Breaking News

ମହାରାଷ୍ଟ୍ରରେ ‘ମହାୟୁତି’ର କ୍ୟାବିନେଟ୍‌ ସମ୍ପ୍ରସାରଣ: ଶପଥ ନେଲେ ୩୯ ମନ୍ତ୍ରୀ

ମହାରାଷ୍ଟ୍ରରେ ମହାୟୁତି ସରକାରର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଜି ହୋଇଛି। ତିନିଦଳର ୩୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଦେବେନ୍ଦ୍ର ଫଡ଼ନାବିସ, ଉପମୁଖ୍ୟମନ୍ତ୍ରୀ...

ମୁମ୍ବାଇ: ମହାରାଷ୍ଟ୍ରରେ ମହାୟୁତି ସରକାରର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଜି ହୋଇଛି। ତିନିଦଳର ୩୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଦେବେନ୍ଦ୍ର ଫଡ଼ନାବିସ, ଉପମୁଖ୍ୟମନ୍ତ୍ରୀ ଭ‌ାବେ ଶିବସେନାର ଏକନାଥ ସିନ୍ଦେ ଓ ଏନ୍‌ସିପିର ଅଜିତ ପାୱାର ଶପଥ ନେବାର ୧୦ ଦିନ ପରେ ଆଜି ନାଗପୁରସ୍ଥିତ ରାଜଭବନ ପରିସରରେ ନୂତନ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ବିଜେପିର ୧୯ , ଶିବସେନାର ୧୧  ଓ ଏନ୍‌ସିପିର ୯ ବିଧାୟକ ମନ୍ତ୍ରୀଭାବେ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୩୩ ଜଣ କ୍ୟାବିନେଟ୍ ଏବଂ ୬ ଜଣ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ରାଜ୍ୟପାଳ ସି ପି ରାଧାକୃଷ୍ଣନ୍ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ଦୀର୍ଘବର୍ଷ ପରେ ନାଗପୁରରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହା ପୂର୍ବରୁ ୧୯୯୧ ମସିହାରେ ନାଗପୁରରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ହୋଇଥିଲା।

ଶପଥ ନେଲେ ୩୯ ମନ୍ତ୍ରୀ
୩୩ କ୍ୟାବିନେଟ୍‌, ୬ ରାଷ୍ଟ୍ରମନ୍ତ୍ରୀ
ନାଗପୁରରେ ହେଲା ଶପଥ ଗ୍ରହଣ ଉତ୍ସବ

ବିଜେପିର ରାଜ୍ୟ ଅଧ୍ୟକ୍ଷ ଚନ୍ଦ୍ରଶେଖର ବୱନ୍‌କୁଲେ ପ୍ରଥମେ ଶପଥ ଗ୍ରହଣ କରିଥିଲେ। ତାଙ୍କ ପରେ ଅନ୍ୟତମ ବିଜେପି ନେତା ରାଧାକୃଷ୍ଣ ଭିଖେ ପାଟିଲ୍‌ ଶପଥ ନେଇଥିଲେ।  ମନ୍ତ୍ରୀଭାବେ ଶପଥ ନେଇଥିବା ଅନ୍ୟ ପ୍ରମୁଖ ବିଜେପି ନେତାଙ୍କ ମଧ୍ୟରେ ଚନ୍ଦ୍ରକାନ୍ତ ପାଟିଲ, ପଙ୍କଜା ମୁଣ୍ଡେ, ନିତେଶ ରାଣେ, ଗିରିଶ ମହାଜନ, ଗଣେଶ ନାଏକ, ମଙ୍ଗଳ ପ୍ରଭାତ ଲୋଧା, ଜୟକୁମାର ରାୱଲ, ଅତୁଲ ସେଭ୍‌, ଅଶୋକ ଉଇକେ, ଆଶିଷ ସେଲାର, ଶିବେନ୍ଦ୍ରରାଜେ ଭୋସଲେ, ଜୟକୁମାର ଗୋରେ, ସଞ୍ଜୟ ସଭକରେ ଏବଂ ଆକାଶ ଫୁନ୍ଦକର ଆଦି ଅଛନ୍ତି। ସେହିଭଳି ଶିବସେନାରୁ ଉଦୟ ସାମନ୍ତ, ଶମ୍ଭୁରାଜେ ଦେଶାଇ, ଗୁଲାବରାଓ ପାଟିଲ୍‌, ଦାଦା ଭୁସେ ଓ ସଞ୍ଜୟ ରାଧୋଡ଼ଙ୍କୁ ପୁଣିଥରେ ମନ୍ତ୍ରୀପଦ ମିଳିଛି। ନୂତନ ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଅନ୍ୟ ଶିବସେନା ବିଧାୟକଙ୍କ ମଧ୍ୟରେ ଅଛନ୍ତି ସଞ୍ଜୟ ଶିରସତ, ଭାରତ ଗୋଗାୱାଲେ, ପ୍ରକାଶ ଅଭିତକର, ଯୋଗେଶ କଦମ, ଆଶିଷ ଜୈସ୍ବାଲ୍‌, ପ୍ରତାପ ସରଣିକ। ତେବେ ଶିବସେନାର ପୂର୍ବ ମନ୍ତ୍ରୀ ଥିବା ଦୀପକ କେସରକର, ତାନାଜି ସାୱନ୍ତ, ଅବଦୁଲ୍‌ ସତ୍ତାରଙ୍କୁ ଏଥର ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯାଇଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ଧନଞ୍ଜୟ ମୁଣ୍ଡେ, ହାସନ ମୁସରିଫ୍‌, ଆଦିତି ତତ୍‌କରେ, ବାବାସାହେବ ପାଟିଲ୍‌, ମାଣିକରାଓ କୋକଟେ, ଦତ୍ତାତ୍ରେୟ ଭରାନେ, ନରହରି ଜିରୱାଲ୍‌, ମକରନ୍ଦ ଯାଦବ ଆଦି ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରର ମୋଟ ୨୮୮ଟି ଆସନରୁ ବିଜେପି ୧୩୨, ଶିବସେନା ୫୭ ଓ ଏନ୍‌ସିପି ୪୧ଟି ଆସନରେ ବିଜୟ ଲାଭ କରିଥିଲା। ଆଜି ରାତି କିମ୍ବା ଆସନ୍ତାକାଲି ବିଭାଗ ବଣ୍ଟନ ହେବା ସମ୍ଭାବନା ରହିଛି।

ddgdgddg

୪ ମହିଳା ମନ୍ତ୍ରୀ
ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ଶପଥ ନେଇଥିବା ନୂଆ ମନ୍ତ୍ରିମଣ୍ଡଳରେ ୪ ଜଣ ମହିଳା ମନ୍ତ୍ରୀ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ହୋଇଥିବାବେଳେ ୨ ଜଣ ରାଷ୍ଟ୍ରମନ୍ତ୍ରୀ ‌ହୋଇଛନ୍ତି। ବିଜେପି ଜାତୀୟ ସଂପାଦକ ପଙ୍କଜା ମୁଣ୍ଡେ, ଏନସିପି ନେତ୍ରୀ ଆଦିତି ତତ୍‌କରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି। ବିଜେପି ମାଧୁରି ମିସାଲ ଏବଂ ମେଘନା ବୋର୍‌ଦିକର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Comments are closed.