Breaking News

ମନରେଗାକୁ ନେଇ ତନାଘନା: ମୋଦୀ ସରକାର ଯୋଜନାବଦ୍ଧ ହତ୍ୟା

ଗ୍ରାମୀଣ ଲୋକମାନଙ୍କୁ ବର୍ଷ ସାରା କାମ ଯୋଗାଇବା ଲାଗି ପ୍ରସ୍ତୁତ ହୋଇଥିବା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରୁ ଲକ୍ଷ ଲକ୍ଷ ଶ୍ରମିକଙ୍କ ନାଁ କଟିଯିବା ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ନେଇ ତନାଘନା ହୋଇଛି।

0

 

ନୂଆଦିଲ୍ଲୀ: ଗ୍ରାମୀଣ ଲୋକମାନଙ୍କୁ ବର୍ଷ ସାରା କାମ ଯୋଗାଇବା ଲାଗି ପ୍ରସ୍ତୁତ ହୋଇଥିବା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରୁ ଲକ୍ଷ ଲକ୍ଷ ଶ୍ରମିକଙ୍କ ନାଁ କଟିଯିବା ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ନେଇ ତନାଘନା ହୋଇଛି। ଏହି ରିପୋର୍ଟ ଆଧାରରେ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିରୋଧୀ ଦଳ କଂଗ୍ରେସ। ମୋଦୀ ସରକାର ଯୋଜନାବଦ୍ଧ ଭାବେ ମନରେଗାର ତଣ୍ଟି ଚିପି ହତ୍ୟା କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଅପର ପକ୍ଷରେ ମନରେଗାକୁ ନେଇ ଆସିଥିବା ରିପୋର୍ଟରେ କରାଯାଇଥିବା ଦାବିକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ଯେହେତୁ ତାହା ଏକ ଚାହିଦାଭିତ୍ତିକ ଯୋଜନା, ତେଣୁ ସେଥିପାଇଁ ଶ୍ରମିକଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ନିର୍ଧାରଣ କରିବା ସମ୍ଭବପର ନୁହେଁ ବୋଲି କେନ୍ଦ୍ର କହିଛି।

ମୋଦୀ ସରକାର ଯୋଜନାବଦ୍ଧ ହତ୍ୟା କରୁଛି: କଂଗ୍ରେସ
ଶ୍ରମିକ ସଂଖ୍ୟା ଧାର୍ଯ୍ୟ କରିବା ସମ୍ଭବ ନୁହେଁ: କେନ୍ଦ୍ର

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ଏହି ଯୋଜନାର ବଜେଟ୍‌କୁ ନିରନ୍ତର ଭାବେ ହ୍ରାସ କରାଯାଉଥିବା ବେଳେ ମଜୁରି ହାରରେ କୌଣସି ବୃଦ୍ଧି ହେଉନାହିଁ। ପ୍ରଯୁକ୍ତି ବାହାନାରେ ଲୋକମାନଙ୍କୁ ସେମାନଙ୍କ କାମ ଓ ପାଉଣା ପାଇବାର ହକ୍‌ରୁ ବଞ୍ଚିତ କରାଯାଉଛି। ୨୦୨୪ ଜାନୁଆରିରୁ ଲାଗୁ ହୋଇଥିବା ଆଧାର ଭିତ୍ତିକ ପେମେଣ୍ଟ ବ୍ୟବସ୍ଥାରେ ଯୋଗ୍ୟ ହେବା ଲାଗି ଶ୍ରମିକମାନଙ୍କୁ ‌ଅନେକ ସର୍ତ୍ତ ପୂରଣ କରିବାକୁ ପଡ଼ୁଛି। ଜବ୍‌ କାର୍ଡ ସହ ଆଧାର ଲିଙ୍କ୍‌ ହେଉଛି। ଉଭୟରେ ଥିବା ନାମ ଓ ବ୍ୟାଙ୍କ ଖାତା ସହ ତାଳମେଳ ନ ରହିଲେ ପଞ୍ଜୀକରଣ କାଟି ଦିଆଯାଉଛି। ଏହି ବ୍ୟବସ୍ଥା ଲାଗୁ ହେବାର ଫଳ ଏବେ ସାମ୍ନାକୁ ଆସିଛି। ଲିବ୍‌ ଟେକ୍‌ ରିପୋର୍ଟ କହୁଛି ‌ଯେ ଆଧାର ବ୍ୟବସ୍ଥାରେ ୨୭.୪ ପ୍ରତିଶତ ପଞ୍ଜୀକୃତ ଶ୍ରମିକ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଆହୁରି ଚିନ୍ତାର ବିଷୟ ହେଉଛି ୮୪ ଲକ୍ଷରୁ ଅଧିକ ଲୋକଙ୍କ ନାଁ କଟିଯାଇଛି। ଏକ ଆକଳନରୁ ଜଣାପଡ଼ିଛି ଯେ ୧୫ ପ୍ରତିଶତ ଲୋକଙ୍କ ନାଁ ବ୍ୟବସ୍ଥାରେ ଥିବା ତ୍ରୁଟି ଯୋଗୁଁ କଟିଛି। ଉଭୟ ଆଧାର ଭିତ୍ତିକ ପେମେଣ୍ଟ ବ୍ୟବସ୍ଥା ଓ ଜାତୀୟ ମୋବାଇଲ୍‌ ନିରୀକ୍ଷଣ ବ୍ୟବସ୍ଥା ଲାଗୁ ହେବା ପରେ ଶ୍ରମିକମାନେ ନିଜ ହକ୍ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ଦୁଇ ବ୍ୟବସ୍ଥାକୁ ତୁରନ୍ତ ବନ୍ଦ କରି ମନରେଗାର ବଜେଟ୍‌ ଓ ଶ୍ରମିକଙ୍କ ପାରିଶ୍ରମିକ ବଢ଼ାଇବାକୁ ସେ ଦାବି କରିଛନ୍ତି।

ତେବେ ମନରେଗା ସମ୍ପର୍କରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ କହିଛି ଯେ ଚଳିତ ଆର୍ଥିକ ବର୍ଷ ଜାରି ରହିଛି। କେତେକ ପରିମାଣର ଶ୍ରମଦିବସ ସୃଷ୍ଟି ହେବ ତାହା ଧାର୍ଯ୍ୟ କରିବା କଷ୍ଟକର। କିନ୍ତୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଆବଶ୍ୟକତା ଆଧାରରେ ଶ୍ରମ ବଜେଟ୍‌ରେ ସଂଶୋଧନ ପ୍ରସ୍ତାବ ଦେଇପାରିବେ ବୋଲି ମନ୍ତ୍ରଣାଳୟ କହିଛି। ମନରେଗା କିଭଳି ଉନ୍ନତ ସ୍ଥିତିରେ ରହିଛି ତାହା ଜଣାଇବା ଲାଗି ଏକ ପରିସଂଖ୍ୟାନ ଜାରି କରାଯାଇଛି। ସେଥିରେ କୁହାଯାଇଛି ଯେ ୨୦୦୬-୦୭ରୁ ୨୦୧୩-୧୪ ମଧ୍ୟରେ ଏହି ଯୋଜନାରେ ୧୧୬୦ କୋଟି ଶ୍ରମଦିବସ ସୃ‌ଷ୍ଟି ହୋଇଥିଲା। କିନ୍ତୁ ୨୦୨୪-୧୫ରୁ ୨୦୨୪-୨୫ ମଧ୍ୟରେ ସେଥିରେ ତା’ଠାରୁ ଯଥେଷ୍ଟ ଅଧିକ ଅର୍ଥାତ ୨୯୨୩ କୋଟି ଶ୍ରମଦିବସ ସୃଷ୍ଟି ହୋଇଛି। ୧୩.୧ କୋଟି ସକ୍ରିୟ ଶ୍ରମିକଙ୍କ ଆଧାର ସିଡିଂ କରାଯାଇଛି ଯାହା ମୋଟ ସକ୍ରିୟ ଶ୍ରମିକ (୧୩.୧୮ କୋଟି)ର ୯୯.୩ ପ୍ରତିଶତ ବୋଲି ମନ୍ତ୍ରଣାଳୟ ଜଣାଇଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.