Breaking News

ମମତାଙ୍କ ନକଲି ଭୋଟର୍‌ ଅଭିଯୋଗକୁ ଖଣ୍ଡନ କଲେ ନିର୍ବାଚନ କମିସନ: ସମାନ ନମ୍ବର ଅର୍ଥ ନକଲି ଭୋଟର୍‌ ନୁହେଁ

ଦୁଇଟି ଭିନ୍ନ ରାଜ୍ୟର ଭୋଟର୍‌ ପରିଚୟପତ୍ରରେ ନମ୍ବର ସମାନ ହେବା ଅର୍ଥ ନକଲି ଭୋଟର୍‌ ନୁହେଁ ବୋଲି ଆଜି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି। ଭୋଟରଙ୍କ ଡାଟାବେସକୁ ଡିଜିଟାଲ ପ୍ଲାଟଫର୍ମକୁ ସ୍ଥାନାନ୍ତର କରିବା ପୂର୍ବରୁ ଅନୁସରଣ କରାଯାଉଥିବା....

ନୂଆଦିଲ୍ଲୀ: ଦୁଇଟି ଭିନ୍ନ ରାଜ୍ୟର ଭୋଟର୍‌ ପରିଚୟପତ୍ରରେ ନମ୍ବର ସମାନ ହେବା  ଅର୍ଥ ନକଲି ଭୋଟର୍‌ ନୁହେଁ ବୋଲି ଆଜି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି। ଭୋଟରଙ୍କ ଡାଟାବେସକୁ ଡିଜିଟାଲ ପ୍ଲାଟଫର୍ମକୁ ସ୍ଥାନାନ୍ତର କରିବା ପୂର୍ବରୁ ଅନୁସରଣ କରାଯାଉଥିବା ବିକେନ୍ଦ୍ରୀକୃତ, ମାନୁଆଲ୍ ବ୍ୟବସ୍ଥା ପାଇଁ କେତେକ ରାଜ୍ୟରେ ଭୋଟର୍‌ ପରିଚୟପତ୍ରରେ ସମାନ ନମ୍ବର ଦେଖିବାକୁ ମିଳିଛି।  ଏହାକୁ ନକଲି ଭୋଟର୍‌ ଭାବେ ଧରିନେବା ଭୁଲ୍‌ ବୋଲି କମିସନ କହିଛନ୍ତି।  ସମସ୍ତ ଭୋଟରଙ୍କୁ ୟୁନିକ୍ ଇପିଆଇସି ନମ୍ବର ଦେଇ ବିଭିନ୍ନ ରାଜ୍ୟରେ ସମାନ ନମ୍ବର ମାମଲାର ସମାଧାନ କରାଯିବ ବୋଲି  ନିର୍ବାଚନ କମିସନ କହିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇପିଆଇସି ନମ୍ବର  ନକଲି ବୋଲି  ଦର୍ଶାଇ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନକଲି ଭୋଟର୍‌ଙ୍କୁ ରାଜ୍ୟର ଭୋଟର ତାଲିକାରେ ସାମିଲ କରିବା ଚକ୍ରାନ୍ତ କରାଯାଉଛି ବୋଲି ଅଭିଯୋଗ କରିଥିଲେ। ବିଜେପି ନିର୍ବାଚନ ଆୟୋଗ ସହ ହାତ ମିଳାଇ ଏଭଳି କରିଛି ବୋଲି ମମତା ଅଭିଯୋଗ କରିବା ସହ ମୋ ପାଖରେ ସବୁ ଜିଲ୍ଲାରୁ ପ୍ରମାଣ ରହିଛି ବୋଲି ଦାବି କରିଥିଲେ।  ଇପିଆଇସି (ନିର୍ବାଚନ ଫଟୋ ପରିଚୟ ପତ୍ର) ନମ୍ବରରେ ପଶ୍ଚିମବଙ୍ଗ ବାସିନ୍ଦାଙ୍କ ସହିତ ହରିୟାଣା ଏବଂ ଗୁଜରାଟର ଲୋକଙ୍କ ନାମ ମଧ୍ୟ ରହିଛି ବୋଲି ମମତା ଅଭିଯୋଗ କରିଥିଲେ। ଟିଏମ୍‌ସି ସୁପ୍ରିମୋ ବିଜେପି ଓ ନିର୍ବାଚନ କମିସନଙ୍କୁ କଡ଼ା ସମାଲୋଚନା କରି କହିଥିଲେ ଯେ ମହାରାଷ୍ଟ୍ର ଏବଂ ଦିଲ୍ଲୀର ବିରୋଧୀ ଦଳଗୁଡ଼ିକ ଏହି କୌଶଳକୁ ଚିହ୍ନଟ କରିବାରେ ବିଫଳ ହୋଇଛନ୍ତି। ପଶ୍ଚିମବଙ୍ଗରେ ଏଭଳି କିଛି ହେବାକୁ ଦିଆଯିବ ନାହିଁ ବୋଲି ମମତା  କହିଥିଲେ। ତେବେ ମମତାଙ୍କ ପ୍ରତ୍ୟେକଟି ଅଭିଯୋଗ କିଭଳି ଆଧାରହୀନ ଓ ଭୁଲ୍‌ ତଥ୍ୟ ଉପରେ ଆଧାରିତ ତାହା ନିର୍ବାଚନ କମିସନ ଜଣାଇଛନ୍ତି।

ସ୍ଥାନୀୟ ବିବରଣୀ ଆଧାରରେ ହିଁ ପରିଚୟ ନିର୍ଦ୍ଧାରଣ ହେଉଛି

ନିର୍ବାଚନ ଆୟୋଗଙ୍କ ବିବୃତ୍ତିରେ  କୁହାଯାଇଛି ଯେ ବିଭିନ୍ନ ରାଜ୍ୟର  ଇପିଆଇସି ନମ୍ବରକୁ ନେଇ ସୋସିଆଲ ମିଡିଆ ପୋଷ୍ଟ ଏବଂ ମିଡିଆ ରିପୋର୍ଟକୁ ଗୁରୁତ୍ବ ଦେଇ ଯାଞ୍ଚ ହୋଇଥିଲା। କମିସନ କହିଛନ୍ତି,  କେତେକ ଭୋଟରଙ୍କ ଇପିଆଇସି ନମ୍ବର ସମାନ ହୋଇପାରେ, କିନ୍ତୁ ସମାନ ଇପିଆଇସି ନମ୍ବର ଥିବା ଭୋଟର୍‌ଙ୍କ ପାଇଁ ଜନସଂଖ୍ୟା ବିବରଣୀ, ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ପୋଲିଂ ବୁଥ୍ ସମେତ ଅନ୍ୟ  ବିବରଣୀ ଅଲଗା ଅଲଗା ଅଟେ। ଇପିଆଇସି ନମ୍ବର ଯାହା ହେଉ ନା କାହିଁକି, ଯେକୌଣସି ମତଦାତା କେବଳ ନିଜ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ନିଜ  ନିର୍ବାଚନ ମଣ୍ଡଳୀର ନିର୍ଦ୍ଧାରିତ ମତଦାନ କେନ୍ଦ୍ରରେ ଭୋଟ୍ ଦେଇପାରିବେ।  ଅନ୍ୟ ସ୍ଥାନରେ ଯାଇ କେହି ଭୋଟ୍‌ ଦେଇପାରିବେ ନାହିଁ ।

ଏଭଳି ସ୍ଥିତିରେ ସୋସିଆଲ ମିଡିଆ ଅପପ୍ରଚାର ଓ ବିଭ୍ରାନ୍ତିରୁ ଦୂରେଇ ରହି ସଠିକ୍‌ ତଥ୍ୟ ଉପରେ ଗୁରୁତ୍ବ ଦେବାକୁ ନିର୍ବାଚନ କମିସନ କହିଛନ୍ତି। ‘ଇରୋନେଟ୍ ପ୍ଲାଟଫର୍ମ’କୁ ରାଜ୍ୟଗୁଡ଼ିକର ଭୋଟର ତାଲିକା ଡାଟାବେସ୍ ସ୍ଥାନାନ୍ତର କରିବା ପୂର୍ବରୁ ଅନୁସରଣ କରାଯାଇଥିବା ଏକ ବିକେନ୍ଦ୍ରୀକୃତ ଏବଂ ମାନୁଆଲ୍ ବ୍ୟବସ୍ଥା ଯୋଗୁଁ  ଭିନ୍ନ ଭିନ୍ନ ରାଜ୍ୟରେ ସମାନ ନମ୍ବର ଥିବା ଭୋଟର୍‌ ପରିଚୟପତ୍ର ଦେଖିବାକୁ ମିଳିଛି। ପର୍ଯ୍ୟାୟକ୍ରମେ ଏହା ଦୂର କରାଯିବା ପାଇଁ ବ୍ୟବସ୍ଥା ହେଉଛି। କୌଣସି ଆଶଙ୍କା ଦୂର କରିବା ପାଇଁ ପଞ୍ଜୀକୃତ ଭୋଟର୍‌ଙ୍କୁ ୟୁନିକ୍ ଇପିଆଇସି ନମ୍ବର ଆବଣ୍ଟନ ସୁନିଶ୍ଚିତ କରିବାକୁ କମିସନ ନିଷ୍ପତ୍ତି ନେଇଛନ୍ତି। ନକଲି ଇପିଆଇସି ନମ୍ବରର ଯେକୌଣସି ମାମଲାକୁ ଏକ ସ୍ୱତନ୍ତ୍ର ଇପିଆଇସି ନମ୍ବର ଆବଣ୍ଟନ କରି ସଂଶୋଧନ କରାଯିବ । ଏହି ପ୍ରକ୍ରିୟାରେ ସହାୟତା  ପାଇଁ ଇରୋନେଟ୍ ୨.୦ ପ୍ଲାଟଫର୍ମକୁ ଅପଡେଟ୍ କରାଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଆଜି ‌ବିଜେପି କହିଛି ଯେ ଭୋଟର ତାଲିକା ଜାଲିଆତି  ନେଇ ମମତା ବାନାର୍ଜୀଙ୍କ ଆଉ ଏକ ଡାହା ମିଛର ପର୍ଦ୍ଦାଫାସ ହୋଇଛି।   ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନିର୍ବାଚନ ବ୍ୟବସ୍ଥା ଉପରେ ଭୋଟରଙ୍କ ବିଶ୍ୱାସକୁ ଦୁର୍ବଳ କରିବା ପାଇଁ ଭୁଲ ତଥ୍ୟ ବ୍ୟବହାର କରୁଛନ୍ତି।  ଏଭଳି କାର୍ଯ୍ୟକୁ ଜନସାଧାରଣ କ୍ଷମା ଦେବେନାହିଁ ବୋଲି ବିଜେପି କହିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.