Breaking News

ମହାକୁମ୍ଭ ଦଳାଚକଟା ଦୁର୍ଭାଗ୍ୟଜନକ: ସୁପ୍ରିମ୍‌କୋର୍ଟ

ଉତ୍ତରପ୍ରଦେଶ ପ୍ରୟାଗରାଜରେ ମହାକୁମ୍ଭମେଳାରେ ଘଟିଯାଇଥିବା ଦଳାଚକଟା ଘଟଣାକୁ ସୁପ୍ରିମକୋର୍ଟ ଦୁର୍ଭାଗ୍ୟଜନକ କହିଛନ୍ତି। ତେବେ ଦେଶବ୍ୟାପୀ ଶ୍ରଦ୍ଧାଳୁମାନଙ୍କ ପାଇଁ ନିୟମାବଳୀ ଏବଂ ସୁରକ୍ଷା...

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ମହାକୁମ୍ଭମେଳାରେ ଘଟିଯାଇଥିବା ଦଳାଚକଟା ଘଟଣାକୁ ସୁପ୍ରିମକୋର୍ଟ ଦୁର୍ଭାଗ୍ୟଜନକ କହିଛନ୍ତି।  ତେବେ ଦେଶବ୍ୟାପୀ ଶ୍ରଦ୍ଧାଳୁମାନଙ୍କ ପାଇଁ ନିୟମାବଳୀ ଏବଂ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ହୋଇଥିବା‌ ଏକ ଆବେଦନକୁ କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିନାହାନ୍ତି।  ପ୍ରଧାନ ବିଚାରପତି ସଂଜୀବ ଖାନ୍ନା ଏବଂ ପିଭି ସଂଜୟ କୁମାରଙ୍କ ଖଣ୍ଡପୀଠ ଆଜି ଏନେଇ କରାଯାଇଥିବା ଏକ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଚିନ୍ତାଜନକ।

ଆବେଦନ ଶୁଣାଣି କରିବାକୁ ମନାକଲେ

ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କୋର୍ଟରେ ହାଜର ‌ହୋଇ କହିଥିଲେ ଯେ ଉକ୍ତ ଘଟଣାର ତଦନ୍ତ ପାଇଁ ନ୍ୟାୟିକ କମିସନ ଗଠନ ହୋଇସାରିଛି।  ଏନେଇ ସମାନ ଆବେଦନ ମଧ୍ୟ ଆହ୍ଲାବାଦ ହାଇକୋର୍ଟରେ କରାଯାଇଛି।  ତେବେ ଖଣ୍ଡପୀଠ ଆଇନଜୀବୀଙ୍କୁ ହାଇକୋର୍ଟରେ ତାଙ୍କ ଆବେଦନ କରିବାପାଇଁ କହିଛନ୍ତି। ଆଇନଜୀବୀ ବିଶାଲ ତିୱାରୀଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନରେ ମଧ୍ୟ ଜାନୁଆରି ୨୯ ତାରିଖରେ ହୋଇଥିବା ଦଳାଚକଟା ଘଟଣା ସଂକ୍ରାନ୍ତରେ ଉତ୍ତରପ୍ରଦେଶ ସରକାର ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବାକୁ କୁହାଯାଇଛି।  ସେହିପରି ଦାୟିତ୍ବରେ ଅବହେଳା ପାଇଁ ସମ୍ପୃକ୍ତ ଅଧିକାରୀ ଏବଂ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି ହୋଇଛି।  ଉଲ୍ଲେଖଯୋଗ୍ୟ, ଜାନୁଆରି ୨୯ ତାରିଖ‌ରେ ହୋଇଥିବା ଦଳାଚକଟା ଘଟଣାରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.