Breaking News

ମହାକୁମ୍ଭ ରାଜନୀତି ଜୋର୍‌ ଧରିଲା: ଯୋଗୀଙ୍କୁ ଟାର୍ଗେଟ୍ କଲେ ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହାକୁମ୍ଭକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମମତା କହିଛନ୍ତି, ପ୍ରୟାଗରାଜରେ ହେଉଥିବା ଆଧ୍ୟାତ୍ମିକ ସମାବେଶ ‘ମୃତ୍ୟୁକୁମ୍ଭ’ରେ ପରିଣତ ହୋଇଛି।

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହାକୁମ୍ଭକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମମତା କହିଛନ୍ତି,  ପ୍ରୟାଗରାଜରେ ହେଉଥିବା ଆଧ୍ୟାତ୍ମିକ ସମାବେଶ ‘ମୃତ୍ୟୁକୁମ୍ଭ’ରେ ପରିଣତ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ମହାକୁମ୍ଭରେ ଉପସ୍ଥିତ ଲୋକଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥାରେ ଭେଦଭାବ ରହିଛି। ଏହା ହେଉଛି ‘ମୃତ୍ୟୁକୁମ୍ଭ’… ମୁଁ ମହାକୁମ୍ଭକୁ ସମ୍ମାନ କରେ, ମୁଁ ପବିତ୍ର ଗଙ୍ଗା ମା’ଙ୍କୁ ସମ୍ମାନ କରେ। କିନ୍ତୁ କୌଣସି ଯୋଜନା ନାହିଁ…  ଧନୀ, ଭିଆଇପିଙ୍କ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟରେ କ୍ୟାମ୍ପ (ଟେଣ୍ଟ) ପାଇବା ପାଇଁ ବ୍ୟବସ୍ଥା ରହିଛି। ଗରିବଙ୍କ ପାଇଁ କୁମ୍ଭରେ କୌଣସି ବ୍ୟବସ୍ଥା ନାହିଁ… ମେଳାରେ ଭିଡ଼ ଜମିବା ସାଧାରଣ କଥା କିନ୍ତୁ ଉପଯୁକ୍ତ ବ୍ୟବସ୍ଥା କରିବା ଜରୁରୀ ଥିଲା ବୋଲି ସେ କହିଛନ୍ତି। ମହାକୁମ୍ଭରେ ଘଟିଥିବା ଦଳାଚକଟା ଘଟଣା ପରେ କରାଯାଇଥିବା ଶବ ବ୍ୟବଚ୍ଛେଦ ଉପରେ ମଧ୍ୟ ଟିଏମ୍‌ସି ମୁଖ୍ୟ ପ୍ରଶ୍ନ ଉଠାଇବା ସହ ପୀଡ଼ିତଙ୍କୁ ୟୁପି ସରକାର କେତେ କ୍ଷତିପୂରଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପଶ୍ଚିମବଙ୍ଗ ଲୋକଙ୍କ ଶବ ବ୍ୟବଚ୍ଛେଦ କରାଯାଇ ନାହିଁ। ମୋ ସରକାର ସେମାନଙ୍କ ଶବ ବ୍ୟବଚ୍ଛେଦ କରିଥିଲେ ବୋଲି ମମତା କହିଛନ୍ତି।

ଯୋଗୀଙ୍କୁ ଟାର୍ଗେଟ୍ କଲେ ମମତା
‘ମୃତ୍ୟୁକୁମ୍ଭ’ରେ ପରିଣତ ହୋଇଛି ମହାକୁମ୍ଭ

ନିକଟରେ ମୌନୀ-ଅମାବାସ୍ୟା ଅବସରରେ ଅମୃତ ସ୍ନାନ ସମୟରେ ପ୍ରୟାଗରାଜରେ ଘଟିଥିବା ଦଳାଚକଟା ପରିପ୍ରେକ୍ଷୀରେ ମମତା ବାନାର୍ଜୀ ଏଭଳି ମନ୍ତବ୍ୟ ଦେଇଥିଲେ। ଚଳିତ ମହାକୁମ୍ଭ ମେଳା ପ୍ରସଙ୍ଗରେ ଟିଏମ୍‌ସି ସୁପ୍ରିମୋଙ୍କ ମନ୍ତବ୍ୟକୁ ନେଇ ପଶ୍ଚିମବଙ୍ଗର ବିଜେପି ବିଧାୟକମାନେ ମମତା ବାନାର୍ଜୀଙ୍କୁ ହିନ୍ଦୁ ବିରୋଧୀ ମୁଖ୍ୟମନ୍ତ୍ରୀ ବୋଲି ଆଖ୍ୟା ଦେଇ କହିଛନ୍ତି ଯେ ମହାକୁମ୍ଭର ଅପମାନକୁ ଭାରତବାସୀ ବରଦାସ୍ତ କରିବେ ନାହିଁ। ମମତାଙ୍କ ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେପିର ଶୁଭେନ୍ଦୁ ଅଧିକାରୀ ହିନ୍ଦୁ ଓ ସନ୍ଥ ସମ୍ପ୍ରଦାୟକୁ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ଦୃଢ଼ ବିରୋଧ କରିବାକୁ ନିବେଦନ କରିଛନ୍ତି। ବିଜେପିର ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ମମତାଙ୍କ ଏହି ମନ୍ତବ୍ୟ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାଙ୍କ ପରାଜୟର ସଙ୍କେତ। ମମତା ବାନାର୍ଜୀ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଭଳି ରାଜନୈତିକ ଭାଗ୍ୟର ସମ୍ମୁଖୀନ ହେବେ ବୋଲି ଦାବି କରି ମାଲବ୍ୟ କହିଛନ୍ତି ଯେ ମହାକୁମ୍ଭ ପ୍ରତି ମମତା ବାନାର୍ଜୀଙ୍କ ଅଯଥା ଆକ୍ରମଣ ୨୦୨୬ରେ ତାଙ୍କ ପରାଜୟର ପ୍ରଥମ ସଙ୍କେତ। ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ପରାଜୟ ପରେ ସେ ଅତ୍ୟନ୍ତ ଭୟଭୀତ ଅଛନ୍ତି ବୋଲି ମାଲବ୍ୟ କହିଛନ୍ତି।

ସାଧୁଙ୍କ ଚେତାବନୀ, ପଶ୍ଚିମବଙ୍ଗ ନିର୍ବାଚନ ଆପଣଙ୍କ ପାଇଁ ମୃତ୍ୟୁକୁମ୍ଭ ହେବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅଖିଳ ଭାରତୀୟ ସନ୍ଥ ସମିତି ମୁଖ୍ୟ ମଙ୍ଗଳବାର କଡ଼ା ଚେତାବନୀ ଦେଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ମମତା ବାନାର୍ଜୀ ଏହି ପବିତ୍ର ହିନ୍ଦୁ କାର୍ଯ୍ୟକ୍ରମକୁ ‘ମୃତ୍ୟୁକୁମ୍ଭ’ ବୋଲି କହିଥିଲେ। ମମତା ବାନାର୍ଜୀଙ୍କ ଏହି ମନ୍ତବ୍ୟକୁ ନେଇ ବିଜେପି ଓ ଧାର୍ମିକ ସଙ୍ଗଠନଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନିନ୍ଦା କରି ଅଖିଳ ଭାରତୀୟ ସନ୍ଥ ସମିତି ମୁଖ୍ୟ ସ୍ୱାମୀ ଜିତେନ୍ଦ୍ରାନନ୍ଦ ସରସ୍ୱତୀ ତାଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନ ତାଙ୍କ ରାଜନୈତିକ ଆକାଂକ୍ଷା ପାଇଁ ‘ମୃତ୍ୟୁକୁମ୍ଭ’ ସାବ୍ୟସ୍ତ ହେବ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.