Breaking News

ମନ ପରିଭାଷା: ବିଷାଦର ବ୍ୟବଚ୍ଛେଦ

ମୂଳ କଥା ହେଲା ବିଷାଦ ବା ‘ଡିପ୍ରେସନ୍’ କ୍ଷେତ୍ରରେ ନାରୀ ଓ ପୁରୁଷ ମଧ୍ୟରେ ଏକ ଆଖିଦୃଶିଆ ପାର୍ଥକ୍ୟ ରହିଛି। ବିକଶିତ ଦେଶମାନଙ୍କରେ ବିଷାଦଗ୍ରସ୍ତ ପୁରୁଷମାନଙ୍କ ତୁଳନାରେ ନାରୀମାନଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣ।

ଫକୀର ମୋହନ ସାହୁ

ମୂଳ କଥା ହେଲା ବିଷାଦ ବା ‘ଡିପ୍ରେସନ୍’ କ୍ଷେତ୍ରରେ ନାରୀ ଓ ପୁରୁଷ ମଧ୍ୟରେ ଏକ ଆଖିଦୃଶିଆ ପାର୍ଥକ୍ୟ ରହିଛି। ବିକଶିତ ଦେଶମାନଙ୍କରେ ବିଷାଦଗ୍ରସ୍ତ ପୁରୁଷମାନଙ୍କ ତୁଳନାରେ ନାରୀମାନଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣ। ବିକାଶମୁଖୀ ଦେଶମାନଙ୍କରେ ପ୍ରତି ୧୦ ଜଣ ବିଷାଦଗ୍ରସ୍ତ ପୁରୁଷରେ ୧୮ଜଣ ବିଷାଦଗ୍ରସ୍ତା ନାରୀ ଦେଖାଯାଆନ୍ତି। ନାରୀମାନେ ତୁଳନାତ୍ମକ ଭାବେ ଅଧିକ ବିଷାଦଗ୍ରସ୍ତା ହେବା ସହିତ ଅଧିକ ପରିମାଣରେ ଯନ୍ତ୍ରଣା-ନିରୋଧକ ଔଷଧ ବା ‘ପେନ୍‌ କିଲର୍’ ସେବନ କରନ୍ତି।
ମନସ୍ତାତ୍ତ୍ବିକ ଗବେଷଣା ଅନୁଯାୟୀ ଗୋଟିଏ ପଟେ ନାରୀମାନେ ଅଧିକ ବିଷାଦର ଶରବ୍ୟ ହେଉଥିଲେ ହେଁ ଅନ୍ୟ ପାର୍ଶ୍ବରେ ପୁରୁଷଙ୍କ ତୁଳନାରେ ଅଧିକ ଆନନ୍ଦ ଅନୁଭବ କରିବାର ସାମର୍ଥ୍ୟ ରଖନ୍ତି। ବିଷାଦବୋଧ ସାଧାରଣତଃ କୈଶୋର ଅବସ୍ଥାରେ ସୁସ୍ପଷ୍ଟ ହୋଇଥାଏ। ଏହାର ଏକାଧିକ ମନସ୍ତାତ୍ତ୍ୱିକ କାରଣ ମଧ୍ୟ ରହିଛି। ସାଧାରଣତଃ ୧୨ରୁ ୧୩ ବର୍ଷ ବୟସ ବେଳକୁ ବାଳକମାନଙ୍କ ତୁଳନାରେ ବାଳିକାମାନେ ଅପେକ୍ଷାକୃତ ଅଧିକ ବିଷାଦଗ୍ରସ୍ତ ହେବାର ଲକ୍ଷଣମାନ ପ୍ରକାଶ କରନ୍ତି। ସତରରୁ ଅଠର ବର୍ଷ ବୟସ ବେଳକୁ ବାଳକ ଓ ବାଳିକାମାନଙ୍କ ମଧ୍ୟରେ ଏହି ପାର୍ଥକ୍ୟ ଖୁବ୍ ସ୍ପଷ୍ଟ ହୋଇଥାଏ।
ଏବେ ବିଷାଦ ସହିତ ସଂଶ୍ଳିଷ୍ଟ ଥିବା ଚିନ୍ତନ ବିଷୟରେ କିଛି ଜାଣିବା। ବୟସର ସ୍ତର ଯାହା ହେଉନା କାହିଁକି ବିଷାଦର ଅନ୍ତରାଳରେ ଗୋଟିଏ ଧାରାର ଚିନ୍ତନ ସକ୍ରିୟ ଥାଏ। ତାହା ହେଉଛି ବିଷାଦମୁଖୀ ବିଶ୍ଳେଷଣ ବା ତର୍ଜମା କରିବାର ଆଗ୍ରହ। ଏହାର ଅର୍ଥ କୌଣସି ଖରାପ ପରିସ୍ଥିତିରେ ଅନେକ ନିଜକୁ ଦାୟୀ କରନ୍ତି ଏବଂ ସେଥିଲାଗି ହତାଶା ଓ ନୈରାଶ୍ୟବୋଧର ଶିକାର ହୁଅନ୍ତି। କୌଣସି ବିଫଳତା ଲାଗି ବାହ୍ୟ କାରଣ ଦାୟୀ ହୋଇଥିଲେ ହେଁ ସେମାନେ ନିଜକୁ ଦୋଷଯୁକ୍ତ କରନ୍ତି। ଏଭଳି ତଜର୍ମାକାରୀମାନେ ଧରି ନିଅନ୍ତି ଯେ ଏହାର ପ୍ରଭାବରୁ କେବେ ହେଲେ ମୁକ୍ତି ମିଳିବ ନାହିଁ। ଉଦାହରଣ ସ୍ବରୂପ ଏ ବିଫଳତା ସହିତ ଜୀବନଟି ମାଟି ହୋଇଗଲା ବୋଲି ବିଚାର କରନ୍ତି। ଏଭଳି ଲୋକେ ଅଧିକ ବିଷ‌ାଦଗ୍ରସ୍ତ ହୁଅନ୍ତି ଓ ସାଧାରଣତଃ ନାରୀମାନେ ଏଭଳି ମନୋଭାବ ଧାରଣ କରିଥାଆନ୍ତି। ଯେତେବେଳେ ଚିନ୍ତନ ସକାରାତ୍ମକ ହୁଏ, ଜଣେ ଭାବେ ଯେ ବିଫଳତା ହେଉଛି ଏକ ପର୍ଯ୍ୟାୟ ମାତ୍ର, ଏହା ସର୍ବଶେଷ ପରିସ୍ଥିତି ନୁହେଁ ବା ଏହାଦ୍ବାରା ଜାତ ହତାଶା ସାମୟିକ ଓ ପରିଶ୍ରମ କଲେ ସଫଳତା ହାସଲ ସମ୍ଭବ। ଏଭଳି ଲୋକେ ବିଷାଦଗ୍ରସ୍ତ ହୁଅନ୍ତି ନାହିଁ।
ବର୍ତ୍ତମାନ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଶ୍ନଟି ହେଉଛି କିଶୋରୀମାନେ କିଶୋରମାନଙ୍କ ତୁଳନାରେ ଅପେକ୍ଷାକୃତ ଅଧିକ ବିଷାଦମୁଖୀ ଚିନ୍ତା କରନ୍ତି କାହିଁକି? ପ୍ରଥମ କାରଣଟି ହେଉଛି ଶରୀରଭିତ୍ତିକ। କୈଶୋର ପ୍ରାରମ୍ଭରେ ବାଳିକାମାନେ ପ୍ରଜନନ କ୍ଷମତା ହାସଲ କରିବା ସମୟରେ (ପ୍ରାୟ ୧୨ ବା ୧୩ ବର୍ଷ ବୟସରେ) ହର୍‌ମୋନ୍ କ୍ଷରଣରେ ଅସ୍ଥିରତା ଦେଖାଦିଏ। ଏହା ଫଳରେ ସେମାନେ ବିଷାଦର ଶରବ୍ୟ ହେବାର ଅଧିକ ସମ୍ଭାବନା ଥାଏ। ତେବେ, କେବଳ ଋତୁସ୍ରାବ ଆରମ୍ଭ କାଳରେ ନୁହେଁ, ସନ୍ତାନ ଜନ୍ମ ଦେବା ସମୟରେ ଓ ବୟସ ଅନୁସାରୀ ପ୍ରଜନନ କ୍ଷମତା ବିଲୋପନ ହେବା ସମୟରେ ମଧ୍ୟ ନାରୀମାନେ ହର୍‌ମୋନ୍‌ କ୍ଷରଣଜନିତ ଅସ୍ଥିରତା କାରଣରୁ ବିଷାଦର ଶିକାର ହୁଅନ୍ତି। ଦ୍ବିତୀୟ କାରଣଟି ହେଉଛି ସେମାନଙ୍କ ଭାବନାଶୈଳୀ। କୈଶୋରାବସ୍ଥାରେ ସମସ୍ତେ କେତେକ ମାନସିକ ଚାପ ଦେଇ ଗତି କରନ୍ତି। ବାଲ୍ୟକାଳ ଅତିକ୍ରମ କରିଥିବା ଏହି ବୟସରେ ପିଲାମାନେ ପରିଚୟ ସଂକଟ ଦେଇ ଗତି କରନ୍ତି। ଜୀବନରେ କିଏ ଅନୁକରଣୀୟ ବ୍ୟକ୍ତିତ୍ୱ ହେବା ଉଚିତ ସେ ନେଇ ପ୍ରଶ୍ନ ସେମାନଙ୍କୁ ଆଲୋଡ଼ିତ କରେ। ବନ୍ଧୁମାନେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସଂପର୍କ ଭଳି ପ୍ରତୀତ ହୁଅନ୍ତି। ଏହି ବୟସରେ କିଶୋରୀମାନେ ଅଧିକ ମାତ୍ରାରେ ସଂପର୍କ ସ୍ଥାପନ କରିବାକୁ ଚାହାନ୍ତି ଓ ସଂକୋଚ କାରଣରୁ ତାହା କରି ନ ପାରି ଚାପରେ ରହନ୍ତି। ଭାବନା ଅପେକ୍ଷା ଭାବାବେଗକୁ ସେମାନେ ଅଧିକ ପ୍ରାଧାନ୍ୟ ଦେଇ ଘଟଣାର ବିଶ୍ଳେଷଣ କରୁଥିବାରୁ ଚିନ୍ତାରେ ଘାରି ହୁଅନ୍ତି। ଏହି ଘାରି ହେବା ବିଷାଦର ମାତ୍ରାରେ ବୃଦ୍ଧି ଘଟାଏ। ତୃତୀୟ କାରଣଟି ହେଉଛି ସେମାନଙ୍କର ଶରୀର ବୋଧ ଓ ସେ ନେଇ ମାତ୍ରାଧିକ ସଚେତନତା। ଯଦିଓ, ଏହି ସମୟରେ ଉଭୟ କିଶୋର ଓ କିଶୋରୀ ନିଜର ଶରୀର, ଚେହେରା ଓ ଆକର୍ଷଣୀୟତା ବିଷୟରେ ଅଧିକ ଚିନ୍ତିତ ହୋଇ ଉଠନ୍ତି, କିଶୋରୀମାନେ ଏଥିରେ ଅପେକ୍ଷାକୃତ ଅଧିକ ବୁଡ଼ି ରହନ୍ତି। ଏପରିକି ନିଜ ଚେହେରା ବା ଶରୀରର ବର୍ଣ୍ଣ ସେମାନଙ୍କ ପସନ୍ଦଯୋଗ୍ୟ ନ ହେଲେ ସେମାନେ ବ୍ୟଥିତ ହୋଇଉଠନ୍ତି।
ଏଭଳି ସ୍ଥିତିରେ ସେମାନଙ୍କୁ ବିଷାଦରୁ ମୁକ୍ତ କରିବା ଲାଗି ଯାହା ଆବଶ୍ୟକ, ତାହା ହେଲା ସେମାନଙ୍କ ମନର କଥାକୁ ଅନ୍ତରଙ୍ଗତାର ସହିତ ବୁଝିବାକୁ ଚେଷ୍ଟା କରିବା। ଏ ଦାୟିତ୍ବ ପିତାମାତା ବା ଭାଇଭଉଣୀଙ୍କ ଠାରୁ ଆରମ୍ଭ କରି ବନ୍ଧୁମାନେ ମଧ୍ୟ ନେଇପାରନ୍ତି।
ମୋ: ୯୪୩୭୧୨୧୨୭୯
ସୌଜନ୍ୟ-ସମ୍ୱାଦ

Comments are closed.