Breaking News

ମଲମ ବିକ୍ରି

ଏକ ବିଶେଷଜ୍ଞ ଆକଳନ ଅନୁସାରେ ଶକ୍ତି ବ୍ୟବହାରରେ ପରିବର୍ତ୍ତନ ସହିତ ଖାପ ଖାଇବା ପାଇଁ ୨୦୩୦ ସୁଦ୍ଧା ବିକାଶଶୀଳ ଦେଶମାନେ ବାର୍ଷିକ ପ୍ରାୟ ୧୪୦ ବିଲିଅନ୍ ଡଲାର୍‌ରୁ ୩୦୦ ବିଲିଅନ୍ ଡଲାର୍ ପର୍ଯ୍ୟନ୍ତ ସମ୍ବଳ ଆବଶ୍ୟକ କରିବେ।

0

ଏକ ବିଶେଷଜ୍ଞ ଆକଳନ ଅନୁସାରେ ଶକ୍ତି ବ୍ୟବହାରରେ ପରିବର୍ତ୍ତନ ସହିତ ଖାପ ଖାଇବା ପାଇଁ ୨୦୩୦ ସୁଦ୍ଧା ବିକାଶଶୀଳ ଦେଶମାନେ ବାର୍ଷିକ ପ୍ରାୟ ୧୪୦ ବିଲିଅନ୍ ଡଲାର୍‌ରୁ ୩୦୦ ବିଲିଅନ୍ ଡଲାର୍ ପର୍ଯ୍ୟନ୍ତ ସମ୍ବଳ ଆବଶ୍ୟକ କରିବେ। ବାକୁ ସମ୍ମିଳନୀରେ ଯଦି ଏଇଭଳି ବିତ୍ତୀୟ ସହାୟତା ସମ୍ଭବ ହେବା ପାଇଁ ଆବଶ୍ୟକ ଆନ୍ତର୍ଜାତିକ ସହଯୋଗ ସମ୍ବନ୍ଧରେ ବାସ୍ତବ ପଦକ୍ଷେପ ନିଆ ନ ଯାଏ, ତେବେ ତାହା ‘କପ୍-୨୯’ର ‘ସିଇଓ’ଙ୍କ ଆଚରଣ ଭଳି ଏକ ଶଠତାପୂର୍ଣ୍ଣ ମଲମ ବିକ୍ରି କସରତରେ ସମାପ୍ତ ହେବ।

କେନ୍ଦ୍ରୀୟ ଏସିଆର ସଂପୂର୍ଣ୍ଣ ରୂପେ ତୈଳ-ନିର୍ଭରଶୀଳ ଦେଶ ଆଜର୍‌ବୈଜାନ୍‌ର ରାଜଧାନୀ ବାକୁ ଠାରେ ନଭେମ୍ବର ୧୧-୨୨ ମଧ୍ୟରେ ଅନୁଷ୍ଠିତ ହେଉଥିବା ଜାତିସଂଘର ଶୀର୍ଷ ଜଳବାୟୁ ସମ୍ମିଳନୀ ‘କପ୍-୨୯’ ଅନେକ ପରିବେଶ କର୍ମୀ ଓ ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି କରିଛି, ତାହା ହେଉଛି କବି ରବି ସିଂଙ୍କର ସେଇ ସୁପରିଚିତ କବିତାର ପ୍ରତିଧ୍ବନି ପରି: ‘‘ଯାଦୁଆ ବିକୁଛି ଯାଦୁର ମଲମ/ ମଦୁଆ ଉଡ଼ାଏ ନିଶା ନିବାରଣ ବାନା।’’ ଏଭଳି ପ୍ରତିକ୍ରିୟାର କାରଣ ହେଲା ଜଳବାୟୁ ପରିବର୍ତ୍ତନ ଓ ବିଶ୍ବତାପନ ପାଇଁ ମୁଖ୍ୟତଃ ଦାୟୀ ପେଟ୍ରୋଲିଅମ୍ ଓ ପ୍ରାକୃତିକ ବାଷ୍ପ ହେଉଛନ୍ତି ଆଜର୍‌ବୈଜାନ୍‌ର ମୁଖ୍ୟ ରପ୍ତାନି ଦ୍ରବ୍ୟ, ଯାହାର ସେ ଦେଶର ମୋଟ ରପ୍ତାନିରେ ଅଂଶ ହେଉଛି ୯୦ ଶତାଂଶ। ସେହିପରି ସେ ଦେଶର ମୋଟ ଜାତୀୟ ଉତ୍ପାଦ ବା ‘ଜିଡିପି’ରେ ଏ ଦୁଇ ଜଳବାୟୁ-ଅପରାଧୀଙ୍କର ଅଂଶ ହେଉଛି ଏକ-ତୃତୀୟାଂଶ।
ସତେ ଯେମିତି ଆଜର୍‌ବୈଜାନ୍‌କୁ ଅପ୍ରସ୍ତୁତ କରିବା ପାଇଁ ଏହି ଅର୍ଥନୈତିକ ପରିସଂଖ୍ୟାନ ଯଥେଷ୍ଟ ନ ଥିଲା, ଏହି ସମ୍ମିଳନୀ ଆୟୋଜନର ଅବ୍ୟବହିତ ପୂର୍ବରୁ ଏହା ଦାୟିତ୍ବରେ ଥିବା ମୁଖ୍ୟ ଅଧିକାରୀ (‘ସିଇଓ’)ଙ୍କର ଗୋପନରେ ରେକର୍ଡ କରାଯାଇଥିବା ଯେଉଁ ଏକ କାର୍ଯ୍ୟ ଏବେ ପ୍ରସାରିତ ହେବାରେ ଲାଗିଛି, ତାହା ରବି ସିଂଙ୍କର ଉପରୋକ୍ତ କବିତାକୁ ଆହୁରି ଶକ୍ତିଶାଳୀ ଢଙ୍ଗରେ ସେଠାରେ ପ୍ରାସଙ୍ଗିକ କରି ତୋଳିଛି। ଏହି ଭିଡିଓରେ ‘କପ୍-୨୯’ର ‘ସିଇଓ’ ଏଲ୍‌ଚିନ୍ ଗୁଲିୟେଭ୍ ତାଙ୍କ ଦେଶରେ ତୈଳ ଓ ପ୍ରାକୃତିକ ବାଷ୍ପ ଉତ୍ପାଦନରେ ପୁଞ୍ଜି ନିବେଶ କରିବା ପାଇଁ ତୈଳ ଓ ଗ୍ୟାସ୍ କଂପାନିମାନଙ୍କୁ ଆମନ୍ତ୍ରଣ କରିବା ଦେଖାଯାଇଛି, ଯେଉଁଥିରେ ସେ କହିଛନ୍ତି ଯେ ଏଥିପାଇଁ ଆଜର୍‌ବୈଜାନ୍‌ର ‘‘ଦ୍ବାର ଖୋଲା ରହିଛି’’।
ଜାତିସଂଘର ଜଳବାୟୁ ବିଜ୍ଞାନ ସଂଗଠନ ‘ଦି ଇଣ୍ଟର୍‌ ଗଭର୍ନମେଣ୍ଟାଲ୍ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜ’ (‘ଆଇପିସିସି’) ଅବଶ୍ୟ ସ୍ବୀକାର କରିଥାଏ ଯେ ଅନ୍ତତଃ ୨୦୫୦ ପର ପର୍ଯ୍ୟନ୍ତ ପୃଥିବୀରେ ତଥାପି କିଛି କିଛି ପରିମାଣରେ ତୈଳ ଓ ପ୍ରାକୃତିକ ବାଷ୍ପ ବ୍ୟବହାର ଲୋଡ଼ା ହେବ। କିନ୍ତୁ ବିଶ୍ବ ତାପନରେ ବୃଦ୍ଧିକୁ ୧.୫ ଡିଗ୍ରି ସେଲ୍‌ସିଅସ୍ ମଧ୍ୟରେ ସୀମିତ ରଖିବା ନିମିତ୍ତ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ନୂତନ ତୈଳ ଓ ଗ୍ୟାସ୍ କ୍ଷେତ୍ର ଖନନ ତାହାର ସଂପୂର୍ଣ୍ଣ ପରିପନ୍ଥୀ ହୋଇଥିବାରୁ ଖୋଦ୍ ‘କପ୍-୨୯’ର ଆୟୋଜକ ଏହି ଜଳବାୟୁ-ବିରୋଧୀ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଏକ ଅନ୍ତର୍ଘାତୀ କାର୍ଯ୍ୟର ରୂପ ପରିଗ୍ରହଣ କରିଥାଏ।
କିନ୍ତୁ ଏହି ଅସ୍ବସ୍ତିକର ଘଟଣା ପ୍ରକାଶ ପାଇବା ପରେ ମଧ୍ୟ ବାକୁ ଠାରେ ପୂର୍ବ ନିର୍ଦ୍ଧାରିତ ଖସଡ଼ା ଅନୁସାରେ ଜଳବାୟୁ ସମ୍ମିଳନୀ ଆୟୋଜିତ ହେବା ବ୍ୟତୀତ ଅନ୍ୟ ଉପାୟ ନ ଥିଲା। ଦୁବାଇ ଠାରେ ଏହାର ପୂର୍ବବର୍ତ୍ତୀ ସମ୍ମିଳନୀ ‘କପ୍-୨୮’ ଅନୁଷ୍ଠିତ ‌େହବା ପରେ ବର୍ତ୍ତମାନ ଯେଉଁ ସମୟରେ ବାକୁ ଠାରେ ଏହି ‘କପ୍-୨୯’ ଅନୁଷ୍ଠିତ ହେଉଛି, ତାହା ହେଉଛି ସ୍ପେନ୍‌ରୁ ଆରମ୍ଭ କରି ଫିଲିପିନ୍‌ସ ଓ ଆମେରିକା ପର୍ଯ୍ୟନ୍ତ ପ୍ରଳୟଙ୍କରୀ ବର୍ଷା ଓ ଘୂର୍ଣ୍ଣିବାତ୍ୟା ଦ୍ବାରା ଧ୍ବସ୍ତବିଧ୍ବସ୍ତ ହେବାର ସମୟ, ଯାହା ହେଉଛି ଜଳବାୟୁ ପରିବର୍ତ୍ତନର ପରିଣାମ ବୋଲି ସମସ୍ତେ ଏକମତ ହୋଇଥାନ୍ତି। ଏ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ‘କପ୍-୨୯’ ଆୟୋଜନର ଆବଶ୍ୟକତାକୁ ଶକ୍ତିଶାଳୀ ଭାବରେ ବିଶ୍ବବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିଥାଏ।
୨୦୨୩ ଡିସେମ୍ବରରେ ଦୁବାଇ ଠାରେ ଆୟୋଜିତ ‘କପ୍-୨୮’ ବିଭିନ୍ନ ଦୃଷ୍ଟିରୁ ଜଳବାୟୁ ସୁରକ୍ଷା ଅଭିଯାନରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଥିଲା, ଯେଉଁଥିରେ ୨୦୩୦ ସୁଦ୍ଧା ପୃଥିବୀରେ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତାରେ ତିନିଗୁଣ ବୃଦ୍ଧି ଘଟାଇବାକୁ ଓ ଶକ୍ତି ଦକ୍ଷତାକୁ ଦ୍ବିଗୁଣିତ କରିବା ପାଇଁ ସଦସ୍ୟ ଦେଶମାନେ ଶପଥ ଗ୍ରହଣ କରିଥିଲେ। କିନ୍ତୁ ଏହି ଘୋଷଣା ସତ୍ତ୍ବେ ଏଥିରେ ଯେଉଁ ଅଗ୍ରଗତି ପରିଲକ୍ଷିତ ହୋଇଛି, ତାହା ବିପଜ୍ଜନକ ଭାବରେ ମନ୍ଥର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିପଜ୍ଜନକ ଏଇଥିପାଇଁ ଯେ, ଯଦି ବର୍ତ୍ତମାନର ତାପନ ଧାରା ଅବ୍ୟାହତ ରହେ, ତେବେ ସେଥିରେ ପ୍ରାକ୍-ଶିଳ୍ପଯୁଗୀୟ ସ୍ତର ଠାରୁ ୨.୪ ଡିଗ୍ରି ସେଲ୍‌ସିଅସ୍ ବୃଦ୍ଧି ଘଟିବା ପୂର୍ବରୁ ତାହାକୁ ଅଟକାଇ ହେବ ନାହିଁ, ଯାହା ପୃଥିବୀବାସୀଙ୍କ ପାଇଁ ଘାତକ ସାବ୍ୟସ୍ତ ହେବା ନିଶ୍ଚିତ।
‘କପ୍’ ଭାଷାରେ କହିଲେ, ଏପରି ଘଟିଲେ ୨୦୧୫ର ପ୍ୟାରିସ୍ ଠାରେ ଅନୁଷ୍ଠିତ ‘କପ୍-୨୧’ରେ ସ୍ଥାପିତ ଉପରୋକ୍ତ ୧.୫ ଡିଗ୍ରି ସେଲ୍‌ସିଅସ୍ ତାପନ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ। ସେତେବେଳେ ନିର୍ଗମନ ନିୟନ୍ତ୍ରଣ ନିମିତ୍ତ ସଦସ୍ୟ ଦେଶମାନଙ୍କ ପାଇଁ ଯେଉଁ ‘ନେସ୍‌ନାଲି ଡିଟର୍‌ମାଇନ୍‌ଡ କଣ୍ଟ୍ରିବ୍ୟୁସନ୍‌ସ’ (‘ଏନ୍‌ଡିସି’) ନିଶାଣମାନ ସ୍ଥାପିତ ହୋଇଥିଲା ତାହା ହାସଲ କରିବା ପାଇଁ କିଭଳି ବାସ୍ତବ ପଦକ୍ଷେପମାନ ନିଆଯିବ, ‘କପ୍-୨୯’ରେ ସଦସ୍ୟ ଦେଶମାନେ ତାହାର ପ୍ରକୃତ ରୂପରେଖ ନିରୂପଣ କରିବା ନିତାନ୍ତ ଆବଶ୍ୟକ। ଏଥିପାଇଁ ପ୍ରତ୍ୟେକ ଦେଶର ଚରିତ୍ର ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମ୍ବଳ ଯୋଗାଣ, ଯୋଜନା ରୂପାୟନ ଓ ଆନ୍ତର୍ଜାତିକ ସହଯୋଗ ନିମିତ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ। ଉଦାହରଣ ସ୍ବରୂପ ତୈଳ ଆମଦାନି ଉପରେ ସଂପୂର୍ଣ୍ଣ ରୂ‌େପ ନିର୍ଭର କରୁଥିବା ଦେଶମାନଙ୍କ ପାଇଁ (ଯେମିତି ଉତ୍ତର ଆଫ୍ରିକାର ଦେଶସମୂହ) ଅକ୍ଷୟ ଶକ୍ତିର ପ୍ରସାର ସଂପୂର୍ଣ୍ଣ ଲାଭଜନକ ହୋଇଥିବା ବେଳେ ଏସିଆର ବୃହତ୍ ଅର୍ଥନୀତିମାନଙ୍କ ପାଇଁ ସେଭଳି ହୋଇ ନ ଥାଏ। ଏଠାରେ ଅର୍ଥନୀତିର ଏକ ବୃହତ୍ ଅଂଶ ତୈଳ ଓ ପ୍ରାକୃତିକ ବାଷ୍ପ ବ୍ୟବହାର ଉପରେ ନିର୍ଭରଶୀଳ ହୋଇଥିବାରୁ, ସେଥିରେ ହଠାତ୍ ପରିବର୍ତ୍ତନ ଘଟିଲେ ଲୋକମାନଙ୍କର ଜୀବନ ଓ ଜୀବିକାରେ ଘୋର ବିଭ୍ରାଟ ସୃଷ୍ଟି ହୋଇପାରେ। ସଂପୃକ୍ତ ଶିଳ୍ପମାନ ମଧ୍ୟ ଏହି ଉଦ୍ୟମର ପ୍ରତିରୋଧ କରିପାରନ୍ତି।
ଏଥିରେ ସନ୍ଦେହ ନାହିଁ ଯେ ଅକ୍ଷୟ ଶକ୍ତି ହେଉଛି ଦୀର୍ଘକାଳୀନ ଲାଭମାନଙ୍କର ଉତ୍ସ। କିନ୍ତୁ ତାହା ହାସଲ କରିବା ପାଇଁ ଗ୍ରିଡ୍ ସ୍ଥାପନ, ଶକ୍ତି ସଂରକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥା ଆଦିରେ ବିପୁଳ ପୁଞ୍ଜି ନିବେଶ ଲୋଡ଼ା ହୋଇଥାଏ। ‘ଇଣ୍ଟର୍‌ନେସ୍‌ନାଲ୍ ଏନର୍ଜି ଏଜେନ୍‌ସି’ (‘ଆଇଇଏ’)ର ଆକଳନ ଅନୁସାରେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଭାରତରେ ଅକ୍ଷୟ ଶକ୍ତିର ପ୍ରସାର ଘଟାଇବାକୁ ହେଲେ ୨୦୩୦ ସୁଦ୍ଧା ୧.୪ ଟ୍ରିଲିଅନ୍ ଡଲାର୍ ନିବେଶ ଆବଶ୍ୟକ ହେବ। ଆନ୍ତର୍ଜାତିକ ସହଯୋଗ ବିନା ଏହା ସମ୍ଭବ ହେବା କଷ୍ଟ। ମଧ୍ୟପ୍ରାଚ୍ୟ, ପଶ୍ଚିମ ଆଫ୍ରିକା କିମ୍ବା ଦକ୍ଷିଣ ଆମେରିକାର ଯେଉଁ ଦେଶମାନଙ୍କର ଅର୍ଥନୀତି ମୁଖ୍ୟତଃ ତୈଳ ଓ ବାଷ୍ପ ରପ୍ତାନି ଉପରେ ନିର୍ଭରଶୀଳ, ସେମାନଙ୍କ ପାଇଁ ଶକ୍ତି ବ୍ୟବହାରରେ ଏଭଳି ପରିବର୍ତ୍ତନ ଏକ ଗୁରୁତର ଅର୍ଥନୈତିକ ଆହ୍ବାନ ସୃଷ୍ଟି କରିଥାଏ। ବର୍ତ୍ତମାନ ସାଉଦି ଆରବ ଉଦ୍ୟମ କରୁଥିବା ଭଳି ସେ ସବୁ ଦେଶରେ ଅର୍ଥନୈତିକ ଢାଞ୍ଚାରେ ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକ ହେବ, ଯେଉଁଥିପାଇଁ ଆନ୍ତର୍ଜାତିକ ସହଯୋଗ ଓ ପୁଞ୍ଜି ନିବେଶ ଆବଶ୍ୟକ ହେବ।
ଏକ ବିଶେଷଜ୍ଞ ଆକଳନ ଅନୁସାରେ ଶକ୍ତି ବ୍ୟବହାରରେ ପରିବର୍ତ୍ତନ ସହିତ ଖାପ ଖାଇବା ପାଇଁ ୨୦୩୦ ସୁଦ୍ଧା ବିକାଶଶୀଳ ଦେଶମାନେ ବାର୍ଷିକ ପ୍ରାୟ ୧୪୦ ବିଲିଅନ୍ ଡଲାର୍‌ରୁ ୩୦୦ ବିଲିଅନ୍ ଡଲାର୍ ପର୍ଯ୍ୟନ୍ତ ସମ୍ବଳ ଆବଶ୍ୟକ କରିବେ। ବାକୁ ସମ୍ମିଳନୀରେ ଯଦି ଏଇଭଳି ବିତ୍ତୀୟ ସହାୟତା ସମ୍ଭବ ହେବା ପାଇଁ ଆବଶ୍ୟକ ଆନ୍ତର୍ଜାତିକ ସହଯୋଗ ସମ୍ବନ୍ଧରେ ବାସ୍ତବ ପଦକ୍ଷେପ ନିଆ ନ ଯାଏ, ତେବେ ତାହା ‘କପ୍-୨୯’ର ‘ସିଇଓ’ଙ୍କ ଆଚରଣ ଭଳି ଏକ ଶଠତାପୂର୍ଣ୍ଣ ମଲମ ବିକ୍ରି କସରତରେ ସମାପ୍ତ ହେବ।
ସୌଜନ୍ୟ-ସମ୍ୱାଦ

Leave A Reply

Your email address will not be published.