Breaking News

‘ମନନ’ର ନାଟକ ମହୋତ୍ସବ ଉଦ୍‌ଯାପିତ: ଧର୍ମର ରକ୍ଷା ବଖାଣିଲା ‘ଅର୍ଦ୍ଧମାତ୍ରା’

ଅଶ୍ବମେଧ ଯଜ୍ଞରୁ ଆଶୀର୍ବାଦ ପାଇ ପୁତ୍ରହୀନ ରାଜା ଅଙ୍ଗରାଜ ପୁତ୍ର ବେନୁଙ୍କୁ ପାଇଲେ। ମାତ୍ର ରାଜପଦରେ ଅଭିଷିକ୍ତ ହେବା ପରେ ଅଧର୍ମୀ ରାଜା ବେନୁଙ୍କ ଅତ୍ୟାଚାରରେ ପ୍ରଜାଗଣ ଅତିଷ୍ଠ ହୋଇପଡ଼ି‌ଲେ। ଧର୍ମ ତ୍ରାହିତ୍ରାହି ଡାକିଲା।

ଭୁବନେଶ୍ୱର: ଅଶ୍ବମେଧ ଯଜ୍ଞରୁ ଆଶୀର୍ବାଦ ପାଇ ପୁତ୍ରହୀନ ରାଜା ଅଙ୍ଗରାଜ ପୁତ୍ର ବେନୁଙ୍କୁ ପାଇଲେ। ମାତ୍ର ରାଜପଦରେ ଅଭିଷିକ୍ତ ହେବା ପରେ ଅଧର୍ମୀ ରାଜା ବେନୁଙ୍କ ଅତ୍ୟାଚାରରେ ପ୍ରଜାଗଣ ଅତିଷ୍ଠ ହୋଇପଡ଼ି‌ଲେ। ଧର୍ମ ତ୍ରାହିତ୍ରାହି ଡାକିଲା। ଧରିତ୍ରୀମାତା ସମୁଦ୍ରରେ ଲୁଚିଲେ। ବର୍ଷା ହେଲା ନାହିଁ। ମରୁଡ଼ି ପଡ଼ିଲା। ରାଜ୍ୟରେ ଖାଦ୍ୟାଭାବ ଦେଖାଗଲା। ଦୁର୍ଭିକ୍ଷ ଯୋଗୁ ବ୍ରାହ୍ମଣମାନେ ରାଜାଙ୍କୁ ଅଭିଶାପ ଦେଲେ ଏବଂ ବେନୁଙ୍କ ମୃତ୍ୟୁ ହେଲା। ସାଧୁସନ୍ଥଙ୍କ ଶକ୍ତିବଳରେ ପୂର୍ବ ରାଜା ବେନୁଙ୍କ ପାଉଁଶରୁ ଜନ୍ମେନେ‌ଲେ ପୃଥିବୀ। ସେ ରାଜପଦରେ ଅଭିଷିକ୍ତ ହୋଇ ‌ପ୍ରଜାଙ୍କ ସମସ୍ୟା ଶୁଣିଲେ। ପ୍ରଥମେ ରାଜ୍ୟରୁ ଖାଦ୍ୟାଭାବ ଦୂର କରିବାକୁ ସେ ଧରିତ୍ରୀମାତାଙ୍କୁ ଖୋଜିବାକୁ ଲାଗିଲେ। ଧରିତ୍ରୀମାତା ସମୁଦ୍ରରେ ଲୁଚିଥିବା ଖବର ପାଇ ପୃଥିବୀ ସମୁଦ୍ର ବିରୋଧରେ ଯୁଦ୍ଧଂଦେହି ଡାକରା ଦେଲେ। କିନ୍ତୁ ଯୁଦ୍ଧ ପୂର୍ବରୁ ଧରିତ୍ରୀମାତା, ପୃଥିବୀଙ୍କ ସମ୍ମୁଖରେ ଉପସ୍ଥିତ ହୋଇଥିଲେ ଏବଂ ଧର୍ମର ରକ୍ଷା କରିବାକୁ କହିଥିଲେ। ଯେଉଁଠି ଧର୍ମର ସମ୍ମାନ ରହିଛି, ଯେଉଁଠି ଧର୍ମକୁ କେହି ନିୟନ୍ତ୍ରଣ କରିପାରନ୍ତି ନାହିଁ, ଯେଉଁଠି ଧର୍ମକୁ ନି‌ରପେକ୍ଷ ରହିବାକୁ ଛାଡ଼ିଦିଆଯାଏ, ସେଠାରେ ସେ ବାସ କରନ୍ତି ବୋଲି ଧରିତ୍ରୀମାତା ବୁଝାଇଥିଲେ। ପୃଥିବୀ ସମ୍ମତି ଜଣାଇବା ପରେ ରାଜ୍ୟକୁ ଫେରିଥିଲେ ଧରିତ୍ରୀମାତା। ଶୁନୟାମୁନିଙ୍କ ‘ଶ୍ରୀମଦ୍‌ ଭାଗବତ’ର ୧୪ତମ ଭାଗ ୧୬ତମ ଅଧ୍ୟାୟର ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ନାଟକ ‘ଅର୍ଦ୍ଧମାତ୍ରା’ ଆଜି ଦର୍ଶକଙ୍କୁ ବିମୋହିତ କରିଥିଲା।

ଆଜି ରବୀନ୍ଦ୍ର ମଣ୍ଡପଠାରେ ମନନ ନାଟ୍ୟସଂସ୍ଥାର ୪୬ତମ ଜନ୍ମବାର୍ଷିକୀ ନାଟକ ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ପୁରୀ ରଙ୍ଗଶାଳା ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଏହି ନାଟକ।  ସ‌ହନିର୍ଦ୍ଦେଶକ ବିଜୟ କୁମାର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ବିକ୍ରମ କୁମାର ସାହୁ, କାଳୁ ଦାସ, ଶୁଭାଶିଷ ତ୍ରିପାଠୀ, ସରୋଜ ଘଟୁଆରୀ, ସଂଗ୍ରାମ କୁମାର ମିଶ୍ର, ସମୁନାଥ ହୋତା, ରଞ୍ଜନ ପାଢ଼ୀ ପ୍ରମୁଖ ଅଭିନୟ କରିଥିଲେ। ସମ୍ବର୍ଦ୍ଧନା ସମାରୋହରେ ଅତିଥି ଭାବେ ନାଟ୍ୟ ଗବେଷକ ଶାନ୍ତନୁ ରଥ, ସାମ୍ବାଦିକ ଗୋପୀନାଥ ବାରିକ, ମନନ ନାଟ୍ୟସଂସ୍ଥାର  ସମ୍ପାଦକ ନିରଞ୍ଜନ ସାହୁ, ଉପସଭାପତି ବାଙ୍କିମ ଚରଣ ନାୟକ, ସଭାପତି ଓ ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଯୋଗଦେଇଥିଲେ। ଅବିନାଶ ଦଣ୍ଡପାଟ, ଶୁଭ୍ରାଂଶୁ ସୁତାରଙ୍କୁ ‘ମନନ ସମ୍ମାନ’ ପ୍ରଦାନ କରାଯାଇଥିଲା।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.