Breaking News

ମହାକାଶରେ ୯ ମାସ: ଫେରିବା ବିଳମ୍ବ ପଛର ରହସ୍ୟ, ୬୨ ଘଣ୍ଟା ସ୍ପେସ୍ ୱାକ୍‌ କରିଛନ୍ତି ସୁନୀତା

୨୦୨୪ ଜୁନ୍‌ ୫ରେ ବୋଇଂର ଷ୍ଟାରଲାଇନ୍‌ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ୮ ଦିନ ପାଇଁ ଯାଇଥିଲେ ନାସାର ଦୁଇ ମହକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲ୍‌ମୋର। ଅପ୍ରତ୍ୟାଶିତ ଭାବେ ସେମାନଙ୍କ ଅଭିଯାନ ୯ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଲମ୍ବିଯାଇଥିଲା।

୨୦୨୪ ଜୁନ୍‌ ୫ରେ ବୋଇଂର ଷ୍ଟାରଲାଇନ୍‌ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ୮ ଦିନ ପାଇଁ ଯାଇଥିଲେ ନାସାର ଦୁଇ ମହକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲ୍‌ମୋର। ଅପ୍ରତ୍ୟାଶିତ ଭାବେ ସେମାନଙ୍କ ଅଭିଯାନ ୯ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଲମ୍ବିଯାଇଥିଲା। ଶେଷରେ ମଙ୍ଗଳବାର ସ୍ପେସ୍ଏକ୍ସ କ୍ୟାପସୁଲରେ ମହାକାଶ କେନ୍ଦ୍ରରୁ ପୃଥିବୀ ଅଭିମୁଖେ ‌ଫେରିଛନ୍ତି। ସେମାନଙ୍କ ସହ ନିକ୍ ହେଗ୍ ଓ ଆଲେକ୍‌ଜାଣ୍ଡର ଗୋର୍ବୁନୋଭ ମଧ୍ୟ ଫେରୁଛନ୍ତି। ହେଗ୍ ଓ ଗୋର୍ବୁନୋଭ ସେପ୍ଟେମ୍ବରରେ କ୍ରୁ ଡ୍ରାଗନ୍ କ୍ରାଫ୍ଟରେ ଆଇଏସ୍ଏସ୍‌କୁ ଉଡ଼ାଣ ଭରିଥିଲେ।

ଫେରିବା ବିଳମ୍ବ ପଛର ରହସ୍ୟ

ଜୁନ୍ ୫ରେ ବୋଇଂର ନୂଆ ଷ୍ଟାର୍‌ଲାଇନର୍ କ୍ରୁ କ୍ୟାପସୁଲ୍‌ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ପହଞ୍ଚିବାର ମାତ୍ର ଏକ ସପ୍ତାହ ପରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍‌ ୱିଲ‌ମୋର  ଫେରିବାର ଥିଲା। କିନ୍ତୁ ଷ୍ଟାର୍‌ଲାଇନର୍‌ରେ ବୈଷୟିକ ସମସ୍ୟା ଦେଖା ଦେଇଥିଲା। ଦୁଇ ମହାକାଶଚାରୀ ଆଇଏସ୍‌ଏସ୍‌ରେ ପହଞ୍ଚିବା ପରେ ଷ୍ଟାର୍‌ଲାଇନର୍ କ୍ୟାପସୁଲ ଥ୍ରଷ୍ଟର ତ୍ରୁଟିର ସମ୍ମୁଖୀନ ହୋଇଥିଲା। ପରବର୍ତ୍ତୀ ଅନୁସନ୍ଧାନରୁ ଜଣାପଡିଥିଲା ଯେ ଥ୍ରଷ୍ଟରରେ ତ୍ରୁଟିଯୁକ୍ତ ଟେଫଲନ୍ ସିଲ୍ ରହିଛି, ଯାହା ଫଳରେ ନାସା ମହାକାଶଯାନକୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଅସୁରକ୍ଷିତ ମନେ କରିଥିଲା। ସ୍ପେସ୍ଏକ୍ସର କ୍ରୁ-୧୦ ଅଭିଯାନ ଆରମ୍ଭ କରିବାରେ ବିଳମ୍ବ ହେବାରୁ ମହାକାଶଚାରୀଙ୍କ ରହଣିକୁ ଆହୁରି ବଢ଼ାଇ ଦିଆଯାଇଥିଲା। ଏହି ଅଭିଯାନକୁ ମାର୍ଚ୍ଚ ୧୨ରୁ ମାର୍ଚ୍ଚ ୧୪, ୨୦୨୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଶେଷରେ ଚଳିତ ସପ୍ତାହରେ ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସ୍ପେସ୍‌ଏକ୍ସ କ୍ୟାପ୍‌ସୁଲରେ ୱିଲିୟମ୍ସ ଓ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ମାର୍ଚ୍ଚ ୧୮ରେ ହେବ ବୋଲି ସ୍ଥିର ହୋଇଥିଲା। ଯଦିଓ ଅନ୍ୟ ମହାକାଶଚାରୀ ଲମ୍ବା ମହାକାଶ ଯାତ୍ରା କରିଥିଲେ, କିନ୍ତୁ କାହାକୁ ଏତେ ଅନିଶ୍ଚିତତାର ସମ୍ମୁଖୀନ ହେବାକୁ ପଡି ନ ଥିଲା କିମ୍ବା ସେମାନଙ୍କ ମିସନର ଅବଧି ଏତେ ବୃଦ୍ଧି ପାଇଥିବା ଦେଖିବାକୁ ମିଳି ନ ଥିଲା। ତେଣୁ ସେମାନଙ୍କ ଫେରିବାକୁ ନେଇ ସାରା ବିଶ୍ବରେ ଚିନ୍ତା ବଢ଼ିଯାଇଥିଲା। ମହାକାଶ କେନ୍ଦ୍ରରେ ଏତେଦିନ ଧରି ରହିବା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା କିଭଳି ଥିବ ଏବଂ ସେମାନେ କିପରି ପୃଥିବୀକୁ ସୁରକ୍ଷିତ ଭାବେ ଆସିବେ ତାହାକୁ ନେଇ ଉଦ୍‌ବେଗ ରହିଥିଲା। କିନ୍ତୁ ଶେଷରେ ସେମାନେ ମହ‌ାକାଶ କେନ୍ଦ୍ରରୁ ‌ଫେରିଛନ୍ତି।

୬୨ ଘଣ୍ଟା ସ୍ପେସ୍ ୱାକ୍‌ କରିଛନ୍ତି ସୁନୀତା

ୱିଲମୋର ଓ ୱିଲିୟମ୍ସ ମହାକାଶରେ ଦୀର୍ଘ ରହଣି ସମୟରେ ବିଭିନ୍ନ ପ୍ରକାର ପରୀକ୍ଷଣ, ଉପକରଣ ଠିକ୍ କରିବା ଏବଂ ଏପରିକି ଏକାଠି ସ୍ପେସ୍ ୱାକ୍ କରିବାରେ ସମୟ ବିତାଇଥିଲେ। ୯ଟି ସ୍ପେସ୍‌ୱାକ୍‌ରେ ୬୨ ଘଣ୍ଟା ସମୟ ବିତାଇ ୱିଲିୟମ୍ସ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ମହିଳା ମହାକାଶଚାରୀମାନଙ୍କ ମଧ୍ୟରେ କ୍ୟାରିୟରରେ ସେ ସର୍ବାଧିକ ସମୟ ସ୍ପେସ୍ ୱାକ୍ କରିଛନ୍ତି। ୱିଲିୟମ୍ସ ମହାକାଶ ରହଣିର ତିନି ମାସ ପରେ ଷ୍ଟେସନର କମାଣ୍ଡର ହୋଇଥିଲେ ଏବଂ ଚଳିତ ମାସ ପ୍ରାରମ୍ଭ ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ।

କାହିଁକି ଲାଗିଲା ୧୭ ଘଣ୍ଟା

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୯ ମାସରୁ ଅଧିକ ସମୟ ଧରି ଅଟକି ରହିଥିବା ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲ୍ମୋରଙ୍କୁ ପୃଥିବୀ ପୃଷ୍ଠରେ ପହଞ୍ଚିବା ଲାଗି ୧୭ ଘଣ୍ଟା ସମୟ ଲାଗିବ। ଆଜି ପୂର୍ବାହ୍ଣ ୧୦ଟା ୩୫ ମିନିଟରେ ସ୍ପେସଏକ୍ସ କ୍ରୁ ଡ୍ରାଗନ ଅନଡକ୍‌ ବା ମହାକାଶକେନ୍ଦ୍ରରୁ ବିଚ୍ଛିନ୍ନ ହୋଇସାରିଛି। ବୁଧବାର ବଡ଼ି ଭୋରୁ ପ୍ରାୟ ୩ଟା ୨୭ ମିନିଟ୍‌ରେ ଫ୍ଲୋରିଡା ନିକଟରେ ସମୁଦ୍ର ମଧ୍ୟରେ ଏହି ଯାନ ଅବତରଣ କରିବ। ରୁଷ୍‌ର ସୋୟୁଜ ମହାକାଶ ଯାନ ସାଢ଼େ ୩ ଘଣ୍ଟାରେ ପୃଥିବୀରେ ପହଞ୍ଚିଥିବାବେଳେ ସ୍ପେସଏକ୍ସର ଡ୍ରାଗନକୁ ୧୭ ଘଣ୍ଟା କାହିଁକି ଲାଗିବ ତାହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି। ଅନେକ କାରଣରୁ ମହାକାଶ ଯାନର ଅବତରଣ ଦୀର୍ଘ ସମୟ ଲାଗିବ। ମହାକାଶଚାରୀଙ୍କ ସୁରକ୍ଷା ଏବଂ ଅବତରଣକୁ ସଠିକ୍‌ ସ୍ଥାନରେ କରିବା ଲାଗି ଏହି ସମୟ ଲାଗିବ ବୋଲି କୁହାଯାଇଛି। ଅନ୍ତର୍ଜାତୀୟ ମହାକାଶକେନ୍ଦ୍ର (ଆଇଏସ୍‌ଏସ୍‌) ପୃଥିବୀର କକ୍ଷପଥରେ ଘଣ୍ଟାପ୍ରତି ୨୮ ହଜାର କିଲୋମିଟର ବେଗରେ ବୁଲିଥାଏ। ପୃଥିବୀଠାରୁ ଏହାର ଦୂରତା ପ୍ରାୟ ୪୨୦ କିଲୋମିଟର ରହିଛି। ତେଣୁ ମହାକାଶ ଯାନ ଅନଡକ୍‌ ହୋଇ ସିଧା ତଳକୁ ଖସିବ ନାହିଁ। ଏହାର ଅବତରଣ ବେଳେ ବେଗକୁ ନିୟନ୍ତ୍ରିତ କରାଯିବ। ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ମାତ୍ରାଧିକ ତାପମାତ୍ରା ସୃଷ୍ଟି ହେବ। ମହାକାଶଯାନ ଏବଂ ମହାକାଶଚାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଏହାକୁ ଧୀରେ ଧୀରେ ଖସାଯିବ। ଅବତରଣ ସମୟରେ ମହାକାଶଯାନର ବେଗକୁ କମାଇବା ପାଇଁ ପାରାସୁଟ୍ ବା ଆକାଶ ଛତାର ଉପଯୋଗ କରାଯିବ।

 

 

 

 

 

 

 

ସୌଜନ୍ୟ-ସମ୍ବାଦ

Comments are closed.