Breaking News

ମହାମିଳନ

ଯଦି ଟ୍ରମ୍ପଙ୍କ ଶାସନ କାଳରେ ମସ୍କଙ୍କ ରକେଟ୍ ମଙ୍ଗଳରେ ମନୁଷ୍ୟକୁ ପହଞ୍ଚାଇଦିଏ, ତେବେ ଆମେରିକାରେ ଗଣତନ୍ତ୍ରର ଘଟପରିବର୍ତ୍ତନ ସମଗ୍ର ମାନବ ସଭ୍ୟତା ପାଇଁ ଏକ ନୂତନ ଯୁଗର ଆରମ୍ଭ କଲା ବୋଲି ସ୍ବୀକାର କରିବାକୁ ହେବ।

0

ଯଦି ଟ୍ରମ୍ପଙ୍କ ଶାସନ କାଳରେ ମସ୍କଙ୍କ ରକେଟ୍ ମଙ୍ଗଳରେ ମନୁଷ୍ୟକୁ ପହଞ୍ଚାଇଦିଏ, ତେବେ ଆମେରିକାରେ ଗଣତନ୍ତ୍ରର ଘଟପରିବର୍ତ୍ତନ ସମଗ୍ର ମାନବ ସଭ୍ୟତା ପାଇଁ ଏକ ନୂତନ ଯୁଗର ଆରମ୍ଭ କଲା ବୋଲି ସ୍ବୀକାର କରିବାକୁ ହେବ।

ଭାରତୀୟ ରାଜନୀତିରେ ଏହି କାଳ୍ପନିକ ଚିତ୍ରଟି ଉପରେ ଧ୍ୟାନ ନିବଦ୍ଧ କରାଯାଉ। ନରେନ୍ଦ୍ର ମୋଦୀ ସରକାର ବିରୁଦ୍ଧରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ନିୟମିତ ଭାବରେ ଯେଉଁ ଏକ ଆକ୍ରମଣ କୌଶଳ ପ୍ରୟୋଗ କରିଆସିଛନ୍ତି, ତାହା ହେଲା, ମୋଦୀ ସରକାର ଦେଶରେ କେବଳ ଅମ୍ବାନୀ, ଆଦାନୀଙ୍କ ଭଳି ତୁଙ୍ଗ ଧନିକ ଶିଳ୍ପପତିମାନଙ୍କର ସ୍ବାର୍ଥରକ୍ଷା ପାଇଁ କାର୍ଯ୍ୟ କରିଥାଏ ଓ ସେଇମାନଙ୍କ ଦ୍ବାରା ପରୋକ୍ଷରେ ପରିଚାଳିତ ହୋଇଥାଏ। ପ୍ରାଚୀନ ଗ୍ରିକ୍ ଦାର୍ଶନିକ ପ୍ଲାଟୋ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ରିପବ୍ଲିକ୍’ରେ ରାଷ୍ଟ୍ରମାନଙ୍କର ଯେଉଁ ଶ୍ରେଣୀ ବିଭାଜନ କରିଥିଲେ, ତାହା ଅନୁସାରେ କେତେକ ଧନୀକମାନଙ୍କ ଦ୍ବାରା ପରିଚାଳିତ ରାଷ୍ଟ୍ରକୁ ‘ଅଲିଗାର୍କି’ ରୂପେ ବର୍ଣ୍ଣନା କରାଯାଇଥାଏ। ମନେ କରାଯାଉ ରାହୁଳ ଗାନ୍ଧୀଙ୍କ କପୋଳକଳ୍ପିତ ଅଭିଯୋଗକୁ ବାସ୍ତବ ରୂପ ପ୍ରଦାନ କରି ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ରୂପେ ଯୋଗ ଦିଅନ୍ତେ। ତା’ହେଲେ ନିଶ୍ଚିତ ରୂପେ ବିରୋଧୀ ଦଳମାନେ ଅଭିଯୋଗ କରନ୍ତେ ଯେ ଭାରତରେ ଗଣତନ୍ତ୍ର ନୁହେଁ, ଏକ ‘ଧନୀକତନ୍ତ୍ର’ ବା ‘ଅଲିଗାର୍କି’ କାର୍ଯ୍ୟ କରୁଛି।
ସେଇ ପ୍ରାଚୀନ କାଳରେ ମଧ୍ୟ ଗ୍ରିକ୍ ଦାର୍ଶନିକମାନେ ବିଶ୍ବାସ କରୁଥିଲେ ଯେ ଏଭଳି ଏକ ଶାସନତନ୍ତ୍ରରେ କ୍ଷମତାସୀନ ଧନୀକମାନେ ରାଷ୍ଟ୍ରର ସ୍ବାର୍ଥ ଅପେକ୍ଷା ନିଜର ସ୍ବାର୍ଥ ସୁରକ୍ଷିତ ରଖିବା ନିମିତ୍ତ ଅଧିକ କାର୍ଯ୍ୟ କରିଥାନ୍ତି। ବାସ୍ତବରେ ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀରେ ଦୀର୍ଘ ତିନି ଦଶନ୍ଧି ବ୍ୟାପୀ ଏଥେନ୍‌ସ ଓ ସ୍ପାର୍ଟା ମଧ୍ୟରେ ଚାଲିଥିବା ପେଲୋପନେସିଆନ୍ ଯୁଦ୍ଧରେ ଏଥେନ୍‌ସର ପରାଜୟ ପାଇଁ ତତ୍‌କାଳୀନ ମହାନ ଐତିହାସିକ ଥୁସିଡାଇଡିସ୍ ଏଥେନ୍‌ସର ଅଲିଗାର୍କମାନଙ୍କ ଦ୍ବାରା ଅନୁସୃତ ନୀତିକୁ ଅନ୍ୟତମ ମୁଖ୍ୟ କାରଣ ରୂପେ ପ୍ରଦର୍ଶିତ କରିଛନ୍ତି। ପରବର୍ତ୍ତୀ ସମୟରେ ପ୍ଲାଟୋଙ୍କ ମହାନ ଶିଷ୍ୟ ଆରିଷ୍ଟୋଟ୍‌ଲ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ପଲିଟିକ୍‌ସ’ରେ ମଧ୍ୟ ଅଲିଗାର୍କମାନଙ୍କ ପ୍ରତି ଅନୁରୂପ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ। ସେଥିରେ ସେ ଅଲିଗାର୍କମାନେ ଗ୍ରହଣ କରୁଥିବା ଯେଉଁ ଶପଥ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ, ତାହା ଅବିଶ୍ବାସ୍ୟ ଭାବରେ ଥିଲା ଏହିପରି: ‘‘ମୁଁ ଲୋକମାନଙ୍କର ଶତ୍ରୁ ହୋଇ ସେମାନଙ୍କୁ ମନ୍ଦ ଉପଦେଶ ପ୍ରଦାନ କରିବାକୁ ମୋର ସାଧ୍ୟମତେ ଚେଷ୍ଟା କରିବାକୁ ଶପଥ ନେଉଛି।’’
ଏହି ପୃଷ୍ଠଭୂମିରେ ଦେଖିଲେ ପୃଥିବୀର ସର୍ବାଧିକ ଶକ୍ତିଶାଳୀ ତଥା ଶ୍ରେଷ୍ଠତମ ଗଣତନ୍ତ୍ର ରୂପେ ପରିଚିତ ଦେଶରେ ସଂପ୍ରତି ଯାହା ଘଟିଛି ଓ ଘଟିବାକୁ ଯାଉଛି, ତାହା ଥୁସିଡାଇଡିସ୍‌ଙ୍କ ଠାରୁ ରାହୁଳ ଗାନ୍ଧୀଙ୍କ ପର୍ଯ୍ୟନ୍ତ ଗଣତନ୍ତ୍ର ଓ ଧନୀକତନ୍ତ୍ର ମଧ୍ୟରେ ଦେଖି ଆସିଥିବା ସେଇ ବିରୋଧାତ୍ମକ ସଂପର୍କରେ ଆମୂଳଚୂଳ ପରିବର୍ତ୍ତନ ଘଟାଇବାର ସମ୍ଭାବନା ବହନ କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଦେଶ ଅବଶ୍ୟ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା (କେତେକଙ୍କ ମତରେ ପୃଥିବୀର ପ୍ରାଚୀନତମ ସକ୍ରିୟ ଗଣତନ୍ତ୍ର) ଏବଂ ସେଠାରେ ଏହି ଧନୀକତନ୍ତ୍ରମୁଖୀ ପରିବର୍ତ୍ତନ ପ୍ରକ୍ରିୟାର କେନ୍ଦ୍ରରେ ବର୍ତ୍ତମାନ ଯିଏ ଆବିର୍ଭୂତ ହୋଇଛନ୍ତି, ସେ ହେଉଛନ୍ତି ପୃଥିବୀର ସର୍ବଶ୍ରେଷ୍ଠ ଧନିକ ଏଲନ୍ ମସ୍କ।
ଏହା ବର୍ତ୍ତମାନ ପୃଥିବୀ ସାରା ଜଣାଶୁଣା ଯେ ଆମେରିକାରେ ସଦ୍ୟସମାପ୍ତ ରାଷ୍ଟ୍ରପତି ନିର୍ବାଚନରେ ଏଲନ୍ ମସ୍କ ଯେଉଁ ପ୍ରାର୍ଥୀଙ୍କୁ ଖୋଲାଖୋଲି ସମର୍ଥନ କରିବାରେ ନିଜର ସମସ୍ତ ପ୍ରଭାବ ଓ ଅର୍ଥବଳ ବିନିଯୋଗ କରିଥିଲେ ସେ ହେଉଛନ୍ତି ଶେଷରେ ବିପୁଳ ବିଜୟ ହାସଲ କରି ଆଗାମୀ ଜାନୁଆରି ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିବାକୁ ଯାଉଥିବା ଡୋନାଲ୍‌ଡ ଟ୍ରମ୍ପ। ଆଉ ଏହି ଛୋଟିଆ ସୂଚନାଟି ମଧ୍ୟ କାହାରିକୁ ଅବିଦିତ ନୁହେଁ ଯେ ଖୋଦ୍ ଟ୍ରମ୍ପ ବି ହେଉଛନ୍ତି ଛାମୁଆ ସଫଳ ବିଲିଅନେଆର୍ ବ୍ୟବସାୟୀ। ଆଉ ପୃଥିବୀର ସର୍ବାଧିକ କ୍ଷମତାଶାଳୀ ବ୍ୟକ୍ତି ହେଉଛନ୍ତି ଆମେରିକାର ରାଷ୍ଟ୍ରପତି। ତେଣୁ ଟ୍ରମ୍ପ ଓ ମସ୍କଙ୍କର ମିଳନ ଯେ ହେଉଛି ପୃଥିବୀରେ ସର୍ବୋଚ୍ଚ କ୍ଷମତା ସହିତ ସର୍ବାଧିକ ସଂପଦର ମିଳନ, ଏହା କୌଣସି ସାଧାରଣ ପର୍ଯ୍ୟବେକ୍ଷକ ଦୃଷ୍ଟିକୁ ମଧ୍ୟ ଏଡ଼ାଇ ପାରୁ ନ ଥିବ। ଏପରି ମହାମିଳନ ନିଶ୍ଚିତ ରୂପେ ଥୁସିଡାଇଡିସ୍ କିମ୍ବା ଆରିଷ୍ଟୋଟ୍‌ଲଙ୍କ ପାଇଁ ମଧ୍ୟ ଅକଳ୍ପନୀୟ ହୋଇଥିବ।
ଏହି ମହାମିଳନ ପ୍ରସୂତ ‘ଅଲିଗାର୍କି’କୁ ଯାହା ଚରମ ରୂପ ପ୍ରଦାନ କରିବାକୁ ଯାଉଛି ବୋଲି ଶୁଣାଯାଉଛି, ତାହା ହେଲା ରାଷ୍ଟ୍ରପତି ଟ୍ରମ୍ପଙ୍କ କ୍ୟାବିନେଟ୍‌ରେ ଏକ ନୂତନ ବିଭାଗ ସୃଷ୍ଟି ସମ୍ବନ୍ଧରେ କଳ୍ପନାଜଳ୍ପନା- ‘ଡିପାର୍ଟମେଣ୍ଟ ଅଫ୍ ଗଭର୍ନମେଣ୍ଟ ଏଫିସିଏନ୍‌ସି’ (‌‘ଡୋଗେ’), ଯେଉଁଠି ଅନ୍ୟ ସମସ୍ତ ବିଭାଗମାନଙ୍କର କାର୍ଯ୍ୟଦକ୍ଷତାରେ ଉନ୍ନତି ଘଟାଇବା ନିମିତ୍ତ ନକ୍‌ସା ପ୍ରସ୍ତୁତ ହେବ ଏବଂ ତାହା କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ। ଏବଂ ଏହି ନୂତନ ବିଭାଗର ମୁଖ୍ୟ ରୂପେ ଅବସ୍ଥାପିତ ହେବେ ଟେକ୍‌ନୋଲୋଜି ଯାଦୁକର ଏଲନ୍ ମସ୍କ। ଅନ୍ୟ ପ୍ରକାରେ କହିଲେ ଏହା ଯେଉଁ ସମ୍ଭାବନାକୁ ଜନ୍ମ ଦେଇଥାଏ, ତାହା ହେଲା, ଟ୍ରମ୍ପ ପ୍ରଶାସନରେ ଏଲନ୍ ମସ୍କ ହେବେ ରାଷ୍ଟ୍ରପତିଙ୍କର ଘନିଷ୍ଠତମ ସହକର୍ମୀ (ଟ୍ରମ୍ପ ତାଙ୍କର ବିଜୟ ଅଭିଭାଷଣରେ ମସ୍କଙ୍କୁ ଭୁରି ଭୁରି ପ୍ରଶଂସା କରିବା ସହିତ ତାଙ୍କୁ ‘‘ଏକ ତାରକାର ଜନ୍ମ’’ ରୂପେ ଅଭିହିତ କରିଥିଲେ)।
ଆମେରିକା ତଥା ପୃଥିବୀ ପାଇଁ ଏ ଦୁହିଁଙ୍କର ମିଳନର ଫଳାଫଳ କ’ଣ ହେବ, ସେ ସମ୍ବନ୍ଧରେ ଏବେ ଏକ ସ୍ପଷ୍ଟ ଚିତ୍ର ମିଳିବା କଷ୍ଟକର। ହୁଏତ ନାଲିଫିତାରେ ବନ୍ଧା ହୋଇଥିବା ପ୍ରଶାସନ ପାଇଁ ଏଲନ୍ ମସ୍କଙ୍କ ପରି ଜଣେ ଜଣାଶୁଣା ବିଚକ୍ଷଣ ଅଣପାରମ୍ପରିକ ଜ୍ଞାନ-ଉଦ୍ୟୋଗୀ ଦମକାଏ ତାଜା ପବନ ରୂପେ କାର୍ଯ୍ୟ କରିପାରନ୍ତି। କିନ୍ତୁ ବିପଦ ହେଲା, ଉଭୟ ଟ୍ରମ୍ପ ଓ ମସ୍କ ଜଣେ ଜଣେ ଖୋଲାଖୋଲି ଅସୀମ ଆତ୍ମବଡ଼ିମା ଗ୍ରସ୍ତ ଚରିତ୍ର ରୂପେ ଜଣାଶୁଣା, ଯିଏ କୌଣସି ପାରମ୍ପରିକ ନୀତିନିୟମ ପାଳନରେ ବିଶ୍ବାସ କରନ୍ତି ନାହିଁ। ଏକ ଉଦାହରଣ ସ୍ବରୂପ ସାରା ପୃଥିବୀ ଜଳବାୟୁ ପରିବର୍ତ୍ତନ ଓ ବିଶ୍ବତାପନ ନେଇ ଘୋର ଚିନ୍ତିତ ହୋଇପଡ଼ିଥିବା ବେଳେ, ଡୋନାଲ୍‌ଡ ଟ୍ରମ୍ପ ଏଥିରେ ବିଶ୍ବାସ କରନ୍ତି ନାହିଁ। ଅପରପକ୍ଷେ ‘ଟେସ୍‌ଲା’ ପରି ପରିବେଶ ଅନୁକୂଳ ଇଲେକ୍ଟ୍ରିକ୍ ମଟରଗାଡ଼ି ନିର୍ମାଣ ଏଲନ୍ ମସ୍କଙ୍କର ମୁଖ୍ୟ ବ୍ୟବସାୟମାନଙ୍କ ମଧ୍ୟରୁ ଅନ୍ୟତମ ହୋଇଥିବା ବେଳେ ଟ୍ରମ୍ପ ପାରମ୍ପରିକ ପେଟ୍ରୋଲ୍ ଓ ଡିଜେଲ୍ ଚାଳିତ ମଟରଗାଡ଼ି ଶିଳ୍ପକୁ ସହାୟତା ପ୍ରଦାନ କରିବାକୁ ଅଧିକ ଆଗ୍ରହୀ ବୋଲି ସର୍ବଦା ଘୋଷଣା କରିଆସିଛନ୍ତି। ଏଣୁ ଉଭୟଙ୍କ ମଧ୍ୟରେ ନୀତିଗତ ସଂଘାତ ଭବିଷ୍ୟତରେ କେଉଁ ମୋଡ଼ ନେବ ତାହାକୁ ମଟରଗାଡ଼ି ଶିଳ୍ପରୁ ଆରମ୍ଭ କରି ପରିବେଶ ସୁରକ୍ଷା ପରିସର ପର୍ଯ୍ୟନ୍ତ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି।
ମସ୍କ ନିଜର ନୂତନ ପ୍ରଭାବ ପ୍ରୟୋଗ କରି ‘ଟେସ୍‌ଲା’, ‘ସ୍ପେସ୍ଏକ୍‌ସ’, ‘ଷ୍ଟାର୍‌ଲିଙ୍କ୍’ (ସାଟେଲାଇଟ୍ ଇଣ୍ଟର୍‌ନେଟ୍) ଓ ‘ଏକ୍‌ସ’ (ପୂର୍ବର ‘ଟ୍ବିଟର୍’) ଆଦି ନିଜର ବିଭିନ୍ନ ବ୍ୟବସାୟମାନଙ୍କ ଉପରେ ସରକାରୀ ନିୟନ୍ତ୍ରଣ କୋହଳ କରିବାକୁ ନିଶ୍ଚୟ ଚେଷ୍ଟା କରିବେ। ଏହା ସଂପୃକ୍ତ କ୍ଷେତ୍ରମାନଙ୍କରେ ପ୍ରତିଯୋଗିତାକୁ ନିଶ୍ଚିତ ରୂପେ ପ୍ରଭାବିତ କରିବ। ତେବେ ଏହାର ଏକ ଫଳସ୍ବରୂପ ମସ୍କ ତାଙ୍କ ‘ସ୍ପେସ୍‌ଏକ୍‌ସ’ ରକେଟ୍ ବ୍ୟବହାର କରି ମଙ୍ଗଳ ଗ୍ରହକୁ ମନୁଷ୍ୟ ପ୍ରେରଣ ପାଇଁ ଚଳାଇଥିବା ଉଦ୍ୟମ ତ୍ବରାନ୍ବିତ ହୋଇପାରେ। କାରଣ ଘରୋଇ ମହାକାଶ ଅଭିଯାନକୁ ନିୟନ୍ତ୍ରଣ କରୁଥିବା ସରକାରୀ ସଂସ୍ଥା ‘ଫେଡେରାଲ୍ ଏଭିଏସନ୍ ଆଡ୍‌ମିନିଷ୍ଟ୍ରେସନ୍’ ଏହା ଉପରେ ତା’ର ନିୟନ୍ତ୍ରଣ କୋହଳ କରିଦେଇପାରେ। ଯଦି ଟ୍ରମ୍ପଙ୍କ ଶାସନ କାଳରେ ମସ୍କଙ୍କ ରକେଟ୍ ମଙ୍ଗଳରେ ମନୁଷ୍ୟକୁ ପହଞ୍ଚାଇଦିଏ, ତେବେ ଆମେରିକାରେ ଗଣତନ୍ତ୍ରର ଘଟପରିବର୍ତ୍ତନ ସମଗ୍ର ମାନବ ସଭ୍ୟତା ପାଇଁ ଏକ ନୂତନ ଯୁଗର ଆରମ୍ଭ କଲା ବୋଲି ସ୍ବୀକାର କରିବାକୁ ହେବ।
ସୌଜନ୍ୟ-ସମ୍ବାଦ

Leave A Reply

Your email address will not be published.