୍ନଭୋଜନକୁ ଅଣ୍ଡା ବୋଝ: ଅଣ୍ଡା ଗୋଟା ୮ ଟଙ୍କା, ପିଲା ପିଛା ମିଳୁଛି ୫ ଟଙ୍କା

ମଧ୍ୟାହ୍ନ ଭେଜନରେ ଅଣ୍ଡା ଗୋଟାକୁ ରାଜ୍ୟ ସରକାର ୫ ଟଙ୍କା ଦେଉଛନ୍ତି। ମାତ୍ର ବଜାରରେ ଅଣ୍ଡା ପିଛା ଦର ଏବେ ୭ରୁ ୮ ଟଙ୍କା। ଯଦି ସେଥିରୁ ‌କିଛି ପଚା ବାହାରୁଛି ଅଡ଼ୁଆ ହେଉଛି। ସପ୍ତାହର ଯେଉଁ ଦୁଇ ଦିନ ବିଦ୍ୟାଳୟ...

ଭୁବନେଶ୍ବର: ମଧ୍ୟାହ୍ନ ଭେଜନରେ ଅଣ୍ଡା ଗୋଟାକୁ ରାଜ୍ୟ ସରକାର ୫ ଟଙ୍କା ଦେଉଛନ୍ତି। ମାତ୍ର ବଜାରରେ ଅଣ୍ଡା ପିଛା ଦର ଏବେ ୭ରୁ ୮ ଟଙ୍କା। ଯଦି ସେଥିରୁ ‌କିଛି ପଚା ବାହାରୁଛି ଅଡ଼ୁଆ ହେଉଛି। ସପ୍ତାହର ଯେଉଁ ଦୁଇ ଦିନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଇବାକୁ ଦିଆଯାଉଛି ତାହାର ବୋଝ, ପରିଚାଳନା ଦାୟିତ୍ବରେ ଥିବା ଶିକ୍ଷକଙ୍କ ଉପରେ ପଡ଼ୁଛି। ପିଲା ପିଛା ଗୋଟାଏ ଅଣ୍ଡା ଦେବାକୁ ପଇସା ଅଣ୍ଟୁନି। ତେଣୁ ବାଧ୍ୟ ହୋଇ କେତେକ ବିଦ୍ୟାଳୟରେ ଫାଳେ ଅଣ୍ଡାରେ ପିଲାଙ୍କୁ ସନ୍ତୁଷ୍ଟ କରିବାକୁ ପଡ଼ୁଛି। ଆଉ କିଛି ବିଦ୍ୟାଳୟ ଉପସ୍ଥାନ ଅଧିକ ଦେଖାଇ ଅଣ୍ଡା ବାବଦରେ ପଇସା ଆଣୁଛନ୍ତି। ଏଭଳି ସ୍ଥିତି କୌଣସି ଉପାନ୍ତ କିମ୍ବା ଅପହଞ୍ଚ ଅଞ୍ଚଳର ନୁହେଁ। ବରଂ ରାଜଧାନୀର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ଏବେ ଏମିତି ଅଣ୍ଡା ବୋଝ ପଡ଼ୁଛି। ନଭେମ୍ବର ମାସରେ ରାଜ୍ୟ ସରକାର ମଧ୍ୟାହ୍ନଭୋଜନ ଦର ବୃଦ୍ଧି କରିଥିଲେ ମଧ୍ୟ ତାହାର କୌଣସି ସୁଫଳ ରାଜଧାନୀର ବିଦ୍ୟାଳୟଗୁଡ଼ିକ ଉପରେ ପଡ଼ିନାହିଁ। ପୂର୍ବରୁ ଧାର୍ଯ୍ୟ ହୋଇଥିବା ଅର୍ଥ ହିଁ ଏବେ ମିଳୁଛି। ଯେଉଁଥିରେ ପିଲାଙ୍କୁ ସପ୍ତାହକୁ ଦୁଇଥର ଅଣ୍ଡା ସିଝେଇ ଦେବା ସମ୍ଭବପର ହେଉ ନ ଥିବା ଅଭିଯୋଗ ଉଠିଲାଣି।

ଅଣ୍ଡା ଗୋଟା ୮ ଟଙ୍କା, ପିଲା ପିଛା ମିଳୁଛି ୫ ଟଙ୍କା
କେଉଁଠି ଫାଳେ ତ ଆଉ କେଉଁଠି ଜାଲିଆତି ହେଉଛି
କହି କହି ଥକିଗଲେଣି ପ୍ରଧାନଶିକ୍ଷକ, କେହି ଶୁଣୁନାହାନ୍ତି

ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରୁଥିବା ପିଲାଙ୍କ ପିଛା ୭ଟଙ୍କା ୬୪ ପଇସା ଓ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟାହ୍ନଭୋଜନ ବାବଦରେ ୧୦ ଟଙ୍କା ୯୪ ପଇସା ପ୍ରଦାନ କରାଯାଉଛି। ଏହାବ୍ୟତୀତ ସରକାରଙ୍କ ପକ୍ଷରୁ ମାଗଣାରେ ଚାଉଳ ଯୋଗାଣ ହେଉଛି। ତେବେ ଭୁବନେଶ୍ବର ସହରରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ଖାଦ୍ୟ ଯୋଗାଣ ହେଉଛି। ଫାଉଣ୍ଡେସନ ପକ୍ଷରୁ ପିଲାଙ୍କୁ ନିରାମିଷ ଖାଦ୍ୟ ଦିଆଯାଉଛି। ତେବେ ସରକାରଙ୍କ ନିୟମ ଅନୁଯାୟୀ ସପ୍ତାହରେ ଦୁଇଦିନ ପିଲାମାନଙ୍କୁ ଅଣ୍ଡା ଦିଆଯିବା ବାଧ୍ୟତାମୂଳକ। ସେହି ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପିଲାଙ୍କ ବାବଦରେ ମୋଟ ଅର୍ଥ ଅକ୍ଷୟ ପାତ୍ର ଫାଉଣ୍ଡେସନକୁ ଦିଆଯାଉଛି। ଏହାପରେ ଫାଉଣ୍ଡେସନ ପକ୍ଷରୁ ପିଲାଙ୍କ ପିଛା ୫ଟଙ୍କା ଲେଖାଏ ହିସାବରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ହେଉଛି। ସେହି ଅର୍ଥରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବଜାରରୁ ଅଣ୍ଡା କିଣିବା ସହ ତାହାକୁ ସିଝାଇ ପିଲାଙ୍କୁ ଖାଇବାକୁ ଦେଉଛନ୍ତି। ଅକ୍ଷୟପାତ୍ର ଫାଉଣ୍ଡେସନ ଦେଉଥିବା ଖାଦ୍ୟ ବ୍ୟତୀତ ଅଣ୍ଡା ଅଲଗା ପରଷା ଯାଉଛି। ତେବେ ବଜାରରେ ଅଣ୍ଡା ଦର ବଢ଼ିଥିଲେ ମଧ୍ୟ ପୂର୍ବଭଳି ୫ ଟଙ୍କା ଲେଖାଏ ଦିଆଯାଉଥିବାରୁ ବିଦ୍ୟାଳୟ ପ୍ରଧାନଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭିନ୍ନ ବୈଠକରେ ଏନେଇ ସ୍ବର ଉଠାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି।

କେତେଜଣ ପ୍ରଧାନଶିକ୍ଷକଙ୍କ କହିବା କଥା ହେଉଛି ଯେ ଅଣ୍ଡା ଦର ବୃଦ୍ଧି ମଧ୍ୟାହ୍ନଭୋଜନକୁ ବାଧୁଛି। କୋଭିଡ୍‌ ପୂର୍ବରୁ ଯେଉଁଠି ଅଣ୍ଡା ଗୋଟା ୪ରୁ ୫ ଟଙ୍କାରେ ମିଳୁଥିଲା ତାହା ଏବେ ୭ରୁ ୮ ଟଙ୍କାରେ ପହଞ୍ଚିଲାଣି। ହୋଲସେଲ୍‌ ବଜାରରେ ‌ଅଣ୍ଡା ଟ୍ରେର ମୂଲ୍ୟ ଯେତିକି ରହିଛି ଖୁଚୁରା ବଜାରରୁ କିଣିଲେ ତାହାର ରେଟ୍‌ ଅଧିକ। ବିଦ୍ୟାଳୟରେ କମ୍‌ ପିଲା ଥିବାରୁ ଅଣ୍ଡା ଟ୍ରେ ବଦଳରେ ଖୁଚୁରା ବଜାରରୁ ଅଣ୍ଡା ଆଣୁଛୁ। ଗୋଟା ଅଣ୍ଡା କେଉଁଟି ୭ ଟଙ୍କା ୫୦ ତ ଆଉ କେଉଁଠି ୮ ଟଙ୍କାରେ କିଣିବାକୁ ପଡ଼ୁଛି। ପିଲା ପିଛା ଆମକୁ ୫ ଟଙ୍କା ମିଳୁଥିବା ବେଳେ କିଭଳି ୮ ଟଙ୍କା ଦେଇ କିଣିବୁ ତାହା ଜାଣିପାରୁ ନାହୁଁ। ଅଣ୍ଡା ଆଣିଲେ ବି ତାହାକୁ ସିଝାଇବାକୁ ଗ୍ୟାସର ଆବଶ୍ୟକତା ରହିଛି। ଏବାବଦରେ କୌଣସି ଅର୍ଥ ମିଳୁନାହିଁ। ଯଦି ସିଝା ଅଣ୍ଡା ବଜାରରୁ ଆଣିବାକୁ ହେଉଛି ତାହା ହେଲେ କଥା ସରିଲା। ଗୋଟାଏ ଅଣ୍ଡାକୁ ୧୦ ଟଙ୍କା ଲେଖାଏ ଗଣିବାକୁ ପଡ଼ୁଛି। ରାଜ୍ୟ ସରକାର ଏବିଷୟରେ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ୨୦୧୮ ବିଜ୍ଞପ୍ତି ଅନୁଯାୟୀ ପିଲାଙ୍କ ପିଛ‌ା ୫ ଟଙ୍କାର ବ୍ୟବସ୍ଥା ହୋଇଥିଲା। ୭ ବର୍ଷ ହେଲା କୌଣସି ସଂଶୋଧନ କରାଯାଇ ନାହିଁ। ସ୍କୁଲ ପରିଚାଳନାରେ ସମସ୍ୟା ହେଉଥିବା ନେଇ ଅଭିଯୋଗ ଆସିଛି। ବିଭିନ୍ନ ବୈଠକରେ ଏନେଇ ପ୍ରଧାନଶିକ୍ଷକମାନେ ଦାବି ମଧ୍ୟ କରିଛନ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.