ପ୍ରୟାଗରାଜ: ମହାକୁମ୍ଭ ୨୦୨୫ ପୃଥିବୀର ସବୁଠାରୁ ବଡ଼ ଧାର୍ମିକ ଆୟୋଜନ ଭାବେ ପରିଗଣିତ ହୋଇଛି।   ଆଜି ମହାକୁମ୍ଭର ତୃତୀୟ ଦିବସରେ ଲକ୍ଷ ଲକ୍ଷ  ଶ୍ରଦ୍ଧାଳୁ ପ୍ରବଳ ଥଣ୍ଡାକୁ ଖାତିର ନକରି ପବିତ୍ର ସ୍ନାନ କରିଛନ୍ତି। ଗତ ୧୩ତାରିଖରୁ ଆରମ୍ଭ ହୋଇଥିବା ୪୫ ଦିନିଆ ମହାକୁମ୍ଭର ପ୍ରଥମ ଦୁଇ ଦିନରେ ୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ ଏବଂ ଏହି ଧାରା ଜାରି ରହିଛି। ଏହି ଅବସରରେ ଆୟୋଜନ ସାଂସ୍କୃତିକ ମହୋତ୍ସବ ମଧ୍ୟ ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ଭାରତର ପାରମ୍ପରିକ କାରିଗରୀ ଓ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିବା ପାଇଁ ସମର୍ପିତ ସାତଟି ଭିନ୍ନ ଭିନ୍ନ ସାଂସ୍କୃତିକ ପ୍ରାଙ୍ଗଣରେ ୧୫ ହଜାରରୁ ଅଧିକ କଳାକାର ଚମତ୍କାର ପ୍ରଦର୍ଶନ କରିଛନ୍ତି।

ମହାକୁମ୍ଭ  ସଂସ୍କୃତି, ବିଶ୍ୱାସ ଓ ଏକତାର ମହାସଂଗମ ପାଲଟିଛି ବୋଲି ଆଜି ସଦ୍‌ଗୁରୁ ଜାଗି ବାସୁଦେବ କହିଛନ୍ତି।  ସେ କହିଛନ୍ତି, ଜଣେ ଭାରତୀୟ ଭାବେ ମହାକୁମ୍ଭକୁ କେମିତି କେହି ଏଡ଼ାଇ ପାରିବେ? ଏହା ପୃଥିବୀର ସବୁଠାରୁ ବଡ଼ ଘଟଣା। ଏହା ହେଉଛି ଏକମାତ୍ର ସ୍ଥାନ, ଏକମାତ୍ର ସଭ୍ୟତା, ଯେଉଁଠାରେ ଅସଂଖ୍ୟ ମନୁଷ୍ୟ   ‘ମୁକ୍ତି’ ପାଇଁ ଆକାଂକ୍ଷା କରନ୍ତି ଏବଂ ଏହା ସମଗ୍ର ବିଶ୍ବ ପାଇଁ ପ୍ରେରଣାର ସ୍ରୋତ ପାଲଟିଛି। ପରମର୍ଥ ନିକେତନ କୁମ୍ଭମେଳା ଶିବିରରେ ଆଜି  ଆଶ୍ରମର ଆଧ୍ୟାତ୍ମିକ ମୁଖ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଓ ସାଧ୍ୱୀ ଭଗବତୀ ସରସ୍ୱତୀଙ୍କ ସମେତ ଅନ୍ୟ ଶ୍ରଦ୍ଧାଳୁମାନେ ଏକ ବିଶାଳ ଯଜ୍ଞରେ ଅଂଶଗ୍ରହଣ କରିଥିଲେ।